ସତ୍ୟବ୍ରତ ପାଢୀ

ଅଦ୍ୟମ ଚେଷ୍ଟା ଓ ଦୃଢ଼ ଇଛାଶକ୍ତି ଫଳରେ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ। ଏହାର ଏକ ଉଦାହରଣ ସାଜି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛନ୍ତି ଯାଜପୁର ଜିଲ୍ଲା ସିମିଳିଆ ପଞ୍ଚାୟତର ବୁଢ଼ାଘାଟ ନିକଟସ୍ଥ ଗାଁ ଓଲେଇପଡ଼ାର ଗର୍ବ ଦିବ୍ୟାଙ୍ଗ ଚିନ୍ମୟ କୁମାର ଧଳ।

ଜନ୍ମରୁ ସମ୍ପୂର୍ଣ୍ଣ ଭାବେ ଦୃଷ୍ଟିଶକ୍ତି ହରାଇଥିବା ଚିନ୍ମୟ କିନ୍ତୁ କେବେବି ନିଜକୁ କମଜୋର ମନେକରି ନାହାନ୍ତି। ତାଙ୍କର ଦୃଢ଼ ମନୋବଳ ଆଗରେ ସତେ ଯେମିତି ହାର ମାନିଛି ଅନ୍ଧତ୍ୱ। ସଦ୍ୟ ପ୍ରକାଶିତ ଯୁକ୍ତ ଦୁଇ କଳା ବିଭାଗରେ ରାଜ୍ୟରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହି ସେ ଯୋଡ଼ିଛନ୍ତି ସଫଳତାର ଆଉ ଏକ ସ୍ୱର୍ଣ୍ଣିମ ପୃଷ୍ଠା।

ପ୍ରଥମରୁ ନବମ ଶ୍ରେଣୀ ଯାଏଁ ଭୁବନେଶ୍ବର ୟୁନିଟ୍-୩ ସ୍ଥିତ ଭୀମଭୋଇ ସ୍କୁଲରେ ବ୍ରେଲି ଲିପିରେ ଶିକ୍ଷାଗ୍ରହଣ କରିଥିଲେ ଚିନ୍ମୟ। କିନ୍ତୁ ୧୦ମ ଶ୍ରେଣୀରେ ସାଧାରଣ ପିଲାଙ୍କ ସାଙ୍ଗରେ ନିଜ ଗ୍ରାମ ନିକଟସ୍ଥ ଉପେନ୍ଦ୍ର କୁମାର ହାଇସ୍କୁଲରୁ ୨୦୧୫ ମସିହାରେ ୯୧ ପ୍ରତିଶତ ନମ୍ବର ରଖି ସ୍କୁଲ ଟପର ହୋଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ସେ ମ୍ୟାଟ୍ରିକରେ ଗଣିତରେ ୧୦୦ରୁ ୧୦୦ ନମ୍ବର ରଖିଥିଲେ। ଗାଁ ଲୋକ, ସ୍କୁଲ ଶିକ୍ଷକ, ବନ୍ଧୁବାନ୍ଧବଙ୍କ ପ୍ରେରଣା ପାଇ ସେ ଯୁକ୍ତ ଦୁଇ କଳାରେ ବିଜେବି ଜୁନିଅର୍ କଲେଜରେ ନାମ ଲେଖାଇଥିଲେ।

ଯୁକ୍ତ ଦୁଇରେ ସେ ମୋଟ ୬୦୦ ନମ୍ବରରୁ ୫୧୧ ମାର୍କ ରଖିଛନ୍ତି। ଇଂରାଜୀରେ ତାଙ୍କ ନମ୍ବର କମିଯାଇଥିବାରୁ ଟିକେ ମନଉଣା କରିଛନ୍ତି ଚିନ୍ମୟ। ସେ ଦିନକୁ ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିଲେ। ପଢ଼ାପଢ଼ି ସହିତ ବକ୍ତୃତା, ଗୀତ ଗାଇବା, ସ୍ତମ୍ଭ ଏବଂ ବିଭିନ୍ନ ଲେଖାଲେଖିରେ ସେ ରୁଚି ରଖନ୍ତି।

