ଶ୍ୱେତ ସୁନ୍ଦର ସାମନ୍ତରା

ଲାଞ୍ଚ ନେଇ ଧରାପଡ଼ିଲେ, ଲାଞ୍ଚ ଦେଇ ଖସିଗଲେ। ଦୁର୍ନୀତିଗ୍ରସ୍ତ ବା ଲାଞ୍ଚ ନେଉଥିବା ସରକାରୀ କର୍ମଚାରୀଙ୍କ ସଂପର୍କରେ ଏମିତି ଏକ ଧାରଣା ରହିଆସିଛି। କିନ୍ତୁ ନିକଟରେ ଆନ୍ଧ୍ର ପ୍ରଦେଶ ସରକାର ଆରମ୍ଭ କରିଥିବା ଏକ ଅଭିନବ ଯୋଜନାକୁ ଦେଖିଲେ ଏହି ଉକ୍ତିଟି ଏମିତି ହେବ – ଲାଞ୍ଚ ନେଇ ଧରାପଡ଼ିଲେ, ଲାଞ୍ଚ ଟଙ୍କା ଫେରାଇ ଖସିଗଲେ।

ସରକାରୀ ବା ବେସରକାରୀ ସଂସ୍ଥାର କର୍ମଚାରୀଙ୍କୁ ଦେଇଥିବା ଲାଞ୍ଚ ଟଙ୍କା ଫେରି ପାଇବାକୁ ହେଲେ କେବଳ ଚାରିଟି ସଂଖ୍ୟା ଡାଏଲ କରିବାକୁ ହେବ। ତାହା ହେଲା ୧୧୦୦। ଏହି ହେଲ୍‌ପଲାଇନ୍‌ ନମ୍ବର ଜାରି କରିଛନ୍ତି ଆନ୍ଧ୍ର ସରକାର। ଲାଞ୍ଚଦାତା ଏହି ନମ୍ବରରେ ଡାଏଲ କରି ଅଭିଯୋଗ କରିବେ ଏବଂ ଲାଞ୍ଚଗ୍ରହୀତା ନେଇଥିବା ଟଙ୍କା ଫେରାଇ ଦେବେ। ଗତ ମାସ ୨୫ ତାରିଖରେ ଆରମ୍ଭ ହୋଇଥିବା ଏହି ଯୋଜନା ଅନେକାଂଶରେ ସଫଳ ବି ହୋଇଛି। ଲୋକେ ଦେଇଥିବା ଲାଞ୍ଚ ଟଙ୍କା ଫେରିପାଉଛନ୍ତି। ଅନ୍ୟ ଭାଷାରେ ଲାଞ୍ଚ ନେଇଥିବା ଲୋକ ଟଙ୍କା ଫେରାଇ ଦେଉଛନ୍ତି ।

ଏହି ଯୋଜନାର ପ୍ରଣେତା ନିଜେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। କିଛି ଦନ ତଳେ ଦେଶବ୍ୟାପୀ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଥିଲା ଯେ ଆନ୍ଧ୍ରପ୍ରଦେଶ ଦେଶର ଦ୍ୱିତୀୟ ସର୍ବାଧିକ ଦୁର୍ନୀତିଗ୍ରସ୍ତ ରାଜ୍ୟ। ଲାଞ୍ଚ ଦେବା ନେବାର ଶୀର୍ଷରେ ଥିଲା କର୍ଣ୍ଣାଟକ। ତା’ ପଛକୁ ଆନ୍ଧ୍ରପ୍ରଦେଶ। ଏମିତି ସମୟରେ ଜଣେ ପଞ୍ଚାୟତ ସଂପାଦକ ପେନ୍‌ସନ୍‌ କରାଇ ଦେବା ପାଇଁ ୧୦ ଜଣଙ୍କଠାରୁ ୫୦୦ ଟଙ୍କା ଲେଖାଏଁ ଲାଞ୍ଚ ନେଇଥିବା ସଂପର୍କିତ ଅଭିଯୋଗ ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ପାଖରେ ପହଞ୍ଚିଥିଲା ।

