ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଡେଲିଂ ଓ ଅଭିନୟ ଜଗତରେ ନିଜର ପ୍ରତିଭା ପ୍ରତିପାଦନ କରିସାରିଥିବା ୨୨-ବର୍ଷିୟା ଓଡ଼ିଆ ଝିଅ ସୋନିକା ରୟ ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତା ମିସ୍‌ ଏସିଆ ପାସିଫିକ୍‌ ଇଣ୍ଟରନ୍ୟାସନାଲ ୨୦୧୭ରେ ଭାରତର ପ୍ରତିନିଧିତ୍ୱ କରିବେ।

ଆସନ୍ତା ନଭେମ୍ବର ମାସରେ ଫିଲିପାଇନ୍‌‍ସଠାରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ ଆସିଥିବା ପ୍ରତିଯୋଗୀଙ୍କ ସହିତ ଭାଗନେଇ ଭାରତ ତଥା ଓଡ଼ିଶା ପାଇଁ ଏହି ମୁକୁଟ ଲାଭ କରିବା ତାଙ୍କର ଲକ୍ଷ୍ୟ। ପିଲାଟିବେଳୁ ମଡେଲିଂ ତଥା ଅଭିନୟ ପ୍ରତି ଆକର୍ଷିତ ସୋନିକା, ଫେମିନା ମିସ୍‌ ଇଣ୍ଡିଆ ୨୦୧୬ ପ୍ରତିଯୋଗିତାରେ ଶ୍ରେଷ୍ଠ ୧୨ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।

ମିସ୍‌ ଏସିଆ ପାସିଫିକ୍‌ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତା ପାଇଁ ନିଜର ପ୍ରସ୍ତୁତି ସମ୍ପର୍କରେ ଓଡ଼ିଶାଲାଇଭ୍‌ ସହ ସୋନିକାଙ୍କ ବାର୍ତ୍ତାଳାପ:

ଓଡ଼ିଶାଲାଇଭ୍‌: ଏହି ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରୁଥିବାର ସୁଯୋଗ ପାଇଥିବାରୁ ଆପଣ କିଭଳି ମନେ କରୁଛନ୍ତି?

ସୋନିକା: ଏହା ଅତ୍ୟନ୍ତ ଗୌରବର କଥା। ପୂର୍ବରୁ ଦିଆ ମିର୍ଜା ୨୦୦୦ ମସିହାରେ ଏହି ମୁକୁଟ ପାଇଥିଲେ। ମୁଁ ଏଥିପାଇଁ ବହୁତ ପରିଶ୍ରମ କରୁଛି। ଓଡ଼ିଶା ପାଇଁ ଏହି ମୁକୁଟ ଜିତି ମଡେଲିଂ ପାଇଁ ଆଗ୍ରହୀ ଝିଅମାନଙ୍କର ଦିଗ୍‌ଦର୍ଶକ ହେବାକୁ ବିଶେଷ ଲାଳାୟିତ।

ଓଡ଼ିଶାଲାଇଭ୍‌: ନିଜକୁ ପରଫେକ୍ଟ ସେପ୍‌ରେ ରଖିବା ପାଇଁ ପ୍ରତିଦିନ କ’ଣ ସବୁ ୱାର୍କଆଉଟ୍‌ କରୁଛନ୍ତି?

ସୋନିକା: ମୁଁ ମୋ ଶରୀର ପ୍ରତି ବିଶେଷ ଧ୍ୟାନ ଦେଉଛି। ଏଥିପାଇଁ ପ୍ରତିଦିନ ସକାଳେ ଜିମ୍‌ ଯାଉଛି। ସେଠାରେ ବଡି ଟୋନିଙ୍ଗ ତଥା ୱାର୍କ ଆଉଟ୍‌ ପାଇଁ କଠିନ ପରିଶ୍ରମ କରୁଛି। ପ୍ରତିଦିନ ସନ୍ଧ୍ୟାବେଳେ ଗିରିଶ ମହାନ୍ତିଙ୍କ ଡ୍ୟାନ୍ସ କ୍ଲାସ୍‌ ମଧ୍ୟ ଯାଉଛି। ସାରାଦିନର ମୁଖ୍ୟ କାମ ଅଧିକ ଫ୍ୟାଟ୍‌‍କୁ ଘଟେଇବା। ଏହାଦ୍ୱାରା ଶରୀର ଠିକ୍‌ ରହିବା ସହ ମନର ବିଶ୍ୱାସ ମଧ୍ୟ ବୃଦ୍ଧି ପାଉଛି।

