ଓଡ଼ିଶାଲାଇଭ୍‍ ବ୍ୟୁରୋ

ଭୁବନେଶ୍ୱର: “ଆମ ଚାରିପାଖେ ଘଟୁଥିବା ଅଘଟଣ ଖବର ହୁଏ। ଆମେ ଦେଖୁ ପୁଣି ଚୁପ୍‍ ରହୁ। ଦାୟୀ କରୁ ଆମେ ସମାଜକୁ ନହେଲେ ସରକାରକୁ। କାରଣ ଆମେ ସବୁ ନିରୀହ, ଡରୁଆ କମନ୍‍ମ୍ୟାନ୍‍। ମୁଁ ବି ସମସ୍ତଙ୍କ ଭଳି ଜଣେ କମନ୍‍ମ୍ୟାନ୍‍, କିନ୍ତୁ ଟିକେ ଅଲଗା। ମୋ ନାଁ ଅଭୟ।”

ଜୁନ୍‍ ୪ ତାରିଖ ରବିବାର, ଭୁବନେଶ୍ୱର ପଥ ଉତ୍ସବରେ ଉପସ୍ଥିତ ଦର୍ଶକମାନଙ୍କୁ ତାଙ୍କ ନୂଆ ସିନେମା ‘ଅଭୟ’ର ଏହି ଟ୍ୟାଗ୍‍ ଲାଇନ୍‍ ଶୁଣାଇଥିଲେ ଓଲିଉଡ୍‍ ଆକ୍ସନ୍‍ ଷ୍ଟାର୍‍ ଅନୁଭବ ମହାନ୍ତି। ତାଙ୍କ ସହ ସିନେମାର ହିରୋ‌ଇନ୍‍ ଏଲିନା ମଧ୍ୟ ସକାଳୁ ସକାଳୁ ପଥ ଉତ୍ସବ ମଞ୍ଚରେ ଯୋଗ ଦେଇଥିଲେ।

“ଅଭୟର ସୁଟିଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ହୋ‍ଇଛି। ଓଡ଼ିଶା ବାହାରେ ଭାରତ ଚୀନ ସୀମା ତଥା ପିଓକେ ବର୍ଡରରେ ମଧ୍ୟ ହୋ‍ଇଛି। ଏହି ସିନେମାରେ ଆମେ ବହୁତ ପରିଶ୍ରମ କରିଛୁ। ମୁଁ ଭାବୁଛି ‘ଅଭୟ’ ଓଡ଼ିଆ ସିନେମା ଜଗତର ଏକ ବେଞ୍ଚମାର୍କ ହେବ”, ଓଡ଼ିଶାଲାଇଭ୍‌‍କୁ ସାକ୍ଷାତକାର ଦେଲାବେଳେ ଏକଥା କହିଛନ୍ତି ଅନୁଭବ।

“ଅଭୟ ଫିଲ୍ମ ପାଇଁ ମୁଁ ବହୁତ ଏକ୍ସାଇଟେଡ୍‍। ଏଥିରେ ମୋତେ ଗୋଟେ ନୂଆ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଛି। ଅନୁଭବଙ୍କ ସହିତ କାମ କରିବାର ଚାନ୍ସ ମିଳିଛି”, ପଥ ଉତ୍ସବ ବେଳେ ଓଡ଼ିଶାଲାଇଭ୍‍କୁ ସାକ୍ଷାତକାର ଦେଇ ଏକଥା କହିଛନ୍ତି ଅଭିନେତ୍ରୀ ଏଲିନା। ଏହି ସିନେମାର ସବୁ ରୋମାଣ୍ଟିକ୍‍ ଗୀତ ବିଶେଷକରି ଅନନ୍ୟାଙ୍କ କଣ୍ଠରେ ରବ୍‍ବା ରବ୍‍ବା ତାଙ୍କୁ ବହୁତ ଭଲ ଲାଗିଛି ବୋଲି ସେ କହିଛନ୍ତି।

ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନରରେ ପ୍ରସ୍ତୁତ ‘ଅଭୟ’ରେ ଅନୁଭବ ଜଣେ କମନ୍‌ମ୍ୟାନ ଚରିତ୍ରରେ ଦେଖିବାକୁ ମିଳିବେ। କିନ୍ତୁ ଜଣେ ସାଧାରଣ ମଣିଷ କିଭଳି ଅନ୍ୟମାନଙ୍କ ସୁଖ ଓ ସୁରକ୍ଷା ପାଇଁ ଯେ କୌଣସି ଭୟଙ୍କର ପରିସ୍ଥିତିର ମୁକାବିଲା କରିପାରେ – ସେହି କାହାଣୀ ‘ଅଭୟ’ର କଥାବସ୍ତୁ। ଏଥର ରଜରେ ‘ଅଭୟ’ କ୍ରାଉଡ୍‍ପୁଲର୍‍ ହେବ ବୋଲି ଆଶା କରିଛନ୍ତି ଅନୁଭବ ଏବଂ ତାଙ୍କ ଟିମ୍‌ର ଅନ୍ୟମାନେ।

ଅଭୟର ନିର୍ଦ୍ଦେଶନା ଦେଇଛନ୍ତି ମୁରଲୀ କ୍ରିଷ୍ଣା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‍ ଆନନ୍ଦ।

3 COMMENTS

LEAVE A REPLY

Please enter your comment!
Please enter your name here