ଅଭିଯୋଗ ହେବା ପରେ ସଂପୃକ୍ତ ପଞ୍ଚାୟତ ସଂପାଦକ ଜଣକ ସମସ୍ତ ୧୦ ଜଣଙ୍କୁ ଲାଞ୍ଚ ଟଙ୍କା ଫେରାଇ ଦେଇଥିଲେ। ସମ୍ଭବତଃ ଏହିଠାରୁ ହିଁ ଏହି ଅଭିନବ ପରିକଳ୍ପନାର ସୂତ୍ରପାତ ହୋଇଥିଲା। ସାରା ରାଜ୍ୟରେ ଲାଞ୍ଚ ଟଙ୍କା ଫେରାଇ ଦେବା ପାଇଁ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ସୁଯୋଗ ଦେବାକୁ ସ୍ଥିର କରାଯାଇଥିଲା। ଫଳସ୍ୱରୂପ ଜାରି କରାଯାଇଛି ହେଲ୍‌ପଲାଇନ୍‌ ନମ୍ବର – ୧୧୦୦। ଏହାର ପରିଚାଳନା ପାଇଁ ୭୫୦ ଏକ୍‌ଜିକ୍ୟୁଟିଭ୍‌ଙ୍କୁ ନିଯୁକ୍ତି ଦିଆଯାଇଛି ।

ରାସନ କାର୍ଡ ପାଇଁ ହେଉ କି ପେନ୍‌ସନ ପାଇଁ, ଆନ୍ଧ୍ର ପ୍ରଦେଶର କୌଣସି ବାସିନ୍ଦା ଯଦି କୌଣସି ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ଦେଇଛନ୍ତି ବା ଲାଞ୍ଚ ଦେବାକୁ ବାଧ୍ୟ ହୋଇଛନ୍ତି, ତେବେ ଏହି ନମ୍ବରରେ ଅଭିଯୋଗ କରିପାରିବେ। ଅଭିଯୋଗର ସତ୍ୟତା ବା ପ୍ରମାଣଯୋଗ୍ୟତା ପରଖିଲା ପରେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ନିଆଯିବ, କିନ୍ତୁ ତା ପୂର୍ବରୁ ସେ ନେଇଥିବା ଟଙ୍କା ଫେରାଇ ଦେବାକୁ କୁହାଯିବ। ମୂଳଲକ୍ଷ୍ୟ ହେଲା ଲାଞ୍ଚ ଦେଇଥିବା ବ୍ୟକ୍ତି ତାଙ୍କ ଟଙ୍କା ଫେରିପାଆନ୍ତୁ। ଏହି ଯୋଜନାର ସୁଫଳ ବି ମିଳିଲାଣି।

ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର, କଡ଼ପା, କ୍ରିଷ୍ଣା ଓ କୁର୍ଣ୍ଣୁଲ ଜିଲ୍ଲାରେ ଲାଞ୍ଚ ନେଇଥିବା ଅନେକ ଅଧିକାରୀ ନିଜେ ଲୋକଙ୍କ ଘରକୁ ଯାଇ ଟଙ୍କା ଫେରାଇ ସାରିଲେଣି। ଏବେ ସାରା ରାଜ୍ୟରେ ସରକାରୀ ଓ ବେସରକାରୀ କର୍ମଚାରୀମାନେ ଲାଞ୍ଚ ନେବାକୁ ଭୟ କରୁଛନ୍ତି। ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ କେବଳ ପାଞ୍ଚ ଶହ ଏବଂ ହଜାରେ ଟଙ୍କା ଲାଞ୍ଚ ନେଇଥିବା ଅଧିକାରୀମାନେ ଲୋକଙ୍କ ଟଙ୍କା ଫେରାଇ ଦେଇଛନ୍ତି। ଆଗକୁ ହୁଏତ ଏ ଚିତ୍ର ବଦଳିପାରେ। କିନ୍ତୁ ଏବେ ଗାଁ ଗହଳିର ଗରିବ ଲୋକେ ଉପକୃତ ହେଉଛନ୍ତି। ରାସନ କାର୍ଡ, ସରକାରୀ ବୀମା, ପେନ୍‌ସନ୍‌ ଏବଂ ଅନ୍ୟାନ୍ୟ ସରକାରୀ ଭତ୍ତା କ୍ଷେତ୍ରରେ ଲାଞ୍ଚ ଆଦାୟ ଉପରେ ଅଙ୍କୁଶ ଲଗାଇବାରେ ଏହି ଯୋଜନା ଅନେକାଂଶରେ ସଫଳ ହୋଇଛି ।

