ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ) : ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଓ ୧୭୫ଟି ବିଧାନସଭା ଆସନ ପାଇଁ ଆଜି ଚାଲିଛି ମତଦାନ। ୨୫ଟି ଲୋକସଭା ଆସନରେ ମୋଟ ୩୧୯ ଜଣ ପ୍ରାଥୀ ନିର୍ବାଚନ ମଇଦାନରେ ରହିଥିବା ବେଳେ ୧୭୫ଟି ବିଧାନସଭା ଆସନ ପାଇଁ ୨୧୧୮ ଜଣ ପ୍ରାଥୀ ନିର୍ବାଚନ ଲଢୁଛନ୍ତି।

ଆନ୍ଧ୍ରପ୍ରଦେଶର ୧୩ ଜିଲ୍ଲାର ୩.୯ କୋଟି ଭୋଟରଙ୍କ ପାଇଁ ୪୬ ହଜାର ୧୨୦ଟି ପୋଲିଂ ବୁଥ ଖୋଲାଯାଇଛି। ଏଥିମଧ୍ୟରୁ ୮ ହଜାର ୫୧୪ଟି ବୁଥ ସମ୍ବେଦନଶୀଳ ରହିଥିବା ଜଣାପଡିଛି। ଚଳିତ ନିର୍ଵାଚନ ପାଇଁ ୮୦୦୦ଟି ବୁଥକୁ ଇଣ୍ଟରନେଟ ସଂଯୋଗ କରାଯାଇଥିବା ବେଳେ ସମସ୍ତ ବୁଥକୁ ସିସି ଟିଭି ସଂଯୋଗ କରାଯାଇଛି।

ଏହିସମସ୍ତ ବୁଥ ଗୁଡିକରେ ସକାଳ ୭ଟା ମତଦାନ ଆରମ୍ଭ ହୋଇଛି। ମାଓପ୍ରବଣ ଅଞ୍ଚଳରେ ରହିଥିବା ୧୨ଟି ବୁଥକୁ ଡ୍ରୋନ କ୍ୟାମେରା ଜଗିଛି। ଏଠାରେ ଅପରାହ୍ନ ୪ଟା ଯାଏଁ  ଭୋଟ ଗ୍ରହଣ ହେବ ବୋଲି ଆନ୍ଧ୍ରପ୍ରଦେଶ ନିର୍ବାଚନ କମିଶନର ଗୋପାଳ କୃଷ୍ଣ ଦ୍ୱିବେଦୀ ପ୍ରକାଶ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ଭୋଟ ଦାନ ସମ୍ପୂର୍ଣ ରୂପେ ଶାନ୍ତିପୂର୍ଣ ରହିଥବା ଜଣାପଡିଛି।

ଆନ୍ଧ୍ରପ୍ରଦେଶରେ ୨ଟି କେନ୍ଦ୍ରୀୟ ଦଳ ସହିତ ୬ଟି ଆଞ୍ଚଳିକ ଦଳର ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। କିନ୍ତୁ ତେଲୁଗୁ ଦେଶମ ଦଳ ଓ ୱାଇଏସଆର କଂଗ୍ରେସ ମଧ୍ୟରେ କଡା ଟକ୍କର ହେବା ନେଇ ଚର୍ଚ୍ଚା ହେଉଛି। ସିନେତାରକା ପବନ କଲ୍ୟାଣଙ୍କ ଜନସେନା ଦଳ ଆନ୍ଧ୍ରପ୍ରଦେଶର ସରକାର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିପାରେ ବୋଲି ଚର୍ଚ୍ଚା ହେଉଛି।

Comment