ନୀଳାମ୍ବର ରଥ

ସେଦିନ ସକାଳୁ ସକାଳୁ ଖବରକାଗଜରେ ଗୋଟିଏ ଖବର ପାଖରେ ଆଖି ଅଟକିଗଲା। ଭିତର ପୃଷ୍ଠାର ଖବର ।

ଶୀର୍ଷକ ଥିଲା ‘ଖବରକାଗଜ ବିଜ୍ଞାପନରେ ତିନି ତଲାକ୍‍’। ତାକୁ ପଢିଲା ପରେ ମନେହେଲା ଏତେ ଆଧୁନିକତା, ଶିକ୍ଷା ଓ ସଂସ୍କାର, ଗଣମାଧ୍ୟମର ପ୍ରସାର ଓ ବିଜ୍ଞାନର ଉଦ୍ଭାବନ ପରେ ବି ମଣିଷର ମାନସିକତା ଓ ମାନବିକତା ମଧ୍ୟରେ ଏବେ ବି ଦ୍ୱନ୍ଦ୍ୱ ରହିଛି। ସମ୍ଭବତଃ ଆଗକୁ ରହିବ!

ମଣିଷ ପୃଥିବୀର ସବୁଠାରୁ ଶ୍ରେଷ୍ଠ ସୃଷ୍ଟି। ମାନବିକତା ପୃଥିବୀର ସବୁଠାରୁ ବଡ଼ ଧର୍ମ।

ଘଟଣାଟି ହେଉଛି ହାଇଦ୍ରାବାଦର ଜଣେ ମୁସଲମାନ ମହିଳାଙ୍କ ଦୁର୍ଭାଗ୍ୟର କାହାଣୀ। ତାଙ୍କ କୋଳରେ ଦଶମାସର ଶିଶୁ କନ୍ୟା। ସେ ଥାନାରେ ଅଭିଯୋଗ କରିଛନ୍ତି ଯେ ସାଉଦି ଆରବରେ ରହୁଥିବା ତାଙ୍କ ସ୍ୱାମୀ ଖବରକାଗଜ ମାଧ୍ୟମରେ ବିଜ୍ଞାପନ ଦେଇ ତାଙ୍କୁ ତଲାକ୍‍ ଦେଇଛନ୍ତି। ଏହି ବିଜ୍ଞାପନଟି ସମ୍ପୃକ୍ତ (ଅ)ଭଦ୍ର ଲୋକଙ୍କ ଓକିଲଙ୍କ ମାଧ୍ୟମରେ ପ୍ରକାଶିତ ହୋ‍ଇଛି। ଧନ୍ୟ ସେ ମଣିଷ, ତାଙ୍କ ଓକିଲ ଓ ସେହି ଗଣମାଧ୍ୟମ। ମୁଁ ତ ଭାବୁଛି ଖବରକାଗଜରେ ପ‍ଇସା ଖର୍ଚ୍ଚ କରି ବିଜ୍ଞାପନ ନ ଦେଇ ବା ଓକିଲ ପାଖକୁ ନଯାଇ କେଡ଼େ ସହଜରେ ଓ ସୁନ୍ଦର ଭାବରେ ଏସ୍‌ଏମ୍‌ଏସ୍‌ ବା ହ୍ୱାଟ୍‌ସଆପ୍‌ ମାଧ୍ୟମରେ ସେ ତିନି ତଲାକ୍‍ ଦେଇପାରିଥା’ନ୍ତେ!

ଏହି ଖବରଟି ସହିତ ଆଉ ଗୋଟିଏ ଘଟଣା ମଧ୍ୟ ପ୍ରକାଶ ପାଇଛି। ତାହା ହେଉଛି ଆଉ ଜଣେ ମହାପୁରୁଷ – ସ୍ୱାମୀଙ୍କ ପୁରୁଷପଣିଆର ଏକ ବିରଳ ନିଦର୍ଶନ। ଏହି ମହାନ୍‍ ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀଙ୍କୁ ପୋଷ୍ଟକାର୍ଡ ମାଧ୍ୟମରେ ଚିଠି ଲେଖି ତିନି ତଲାକ୍‍ ଦେଇଛନ୍ତି।

ଉପର ଦୁଇଟିଯାକ ମାମଲା ପୁଲିସ୍‍ ହାତରେ। କିନ୍ତୁ ବିଚରା ଭାରତୀୟ ପୁଲିସ୍‍ ଧର୍ମ ଓ ଆଇନ୍‍ ଭିତରେ ରୁଲ୍‍ବାଡ଼ି ବୁଲେଇବା ଛଡ଼ା ଆଉ କଣ କରିପାରିବ!

