ଭାସ୍କର ପରିଛା

ସୋମବାର ଦିନ ସାମ୍ବାଦିକ ସମ୍ମିଳନୀରେ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ପଦ ପାଇଁ ଦଳିତ ନେତା ରାମନାଥ କୋବିନ୍ଦଙ୍କ ନାମ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ପରେ ତାଙ୍କୁ  ନେଇ ସୋସିଆଲ ମିଡିଆରେ ଢ଼େର ମଜା ଚାଲିଥିଲା। ଜଣେ ବ୍ୟକ୍ତି ଟ୍ୱିଟରରେ ଲେଖିଲେ,”ଏବେ ଯଦି ଆଲିଆ ଭଟ୍ଟ ରାଷ୍ଟ୍ରପତିଙ୍କ ନାମ କହି ନ ପାରିବେ ଆପଣ ତାଙ୍କୁ ଦୋଷ ଦେଇ ପାରିବେନି।”

ବ୍ୟଙ୍ଗ ଛାଡନ୍ତୁ, ଏନଡିଏ ପ୍ରାର୍ଥୀ ଭାବେ ବିଜେପି ପକ୍ଷରୁ ରାମନାଥଙ୍କ ନାମ ଘୋଷଣା ସହିତ ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି। ଆଗିଲା ରାଷ୍ଟ୍ରପତି ପଦ ସକାଶେ କିଏ କେତେ ପ୍ରକାର ନାଁ ଛାଡ଼ି ଥିଲା ତାର ହିସାବ ନାହିଁ। ଏପରିକି ଓଡିଶାର ଦ୍ରୌପଦି ମୁର୍ମୁଙ୍କ ନାମ ମଧ୍ୟ ଢେର ଦିନ ଧରି ଚର୍ଚ୍ଚାରେ ଥିଲ।।

ଏହାକୁ କୁହାଯାଉଛି ମୋଦି-ଶାହାଙ୍କ ମାଷ୍ଟର ଷ୍ଟ୍ରୋକ। କୋବିନ୍ଦଙ୍କ ନାମ ଘୋଷଣା ସହିତ ରାଷ୍ଟ୍ରପତି ପ୍ରାର୍ଥୀ ମନୋନୟନ ଏବେ ଏକ ନୂଆ ମୋଡ଼ ନେଇଛି। ଅଜଣା ଅଶୁଣା ଥିବା ବିହାରର ରାଜ୍ୟପାଳ ତଥା କାନପୁରର ଦଳିତ ନେତା କୋବିନ୍ଦ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିବା ବେଳେ ଏହା ହଠାତ ବିରୋଧୀ ଦଳର ନେତାମାନଙ୍କୁ ଅଡୁଆରେ ପକାଇଛି। ଏମିତି ଅବଶ୍ୟ କୋବିନ୍ଦ ରାଜନୀତିରେ ଅପରିଚିତ ନୁହଁନ୍ତି। ପୂର୍ବରୁ ରାଜ୍ୟ ସଭାର ସଦସ୍ୟ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି କୋବିନ୍ଦ। ରାଜ୍ୟପାଳ ତ ଅଛନ୍ତି ହିଁ।

ସବୁଠାରୁ ବଡ଼ କଥା ହେଲା ତାଙ୍କ ପ୍ରାର୍ଥିତ୍ୱକୁ ବିଭିନ୍ନ ଦଳ ପକ୍ଷରୁ ସମର୍ଥନ ମିଳିବା ଆରମ୍ଭ ହୋଇଛି। ବିଜୁ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାଙ୍କ ସପକ୍ଷରେ ଭୋଟ ପଡ଼ିବ ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କଥା ହେଉଛି, ଏନଡିଏ ସରକାରଙ୍କ ଭୋଟ ବ୍ୟାଙ୍କ ଯାହା ସେଥିରେ କୋବିନ୍ଦଙ୍କ ଜିତିବା ସୁନିଶ୍ଚିତ୍।

ନବୀନଙ୍କ ସମର୍ଥନ ଜଣାଇବା ପଛରେ ବଡ଼ କାରଣ ହେଉଛି ଗତ ନିର୍ବାଚନରେ ମଧ୍ୟ ବିଜେଡି ପିଏ ସାଙ୍ଗମାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଜଣାଇଥିଲେ ଓ ସାଙ୍ଗମା ଜଣେ ଦଳିତ।

ରାଷ୍ଟ୍ରପତି ଭବନରେ ପରବର୍ତ୍ତୀ ଅନ୍ତେବାସୀ ପାଇଁ ମୋଦି ଦଳିତ କାର୍ଡ ଖେଳିଛନ୍ତି ବୋଲି କୁହାଯାଇପାରେ। ଏମିତି ମତ ମଧ୍ୟ ଗଣ ମାଧ୍ୟମରେ ଆସିଛି। ଅସଲ କଥାଟି ହେଲା, ଭୋଟ ରାଜନୀତି ଓ କ୍ଷମତା ଖେଳରେ ସବୁ କିଛି ସମ୍ଭବ।

କୋବିନ୍ଦଙ୍କୁ ବିଜେପି କାହିଁକି ବାଛିଲା ତା’ର ଆଉ କିଛି କାରଣ ବି ରହିଛି। ପ୍ରଥମତଃ ସେ ଦଳିତ, ତା’ ଛଡ଼ା ତାଙ୍କ ପଛରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସମର୍ଥନ ରହିଛି କାରଣ ସେ ଆରଏସଏସର ଜଣେ ବରିଷ୍ଠ ଚିନ୍ତକ।

