ଓଡ଼ିଶାଲାଇଭ୍‌ ବ୍ୟୁରୋ

“ପ୍ରତ୍ୟେକ ଓଡ଼ିଆ ଭିତରେ ଜଣେ ଖାରବେଳ ଅଛି। ସେ ହାରିଯାଇଥିବା ମାନସିକ ସ୍ଥିତିରୁ ନିଜକୁ ପୁଣି ଥରେ ବାହାରକରି ଜୀବନ ଯୁଝିବାକୁ ପ୍ରସ୍ତୁତ ହୋ‌ଇଥାଏ। ମୋ’ର ଚରିତ୍ର ବି ଠିକ୍‌ ସେହିପରି। ହାରିଯାଇଥିବା ମାର୍ଗରୁ ନିଜକୁ ବାହାର କରି ଆଣି ପଳାୟନପନ୍ଥୀ ନହୋ‌ଇ ଏଥିରେ ମୁଁ ଲଢିବାର ରାସ୍ତା ଆପଣେଇ ନେଇଛି”,କହିଛନ୍ତି ପାର୍ଥ।

ଆଧୁନିକ ଯୁଗର ଜୀବନଶୈଳୀ ଅନୁଯାୟୀ ପାଦଦେଇ ଚାଲିବା ପାଇଁ ମଧ୍ୟବିତ୍ତ ପରିବାରର ବ୍ୟକ୍ତିଟିଏ ଦିନରାତି ପରିଶ୍ରମ କରୁଥାଏ। ପ୍ରାଇଭେଟ୍‌ କମ୍ପାନୀର ଚାକିରି ସାଙ୍ଗକୁ ଘର ଓ ଗାଡ଼ିର ଲୋନ୍‌ ଶୁଝିବା ସହ ପିଲାଙ୍କ ସ୍କୁଲ୍‌ ଦରମା ଦେଉ ଦେଉ ସେ ଦେବାଳିଆ ହୋ‌ଇଯାଏ। ତା’ ଉପରେ ପୁଣି ବୟସ୍କ ବାପା-ମା’ଙ୍କ ବୃଦ୍ଧାବସ୍ଥାଜନିତ ରୋଗବୈରାଗର ଖର୍ଚ୍ଚ ମଧ୍ୟ ଏଡ଼ାଇ ଦେଇହେବ ନାହିଁ। ଏପରିକି ନିଜ ସ୍ତ୍ରୀର ସାମାଜିକ ପ୍ରତିଷ୍ଠା ଅନୁଯାୟୀ ଦାବିକୁ ବି ପୂରଣ ନକଲେ ନହୁଏ। ଏହାହିଁ କଥାବସ୍ତୁ ପାର୍ଥସାରଥୀ ରାୟଙ୍କ ନୂଆ ଓଡ଼ିଆ ସିନେମା ’ଆଉ ଏକ ଦିନ’ର।

କଳିଙ୍ଗ ଇକ୍ୱିଟି ବ୍ୟାନର ଦ୍ୱାରା ପ୍ରସ୍ତୁତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ସ୍ନେହାଶିଷ ଦାସ। ଅନ୍ୟ ଏକ ପ୍ରତିଭାଦୀପ୍ତ ଅଭିନେତ୍ରୀ ଗାର୍ଗୀ ମହାନ୍ତି ଏଥିରେ ପାର୍ଥଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି।

“ପ୍ରତ୍ୟେକ ଓଡ଼ିଆ ଭିତରେ ଜଣେ ଖାରବେଳ ଅଛି। ସେ ହାରିଯାଇଥିବା ମାନସିକ ସ୍ଥିତିରୁ ନିଜକୁ ପୁଣି ଥରେ ବାହାରକରି ଜୀବନ ଯୁଝିବାକୁ ପ୍ରସ୍ତୁତ ହୋ‌ଇଥାଏ। ମୋ’ର ଚରିତ୍ର ବି ଠିକ୍‌ ସେହିପରି। ହାରିଯାଇଥିବା ମାର୍ଗରୁ ନିଜକୁ ବାହାର କରି ଆଣି ପଳାୟନପନ୍ଥୀ ନହୋ‌ଇ ଏଥିରେ ମୁଁ ଲଢିବାର ରାସ୍ତା ଆପଣେଇ ନେଇଛି”, କହିଛନ୍ତି ପାର୍ଥ।

