ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ଆସନ୍ତା ୫ ତାରିଖ ଠାରୁ ହେବାକୁ ଥିବା ଏସିଆଡ୍‌ ଆଥ୍‌‍ଲେଟିକ୍ ମିଟ୍‌‍ରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବା ପାଇଁ ସମ୍ବଲପୁର କଳାପରିଷଦର ଏକ ୨୯ ଜଣିଆ ଦଳ ଆଜି ଭୁବନେଶ୍ୱର ଯାତ୍ରା କରିଛନ୍ତି ।

ସ୍ଥାନୀୟ କଚେରୀ ଛକରେ ତହସିଲଦାର, ଜିଲ୍ଲା କ୍ରୀଡ଼ା ଅଧିକାରୀ, ବିଶିଷ୍ଟ ସମ୍ବଲପୁରୀ କଣ୍ଠଶିଳ୍ପୀ ବିଭୂତି ପଟ୍ଟନାୟକ, ମୋତିଲାଲ ଦୋରା, ବାଦ୍ୟ ଶିଳ୍ପୀ ତଥା ଗୀତିକାର କୃପାସିନ୍ଧୁ ଗୁରୁ, ସମାଜସେବୀ ସୁଧୀର ପୂଜାରୀ, ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘର ମହେନ୍ଦ୍ର ମିଶ୍ର, ସଂଗଠକ ଡ. ବିଜୟ ପ୍ରଧାନଙ୍କ ଉପସ୍ଥିତିରେ ନୃତ୍ୟ ଦଳକୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଳାପରିଷଦର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ହୋତା ଏବଂ ଅନ୍ୟ କର୍ମକର୍ତ୍ତାଗଣ ମଧ୍ୟ ଉପସ୍ଥିତ ଥିଲେ। ନୃତ୍ୟ ଦଳ ସହିତ ଅଧିକାରୀ ଭାବରେ ଜିଲ୍ଲା ଅତିରିକ୍ତ ସୂଚନା ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ଧନକଉଡ଼ା ଏବିଡ଼ିଓ ସୁଶାନ୍ତ କୁମାର ପଣ୍ଡା ମଧ୍ୟ ଯାଇଛନ୍ତି ।

ଏହି ଦଳରେ ସୂର୍ଯ୍ୟ ପ୍ରକାଶ ଗୁରୁ, ରାଜେଶ ଦୀପ, ଶଶାଙ୍କ ଶେଖର ଦୁବେ, ଚନ୍ଦ୍ର ଶେଖର ଦୁବେ, ସୁଶାନ୍ତ କୁମାର ମିଶ୍ର, ଦଶରଥ ମେହେର, ଅରୁଣ ବେହେରା, ମଣ୍ଡୁ ବାହାଦୂର, ଶନି ବେହେରା, ପ୍ରଳୟ କୁଅଁର, ସଞ୍ଜୟ ବାଗ୍, ମହେଶ ପଣ୍ଡା, ଆକାଶ ସୁନା, ସୁରେନ୍ଦ୍ର ସାଏ, ପର୍ଶୁରାମ ବେହରାଙ୍କ ଭଳି ବାଦ୍ୟଯନ୍ତ୍ର ଶିଳ୍ପୀ, ଗାୟକ, ନୃତ୍ୟ ନିର୍ଦ୍ଦେଶକ ଥିବା ସାଙ୍ଗକୁ ଜି. ରୋଜା, ସମ୍ପତା ଦାଶ, ୱାଇ. ଅଙ୍କିତା, ସମୀକ୍ଷା ରଥ, କାଞ୍ଚନ ଲୁହା, ସୁଧାଶ୍ରୀ ଦେହୁରୀ, ଶୁଭାଙ୍ଗୀ ସୋନୀ, ପ୍ରିତିଛନ୍ଦା ଦାଶ, ଶ୍ରୁତିମୟୀ ସାହୁ ଆଦି ନୃତ୍ୟଶିଳ୍ପୀ ଅଛନ୍ତି।

ଦଳରେ ଅଭିଜ୍ଞ କଳା ସଂଗଠକ ମନୋରଞ୍ଜନ ପାଢ଼ୀ ମଧ୍ୟ ରହିଛନ୍ତି। ସୂର୍ଯ୍ୟ ପ୍ରକାଶ ଗୁରୁ ଏହି କାର୍ଯ୍ୟକ୍ରମର ସଂଯୋଜକ ଦାୟିତ୍ୱରେ ଅଛନ୍ତି। ଏସିଆଡ ଆଥେଲେଟିକ୍ ମିଟ୍ ସକାଶେ ସମ୍ବଲପୁରୀ ନୃତ୍ୟ ଦଳକୁ ପରିବେଷଣ ପାଇଁ ଆମନ୍ତ୍ରଣ କରାଯାଇଥିବାରୁ ରାଜ୍ୟ ସରକାର ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

