ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୁଳସୀ ଅପା ନାମରେ ପରିଚିତ ତୁଳସୀ ମୁଣ୍ଡା ସମସ୍ତଙ୍କ ପାଇଁ ସେ ଏକ ଆଦର୍ଶ। ବାରଣ୍ଡାରେ ଆରମ୍ଭ କରିଥିଲେ ମଧ୍ୟ ତାଙ୍କରି ଦ୍ଵ।ରା ପ୍ରତିଷ୍ଠା ହୋଇଥିବା ସ୍କୁଲରେ ପଢ଼ୁଥିବା ଆଦିବାସୀ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇ ଏବେ ଏହା ୨୦ ହଜାରରେ ପହଁଚିଛି। ତୁଳସୀ ମୁଣ୍ଡାଙ୍କ ଆଦିବାସୀ ବିକାଶ ସମିତିର ବିଶେଷତ୍ୱ ଏହି ଯେ ଏଥିରେ ପ୍ରତି ବର୍ଷ ୫୦୦ ପିଲା ନାମ ଲେଖାନ୍ତି ଯାହାଙ୍କ ମଧ୍ୟରୁ ଅଧା ହେଉଛନ୍ତି ଝିଅ। ୫୦ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ସ୍କୁଲରୁ ପ୍ରାୟ ପଚାଶ ହଜାର ପିଲା ବାହାରି ସାରିଲେଣି।

ତୁଳସୀ ମୁଣ୍ଡାଙ୍କ ଉପରେ ନିକଟରେ ଏକ ନୂତନ ଚିତ୍ର ନିର୍ମାଣ କରାଯାଇଛି। ‘ତୁଳସୀ ଅପା’ ଶୀର୍ଷକ ଏହି ଜୀବନୀମୂଳକ ଚିତ୍ରରେ ତୁଳସୀଙ୍କ ସମ୍ପର୍କରେ ବହୁ କଥା ଜଣାପଡ଼େ।

ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ଜନ୍ମ ନେଇଥିଲେ ତୁଳସୀ। ସେ ଜଣେ ସମାଜକର୍ମୀ କେବଳ ନୁହନ୍ତି, ଏହି କ୍ଷେତ୍ରରେ ପାରଦର୍ଶିତା ଲାଭ କରିବା ସହ ସେ ଏକ ଆଇକନ ପାଲଟି ଯାଇଛନ୍ତି।

କେନ୍ଦୁଝର ଜିଲ୍ଲାରେ ଥିବା ଆଦିବାସୀ ପିଲାଙ୍କ ଥଇଥାନ ବ୍ୟତୀତ ସେମାନଙ୍କ ଶିକ୍ଷା ବ୍ୟବସ୍ଥା କରିବା ପାଇଁ ତୁଳସୀ ଯେଉଁ ପରିଶ୍ରମ କରିଛନ୍ତି ତାହା ଅତୁଳନୀୟ। ଏହି ଅବଦାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଅନୁପ୍ରାଣିତ କରିଛି।

ପଦ୍ମଶ୍ରୀ ଭଳି ଉପାଧି ପାଇ ମଧ୍ୟ ସେ ନିଜକୁ ଜଣେ ସାମାନ୍ୟ ମହିଳା ଭାବେ ପରିଚୟ ଦେଇ ଆସିଛନ୍ତି। ୪୦ ବର୍ଷ ଧରି ତାଙ୍କ କାର୍ଯ୍ୟ ସମ୍ପାଦନ ପ୍ରତିଟି ମଣିଷ ପାଇଁ ଏକ ପ୍ରେରଣା,ଏକ ଦୃଷ୍ଟାନ୍ତ।

ସ୍ଵାଧୀନତା ପ୍ରାପ୍ତିର ଗୋଟିଏ ମାସ ଆଗରୁ ଜନ୍ମ ଗ୍ରହଣ କରିଥିଲେ ତୁଳସୀ। କିନ୍ତୁ ପିଲାଟି ବେଳରୁ ହିଁ ବିଚାର ଓ ଅନୁଭବ ତାଙ୍କ କିଛି ଅଲଗା ଥିଲ। ଅନ୍ୟମାନେ ସ୍ଵାଧୀନତାକୁ ଯେମିତି ବୁଝିଥିଲେ ସେହି ରାସ୍ତାରେ ନଯାଇ ସ୍ଵାଧୀନତା ଓ ପରାଧୀନ ଅବସ୍ଥାକୁ ତୁଳସୀ ନିଜ ଢଙ୍ଗରେ ବୁଝିଥିଲେ ଓ ସେହି ଅନୁସାରେ ଜୀବନ ଯାତ୍ରାର ପଥିକ ହୋଇଥିଲେ।

