ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଧବାର ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପାଇଁ ହେବ ଏକ ଐତିହାସିକ ଦିନ। ସଂଧ୍ୟାରେ ଉଦ୍‌‌‌ଘାଟିତ ହେବ ଏସୀୟ ଦୌଡ଼କୁଦର ମହାକୁମ୍ଭ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ।

ଓଡ଼ିଶା ଏସିଆନ୍ ଆଥଲେଟିକସ୍ ଚାମ୍ପିୟନସିପ୍ ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି କଳିଙ୍ଗ ଷ୍ଟାଡିୟମ୍। କମିଶନରେଟ୍ ପୋଲିସ ଟ୍ରାଫିକ କଟକଣା ଲାଗୁ  କରିଛି।

ଉଦ୍‌‌‍ଘାଟନୀ ସମାରୋହ ଦିନ ଅପରାହ୍ନ ୩ଟାରୁ ରାତି ୧୦ଟା ଯାଏଁ ଜୟଦେବ ବିହାର ଛକରୁ କଳିଙ୍ଗ ଷ୍ଟାଡ଼ିୟମ୍ ନିକଟ ଦ ୱାର୍ଲ୍‌‌‌ଡ ଛକ ପର୍ଯ୍ୟନ୍ତ ସମସ୍ତ ଯାନବାହନ ଚଳାଚଳ ବନ୍ଦ କରାଯିବ। ସେହିଭଳି ନିକୋ ପାର୍କ ଛକରୁ ଦ ୱାର୍ଲ୍‌‌‌ଡ ଛକ ପର୍ଯ୍ୟନ୍ତ ବୁଧବାର ପୂର୍ବାହ୍ନ ୧୦ଟାରୁ ରାତି ୧୦ଟା ଯାଏଁ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିବ। ଆଚାର୍ଯ୍ୟ ବିହାରରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ଆସୁଥିବା ଗାଡ଼ି ଗୁଡ଼ିକ ଓଭର ବ୍ରିଜ୍ ଦେଇ ଯିବା ଆସିବା କରିବେ।  କାର୍ ପାସ୍ ଥିବା ଗାଡ଼ି, ଖେଳାଳିଙ୍କ ଗାଡ଼ି ଓ ଭିଆଇପି ତଥା ନିମନ୍ତ୍ରିତ ଅତିଥିଙ୍କ ଗାଡ଼ି ପାଇଁ ଏହି କଟକଣା ଲାଗୁ ହେବ ନାହିଁ। ପାସ୍‌‌ଧାରୀମାନେ କଳିଙ୍ଗ ଷ୍ଟାଡ଼ିୟମ୍ ପରିସରରେ ପାର୍କିଂ କରିପାରିବେ। ଅନ୍ୟମାନେ ନିୟୁ ଏଜି କଲୋନୀ, ପୋଲିସ ରିଜର୍ଭ ପଡ଼ିଆ, ନୟାପଲ୍ଲୀ ରାବଣପୋଡ଼ି ପଡ଼ିଆ, ଆଶ୍ରମ ସ୍କୁଲ ତଥା ନିକୋ ପାର୍କ ରାସ୍ତାରେ ଗାଡ଼ି ପାର୍କିଂ କରି ପାରିବେ ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି  ।

ଜୁଲାଇ ୫ ତାରିଖ ସଂଧ୍ୟା ୫ ଟାରୁ ଆରମ୍ଭ ହେବ ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ୍‌‍ର ଉଦ୍‌‍ଘାଟନୀ ଉତ୍ସବ। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବା ବେଳେ ସମ୍ଭାବୀ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ଏହା ଅନୁଯାୟୀ ବୁଧବାର ଦିନ ସଂଧ୍ୟା ୪ଟା ବେଳକୁ ଷ୍ଟାଡିୟମ୍ ଖୋଲିବ। ସଂଧ୍ୟା ୫ଟା ମଧ୍ୟରେ ଖେଳାଳୀ ଏବଂ ଅନ୍ୟ ପ୍ରତିନିଧି ମାନେ ଷ୍ଟାଡିୟମ୍ ମଧ୍ୟକୁ ପ୍ରବେଶ କରିବେ। ପରେ ଖେଳାଳୀମାନେ ମାର୍ଚ୍ଚ ଫାଷ୍ଟରେ ଭାଗ ନେବା ପରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ତା’ପରେ ସଂଧ୍ୟା ୬ ଟାରୁ ସାଂସ୍କୃତିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇ ପ୍ରାୟ ରାତି ୮ରୁ ସାଢେ ୮ଟା ମଧ୍ୟରେ ଶେଷ ହେବ ବୋଲି ଯୋଜନା କରାଯାଇଛି। କାର୍ଯ୍ୟକ୍ରମ ଶେଷରେ ଆତସବାଜି ମଧ୍ୟ କରାଯିବ।