ଉଦ୍‌ଘାଟନୀ ଅବସରରେ ଓଡ଼ିଶୀ, ଛଉ, ଘୁମୁରା ଭଳି ନୃତ୍ୟ ପରିବେଷିତ ହେବ ବୋଲି ଖବର ପ୍ରଚାରିତ ହୋଇଥିଲା। ସମ୍ବଲପୁରୀ ନୃତ୍ୟ ଓଡ଼ିଶାକୁ ରାଜ୍ୟ ବାହାରେ ଲୋକନୃତ୍ୟ କ୍ଷେତ୍ରରେ ପ୍ରସିଦ୍ଧ କରିଥିବାବେଳେ ଏଭଳି ଏକ ଆୟୋଜନର ମୁହୂର୍ତ୍ତରେ ସମ୍ବଲପୁରୀ ନୃତ୍ୟକୁ କିଭଳି ବାଦ୍‌‍ ଦିଆଗଲା ବୋଲି ପ୍ରଶ୍ନ ଉଠିଥିଲା। ତେବେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁର କଳା ପରିଷଦ ସହିତ ଯୋଗାଯୋଗ କରାଯାଇ ଏସିଆଡ୍‌ ପାଇଁ ଭୁବନେଶ୍ୱର ଯିବା ସକାଶେ ପ୍ରସ୍ତୁତ ହେବାକୁ କୁହାଯିବା ପରେ ସମ୍ବଲପୁରୀ ନୃତ୍ୟ ମଧ୍ୟ ଏସିଆଡରେ ସ୍ଥାନ ପାଇବ ବୋଲି ଜଣାପଡ଼ିଲା।

କଳା ପରିଷଦ ହେଉଛି ସମ୍ବଲପୁରୀ ନୃତ୍ୟର ପ୍ରସାର ପ୍ରଚାର ଦିଗରେ ସର୍ବପୁରାତନ ସଂସ୍ଥା। କଳା ପରିଷଦ ଦଳ ଭାରତବ୍ୟାପୀ ବିଭିନ୍ନ ସ୍ଥାନରେ ବହୁ ପ୍ରତିଷ୍ଠିତ ଉତ୍ସବମାନଙ୍କରେ ତଥା ଋଷିଆ, ଇଣ୍ଡୋନେସିଆ, ଜାପାନ ଆଦି ଦେଶରେ କାର୍ଯ୍ୟକ୍ରମ ପରିବେଷଣ କରିଛି।

ଏସିଆଡ୍‌ କ୍ରୀଡ଼ାରେ ଓଡ଼ିଶାର ଆଇକନିକ୍ ଗୀତ ‘ରଙ୍ଗବତୀ’ ପରିବେଷିତ ହେବ। ଏହା ବାହାରେ ରାଜ୍ୟର ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବିଭବର ଦୁଇଟି ଷ୍ଟଲ ରହିବ। ଏଥିରେ ସମ୍ବଲପୁରୀ ବାନ୍ଧ ଶାଢ଼ୀ ପ୍ରଦର୍ଶିତ ହେବ। ଏହାଛଡ଼ା ଖେଳାଳିମାନଙ୍କୁ ଯେଉଁ ମେମେଣ୍ଟୋ ଏବଂ ଟ୍ରଫି ଦିଆଯିବ ସେଥିରେ ସମ୍ବଲପୁରୀ ଗାମୁଛା ରହିବ ବୋଲି ଜଣାପଡ଼ିଛି। ଉଦ୍‌ଘାଟନୀ ଉତ୍ସବରେ ପାରମ୍ପରିକ ମାର୍ଚ୍ଚପାଷ୍ଟରେ ପତାକା ଧରିଥିବା ମହିଳା କ୍ରୀଡ଼ାବିତ୍‌‍ମାନେ ବୟନିକା ପ୍ରଦତ୍ତ ପାରମ୍ପରିକ ଶାଢ଼ୀ ପରିଧାନ କରିବେ ।