ଅନ୍ୟ ଏକ କାରଣ ହେଉଛି ମୋଦି ୨୦୧୯ ସଧାରଣ ନିର୍ବାଚନରେରେ ଉତ୍ତର ପ୍ରଦେଶର ଦଳିତ ଭୋଟକୁ ଅକ୍ତିଆର କରିବାକୁ ଚାହୁଁଛନ୍ତି। ଉତ୍ତରପ୍ରଦେଶ ଓ ବିହାର ହେଉଛି ସର୍ବାଧିକ ଦଳିତ ଅଧ୍ୟୁଷିତ ରାଜ୍ୟ। ଉତ୍ତର ପ୍ରଦେଶରେ ଦଳିତଙ୍କ ସଂଖ୍ୟା ପ୍ରାୟ ୧୬ ପ୍ରତିଶତ।

ମୋଦିଙ୍କ ଗଣିତ ହେଉଛି କୋବିନ୍ଦଙ୍କୁ ରାଷ୍ଟ୍ରପତି ଭବନରେ ଅବସ୍ଥାପିତ କରାଗଲେ ଦଳିତଙ୍କ ପ୍ରତି ମୋଦି ସରକାରଙ୍କର ଦରଦ ରହିଛି ବୋଲି ଏକ ବାର୍ତ୍ତା ଯିବ। ତା’ଛଡ଼ା ହିନ୍ଦୁତ୍ୱର ସ୍ୱାର୍ଥ ମଧ୍ୟ ହାସଲ କରିହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋବିନ୍ଦଙ୍କ ନାମ ବିଚାରକୁ ନେବା ବେଳେ ଯେ ତାଙ୍କ ଶିକ୍ଷାଗତ କୃତିତ୍ୱ ଉପରେ ନଜର ପକେଇ ନାହାଁନ୍ତି ତାହା ନୁହେଁ। ସତ କହିଲେ, କୋବିନ୍ଦ ଦେଶର ସମ୍ବିଧାନକୁ ଭଲ ଭାବରେ ଜାଣିଛନ୍ତି। ଯିଏ ସିଭିଲ ସର୍ଭିସ ପାଇଥିଲେ ଓ ସୁପ୍ରିମ୍‌କୋର୍ଟରେ ଓକିଲାତି କରୁଛନ୍ତି ତାଙ୍କ ସମ୍ବିଧାନ ସମ୍ପର୍କିତ ଜ୍ଞାନକୁ କେହି ବି ପ୍ରଶ୍ନ କରିବେ ନାହିଁ।

ଆହୁରି ମଧ୍ୟ,ବର୍ତ୍ତମାନ ସେ ରାଜ୍ୟପାଳ ଅଛନ୍ତି। ପ୍ରଶାସନ ଉପରେ ଗଭୀର ଜ୍ଞାନ ଆହରଣ କରିବା ସହିତ ନିଜକୁ ଜଣେ ବରିଷ୍ଠ ନେତା ଭାବରେ ବି ସେ ପରିଚିତ କରାଇ ପାରିଛନ୍ତି। ଏଣୁ ତାଙ୍କ ପ୍ରାର୍ଥିତ୍ୱ ପ୍ରତି କେହି ଆଙ୍ଗୁଳି ନିର୍ଦେଶ କରିପାରିବେ ନାହିଁ।

କୋବିନ୍ଦ ପ୍ରାର୍ଥୀ ହେବା ପରେ ବର୍ତ୍ତମାନ ଅଡୁଆରେ ପଡ଼ିଛି ବିରୋଧୀ ଦଳ, ବିଶେଷ କରି କଂଗ୍ରେସ। ସୋନିଆ ଗାନ୍ଧୀ ଏବେ କି ପ୍ରକାର ରଣ କୌଶଳ ଗ୍ରହଣ କରୁଛନ୍ତି ତାହା ପରେ ଜଣାପଡ଼ିବ। ତେବେ ବିରୋଧୀ ଦଳର କିଛି ନେତା କୋବିନ୍ଦଙ୍କ ପ୍ରାର୍ଥୀତ୍ୱ ଘୋଷଣାକୁ ସ୍ୱାଗତ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ମାୟାବତୀ ଓ ନୀତିଶ କୁମାର। ଏମାନଙ୍କ ସମର୍ଥନ ପରେ କୋବିନ୍ଦ ଯେ ଜଣେ ସର୍ବସମ୍ମତ ରାଷ୍ଟ୍ରପତି ରୂପେ ସାମ୍ନାକୁ ଆସିବେ ଏହା ନିଶ୍ଚିତ।

ଯଦି ଉଚ୍ଚ ବର୍ଗ ଓ ଦଳିତ ସମସ୍ତେ କୋବିନ୍ଦଙ୍କୁ ସମର୍ଥନ କରିବା ଆରମ୍ଭ କରିବେ, ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯିବ କି ନାହିଁ ତାହା ହିଁ ହେଉଛି ବର୍ତ୍ତମାନର ସବୁଠାରୁ ବଡ଼ ପ୍ରଶ୍ନ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡିଶା ଲାଇଭର ପରାମର୍ଶଦାତା ସମ୍ପାଦକ)

LEAVE A REPLY

Please enter your comment!
Please enter your name here