ସତ୍ୟବ୍ରତ ପାଢ଼ୀ

ବିନା ରାସାୟନିକ ସାରରେ ବୋଧହୁଏ ଆଜିର ଦିନରେ କୌଣସି ଚାଷୀର ଉତ୍ପାଦନ ବଢ଼ିବା ବହୁ କଷ୍ଟସାଧ୍ୟ ବ୍ୟାପାର।

କିନ୍ତୁ ଏସବୁ କଥାକୁ ଭୁଲ୍‌ ପ୍ରମାଣିତ କରିଆସୁଛନ୍ତି ୬୭ ବର୍ଷୀୟ ଲୋକନାଥ ନାଉରୀ। ଲୋକନାଥଙ୍କ ଘର ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ୍‌ରୁ ୧୫ କିଲୋମିଟର ଗଲା ପରେ କେରାଣ୍ଡିଗୁଡ଼ା ଗାଁ। ତୃତୀୟ ଶ୍ରେଣୀରୁ ପାଠରେ ଡୋରି ବାନ୍ଧିଥିବା ଲୋକନାଥ ଜେଜେବାପା ଅମଳରୁ ଚାଷ କାର୍ଯ୍ୟ କରିଆସୁଛନ୍ତି। କିନ୍ତୁ ସବୁଠୁ ବଡ଼ କଥା ହେଲା ଯେ ସେ ଆଜିଯାଏଁ ତାଙ୍କ ଜମିରେ ଥରଟିଏ ମଧ୍ୟ ରାସାୟନିକ ସାର ବ୍ୟବହାର କରିନାହାନ୍ତି। ବରଂ ଜମିକୁ ଉର୍ବର କରିବା ପାଇଁ ଜୈବିକ ସାର ଯେମିତିକି ଗୋବର ଖତ, ଜିଆ ଖତ, ହାତ ତିଆରି ଖତ ବ୍ୟବହାର କରିଆସୁଛନ୍ତି।

ନିୟମଗିରି ପାହାଡ଼ର ପାଦ ଦେଶରେ ଲୋକନାଥଙ୍କ ଜମି। ତାଙ୍କର ମୋଟ ୩ ଏକର ଜମିରୁ ୨ ଏକର ଜମି ଗୁଡ଼ିଆ ଜମି (ଯେଉଁ ଜମିରେ ପାଣି ରହେ ନାହିଁ)। ଆଉ ଗୋଟିଏ ଏକର ବିଲ ଜମି। କିଛି ବର୍ଷ ପୂର୍ବରୁ ସାର କମ୍ପାନିମାନଙ୍କ ତରଫରୁ ତାଙ୍କ ଗାଁରେ ରାସାୟନିକ ସାର ସବ୍‌ସିଡିରେ ପ୍ରଦାନ କରାଯାଉଥିଲା ଏବଂ ସାର ବ୍ୟବହାର କଲେ ଉତ୍ପାଦନ ବଢ଼ିବ ବୋଲି ସାର କମ୍ପାନିମାନଙ୍କ ତରଫରୁ ଲୋକମାନଙ୍କୁ ବୁଝା ଯାଉଥିଲା। ଗାଁରେ ଲୋକନାଥଙ୍କ ସାଙ୍ଗରେ ଚାଷ କରୁଥିବା ଅନ୍ୟ ଚାଷୀଭାଇମାନେ ରାସାୟନିକ ସାର ବ୍ୟବହାର କରିବା ଆରମ୍ଭ କଲେ। କିନ୍ତୁ ଜେଜେବାପାଙ୍କ ଆଦର୍ଶରେ ଚାଷ କାର୍ଯ୍ୟ ଆରମ୍ଭ କରିଥିବା ଲୋକନାଥ କିନ୍ତୁ ରାସାୟନିକ ସାର ବ୍ୟବହାର କରିନଥିଲେ। କାରଣ ସେ ଜାଣିଥିଲେ ରାସାୟନିକ ସାର ବ୍ୟବହାର ଫଳରେ ବର୍ଷ ପରେ ବର୍ଷ ଉତ୍ପାଦନ ବଢ଼ିବା ପରିବର୍ତ୍ତେ ଉତ୍ପାଦନ କମିବ ଏବଂ ଉତ୍ପାଦିତ ଖାଦ୍ୟଶସ୍ୟର ଉପଯୁକ୍ତ ସ୍ୱାଦ ନଷ୍ଟ ହେବ। କାରଣ ସେ ରାସାୟନିକ ସାରକୁ ବିଷ ଭାବରେ ବିବେଚନା କରିଥିଲେ।