ଓଡ଼ିଶାଲାଇଭ୍‌: ପ୍ରତିଦିନର ଖାଇବା ଉପରେ ଆପଣ କିପରି ଧ୍ୟାନ ଦେଉଛନ୍ତି?

ସୋନିକା: ନିଜ ଶରୀର ଓ ମନକୁ ସଠିକ୍‌ ରଖିବା ପାଇଁ ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଁ ମୋ ଡାଏଟ୍‌ ଚାର୍ଟ ଉପରେ ବିଶେଷ ଧ୍ୟାନ ଦେଉଛି। ଗୋଟେ ସ୍ଲାଇସ୍‌ ବ୍ରାଉନ୍‌ ବ୍ରେଡ୍‌ ସହ ୩ଟି ଏଗ୍‌ ହ୍ୱାଇଟ୍‌ ଓ ଗୋଟେ ଗ୍ଲାସ୍‌ ଜୁସ୍‌ ପ୍ରତିଦିନ ଜଳଖିଆରେ ଖାଉଛି। ସେହି ଦ୍ୱିପ୍ରହର ଓ ରାତ୍ରି ଭୋଜନରେ ଭାତ ଛଡ଼ା କେବଳ ରୁଟି ଖାଉଛି। ତା’ ସହ ସିଝା ଚିକେନ୍‌ ଓ ସିଝା ପରିବା, ସନ୍ତୁଳା ଖାଉଛି। ସିଝା ଚିକେନ୍‌ରୁ ଜାତ ପ୍ରୋଟିନ୍‌ ଶରୀରକୁ ଟୋନ୍‌ ଅପ୍‌ କରିବାରେ ସାହାଯ୍ୟ କରିଥାଏ। ଦିନର ଅନ୍ୟ ସମୟରେ ଦରକାର ମୁତାବକ ଫଳ ଓ ଫଳରସ ମଧ୍ୟ ସେବନ କରୁଛି।

ଓଡ଼ିଶାଲାଇଭ୍‌: ଆମେ ସମସ୍ତେ ଜାଣୁ ସୁନ୍ଦରୀ ପ୍ରତିଯୋଗିତା ଜିତିବାକୁ ହେଲେ ବୁଦ୍ଧିମତ୍ତାର ପରିଚୟ ଦେବାକୁ ହୋ‌ଇଥାଏ। ଏଥିପାଇଁ କ’ଣ କରୁଛନ୍ତି?

ସୋନିକା: କୌଣସି ସୁନ୍ଦରୀ ପ୍ରତିଯୋଗିତାରେ ନିଜ ଉପରେ ଥିବା ଆତ୍ମବିଶ୍ୱାସ, ସାଧାରଣ ଜ୍ଞାନ ଓ ଉପସ୍ଥିତ ବୁଦ୍ଧି ବିଶେଷ ଭାବେ କାମ ଦେଇଥାଏ। ଏଥିପାଇଁ ମୁଁ ଗ୍ରୁପ୍‌ ଡିସ୍‌କସନ୍‌ କ୍ଲାସରେ ଯାଇ ବିଭିନ୍ନ ବିଷୟବସ୍ତୁ ଉପରେ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ଓଡ଼ିଶାଲାଇଭ୍‌: ଭୁବନେଶ୍ୱରରେ ରହି ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଆପଣ ନିଜକୁ କିପରି ପ୍ରସ୍ତୁତ କରିପାରୁଛନ୍ତି?