ପ୍ରାୟ ୫ ହଜାର ଦର୍ଶକ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଷ୍ଟାଡିୟମ୍‌ରେ ବ୍ୟବସ୍ଥା କରାଯାଇଛି। ଦର୍ଶକମାନଙ୍କ ସୁବିଧା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେବାର ୩ ଘଣ୍ଟା ପୂର୍ବରୁ ଷ୍ଟାଡିୟମରେ ଉପସ୍ଥିତ ରହିବାକୁ କୁହାଯାଇଛି। ଦର୍ଶକମାନଙ୍କ ଗାଡି ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨ ଚକିଆ ଓ ୪ ଚକିଆ ଯାନ ପାଇଁ ଅଲଗା ଅଲଗା ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ରୁଟ୍‌‍ରେ ମଧ୍ୟ ବ୍ୟାପକ ପରିବର୍ତ୍ତନ କରାଯାଇଛି।

ଅନ୍ୟପକ୍ଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଉପାସନାରୁ। ପରେ ଥାଇଲାଣ୍ଡରୁ ଆସିଥିବା ଏ ଥାଉଜାଣ୍ଡ ହାଣ୍ଡସ୍ ଡ୍ୟାନ୍ସ ଗ୍ରୁପ୍ ର କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଶିତ ହେବ। ପ୍ରାୟ ୫୦୦ କଳାକାର ଷ୍ଟାଡିୟମରେ ସେମାନଙ୍କ କଳା ପ୍ରଦର୍ଶନ କରିବେ।

ଓଡ଼ିଶାର କଳାକାରମାନେ ଓଡ଼ିଶାର ଗୌରବମୟ ଇତିହାସ, ଐତିହ୍ୟ, ପରମ୍ପରା ଏବଂ ବୌଦ୍ଧ ପରମ୍ପରା ସହ ଅନ୍ୟ ଦେଶମାନଙ୍କ ସହ ଏହାର ସମ୍ବନ୍ଧକୁ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରିବେ। ଏହା ବ୍ୟତୀତ ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଶଙ୍କର ମହାଦେବନ୍ ଏବଂ ତାଙ୍କ ଗ୍ରୁପ୍ ବହୁ ବଲିଉଡ୍ ଗୀତ ସମେତ ଓଡ଼ିଶାର ପ୍ରସିଦ୍ଧ ସମ୍ବଲପୁରୀ ଗୀତ ରଙ୍ଗବତୀ ପରିବେଷଣ କରିବେ।

୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଇଭେଣ୍ଟରେ ପ୍ରତିଯୋଗିତା ଅନୁଷ୍ଠିତ ହେବ।

୪୪ଟି ଦେଶ,  ୮ ଶହ କ୍ରୀଡାବିତ୍

ଅନେକ ଆଶା ଓ ଆକାଂକ୍ଷାର ପ୍ରତୀକ ଏସିଆନ୍ ଚମ୍ପିଅନ୍‌‌ସିପ୍‌‍ ମାସ୍କଟ ଓଲିକୁ ରାଜ୍ୟର ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶେଷ ମୁହୂର୍ତ୍ତରେ ଝାଡ଼ଖଣ୍ଡ ରାଜ୍ୟ ଏହି ପ୍ରତିଯୋଗିତା ଆୟୋଜନରୁ ଓହରିଯିବାରୁ ଓଡ଼ିଶା ଏହାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରି ମାତ୍ର ୯୦ ଦିନ ମଧ୍ୟରେ ଅତ୍ୟନ୍ତ ଆକର୍ଷଣୀୟ ଭାବରେ ଏହାର ଆୟୋଜନ କରିବାକୁ ସକ୍ଷମ ହୋଇପାରିଛି।

୪୪ଟି ଦେଶର ପ୍ରାୟ ୮ ଶହ କ୍ରୀଡାବିତ୍‌‌ଙ୍କ ସହିତ ୩ ଶହରୁ ଅଧିକ କ୍ରୀଡ଼ା ଅଧିକାରୀ ଏହି ମେଗା ଇଭେଂଟରେ ଭାଗ ନେବାକୁ ଯାଉଛନ୍ତି। ଏହି ମେଗାକୁମ୍ଭରେ ପ୍ରାୟ ୪୨ଟି ଟ୍ରାକ୍ ଏଣ୍ଡ ଫିଲ୍ଡ ଇଭେଣ୍ଟ ସହିତ ୨୦ ଜଣ ବିଶ୍ୱ ଚମ୍ପିଅନ୍ ଭାଗ ନେଉଛନ୍ତି।