୧୧୦୦ରେ ମିଳିଥିବା ଅଭିଯୋଗ ଭିତ୍ତିରେ ଲାଞ୍ଚ ନେଇଥିବା କୌଣସି ଅଧିକାରୀ ବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସଂପର୍କିତ କୌଣସି ରିପୋର୍ଟ ଏ ପର୍ଯ୍ୟନ୍ତ ମିଳିନାହିଁ ସତ, କିନ୍ତୁ ସମ୍ଭବତଃ ଏଭଳି କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ ହିଁ ଲାଞ୍ଚଗ୍ରହୀତାମାନେ ସ୍ୱତଃପ୍ରବୃତ୍ତ ଭାବେ ଟଙ୍କା ଫେରାଇ ଦେଉଛନ୍ତି। ତେଣୁ, ‘ଲାଞ୍ଚ ଟଙ୍କା ଫେରାଇ ଖସିଗଲେ’ କଥାଟା ଆଜି ଯାଏଁ ଠିକ୍‌ ଲାଗୁଛି। ଆଗକୁ ହୁଏତ ସେମାନେ ଖସିଯିବାର ବାଟ ବନ୍ଦ ହୋଇଯାଇପାରେ।

ପ୍ରଚଳିତ ଆଇନ ଓ ବ୍ୟବସ୍ଥା ଅନୁସାରେ, କୌଣସି ଅଧିକାରୀ ଲାଞ୍ଚ ଦାବି କଲେ ଭିଜିଲାନ୍‌ସ ବା ଦୁର୍ନୀତି ନିବାରଣ ବିଭାଗରେ ଅଭିଯୋଗ କରିବାକୁ ପଡ଼େ। ଭିଜିଲାନ୍‌ସ ଅଧିକାରୀମାନେ ‘ଜାଲ’ ବିଛାନ୍ତି। ଲାଞ୍ଚ ନେବା ବେଳେ ସଂପୃକ୍ତ ଅଧିକାରୀଙ୍କୁ ଗିରଫ କରନ୍ତି। ଲାଞ୍ଚ ଟଙ୍କା ଜବତ ହୁଏ ଏବଂ ମାମଲା ଚାଲେ। ପାଞ୍ଚ ଶହ କି ହଜାରେ ଟଙ୍କା ଲାଞ୍ଚ ନେଇ କୌଣସି କର୍ମଚାରୀ ଗିରଫ ହେବା ଖବର ପ୍ରକାଶ ପାଏ। ହେଲେ ଲାଞ୍ଚ ଦେବାକୁ ବାଧ୍ୟ ହୋଇଥିବା ବ୍ୟକ୍ତି ତାଙ୍କ ଟଙ୍କା ଫେରି ପାଇବା ସହଜ ନୁହେଁ। ଶୀଘ୍ର ତ ଆଦୌ ନୁହେଁ। ଚନ୍ଦ୍ରବାବୁଙ୍କ ଏହି ଯୋଜନାର ଉଦ୍ଦେଶ୍ୟ, ଗରିବ ଲୋକଟିଏ ଦେଇଥିବା ଲାଞ୍ଚ ଟଙ୍କା ପୁଣି ତାଙ୍କୁ ଫେରାଇ ଦେବା। ତୃଣମୂଳ ସ୍ତରରେ ଦୁର୍ନୀତିର କାୟାବିସ୍ତାର ଉପରେ ଅଙ୍କୁଶ ଲଗାଇବା।

ହେଲ୍‌ପଲାଇନ୍‌ ନମ୍ବର ୧୧୦୦ର ପରିଚାଳନା ପାଇଁ ନିଯୁକ୍ତି ପାଇଥିବା ଏକ୍‌ଜିକ୍ୟୁଟିଭମାନେ କେବଳ ଯେ ଲାଞ୍ଚ ସଂପର୍କରେ ଲୋକଙ୍କ ଅଭିଯୋଗ ରଖିବେ ତା’ ନୁହେଁ, ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କଠାରୁ ସେହି ଯୋଜନାର ସଫଳ କାର୍ଯ୍ୟକାରିତା ସଂପର୍କରେ ମତାମତ ବି ନେବେ। ହେଲ୍‌ପଲାଇନ୍‌ ଆରମ୍ଭ ହେବାର ଦୁଇ ସପ୍ତାହ ଭିତରେ, ବିଭିନ୍ନ ସରକାରୀ ବୀମା ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ସାମାଜିକ କଲ୍ୟାଣ ଯୋଜନା ସଂପର୍କରେ ପ୍ରାୟ ୧୫ ଲକ୍ଷ ଲୋକଙ୍କ ମତାମତ ନିଆସରିଥିବା ରିପୋର୍ଟ ମିଳିଛି ।