ମୋ ବିଚାରରେ କୌଣସି ଧର୍ମ, କୌଣସି ବିଶ୍ୱାସ ବା କୌଣସି ନିର୍ଦ୍ଦେଶ ମାନବିକତା ଓ ବ୍ୟକ୍ତି ସ୍ୱାଧୀନତା ଉପରେ ନୁହଁ। ଯଦି ଗୋଟିଏ ଧର୍ମ ଜଣେ ପୁରୁଷକୁ ତିନୋଟି ଶବ୍ଦ ମାଧ୍ୟମରେ ସବୁ ସମ୍ପର୍କ ଓ ଉତ୍ତରଦାୟିତ୍ୱର ଡ଼ୋରି ମୁହୂର୍ତ୍ତକରେ ଛିଣ୍ଡାଇବାର ଅଧିକାର ଦେଇପାରେ ସେ ଜଣେ ମହିଳାଙ୍କୁ ସେ ଅଧିକାର କାହିଁକି ଦେଇପାରିବ ନାହିଁ! 

ମଣିଷପଣିଆ ଦୃଷ୍ଟିରୁ କୌଣସି ବ୍ୟବସ୍ଥାରେ ପୁରୁଷ ଓ ମହିଳାଙ୍କ ପାଇଁ ଏଭଳି ଭିନ୍ନ ଭିନ୍ନ ନିୟମ ଗ୍ରହଣୀୟ ନୁହେଁ। ଏକଥା ସୁନିଶ୍ଚିତ ଯେ ଆଗାମୀ କାଲିର ମହିଳା ଓ ପୁରୁଷମାନେ ଏହାକୁ ଗ୍ରହଣ କରିବେ ନାହିଁ।

ଏହି ଲେଖକ ଇଟିଭିର ସମ୍ପାଦକ ଥିବାବେଳେ ଓଡ଼ିଶାର ଭଦ୍ରକ ସହରରେ ଗୋଟିଏ ଘଟଣା ବେଶ୍‍ ଚର୍ଚ୍ଚିତ ହୋ‍ଇଥିଲା। ସେଠିକାର ଜଣେ ମହିଳାଙ୍କୁ ତାଙ୍କ ମଦୁଆ ସ୍ୱାମୀ ନିଶାଗ୍ରସ୍ତ ଅବସ୍ଥାରେ ଭୁଲ୍‍ର ତିନି ତଲାକ୍‍ ଉଚ୍ଚାରଣ କରିଦେଇଥିଲେ। ସକାଳୁ ନିଶା ଭାଙ୍ଗିଲା ପରେ ସେ ଜୀବନର ବାସ୍ତବତା ବୁଝିଲେ। ଏଠି ଘଟଣା ଥିଲା ଟିକେ ନାଟକୀୟ। କାରଣ ଏହି ମାମଲାରେ ସ୍ୱାମୀ ଓ ସ୍ତ୍ରୀ ପରସ୍ପରକୁ ବୁଝି ଏକାଠି ରହିବାକୁ ଚାହିଁଲା ବେଳକୁ ସାମାଜିକ ଓ ଧାର୍ମିକ ବ୍ୟବସ୍ଥା ପାଲଟିଥିଲା ମୁଖ୍ଯ ପ୍ରତିବଂଧକ। ଏହି ଦମ୍ପତ୍ତିଙ୍କୁ କେତେ ଦିନ ପର୍ଯ୍ୟନ୍ତ ବାର ଦୁଆର, ମିଡିଆ ଓ ଅଦାଲତ କବାଟ ବାଡ଼େଇବାକୁ ପଡ଼ିଛି ସେ ଦୁଃଖ କେବଳ ତାଙ୍କୁ ହିଁ ଜଣା। କଥା କଥାରେ ଆମେ କହୁ ‘ମିଆଁ ବିବି ରାଜି ତୋ କ୍ୟା କରେଗା କାଜି?’ କିନ୍ତୁ ବାସ୍ତବିକ୍‍ ସମାଜର ଚିତ୍ର ତାହା ନୁହେଁ ଏହି ଘଟଣାରୁ ଏହା ପ୍ରମାଣିତ ହୋ‍ଇଥିଲା।

କୌଣସି ଧାର୍ମିକ ବ୍ୟବସ୍ଥା ବା ବ୍ୟକ୍ତିଗତ ବିଶ୍ୱାସ ସମ୍ପର୍କରେ ଟିପ୍‌ପଣୀ ଦେବାର କୌଣସି ଆଗ୍ରହ ଏହି ଲେଖକଙ୍କର ନାହିଁ। କିନ୍ତୁ ଆଗାମୀ ପିଢି ପାଇଁ ଅନ୍ତତଃ ଏତିକି କହିବାର ଅଛି ଯେ ‘ମଣିଷ ପୃଥିବୀର ସବୁଠାରୁ ଶ୍ରେଷ୍ଠ ସୃଷ୍ଟି। ମାନବିକତା ପୃଥିବୀର ସବୁଠାରୁ ବଡ଼ ଧର୍ମ’।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ ୱେବ୍‍ ଚ୍ୟାନେଲ୍‍ର ପ୍ରତିଷ୍ଠାତା ସମ୍ପାଦକ)

LEAVE A REPLY

Please enter your comment!
Please enter your name here