ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରସିଦ୍ଧ ବଙ୍ଗଳା ଗୀତିକାର ଏବଂ ଗାୟକ କବିର ସୁମନଙ୍କର ଲୋକପ୍ରିୟ ସଙ୍ଗୀତର ଓଡ଼ିଆ ସଂସ୍କରଣ ବିଶ୍ୱବାସୀଙ୍କ ପାଇଁ ଉପଲବ୍ଧ ହୋଇଛି। ‘ଓଡ଼ିଶାଲାଇଭ୍’ ଏକ ପ୍ରିମିଅମ୍ ମିଡିଆ କମ୍ପାନି ଏହି ଲୋକପ୍ରିୟ ସର୍ଜନା ‘ତୋମାକେ ଚାଇ’ର ଓଡିଆ ଶୀର୍ଷକ ‘ଅନ୍ୟ କଥା ଅନ୍ୟ ଗୀତ’ର ଗ୍ଲୋବାଲ୍ ଡିଜିଟାଲ୍ ଉନ୍ମୋଚନ କରିଛି। ଏହି ମ୍ୟୁଜିକ୍ ଆଲବମ୍ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ୱେବରେ ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି।

ଏହି ଓଡ଼ିଆ ଗୀତରେ କଣ୍ଠଦାନ କରିଛନ୍ତି ଗାୟିକା ନମ୍ରତା ମହାନ୍ତି। ମୂଳ ଗୀତ ଓ ସଂଗୀତ ସୁମନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବେଳେ ଏହାର ଓଡ଼ିଆ ଅନୁବାଦ କରିଛନ୍ତି ପ୍ରଫେସର ମୃଣାଳ ଚାଟାର୍ଜୀ। ଓଡ଼ିଆ ସଂଗୀତ ପ୍ରସ୍ତୁତି ପରିଚାଳନା କରିଛନ୍ତି ନିତ୍ୟ ଶ୍ରୀରଞ୍ଜନ।

ଏହି ଆଲବମ୍‌ରେ ରହିଛି ସୁମଧୁର ତଥା ହୃଦୟସ୍ପର୍ଶୀ କଣ୍ଠରେ ଗାନ କରାଯାଇଥିବା ୧୨ଟି ପ୍ରେମ ସଂଗୀତ। ମୃଣାଳ ଚାଟାର୍ଜୀ କହିଛନ୍ତି ଯେ ‘‘ଅନେକ କହନ୍ତି ଯେ କବୀର ସୁମନଙ୍କ ଗୀତରେ ଯେଉଁ ଭାବପ୍ରବଣତା ରହିଛି ଯାହାକି ଶ୍ରୋତାଙ୍କୁ ତଲ୍ଲୀନ କରିଦିଏ, ତାହା ନୋବେଲ୍ ପୁରସ୍କାର ବିଜେତା ବବ୍‌ ଡିଲାନଙ୍କ ସଂଗୀତର ସମକକ୍ଷ।

କବୀର ସୁମନ ଏହି ଉନ୍ମୋଚନକୁ ନେଇ ବେଶ୍ ଆନନ୍ଦିତ କାରଣ ସେ କଟକରେ ଜନ୍ମ ହୋଇଥିଲେ ଓ ପିଲା ଦିନେ ଓଡ଼ିଆ ଭାଷାରେ କଥା କହୁଥିଲେ। ଗାୟିକା ନମ୍ରତା ମହାନ୍ତିଙ୍କର ସ୍ୱର, କବୀର ସୁମନଙ୍କର ଭାବାବେଗ ଓ ମୃଣାଳ ଚାଟାର୍ଜୀଙ୍କର ଅପୂର୍ବ ଅନୁବାଦ ଏହି ଆଲବମ୍‌କୁ ଅତ୍ୟନ୍ତ ହୃଦୟସ୍ପର୍ଶ କରି ଗଢ଼ିତୋଳିଛି। ଆମର ଆଶା ଇଣ୍ଟରନେଟ୍ ଓ ମୋବାଇଲ୍ ମିଡିଆ ମାଧ୍ୟମରେ ଏହା ବହୁଳ ଭାବରେ ଶ୍ରୋତାଙ୍କର ମନ ମୋହିବ।

ଏହି ଗ୍ଲୋବାଲ୍ ଡିଜିଟାଲ୍‌ ରିଲିଜ୍ ଅବସରରେ, ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା, ସମ୍ପାଦକ ଓ ସିଇଓ ଶ୍ରୀ ନୀଳାମ୍ବର ରଥ କହିଛନ୍ତି ଯେ, ‘‘ଓଡ଼ିଆ ସଂଗୀତ ପ୍ରେମୀଙ୍କ ପାଇଁ ସୁମନଙ୍କ ସଂଗୀତ ବିଶେଷକରି ନମ୍ରତାଙ୍କର ସୁମଧୁର କଣ୍ଠର ଉପସ୍ଥାପନା ବେଶ୍ ଉପଭୋଗ୍ୟ ହେବ। ଓଡ଼ିଶାଲାଇଭ୍‌ ଏହାର ବିଭିନ୍ନ ୱେବ୍ ଓ ସୋସିଆଲ୍ ଚ୍ୟାନେଲ୍ ମାଧ୍ୟମରେ ଓଡ଼ିଶା ତଥା ସମଗ୍ର ଭାରତର କଳା, ସଂସ୍କୃତି, ଐତିହ୍ୟ ତଥା ଅନ୍ୟ ସାମାଜିକ କାର୍ଯ୍ୟକ୍ରମର ପ୍ରସାର ପାଇଁ ପ୍ରୟାସରତ। ଆମ୍ଭେମାନେ ଭବିଷ୍ୟତରେ ଓଡ଼ିଶାର ମହାନ ସଂସ୍କୃତିର ଭଣ୍ଡାରର ଆହୁରି ଅନେକ ନୂଆ ନୂଆ ଦିଗ ଆପଣଙ୍କ ନିକଟରେ ଉପସ୍ଥାପନ କରିବୁ।’’

ଓଡ଼ିଶାଲାଇଭ୍ ଏହି ଆଲବମ୍‌ର ଡିଜିଟାଲ୍ ବିତରଣ ଓ ପ୍ରସାରଣ ଦାୟିତ୍ୱ ବହନ କରିଛି। ଏହି ଅଡିଓ ଟ୍ରାକ୍ ଏବେ www.youtube.com/odishalive ଓ www.odisha.live. ରେ ଉପଲବ୍ଧ ରହିଛି।

ନିକଟରେ ‘ତୁମାକେ ଚାଇ’ ଗୀତର ରୌପ୍ୟ ଜୟନ୍ତୀ ଅବସରରେ ଏକ ବିଶେଷ ଉତ୍ସବରେ ସୁମନଙ୍କ ଉପସ୍ଥିତିରେ କୋଲକାତାରେ ଓଡ଼ିଆ ଅଡିଓ ସିଡି ଉନ୍ମୋଚିତ ହୋଇଯାଇଛି। ଏହା ମଧ୍ୟ ଭୁବନେଶ୍ୱରରେ, କଳିଙ୍ଗ ଲିଟରେଚର ଫେଷ୍ଟିଭାଲରେ ଉନ୍ମୋଚିତ ହେବ।

Comment