ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାଲାଇଭ୍‍: ‘ତୋମାକେ ଚାଇ’ ବଙ୍ଗଳା ଗୀତିକାର ଓ ଗାୟକ ସୁମନଙ୍କର ଏକ ଲୋକପ୍ରିୟ ସୃଷ୍ଟି। ଏହାକୁ ଓଡ଼ିଆରେ ଉପସ୍ଥାପନ କରିବାକୁ ଆପଣ ମନ ବଳାଇଲେ କେମିତି?

ନମ୍ରତା: ୨୦୧୫ ମସିହାରେ ମୁଁ ଥରେ ମୋ ବନ୍ଧୁଙ୍କ ପାଖରୁ ସେସବୁ ଗୀତ ଶୁଣିଥିଲି। ଏହି ଗୀତ ଏବଂ ତା’ର ସୁର ମୋ ହୃଦୟକୁ ବେଶ୍ ଛୁଇଁଥିଲା। ତେଣୁ ମୁଁ ସେତେବେଳୁ ଭାବୁଥିଲି ଯେ ତାକୁ ଓଡ଼ିଆରେ କରାଗଲେ ବହୁତ ଭଲ ହୁଅନ୍ତା। ଖୁସିର କଥା ମୋତେ ସେ ସୁଯୋଗ ମିଳିଛି ଏବଂ ମୁଁ ଚେଷ୍ଟା କରିଛି ତାହା କିଭଳି ଓଡ଼ିଆ ଶ୍ରୋତାମାନଙ୍କୁ ଛୁଇଁପାରିବ।

ଓଡ଼ିଶାଲାଇଭ୍‍: ସୁମନଙ୍କ ‘ତୋମାକେ ଚାଇ’ ଓ ଅନ୍ୟ ଗୀତଗୁଡ଼ିକୁ ନେଇ ଆପଣ ପ୍ରସ୍ତୁତ କରିଥିବା ଓଡ଼ିଆ ଆଲ୍‌ବମ୍‌ର ନାଁ ରଖିଛନ୍ତି ‘ଅନ୍ୟ କଥା ଅନ୍ୟ ଗୀତ’। ଏହାକୁ ପ୍ରସ୍ତୁତ କରିବା ବେଳେ କେମିତି ଥିଲା ଆପଣଙ୍କ ଅନୁଭୂତି?

ନମ୍ରତା: ଏହି ଗୀତର ଲେଖା ବହୁତ ସୁନ୍ଦର। ୨୦୧୫ ମସିହାରେ ମୁଁ ଯେତେବେଳେ ଏହି ଗୀତକୁ କରିବାକୁ ଇଛା ପ୍ରକାଶ କଲି ତା’ ପୂର୍ବରୁ ମୁଁ କବି ସୁମନଙ୍କର ଅନୁମତି ଆଣିଥିଲି। ସେ ମଧ୍ୟ ମୋତେ ନିର୍ଦ୍ୱନ୍ଦ୍ୱରେ ଅନୁମତି ପ୍ରଦାନ କରିଥିଲେ। ତଥାପି ମନ ଭିତରେ କେଉଁଠି ନା କେଉଁଠି ଟିକେ ଡର ଥିଲା। ତେବେ କିପରି ଭାବରେ ଗୀତ ଭଲ କରିବି ସେଥିପାଇଁ ମୁଁ ସବୁଆଡୁ ଚେଷ୍ଟା କରୁଥିଲି।

ଓଡ଼ିଶାଲାଇଭ୍‍: ଏହି ଆଲ୍‌ବମ୍‌ର ନାମକରଣ ସମ୍ପର୍କରେ କ’ଣ କହିବେ?