ଏହି ସିନେମାଟି କୌଣସି ସିନେମାର ଅନୁକରଣ ଅଥବା ଚିରାଚରିତ ସିନେମା ମଧ୍ୟ ନୁହେଁ। ଏହା ବର୍ତ୍ତମାନ ସ୍ଥିତିରେ ଥିବା ପ୍ରତ୍ୟେକ ମଣିଷର କାହାଣୀ। ଏହି ସିନେମା ଦେଖିଲା ପରେ ବର୍ତ୍ତମାନର ଓଡ଼ିଆ ସିନେମା ପ୍ରତି ଥିବା ଲୋକଙ୍କ ଧାରଣା ପରିବର୍ତ୍ତନ ହେବ ବୋଲି ପାର୍ଥ ବିଶ୍ୱାସ ରଖିଛନ୍ତି। ଏହି ସିନେମାରେ ପୁଷ୍ପା ପଣ୍ଡାଙ୍କ ବ୍ୟତୀତ ମନୋଜ ମିଶ୍ର, ସୁକାନ୍ତ ରଥ, ହର ରଥ ଓ ଥିନ ପଟ୍ଟନାୟକ ମଧ୍ୟ ନଜର ଆସିବେ।

“ଏହା ପ୍ରକୃତରେ ଏକ ଶିକ୍ଷଣୀୟ ସିନେମା। ସ୍ନେହାଶୀଷ ଜଣେ ଉଚ୍ଚକୋଟୀର ନିର୍ଦ୍ଦେଶକ। ଯଦିଓ ଏହା ତାଙ୍କର ପ୍ରଥମ ଫିଚର ଫିଲ୍ମ, ଏହି ସିନେମାରେ ସେ କେତେଗୁଡ଼ିଏ ସିନ୍‌କୁ ଅତି ନିଆରା ଢଙ୍ଗରେ ପ୍ରସ୍ତୁତ କରିବାର ପ୍ରୟାସ କରିଛନ୍ତି”, ଓଡ଼ିଶାଲାଇଭ୍‌ ସହ କଥା ହେବା ବେଳେ ପାର୍ଥ କହିଛନ୍ତି।

‘ନଈ ସେପାରି କନକ ଗୋରୀ’ ଓ ‘ଗଡ଼ବଡ଼’ ସିନେମାରୁ ପାର୍ଥ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟର କ୍ୟାରିଅର ଆରମ୍ଭ କରିଥିଲେ। ଏହି ସିନେମାରେ ପାର୍ଥଙ୍କ ଅଭିନୟ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଅଭିନୟ ଜଗତରେ ନିଜକୁ ପ୍ରତିଷ୍ଠା କରିବା ପାଇଁ ପାଠପଢା ସରିବା ପରେ ଦିଲ୍ଲୀସ୍ଥିତ ବ୍ୟାରି ଜନ୍‌ ଥିଏଟର ଗ୍ରୁପ୍‌ରେ ଯୋଗ ଦେଇଥିଲେ। ସେହି ସମୟରେ କିଛି କ୍ଷୁଦ୍ର ଚଳଚ୍ଚିତ୍ର ଓ ବିଜ୍ଞାପନରେ କାମ କରିବାର ସୁଯୋଗ ମଧ୍ୟ ପାଇଥିଲେ। ଅନେକ ସଂଘର୍ଷ ପରେ ଓଡ଼ିଆ ସିନେଜଗତରେ ନିଜକୁ ପ୍ରତିଷ୍ଠିତ କରାଇବାର ଆଶା ନେଇ ଫେରି ଆସିଥିଲେ ନିଜ ଜନ୍ମମାଟିକୁ।

ପାର୍ଥଙ୍କ ସିନେମା ‘ମନରେ ତୁ ହି ତୁ’ ରିଲିଜ୍‌ ଅପେକ୍ଷାରେ ରହିଥିବା ବେଳେ, ସୁଟିଂ ଚାଲୁଥିବା ‘ଆଉ ଏକ ଦିନ’ ସିନେମା ପାଇଁ ସେ ବହୁତ ଆଶାବାଦୀ।

Comment