ତାଙ୍କ ବୟସର ପିଲାଏ ଗାଇ ଛେଳି ଛାଡ଼ିବାକୁ ଗଲାବେଳେ ତୁଳସୀ କିନ୍ତୁ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ପରିସ୍ଥିତି କିନ୍ତୁ ତାହା କରାଇ ନଦେବା ପାଇଁ ଜିଦ୍‌ ଧରିଥିଲା। ଏଣୁ ସେ ବିଧବା ମା’ଙ୍କୁ ସାହାଯ୍ୟ କରିବାକୁ ଲାଗିଲେ। କୈନ୍ସିରେ ପାଠ ପଢା ସୁବିଧା ନ ହେବାରୁ ବାର ବର୍ଷ ଧରି ସେ ଅପାଠୁଆ ରହିଥିଲେ।

ଏହା ପରେ ସେ ତାଙ୍କ ଭଉଣୀଙ୍କ ପାଖକୁ ସେରେଂଡା ଚାଲି ଯାଇଥିଲେ। ପଥର ଖଣିରେ କାମ କରିବା, ପଥର କାଟିବା ଓ ପଥର ଲୋଡିଂ କରିବା ଆଦି ଯାବତୀୟ କାର୍ଯ୍ୟ ପାଇଁ ତାଙ୍କୁ ମିଳୁଥିଲା ମାତ୍ର ଦୁଇ ଟଙ୍କା ମଜୁରୀ। ତଥାପି ସେ ନିଜ ଲକ୍ଷରୁ ବିଚ୍ୟୁତ ହୋଇ ନଥିଲେ। ଅକ୍ଷର ଶିଖିବା ପାଇଁ ସେ ତାଙ୍କ ଉଦ୍ୟମ ଜାରି ରଖିଥିଲେ।

୧୯୬୧ରେ ତୁଳସୀଙ୍କ ଜୀବନ ଭିନ୍ନ ମୋଡ଼ ନେଲା। ସେତେବେଳେ ମାଳତୀ ଚୌଧୁରୀ, ରମା ଦେବୀ ଓ ନିର୍ମଳା ଦେଶପାଣ୍ଡେ ଘରେ ଘରେ ପରିଚିତ ହୋଇ ପଡ଼ିଥାନ୍ତି। ସ୍ଵାଧୀନତା ସଂଗ୍ରାମ ସାଙ୍ଗକୁ ନାରୀ ଶିକ୍ଷାର ପ୍ରସାର ଥିଲା ଏହି ନେତ୍ରୀମାନଙ୍କ ବ୍ରତ। ତୁଳସୀ ଏହି ଆନ୍ଦୋଳନରେ ଝାସ ଦେଇଥିଲେ ଓ ନିଜ ଗ୍ରାମ ବ୍ୟତୀତ ଅନ୍ୟ ଅଂଚଳରେ ମଧ୍ୟ ଶିକ୍ଷାର ପ୍ରସାର ପାଇଁ ସେ ଲାଗି ପଡ଼ିଲେ।

ପରବର୍ତ୍ତୀ ସମୟରେ ସେ ଭେଟନ୍ତି ସମାଜ ସଂସ୍କାରକ ଓ  ଭୂଦାନ ଆନ୍ଦୋଳନର ପ୍ରତିଷ୍ଠାତା ବିନୋବା ଭାବେଙ୍କୁ। ଏହି ସମୟରେ ଓଡ଼ିଶାରେ ଭୁଦାନ ଆନ୍ଦୋଳନ ଆରମ୍ଭ ହୋଇ ସାରି ଥାଏ। ତୁଳସୀ ଏଥିରେ ଯୋଗ ଦେଇଥିଲେ ଓ ନିଜ ଗ୍ରାମରୁ ଭୁଦାନକାରୀଙ୍କ ଠାରୁ ଜମି ମାଗି ଆରମ୍ଭ କରିଥିଲେ ଏହି ମହତ କାର୍ଯ୍ୟ।

୧୯୬୪ରେ ତୁଳସୀ ଫେରି ଆସନ୍ତି ନିଜ ଗାଁ ସେରେଂଡାକୁ । ତା’ପରେ ତୁଳସୀଙ୍କ ପାଇଁ ପିଲାଙ୍କୁ ଶିକ୍ଷା ଦେବା ଓ ନିରକ୍ଷରତା ଦୂର କରିବାର ସୁଯୋଗଟିଏ ଆସିଲା। ବିଶେଷକରି ଝିଅମାନଙ୍କ ପାଇଁ ସେ ଶିକ୍ଷାର ବ୍ୟବସ୍ଥା ଗ୍ରହଣ କରିବା ଆରମ୍ଭ କଲେ। ତୁଳସୀ ବୁଝିଥିଲେ ଯେ ଅଶିକ୍ଷା ହିଁ ସମଗ୍ର ସମସ୍ୟାର ମୂଳ କାରଣ।