ନମ୍ରତା: ଗୀତର ଟାଇଟେଲ୍ ସମ୍ପର୍କରେ କଣ ବା କହିବି! ଆଲ୍‌ବମ୍‌ର ମୂଳ ବଙ୍ଗଳା ନାଁ ଥିଲା ‘ତୋମାକେ ଚାଇ’ ଯାହାର ଓଡ଼ିଆ ଅନୁବାଦ ହେଲା ‘ତୁମକୁ ଚାହେଁ। କିନ୍ତୁ ଆମେ ମୂଳ ବଙ୍ଗଳାର କିଛି ଶଦ୍ଦ ଓଡ଼ିଆ ଅନୁବାଦ ବେଳେ କାଟିଛୁ। କାରଣ କବି ସୁମନ କବିତା ରଚନା କଲାବେଳେ କଲିକତାର କିଛି ବ୍ୟକ୍ତିବିଶେଷଙ୍କ ନାଁ ନେଇଥିଲେ। ସେସବୁ ଜାଗାରେ ଆମେ ଓଡ଼ିଶାର କିଛି ବ୍ୟକ୍ତିବିଶେଷଙ୍କ ନାଁ ନେଇଛୁ। ଶେଷରେ ଆମେ ଓଡ଼ିଆ ଆଲ୍‍ ବମ୍‍ର ଶୀର୍ଷକ ‘ଅନ୍ୟ କଥା ଅନ୍ୟ ଗୀତ’ ରଖିବାକୁ ସ୍ଥିର କଲୁ।

ଓଡ଼ିଶାଲାଇଭ୍‍: ଓଡ଼ିଶାର ଶ୍ରୋତାମାନେ ଆପଣଙ୍କ ଗୀତଗୁଡ଼ିକୁ କିଭଳି ଗ୍ରହଣ କରିବେ ବୋଲି ଆପଣ ଭାବୁଛନ୍ତି?

ନମ୍ରତା: ଆଜିର ସମୟରେ ଓଡ଼ିଆରେ ଗୀତ ବା ଲିରିକ୍‌ର ମାନ ବହୁତ ତଳକୁ ଖସି ଯାଉଛି। ଆମର ପୁରୁଣା ଗୀତର ଭାବ ଏବଂ ଧାରା ଆଉ ଏବେର ଗୀତ ଭିତରେ ବହୁତ ଫରକ। ଦ୍ୱିଅର୍ଥବୋଧକ ଭାବ ଏବେ ଆମ ଓଡ଼ିଆ ସଂଗୀତ ଭିତରକୁ ପ୍ରବେଶ କରିଛି। କିନ୍ତୁ ମୁଁ ଚାହୁଁଛି ଏଥିପ୍ରତି ସମସ୍ତେ ଯତ୍ନବାନ ହେବା ଦରକାର। ଓଡ଼ିଶାର ପୁରୁଣା ଲୋକପ୍ରିୟ ତଥା ନିରୁତା ସଂଗୀତର ଭାବଧାରା ଫେରିଆସିବା ଦରକାର। ମୁଁ ଭାବୁଛି କବୀର ସୁମନଙ୍କ ଗୀତକୁ ଓଡ଼ିଆ ଶ୍ରୋତାମାନେ ପସନ୍ଦ କରିବେ। ବିଶେଷକରି ଭଲ ଗୀତ ଶୁଣିବାକୁ ଚାହୁଁଥିବା ଶ୍ରୋତାବନ୍ଧୁମାନଙ୍କ ମନକୁ ଏହା ନିଶ୍ଚୟ ଛୁଇଁବ।

ଓଡ଼ିଶାଲାଇଭ୍‍: ‘ତୋମାକେ ଚାଇ’ ଗୋଟିଏ ସମୟରେ ବଙ୍ଗଳା ସଙ୍ଗୀତ ଜଗତରେ ଏକ ତରଙ୍ଗ ସୃଷ୍ଟି କରିବା ସହ ସେତେବେଳର ଯୁବପିଢିଙ୍କୁ ଖୁବ୍‍ ପ୍ରଭାବିତ କରିଥିଲା। ଆପଣଙ୍କ ଓଡ଼ିଆ ଆଲ୍‍ବମ୍‍ ଏ ଦୃଷ୍ଟିରୁ ଆଜିର ତରୁଣ ଶ୍ରୋତାମାନଙ୍କୁ କିଭଳି ଟାଣିବ ବୋଲି ଆପଣ ଭାବୁଛନ୍ତି?