ସୋନିକା: ମୁଁ ୨୦୧୪ ମସିହାରେ ମଡେଲିଂ ୱାର୍ଲ୍‌ଡ୍‌କୁ ପ୍ରବେଶ କରିଥିଲି। ସେହି ସମୟରେ ମୁଁ ମୁମ୍ବାଇରେ ରହି ତାଲିମ୍‌ ମଧ୍ୟ ଗ୍ରହଣ କରିଥିଲି। ବର୍ତ୍ତମାନ ମଧ୍ୟ ମୁଁ ମୁମ୍ବାଇସ୍ଥିତ ମଡେଲ୍‌ ତଥା ପ୍ରଶିକ୍ଷକ ଆଲେସିଆ ରାଉତ ଓ ଅଞ୍ଜଲି ରାଉତଙ୍କ ଠାରୁ ମଝିରେ ମଝିରେ ତାଲିମ୍‌ ନେବା ପାଇଁ ମୁମ୍ବାଇ ଯାଉଛି। ଯେଉଁ ସମୟରେ ସେମାନେ ଫଟୋ ସୁଟ୍‌ ପାଇଁ ଡାକନ୍ତି ମୁଁ ଯାଏ ଏବଂ କିଛି ଗ୍ରୁମିଙ୍ଗ୍‌ ସେସନରେ ଭାଗ ନେଇକି ଆସେ।

ଓଡ଼ିଶାଲାଇଭ୍‌: ଏହି ପ୍ରତିଯୋଗିତାରେ ଆପଣଙ୍କର ପୋଷାକର ପ୍ରସ୍ତୁତି ବିଷୟରେ କିଛି କୁହନ୍ତୁ।

ସୋନିକା: ଏହାର ଫାଇନାଲ୍‌ ରାଉଣ୍ଡର ସମସ୍ତ ପୋଷାକ ଆୟୋଜକ ସଂସ୍ଥା ଯୋଗାଇବାର ବ୍ୟବସ୍ଥା ରହିଛି। କିନ୍ତୁ ଏହାର ଗୋଟେ ରାଉଣ୍ଡରେ ସମସ୍ତେ ନିଜର ଦେଶକୁ ପ୍ରତିନିଧିତ୍ୱ କରୁଥିବା ଜାତୀୟ ପୋଷାକ ପିନ୍ଧିବେ। ସେଥିରେ ମୁଁ ଓଡ଼ିଆ ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ପିନ୍ଧିବାକୁ ଚାହେଁ।  ସେଥିପାଇଁ କୌଣସି ଓଡ଼ିଆ ଫ୍ୟାସନ ଡିଜାଇନର ଏହି ଅବସର ପାଇଁ ପୋଷାକର ଡିଜାଇନ୍‌ ଦେଲେ ମୁଁ ତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ।

ଓଡ଼ିଶାଲାଇଭ୍‌: ମଡେଲିଂ ଓ ସିନେମାରେ ଅଭିନୟ କରିବା ଦୁଇଟିଯାକ ମଧ୍ୟରେ ଭିନ୍ନତା କ’ଣ?

ସୋନିକା: ଦୁଇଟିଯାକ କାମ ଗ୍ଲାମର ସହ ଜଡ଼ିତ ଏବଂ ଦୁଇଟି ଯାକରେ ନାଁ କରାଇବା ପାଇଁ ବହୁତ ପରିଶ୍ରମ ଓ ଧୈର୍ଯ୍ୟର ଆବଶ୍ୟକତା ରହିଛି। ଓଡ଼ିଆ ସିନେମା ‘ରଙ୍ଗିଲା ବାବା’ରେ ମୁଁ ଅଭିନୟ କରିଛି ଏବଂ ନିକଟରେ ତେଲୁଗୁ ସିନେମା ‘ସୀତା କଲ୍ୟାଣମ୍‌’ରେ ମଧ୍ୟ ଅଭିନୟ କରୁଛି। ବର୍ତ୍ତମାନ ଏହି ପ୍ରତିଯୋଗିତାର ଶେଷ ପର୍ଯ୍ୟନ୍ତ ଆଉ କିଛି କାମ ହାତକୁ ନେବାକୁ ଆଗ୍ରହୀ ନୁହେଁ।

Comment