ଆଇନଗତ ଦୃଷ୍ଟିରୁ ଲାଞ୍ଚ ଦେବା ଓ ନେବା, ଦୁଇଟାଯାକ ଅପରାଧ। କେବଳ ଲାଞ୍ଚ ଟଙ୍କା ଫେରାଇ ଦେଲେ ଯେ ଜଣେ ଦୋଷମୁକ୍ତ ହୋଇଯିବ ତାହା ଆଦୌ ନୁହେଁ। କିନ୍ତୁ ଯେଉଁଠି ଲାଞ୍ଚ ଦିଆନିଆ ଏତେ ବେଶୀ ଯେ ଏହା ସରକାରୀ କାର୍ଯ୍ୟଧାରାର ଏବଂ ସ୍ୱାଭାବିକ ଜୀବନଶୈଳୀର ଅଂଶବିଶେଷ ଭଳି ମନେ ହୁଏ, ସେଠି ଗରିବଙ୍କୁ ଶୋଷଣରୁ ରକ୍ଷା କରିବା ହିଁ ପ୍ରଥମ କାମ।

ସରକାରୀ ରିହାତି ଦରରେ ଚିନି, ଚାଉଳ ପାଇବା ଆଶାରେ ପଡ଼ିକାର୍ଡ ଖଣ୍ଡେ କରିବାକୁ ମନ କରିଥିବା ଗାଁ ଲୋକଟିଏ ପାଇଁ ପାଞ୍ଚ ଶହ ଟଙ୍କା ବଡ଼କଥା ନୁହେଁ, ବହୁତ ବଡ଼କଥା। କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା କି ନ ହେଲା ସେ କଥା ସେ ଜାଣିବାକୁ ଚାହେଁନି। ଏମିତି ଏକ ଦର୍ଶନ ଉପରେ ପର୍ଯ୍ୟବସିତ ଚନ୍ଦ୍ରବାବୁ ନାଇଡୁଙ୍କ ହେଲ୍‌ପଲାଇନ୍‌ -ଡବଲ୍‌ ୱାନ୍‌, ଡବଲ ଜୀରୋ ।

ଆମ ରାଜ୍ୟରେ ଏଭଳି ଏକ ବ୍ୟବସ୍ଥାର ଆବଶ୍ୟକତା ବିଚାରଯୋଗ୍ୟ ନିଶ୍ଚୟ। ନୀତି ଓ ଦୁର୍ନୀତି ଭିତରେ ଥିବା ସମାନତା ଆନ୍ଧ୍ର ପ୍ରଦେଶରେ ଯେତିକି, ଓଡ଼ିଶାରେ ବି ସେତିକି। ଦୁର୍ନୀତିରୁ ରିହାତି ଚାହୁଁଥିବା ବ୍ୟକ୍ତିଙ୍କ ସଂଖ୍ୟା ଓଡ଼ିଶାରେ ବି କମ ନୁହେଁ।

(ଗୋଟିଏ ଜାତୀୟ ଟେଲିଭିଜନ ଚ୍ୟାନେଲ୍‌ର ପୂର୍ବତନ ବାର୍ତ୍ତା ସମ୍ପାଦକ ଶ୍ୱେତସୁନ୍ଦର ବର୍ତ୍ତମାନ ହାଇଦ୍ରାବାଦରେ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ପ୍ରତିନିଧି ଭାବେ ଅବସ୍ଥାପିତ)

2 COMMENTS

  1. ଏକ ଯୁଗାନ୍ତକାରୀ ପଦକ୍ଷେପ ।

    ସମ୍ବାଦ ପରିବେଶଣ ଶୈଳି ମଧ୍ୟ ଖୁବ୍ ଭଲ ଲାଗିଲା ।

LEAVE A REPLY

Please enter your comment!
Please enter your name here