ନମ୍ରତା: ସୁମନଙ୍କ ଗୀତ ଆଜି ବି ସବୁ ବୟସ ଓ ବର୍ଗର ଶ୍ରୋତାମାନଙ୍କୁ ଭଲ ଲାଗୁଛି। ତେବେ ବିଶେଷତଃ ଗୀତଗୁଡ଼ିକ ଯୁବପିଢ଼ିଙ୍କ ଦ୍ୱାରା ଆଦୃତ ହେବ ବୋଲି ମୋର ବିଶ୍ୱାସ। ଆଜିର ତରୁଣ ସଙ୍ଗୀତ ଶ୍ରୋତାମାନଙ୍କ ମଧ୍ୟରେ ଏମିତି ଅନେକ ଅଛନ୍ତି ଯେଉଁମାନେ ଭଲ ଗୀତ ଖୋଜୁଛନ୍ତି।

ଓଡ଼ିଶାଲାଇଭ୍‍: ‘ତୋମାକୋ ଚାଇ’ ମୂଳ ବଙ୍ଗଳା ମ୍ୟୁଜିକର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ନିକଟରେ କଲିକତାଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସଭାରେ ‘ଅନ୍ୟ କଥା ଅନ୍ୟ ଗୀତ’ ମଧ୍ୟ ଉନ୍ମୋଚିତ ହୋ‍ଇଥିଲା। ଏହି କାର୍ଯ୍ୟକ୍ରମରେ ଆପଣ ସୁମନଙ୍କ ଉପସ୍ଥିତିରେ ଏହି ଆଲ୍‌ବମ୍‌ର ‘ନୟନତାରା’ ଗୀତଟି ଗାଇଥିଲେ। ସେ ଅନୁଭୂତି ସମ୍ପର୍କରେ କଣ କହିବେ?

ନମ୍ରତା: ସବୁଠୁ ବଡ଼ କଥା ହେଲା ଏହି କାର୍ଯ୍ୟକ୍ରମରେ ମୁଁ ଗୀତଟି ଗାଇଲା ବେଳେ ନିଜେ କବି ସୁମନ ‘ନୟନତାରା’ର ମ୍ୟୁଜିକ୍ ପରିଚାଳନା କରିଥିଲେ। ସେ କୀବୋର୍ଡ ଚଲାଇ ମୋ ଗୀତରେ ସଙ୍ଗୀତ ଦେଇଥିଲେ। ଏତେବଡ଼ ଗୀତିକାରଙ୍କ ସହ ମଞ୍ଚରେ ଗୀତ ପରିବେଷଣ କରିବା ଖୁବ୍ କମ୍ ଲୋକଙ୍କୁ ମିଳିଥାଏ। ସେହି କାର୍ଯ୍ୟକ୍ରମରେ ମୋର ପର୍ଫମାନ୍ସ ବହୁତ ସୁନ୍ଦର ଥିଲା ଓ ତାହା ଉପସ୍ଥିତ ଦର୍ଶକଙ୍କୁ ମଧ୍ୟ ଛୁଇଁଥିଲା।

ଓଡ଼ିଶାଲାଇଭ୍‍: ଆପଣ ଏପର୍ଯ୍ୟନ୍ତ ଅନେକ ଗୀତ ଗାଇଛନ୍ତି। ‘ଅନ୍ୟ କଥା ଅନ୍ୟ ଗୀତ’କୁ ଆପଣ ନିଜ କ୍ୟାରିଅର୍‌ରେ କିଭଳି ଭାବେ ସ୍ଥାନ ଦେଇଛନ୍ତି?

