ଲିଟିଲ୍‍ ମିସ୍‍ ୟୁନିଭର୍ସ୍‍ର ଶିରୋନାମା ଜିତି ଭାରତ ତଥା ଓଡ଼ିଶାକୁ ଗୌରବାନ୍ୱିତ କରିବାର ଦୃଢ ବିଶ୍ୱାସ ରଖିଛନ୍ତି ୧୨ ବର୍ଷ ବୟସର ପଦ୍ମାଳୟା ନନ୍ଦ। ୟୁରୋପର ଜର୍ଜିଆଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ସେ ଜୋରସୋରରେ ପ୍ରସ୍ତୁତ କରୁଛନ୍ତି।  

ମେ ମାସ ୩୧ ତାରିଖରୁ ଜୁନ୍‍ ୬ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଗ୍ରାଣ୍ଡ ଫିନାଲେରେ ୧୬ଟି ଦେଶରୁ ଯୋଗ୍ୟ ବିବେଚିତା ହୋ‍ଇଥିବା ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ। ସେହି ଦେଶମାନେ ହେଲେ ବୁଲଗେରିଆ, ଜର୍ଜିଆ, କେନିୟା, ଋଷିଆ, ଥାଇଲାଣ୍ଡ, କାଜାକସ୍ତାନ ଇତ୍ୟାଦି।

“ମୁଁ ଏହି ପ୍ରତିଯୋଗିତାରେ ଜିତିବା ପାଇଁ ବିଶେଷ ଭାବେ ଆଶାବାଦୀ ଅଛି ତଥା ମୋର ନିଜ ଉପରେ ଦୃଢ ବିଶ୍ୱାସ ମଧ୍ୟ ଅଛି। ଯେହେତୁ ବିଶ୍ୱସ୍ତରୀୟ ଏହି ପ୍ରତିଯୋଗିତା ପାଇଁ ସମ୍ପୂର୍ଣ୍ଣ ତଥା ସାମଗ୍ରିକ ବିକାଶର ଆବଶ୍ୟକତା ରହିଛି, ମୁଁ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଦୃଢ ତଥା ନିର୍ଭୁଲ କରିବାରେ ଲାଗିପଡିଛି”, କହିଛନ୍ତି ପଦ୍ମାଳୟା। 

ସେ କେରଳର କୋଝିକୋଡଠାରେ ହୋ‍ଇଥିବା ଗ୍ରାଣ୍ଡ ଫିନାଲେରେ ୭୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତା ହୋ‍ଇଥିଲେ। ସେଠାରେ ସେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ଏବଂ ନିଜେ ଗାୟନ ପାଇଁ ମଧ୍ୟ ଉଚ୍ଚ ପ୍ରଶଂସିତ ହୋ‍ଇଥିଲେ।

ଜର୍ଜିଆଠାରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ରାଉଣ୍ଡରେ ବ୍ୟକ୍ତିତ୍ୱ, ପ୍ରତିଭା, ପୋଷାକ ତଥା ଦେଶର ପରମ୍ପରା ସମ୍ବନ୍ଧରେ ପ୍ରତିଯୋଗୀମାନଙ୍କ ଉପସ୍ଥାପନା ଅନୁଯାୟୀ ସମୀକ୍ଷା କରାଯିବ। ଅନ୍ୟ ଏକ ରାଉଣ୍ଡରେ ପ୍ରତିଯୋଗୀମାନେ ୩୦ ସେକେଣ୍ଡ ସମୟସୀମା ମଧ୍ୟରେ ନିଜ ଦେଶ ସମ୍ବନ୍ଧରେ କହିବେ। “ତେବେ ଏହି ପ୍ରତିଯୋଗିତାର ଫଳାଫଳର ୨୦ ପ୍ରତିଶତ ଅନ୍‌ଲାଇନ୍‌ ଭୋଟିଂ ଉପରେ ନିର୍ଭର କରେ। ଭଗବାନଙ୍କ କୃପାରୁ ପଦ୍ମାଳୟା ଭୋଟିଂ ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛି। ଏପରିକି ସେ ବର୍ତ୍ତମାନ ସୁଦ୍ଧା ଟପ୍‍ – ୫ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ସ୍ଥାନ ପାଇପାରିଛି”, କହିଛନ୍ତି ପଦ୍ମାଳୟାଙ୍କ ପିତା ପ୍ରସନ୍ନ ନନ୍ଦ। 

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ପଦ୍ମାଳୟା ଓଡ଼ିଶାରୁ ୫ ପ୍ରତିଶତ ଭୋଟ ପାଇଥିବା ବେଳେ ଭାରତରୁ ୧୫ ପ୍ରତିଶତ ତଥା ୟୁରୋପରୁ ୬୯ ପ୍ରତିଶତ ଭୋଟ ପାଇଛନ୍ତି। 

ଏହି ପ୍ରତିଯୋଗିତାର ଅନ୍ୟ ଏକ ଆକର୍ଷଣୀୟ ରାଉଣ୍ଡ ହେଉଛି ‘ରୟାଲ ଏଥେନୋ ପାର୍ଟି’, ଯେଉଁଥିରେ ପ୍ରତିଯୋଗୀମାନେ ନିଜ ଦେଶର ରାଜକୀୟ ପୋଷାକ, ଖାଦ୍ୟ, କଳା ଓ ସଂସ୍କୃତିର ପ୍ରଦର୍ଶନ କରିବେ। ଓଡ଼ିଶାଲାଇଭ୍‍ ସହ କଥାବାର୍ତ୍ତା ହେବା ସମୟରେ ପଦ୍ମାଳୟା ଏହି ଶିରୋନାମା ହାସଲ କରି ଭାରତରେ ପ୍ରଥମ ମିସ୍‍ ଲିଟିଲ୍‍ ୟୁନିଭର୍ସ ହେବାର ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।

ପଦ୍ମାଳୟା କଟକସ୍ଥିତ ଷ୍ଟୁଆର୍ଟ ସ୍କୁଲ୍‍ର ଅଷ୍ଟମ ଶ୍ରେଣୀର ଛାତ୍ରୀ। ସଫଳତାର ଏହି ସୋପାନରେ ପହଞ୍ଚାଇବାରେ ତାଙ୍କ ସ୍କୁଲ୍‍ ତଥା ପରିବାରବର୍ଗ ଓ ସାଙ୍ଗସାଥୀମାନଙ୍କ ସହଯୋଗ ତାଙ୍କୁ ଅନେକ ଭାବରେ ପ୍ରେରିତ କରିଛି ବୋଲି ସେ କହିଛନ୍ତି।

Comment