“ଦୃଢ଼ ଇଛାଶକ୍ତି ଥିଲେ ସବୁକିଛି ସମ୍ଭବ ହୋଇପାରେ। ‘ଉଇ ଫର୍ ୟୁ’ର ଅଡିଓ ବୁକ୍ ମୋତେ ପଢ଼ାପଢ଼ିରେ ବହୁତ ସହଯୋଗ କରିଥିଲା। ସୋସିଆଲ୍ ମିଡିଆ ଏବଂ ଇଣ୍ଟରନେଟର ବିଭିନ୍ନ ଆପ୍ଲିକେସନ ମଧ୍ୟ ମୋତେ ସାହାଯ୍ୟ କରିଛି। ଯେମିତିକି ‘ଟକ୍ ବ୍ୟାକ୍’ ଆପ୍ ଫଳରେ ମୁଁ ଅନେକ କଥା ଶୁଣିକି ମନେ ରଖିପାରୁଥିଲି। ମୁଁ ମୋ ସାଙ୍ଗମାନଙ୍କୁ ଧନ୍ୟବାଦ ଦେଉଛି କାରଣ ସେମାନେ ତିଆରି କରିଥିବା ହ୍ୱାଟ୍ସଆପ୍ ଗ୍ରୁପ୍ ଯାହାର ନାଁ ‘ଗ୍ରୁପ୍ ଡିସକସନ ଏବଂ ଜିକେ’ରୁ ମୁଁ ଅନେକ କଥା ଶିଖିଥିଲି ଯାହା ମୋତେ ଏହି ସଫଳତା ଆଣିଦେଇଛି”, ଓଡ଼ିଶାଲାଇଭ ସହ ଏକ ବିଶେଷ ସାକ୍ଷାତକାରରେ କହିଛନ୍ତି ଚିନ୍ମୟ।

ଚିନ୍ମୟଙ୍କ ସଫଳତାରେ ଗାଁଲୋକ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସାଙ୍ଗସାଥୀମାନେ ଖୁସି ଏବଂ ଗର୍ବିତ। ରମେଶ ଧଳ ଏବଂ ପାର୍ବତୀ ଧଳଙ୍କ ଏକମାତ୍ର ପୁଅ ଚିନ୍ମୟ। ଚିନ୍ମୟଙ୍କ ବାପା ଛୋଟ ଲୁଗା ବ୍ୟବସାୟ କରୁଥିଲେ। କିନ୍ତୁ ପୁଅର ପଢ଼ାପଢ଼ି ପାଇଁ ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ବ୍ୟବସାୟକୁ ବନ୍ଦ କରିବାକୁ ବାଧ୍ୟ ହେଇଛନ୍ତି। ଚିନ୍ମୟଙ୍କ ମାଆ ଏବେ ଗାଁରେ ଅଙ୍ଗନବାଡ଼ି କର୍ମୀ ଅଛନ୍ତି।

ଚିନ୍ମୟ କହିଛନ୍ତି ଯେ ଯୁକ୍ତ ୩ ସେ ଯେକୌଣସି ଭଲ କଲେଜରେ ପଢ଼ିବେ, ଇଂରାଜୀ କିମ୍ବା ସୋସିଓଲୋଜିରେ ଉଚ୍ଚ ଶିକ୍ଷା ପାଇଁ ସେ ଆଶାବାଦୀ ଅଛନ୍ତି। ଭବିଷ୍ୟତରେ ଉଚ୍ଚଶିକ୍ଷା ଏବଂ ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳ ହେବାକୁ ଲକ୍ଷ୍ୟ ରଖିଛନ୍ତି।

(ସତ୍ୟବ୍ରତ ଓଡ଼ିଶାଲାଇଭ୍‌ର ରିପୋର୍ଟର ଭାବେ କାର୍ଯ୍ୟରତ)

3 COMMENTS

Comment