ନମ୍ରତା: ପ୍ରଥମେ ମୁଁ ଜଣେ କଣ୍ଠଶିଳ୍ପୀ। ମୁଁ ସେହି ଗୀତ ଗାଏ ଯେଉଁ ଗୀତର ଲେଖା ମୋ ହୃଦୟକୁ ଛୁଏଁ। ‘ତୁମକୁ ଚାହେଁ’ ଗୀତ ମୋ ଜୀବନର ଟର୍ଣିଂ ପଏଣ୍ଟ ବୋଲି କୁହାଯାଇପାରେ। କାରଣ ବଙ୍ଗଳାର ଶ୍ରୋତାବନ୍ଧୁମାନେ ମଧ୍ୟ ମୋ ଗୀତକୁ ପସନ୍ଦ କରିଛନ୍ତି। ସୁମନଙ୍କ ଏହି ଗୀତଗୁଡ଼ିକର ସଫଳ ଓଡ଼ିଆ ରୂପ ପାଇଁ ମୁଁ ଏହାର ଅନୁବାଦକ ପ୍ରଫେସର ମୃଣାଳ ଚାଟାର୍ଜୀ ଏବଂ ସଙ୍ଗୀତ ସଂଯୋଜକ ନିତ୍ୟ ଶ୍ରୀରଞ୍ଜନଙ୍କୁ ଧନ୍ୟବାଦ ଜଣାଉଛି।

ଓଡ଼ିଶାଲାଇଭ୍‍: ଓଡ଼ିଶାର ପ୍ରଥମ ୱେବ ଚ୍ୟାନେଲ ‘ଓଡ଼ିଶାଲାଇଭ୍’ ଆପଣଙ୍କ ଗୀତଗୁଡ଼ିକୁ ଡିଜିଟାଲ ମାଧ୍ୟମରେ ରିଲିଜ୍ କରି ସାରା ପୃଥିବୀର ଶ୍ରୋତାମାନଙ୍କ ନିକଟରେ ଇଣ୍ଟରନେଟ୍‌ ଓ ମୋବାଇଲ୍‌ ମିଡିଆ ମାଧ୍ୟମରେ ପହଞ୍ଚାଇ ଦେଇଛି। କ’ଣ କହିବେ?

ନମ୍ରତା: ମତେ ଆଗରୁ କେବେ କେହି ଡିଜିଟାଲ ମିଡିଆ ସମ୍ପର୍କରେ ଅବଗତ କରାଇନଥିଲେ। ଆଜିର ଯୁଗରେ ଡିଜିଟାଲ ଓ ସୋସିଆଲ୍ ମିଡିଆ ଲୋକଙ୍କ ପାଖେ ପହଞ୍ଚିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଛି। ଆଜିକାଲି ୟୁଟ୍ୟୁବରେ ବହୁତ ଗୀତ ଦର୍ଶକମାନଙ୍କ ଦ୍ୱାରା ବେଶ୍‌ ଆଦୃତି ଲାଭ କରୁଛି। କବୀର ସୁମନ ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଗାୟକ ଓ ବ୍ୟକ୍ତିତ୍ୱ। ତାଙ୍କର ଗୀତଗୁଡ଼ିକ ଇଣ୍ଟରନେଟ ମାଧ୍ୟମରେ ସାରା ପୃଥିବୀର ଶ୍ରୋତାମାନଙ୍କ ନିକଟରେ ପହଞ୍ଚିବ। ଏହାଠାରୁ ବଳି ଖୁସିର କଥା କ’ଣ ଅଛି। ଏଥିପାଇଁ ମୁଁ ‘ଓଡ଼ିଶାଲାଇଭ୍’ ନିକଟରେ କୃତଜ୍ଞ। ମୋର ବିଶ୍ୱାସ, ଏହି ଚ୍ୟାନେଲ୍‌ର ଲୋକପ୍ରିୟତା ଓ ଆମ ଗୀତରେ ଥିବା ଭଲପାଇବା ‘ତୁମକୁ ଚାହେଁ’ ଓ ଅନ୍ୟ ଗୀତଗୁଡ଼ିକୁ ଗୁଣଗ୍ରାହୀ ଶ୍ରୋତାମାନଙ୍କ ନିକଟରେ ପହଞ୍ଚାଇବ।

(ପ୍ରସ୍ତୁତି: ଶ୍ରୀରାମ ସିଂ ରତନ)

1 COMMENT

Comment