ଉଦ୍‌ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ମାନ୍ୟଗଣ ଅତିଥି ଯୋଗଦେବେ। ଏତଦ୍‌‍ ବ୍ୟତୀତ ବିଶ୍ୱ ରେକର୍ଡ କରିଥିବା ଅନ୍ତର୍ଜାତୀୟ ଆଥ୍‌‌‌ଲେଟିକ୍ ମହାସଂଘର ସଭାପତି ଲର୍ଡ ସେବାଷ୍ଟିଆନ୍ କୋ, ଏସିଆନ୍ ଆଥଲେଟିକ୍ ମହାସଂଘର ସଭାପତି ଦହାଲାନ୍ ଅଲ୍-ହମାଦ୍, ଭାରତୀୟ ଆଥଲେଟିକ୍ ମହାସଂଘର ସଭାପତି ଅଦିଲେ ସୁମାରିୱାଲା ଓ ଏହାର ସଂପାଦକ ସି.କେ. ଭାଲ୍ସନ୍ ଏବଂ ସୁନାମଧନ୍ୟ ଆଥଲେଟ୍ ପି.ଟି. ଉଷାଙ୍କ ଭଳି କ୍ରୀଡାବିତ୍ ଏଠାରେ ପହଞ୍ଚିସାରିଲେଣି।

କେନ୍ଦ୍ର କ୍ରୀଡ଼ା ସଚିବ ଇଞ୍ଜେଟି ଶ୍ରୀନିବାସ୍ ମଧ୍ୟ ଏହି ମହାକୁମ୍ଭରେ ଯୋଗଦେଉଛନ୍ତି। ମାର୍ଚ୍ଚ ପାଷ୍ଟ ସମୟରେ ଭାଗନେଉଥିବା ସମସ୍ତ ଦେଶର କ୍ରୀଡାବିତ୍ ନିଜ ଦେଶର ଜାତୀୟ ପତାକା ସହ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଯୋଗଦେବେ। ଓଡ଼ିଶାର ଦୌଡ଼ରାଣୀ ଶ୍ରାବଣୀ ନନ୍ଦ ଭାରତୀୟ ଦଳର ଆଗଧାଡ଼ିରେ ରହି ତ୍ରିରଙ୍ଗା ପ୍ରଦର୍ଶନ କରିବେ।

ସମସ୍ତ ମହିଳା ପତାକାଧାରୀ ଓଡ଼ିଶାରେ ପ୍ରସ୍ତୁତ ବିଶ୍ୱବିଖ୍ୟାତ ସମ୍ବଲପୁରୀ ଶାଢୀ ପରିଧାନ କରି ଏହି ବର୍ଣ୍ଣାଢ୍ୟ ପରିବେଶର ଶୋଭାବର୍ଦ୍ଧନ କରିବେ। ଏହି କ୍ରୀଡ଼ା ମହାକୁମ୍ଭକୁ ସଫଳ କରିବା ପାଇଁ ଆୟୋଜକ କ୍ରୀଡ଼ା ଓ ଯୁବସେବା ବିଭାଗ ଶକ୍ତି, ପୂର୍ତ୍ତ, ସୂଚନା ଓ ଲୋକସଂପର୍କ, ଭୁବନେଶ୍ୱର ମହାନଗର ନିଗମ, ଇଡ୍‌‌କୋ, ସଂସ୍କୃତି ଓ ପର୍ଯ୍ୟଟନ ଆଦି ବିଭାଗ ସହ ସମନ୍ୱୟ ରକ୍ଷାପୂର୍ବକ ସମସ୍ତ ବ୍ୟବସ୍ଥାକୁ ଚୂଡ଼ାନ୍ତ କରିଛନ୍ତି।

କଳିଙ୍ଗ ଷ୍ଟାଡିୟମ୍‌‍କୁ ଏକ ବିଶ୍ୱସ୍ତରୀୟ କ୍ରୀଡାଙ୍ଗନରେ ରୂପାନ୍ତରିତ କରାଯାଇଛି। ଏହି ଷ୍ଟାଡିୟମ୍‌‍ରେ ଉଚ୍ଚମାନର ସିନ୍ଥେଟିକ୍ ଟ୍ରାକ୍, ଗ୍ରାସ୍ ଟର୍ଫିଙ୍ଗ୍ ସହ ବିଶ୍ରାମ କକ୍ଷ, ଶୌଚାଳୟ, ଏଲିଭେଟର, ଆଧୁନିକ ବ୍ୟାୟାମଶାଳା, ହାଇମାକ୍ସ ଲାଇଟ୍, ଫ୍ଲଡ୍ ଲାଇଟ୍, ମିଡିଆ ଟ୍ରିବୁନ୍, ଭିଆଇପି ଏନ୍‌‌‍କ୍ଲୋଜର, ଅତ୍ୟାଧୁନିକ ଚିକିତ୍ସାସେବା ଆଦି ସୁବିଧା ରହିଛି। ଅନ୍ତର୍ଜାତୀୟ ମାନଦଣ୍ଡକୁ ଆଧାର କରି ଏହି ଷ୍ଟାଡିୟମ୍ ସବୁଦୃଷ୍ଟିରୁ ଉଚ୍ଚମାନର ହୋଇଥିବାରୁ ସବୁ ମହଲରେ ପ୍ରଶଂସିତ ହୋଇଛି।

କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବିଶାଲ ଦେବଙ୍କ ମତରେ ଏହି ଆଥ୍ଲେଟିକ୍ ଚମ୍ପିଆନ୍‌‍ସିପ୍‌ ଯୁଦ୍ଧକାଳୀନ ଭିତିରେ ଆୟୋଜନ ହୋଇଥିଲେ ମଧ୍ୟ ଓଡ଼ିଶାକୁ ଭାରତର କ୍ରୀଡ଼ା ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ପ୍ରଦାନ କରିବାରେ ସହାୟକ ହେବ ଏବଂ ରାଜ୍ୟକୁ କ୍ରୀଡ଼ା ଶକ୍ତି କେନ୍ଦ୍ରରେ ପରିଣତ କରିବ।

ଏହି ମେଗା ଇଭେଣ୍ଟରେ ଯୋଗଦେବା ନିମନ୍ତେ ଆସୁଥିବା ସମସ୍ତ କ୍ରୀଡାବିତ୍, ଅତିଥି ଓ ଭିଆଇପିମାନଙ୍କ ପାଇଁ ୧୧୦୦ ଉଚ୍ଚମାନର ହୋଟେଲ୍ ବ୍ୟବସ୍ଥା ସଙ୍ଗେସଙ୍ଗେ ୨ଟି ହୋଟେଲ୍‌କୁ କ୍ରୀଡ଼ା ହୋଟେଲ୍ ଭାବେ ଘୋଷଣା କରାଯାଇଛି। ଏସବୁରେ ଆଗଧାଡ଼ିର କ୍ରୀଡ଼ା ଅଧିକାରୀ ଓ କାଉନ୍‌ସିଲ୍‌‍ ସଭ୍ୟମାନେ ଅବସ୍ଥାନ କରିବେ। ୨୦୦ରୁ ଉର୍ଦ୍ଧ୍ୱ ବିଳାସପୂର୍ଣ୍ଣ ଗାଡ଼ି ସହିତ ସେମାନଙ୍କର ଖାଦ୍ୟପେୟ ଓ ଭ୍ରମଣ ନିମନ୍ତେ ସୁବନ୍ଦୋବସ୍ତ କରାଯାଇଛି। ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ ନିମନ୍ତେ ବିଏମ୍‌‍ସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ସହ ଭୁବନେଶ୍ୱର ପୁଲିସ୍ କମିଶନରେଟ୍ ପକ୍ଷରୁ ଶୃଙ୍ଖଳା, ଟ୍ରାଫିକ୍ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇଛି। ଏତଦ୍‌ ବ୍ୟତୀତ ନିରାପତ୍ତା ନିମନ୍ତେ ୩୦୦ ଅଗ୍ନିଶମ ଅଧିକାରୀଙ୍କ ସହ ଅଗ୍ନି ନିର୍ବାପକ ଯନ୍ତ୍ର ପ୍ରସ୍ତୁତ ରଖାଯାଇ ସଂପୂର୍ଣ୍ଣ ଅଞ୍ଚଳକୁ ନିରାପଦ ବଳୟରେ ରଖାଯାଇଛି। କ୍ରୀଡ଼ା ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ ଦିଗରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସମସ୍ତ ବନେ୍ଦାବସ୍ତ କରାଯାଇଛି।

ଏହି ଉଦ୍‌‍ଘାଟନୀ ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ଏବଂ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ସମେତ ଅନ୍ୟ ଦେଶର ସାଂସ୍କୃତିକ ଦଳ ଭାଗ ନେଉଛନ୍ତି। ଏଥିରେ ଖ୍ୟାତନାମା ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଓଡ଼ିଶାର ଋଦ୍ଧିମନ୍ତ ସଂସ୍କୃତି ଓ ପରମ୍ପରାକୁ ପ୍ରଦର୍ଶିତ କରିବ।

ଏପରି ଏକ ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ କ୍ରୀଡ଼ା ମହୋତ୍ସବ ଆୟୋଜନ କରିବାରେ ଓଡ଼ିଶା ତାହାର ସାମର୍ଥ୍ୟ ପ୍ରତିପାଦନ କରିବା ସହିତ ରାଜ୍ୟର ଶକ୍ତି ଓ ଗୌରବ ବୃଦ୍ଧି ସାଙ୍ଗକୁ ରାଜ୍ୟର ଯୁବଶକ୍ତିକୁ ଅନୁପ୍ରେରିତ କରିବାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛି ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ପ୍ରକାଶ କରିଛନ୍ତି ।

Comment