ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର କନିଷ୍ଠ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବରେ ହସ୍ତତନ୍ତ, ବୟନ ଶିଳ୍ପ ବିଭାଗର ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସହ ନବରଙ୍ଗପୁର ସାଂସଦ ରମେଶ ମାଝୀ ପ୍ରମୁଖ ଯୋଗଦେଇ କ୍ରୀଡ଼ାର ମହତ୍ତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।

ମହାବିଦ୍ୟାଳୟର କ୍ରୀଡ଼ା ଉତ୍ସବରେ ପ୍ରଥମେ ଅଧ୍ୟକ୍ଷା ସେହ୍ନଲତା ପଣ୍ଡା କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ। ଏହାପରେ ପାଞ୍ଚ ଶହରୁ ଅଧିକ ଛାତ୍ରଛାତ୍ରୀ ଏକାଠି ହୋଇ ଆଦିବାସୀ ଢେମସା ନୃତ୍ୟ ପରିବେଷଣ କରିଥିଲେ।ଏହାପରେ ପୁରସ୍କାର ପ୍ରଦାନ ଉତ୍ସବରେ ମନ୍ତ୍ରୀ ପଦ୍ମିନୀ ଦିଆନ୍ ଉପସ୍ଥିତ ରହି କହିଥିଲେ ଯେ କ୍ରୀଡ଼ା କ୍ଷେତ୍ରରେ ଶୃଙ୍ଖଳା ଆଣିପାରିଲେ ହିଁ ଜଣେ ଲୋକ ଭଲ ନାଗରିକ ହୋଇପାରିବ। କ୍ରୀଡ଼ାରେ ଶୃଙ୍ଖଳା ରହିବା ନିହାତି ଆବଶ୍ୟକ ବୋଲି ସେ କହିଥିଲେ। ଅନ୍ୟପଟେ ସାଂସଦ ରମେଶ ମାଝୀ କହିଥିଲେ ଯେ କ୍ରୀଡ଼ା ସହ ଛାତ୍ରଛାତ୍ରୀମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ।  ନଚେତ୍ ସେମାନେ କ୍ରୀଡ଼ା କ୍ଷେତ୍ରରେ ସଫଳ ହୋଇପାରିବେ ନାହିଁ।

ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରୀ ରେଶମା ଜାନୀ ଚମ୍ପିୟାନ୍ ଖେଳାଳି ଓ ଜାମ୍ବବତୀ ଚାଲାନ୍ ଶ୍ରେଷ୍ଠ କଳାକାର ଭାବେ ପୁରସ୍କୃତ ହୋଇଥିଲେ। ଏହାପରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଉତ୍ସବରେ ମନ୍ତ୍ରୀ ଓ ସାଂସଦଙ୍କ ସହ ଡାବୁଗାଁ ବିଧାୟକ ତଥା ମହାବିଦ୍ୟାଳୟର ସଭାପତି ମନୋହର ରନ୍ଧାରୀ ମଧ୍ୟ ଯୋଗ ଦେଇଥିଲେ।

Comment