ଆଥଲେଟିକ୍ ଚାମ୍ପିୟନସିପ ଉଦଘାଟନ: ଦେଖିବାକୁ ମିଳିବ ଓଡ଼ିଶାର କଳା, ସଂସ୍କୃତି ଓ ଐତିହର ଝଲକ

ଆସନ୍ତା ୫ ତାରିଖରେ ଉଦ୍‌‍ଘାଟିତ ହେବ ବହୁ ପ୍ରତିକ୍ଷୀତ ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ। ଉଦ୍‌‍ଘାଟନୀ ଉତ୍ସବକୁ ଆକର୍ଷଣୀୟ କରିବା ଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚାମ୍ପିଅନସିପ୍‌ରେ ୪୫ଟି ଦେଶ ଭାଗନେବାକୁ ଥିବାବେଳେ ସେମାନଙ୍କ ସମ୍ମୁଖରେ ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରଦର୍ଶନ କରିବାକୁ ଯୋଜନା କରାଯାଇଛି। ଏଥିପାଇଁ ଉଦଘାଟନୀ ଉତ୍ସବରେ ଦେଖିବାକୁ ମିଳିବ ଓଡ଼ିଶାର କଳା, ସଂସ୍କୃତି ଓ ଐତିହର ଝଲକ। ଓଡ଼ିଶୀ ନୃତ୍ୟ, ଓଡ଼ିଶାର ଲୋକନୃତ୍ୟ ତଥା କାରୁକାର୍ଯ୍ୟ ଆଦି ପ୍ରଦର୍ଶନ କରାଯିବ।

ଓଡ଼ିଶୀ ଓ ସମର କଳା ଜରିଆରେ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଏବଂ କଳିଙ୍ଗ ଯୁଦ୍ଧର ଗାଥା ପ୍ରଦର୍ଶନ କରିବେ ପାଖାପାଖି ୫୦୦ କଳାକାର। ଏମାନଙ୍କ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବେ ଦେଶବିଦେଶର ଖ୍ୟାତନାମା ଡ୍ୟାନ୍ସଗ୍ରୁପ। ଏଥିପାଇଁ ବିଭିନ୍ନ ନୃତ୍ୟ ଦଳ ଜୋରସୋରରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଏହା ବ୍ୟତୀତ ବଲିଉଡର ଖାତାନାମା କଣ୍ଠଶିଳ୍ପୀ ଶଙ୍କର ମହାଦେବନ ମଧ୍ୟ ଗୀତ ଗାଇବାର କାର୍ଯ୍ୟକ୍ରମ ରହିଛି  ।

ପଥ ଉତ୍ସବରେ ଓଲି ମୁଖ୍ୟ ଆକର୍ଷଣ

ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଏସିଆନ୍ ଆଥଲେଟିକ୍ ଚାମ୍ପିଅନ୍‌ସିପ୍ ଫିଭର ସାରା ଭୁବନେଶ୍ୱରରେ ଖେଳି ଯାଇଥିବା ବେଳେ ପଥ ଉତ୍ସବରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ରବିବାର ଦିନ ଆୟୋଜିତ ୩୨ତମ ପଥ ଉତ୍ସବରେ ଚାମ୍ପିଅନସିପ୍ ଏବଂ ଏହାର ମାସ୍କଟ ଓଲିକୁ ନେଇ ପ୍ରସ୍ତୁତ ପେଣ୍ଟିଂ ଏବଂ ମୁରୁଜ ଦର୍ଶକଙ୍କୁ ଆକର୍ଷିତ କରିଥିଲା।

ମାଷ୍ଟର କ୍ୟାଣ୍ଟିନଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ପଥ ଉତ୍ସବରେ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବିଏମସି ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ଚାମ୍ପିଆନସିପ୍ ଲୋଗୋ ସମ୍ବଳିତ ଟିସାର୍ଟ ପିନ୍ଧି କେକ୍ କାଟି ଥିଲେ। ଉଭୟ ପାର୍ଶ୍ୱରେ ଥିବା ଷ୍ଟେଜ୍‌‌ରେ ସବୁ ଥର ଭଳି ଗୀତ ଓ ନୃତ୍ୟ ପ୍ରଦର୍ଶନ ହୋଇଥିଲା।

ଏହି ଅବସରରେ ମେୟର ଶ୍ରୀ ଜେନା କହିଥିଲେ ଯେ ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ୍ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ବ୍ୟାପକ କରିବ। ଏହା ବ୍ୟତୀତ ଆସନ୍ତା ବର୍ଷ ଭୁବନେଶ୍ୱରରେ ହକି ବିଶ୍ୱକପ୍ ଆୟୋଜିତ ହେବାକୁ ଥିବାରୁ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାକୁ ମେୟର ଭୁବନେଶ୍ୱରବାସୀଙ୍କୁ ଆହ୍ୱାନ ଜଣାଇଥିଲେ।

Comment