ସେ ନିଜ ହାତରେ ଗଛ, ଡାଳ, ପତ୍ର, ଗୋବର ଆଦି ମିଶାଇ କମ୍ପୋଷ୍ଟ ଖତ ତିଆରି କରନ୍ତି ଏବଂ ଜିଆଖତ ମଧ୍ୟ ତିଆରି କରନ୍ତି। ତାଙ୍କ ଫସଲରେ ଯେତେବେଳେ ରୋଗପୋକ ଲାଗିଥାଏ ସେ ରାସାୟନିକ କୀଟନାଶକ ବ୍ୟବହାର ପରିବର୍ତ୍ତେ ଗୋମୁତ୍ର, ନିମପତ୍ରରେ ତିଆରି ରସ ଆଦି ଛିଞ୍ଚନ କରିଥାନ୍ତି, ଯାହାକି ରୋଗପୋକକୁ ସମୂଳେ ବିନାଶ କରିଥାଏ।

ସେ ବର୍ଷ ତମାମ ବିଭିନ୍ନ ଶସ୍ୟ ଉତ୍ପାଦନ କରିଥାନ୍ତି। ଯେମିତିକି ମାଣ୍ଡିଆ, କଣ୍ଟିଆ, ମକା, ହଳଦୀ, ଧାନ, କାନ୍ଦୁଲ, ବିରି, ମୁଗ, ମିଠାରାଶି, ପିତାରାଶି, ସୁଆଁ, ନାଲିଜହ୍ନା ଇତ୍ୟାଦି। ଏହା ବ୍ୟତୀତ ପନିପରିବା ଭିତରେ କଲରା, ପୋଟଳ, ଲଙ୍କା, ଖମ୍ବ ଆଳୁ, ଜହ୍ନି, ଜୁଡ଼ଙ୍ଗ ଇତ୍ୟାଦି।

ଲୋକନାଥଙ୍କର ଆଉ ଏକ ସଫଳତାର ଦିଗ ହେଲା ସେ ମିଶ୍ରିତ ଚାଷକୁ ଆପଣେଇ ବେଶ୍ ଲାଭବାନ ହୋଇପାରୁଛନ୍ତି। ତାଙ୍କ ମିଶ୍ରିତ ଚାଷ ମଧ୍ୟରେ ମକା, ନଈଝୁଡ଼ଙ୍ଗ, ଗେଡଜହ୍ନା, ସୁଆଁ, କାଙ୍ଗୁ, କାଣ୍ଠିଆ ରାଶି ଇତ୍ୟାଦି ଏବଂ ବିଲ ହିଡ଼ରେ ସେ ଭେଣ୍ଡି, ଜହ୍ନି, କଖାରୁ, ଖମ୍ବଆଳୁ, କଲରା ଏବଂ ବାଇଗଣ ପରି ପନିପରିବା ଉତ୍ପାଦନ କରିବାର କଳା ଶିଖିଛନ୍ତି।

ଲୋକନାଥଙ୍କ ସ୍ତ୍ରୀ ଆରୋଦ୍ରା ନାଉରୀ ମଧ୍ୟ ଖୁବ୍ ପରିଶ୍ରମୀ। ସେ ତାଙ୍କ ସ୍ୱାମୀଙ୍କୁ ସବୁବେଳେ ସାହାଯ୍ୟ କରିଆସୁଛନ୍ତି। ପରିବାରରେ ଛଅ ଝିଅ ଦୁଇ ପୁଅ। ବଡ଼ ଝିଅ ଏବଂ ବଡ଼ ପୁଅର ବିବାହ ସରିଯାଇଛି। ଅନ୍ୟ ପିଲାମାନେ ଏବେ ପଢ଼ାପଢ଼ିରେ ବ୍ୟସ୍ତ। ଫୁର୍‌ସତ ମିଳିଲେ ବାପାଙ୍କୁ ମଧ୍ୟ ଚାଷକାମରେ ସହଯୋଗ କରନ୍ତି ପିଲାମାନେ। ମୋଟାମୋଟି ଭାବେ ଲୋକନାଥଙ୍କର ଆର୍ଥିକ ସ୍ଥିତି ନିର୍ଭର କରୁଛି ତାଙ୍କ ଚାଷ ଉପରେ। ଆର୍ଥିକ ସ୍ଥିତି ମଧ୍ୟ ବେଶ୍‌ ସ୍ୱଚ୍ଛଳ। ଲୋକନାଥ କୁହନ୍ତି ଚାଷ ଅଛି ଯାହାର, କି ଆନନ୍ଦ ତାହାର/ ଚାଷୀଭାଇ ଯୋଗାଉଛି ଦୁନିଆକୁ ଆହାର।

ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଲୋକନାଥଙ୍କର ମତାମତ ଥିଲା ବେଶ୍ ସ୍ପଷ୍ଟ ଓ ତୀକ୍ଷ୍‌ଣ। ତାଙ୍କ ମତରେ ଚାଷୀ ଆତ୍ମହତ୍ୟାର ମୂଳ କାରଣ ହେଲା ଋଣ। ଚାଷୀ ଋଣ ସେତେବେଳେ କରିଥାଏ ଯେତେବେଳେ ସେ ବଳଦ ହଳ ପରିବର୍ତ୍ତେ ଟ୍ରାକ୍ଟରରେ ହଳ କରିଥାଏ ଏବଂ ରାସାୟନିକ ସାର ବ୍ୟବହାର କରିଥାଏ, ଯାହାର ଖର୍ଚ୍ଚ ବହୁ ଅଧିକ। ଯଦି ଚାଷୀଭାଇମାନେ ଅନ୍ତତଃ ପକ୍ଷେ ରାସାୟନିକ ସାରର ବ୍ୟବହାରରୁ ନିବୃତ୍ତ ରହିପାରନ୍ତେ ଚାଷୀ ଆତ୍ମହତ୍ୟା କମିଯାଇପାରନ୍ତା।

ସେ ଏହା ମଧ୍ୟ କହିଛନ୍ତି ଯେ, ସେ ଏବଂ ତାଙ୍କ ଅଞ୍ଚଳର ଅନ୍ୟ ଚାଷୀଭାଇମାନେ ଯେଉଁ ଶସ୍ୟ ସମାଗ୍ରୀ ଉତ୍ପାଦନ କରୁଛନ୍ତି ତାହାର ଚାହିଦା ବଜାରରେ ବହୁମାତ୍ରାରେ ରହୁଛି। ହେଲେ ଠିକ୍ ଭାବେ ଏହାର ରପ୍ତାନୀ କରାଯାଇପାରୁନାହିଁ, ଯାହାଫଳରେ ସେ ଏବଂ ଅନ୍ୟ ଚାଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦି ସରକାରଙ୍କ ତରଫରୁ ଏ ସବୁ ସମସ୍ୟାର ସମାଧାନ ହୋଇପାରନ୍ତା ତେବେ ସେ ବେଶ୍‌ ଉପକୃତ ହୁଅନ୍ତେ।

ଲୋକନାଥ ତାଙ୍କର ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ୬୭ ବର୍ଷର ଲୋକନାଥଙ୍କର କାର୍ଯ୍ୟଶୈଳୀ ଯୁବକମାନଙ୍କୁ ମଧ୍ୟ ପ୍ରେରଣା ପ୍ରଦାନ କରୁଛି। ବର୍ତ୍ତମାନ ତାଙ୍କ ଗାଁ ଏବଂ ଆଖପାଖ ଗାଁରୁ ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉନାହାନ୍ତି। ଲୋକନାଥ ବର୍ତ୍ତମାନ ଯୁବକମାନଙ୍କୁ ଚାଷ କରିବାର ପ୍ରଣାଳୀ ଏବଂ ଶୈଳୀ ସେମାନଙ୍କୁ ଶିଖାଉଛନ୍ତି। କିଛି ଯୁବ ଚାଷୀ ମଧ୍ୟ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚାଷ କାର୍ଯ୍ୟ କରିବା ଆରମ୍ଭ କରିଦେଲେଣି।

(ସତ୍ୟବ୍ରତ ଓଡ଼ିଶାଲାଇଭ୍‌ର ରିପୋର୍ଟର ଭାବେ କାର୍ଯ୍ୟରତ)

Comment