ହେଲେ ଏହି କାର୍ଯ୍ୟଟି ଏତେ ସହଜ ନଥିଲା। ତାଙ୍କ ଗ୍ରାମର ଆଦିବାସୀମାନେ ଧରି ନେଇଥିଲେ ପାଠ ପଢିବା ଅନାବଶ୍ୟକ। ତୁଳସୀ କିନ୍ତୁ ନିଜ ଲକ୍ଷ୍ୟରୁ ଓହରି ଯାଇନଥିଲେ। ସେରେଂଡା଼ର ଗାଁ ମୁଖିଆଙ୍କୁ ବାରଣ୍ଡାରେ ଜାଗା ଟିକିଏ ଦେବା ପାଇଁ ଅନୁରୋଧ କଲେ। ଏଠାରୁ ଆରମ୍ଭ ହେଲା ତୁଳସୀଙ୍କ ସ୍ୱପ୍ନର ବିଦ୍ୟାଳୟ।

ତିରିଶ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସେ ଆରମ୍ଭ କଲେ ସନ୍ଧ୍ୟା ସ୍କୁଲ। ଏଠି ଶିଖାଗଲା ଅକ୍ଷର ଓ ସଂଖ୍ୟା। ପ୍ରଥମେ ପ୍ରଥମେ ପିଲାଙ୍କ ବାପା ମାଙ୍କୁ ବୁଝେଇବା ପାଇଁ ସେ କମ୍‍ ପରିଶ୍ରମ କରିନାହାନ୍ତି। ପ୍ରତି ଦିନ ଘର ଘର ବୁଲି ପିଲାଙ୍କୁ ପାଠ ପଢିବା ପାଇଁ ପଠାଇବାକୁ ସେ ମନାଉଥିଲେ। ସ୍କୁଲ ଚଳାଇବା ପାଇଁ ତୁଳସୀ ମୁଢ଼ି ବି ବିକିଛନ୍ତି।

କ୍ରମଶଃ ବୃଦ୍ଧି ପାଇଲା ଏହି ସ୍କୁଲରେ ପଢ଼ୁଥିବା ପିଲାଙ୍କ ସଂଖ୍ୟା। ୧୯୬୬ରେ ଏକ ମହୁଲ ଗଛ ତଳେ ସେ ଆରମ୍ଭ କଲେ ବିଧିବଦ୍ଧ ସ୍କୁଲ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସ୍କୁଲ ସଂଖ୍ୟା ୧୭ରେ ପହଞ୍ଚିଲା। ଶିକ୍ଷା ବିକାଶ ସମିତି ଆଜି ନିଜ ଗୋଡ଼ରେ ଠିଆ ହୋଇ ପାରିଛି ଓ ପ୍ରତିବର୍ଷ ପ୍ରାୟ ୫୦୦ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷା ଦେଉଛନ୍ତି।

ତୁଳସୀଙ୍କ ଏହି ଅସାଧାରଣ ଉଦ୍ୟମ ଓ ସଫଳତା ପାଇଁ ତାଙ୍କୁ ମିଳେ ପଦ୍ମଶ୍ରୀ। ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ନିରକ୍ଷରତା ଦୂର କରିବାକୁ ସେ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ସେଥିରେ ଅଭିଭୂତ ହେବାର ଅନେକ କାରଣ ରହିଛି।

ପଦ୍ମଶ୍ରୀ ପାଇବାର ଦଶ ବର୍ଷ ପରେ ତାଙ୍କୁ ମିଳିଥିଲା ଓଡିଶା ଲିଭିଂ ଲେଜେନ୍ଡ଼ ପୁରସ୍କାର। ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଆଜି ନିଜ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି। ତୁଳସୀ ମୁଣ୍ଡା ଏକ ବ୍ୟତିକ୍ରମ,ଏକ ଉତ୍ସର୍ଗୀକୃତ ଜୀବନ।

ଅମୀୟ ପଟ୍ଟନାୟକଙ୍କ ଦ୍ୱାରା ତୁଳସୀ ମୁଣ୍ଡାଙ୍କ ଉପରେ  ନିର୍ମିତ ଚିତ୍ର ‘ତୁଳସୀ ଅପା’ ବହୁ ଚଳଚିତ୍ର ଉତ୍ସବରେ ଉଚ୍ଚ ପ୍ରଶଂସିତ ହେବା ପରେ ଆଜି ମୁକ୍ତିଲାଭ କରିଛି। ବର୍ଷା ନାୟକ, ସୁଜିତ ପାଇକରାୟ ଓ ଶିଶୁ କଳାକାର ମଧୁସ୍ମିତାଙ୍କୁ ନେଇ ନିର୍ମିତ ଏହି ଚିତ୍ର ପାଇଁ ପଙ୍କଜ ଜାଲ ସଂଗୀତ ନିର୍ଦେଶନା ଦେଇଥିବା ବେଳେ ଇରା ମହାନ୍ତି କଣ୍ଠ ଦାନ କରିଛନ୍ତି।

Comment