ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନ ଢାଞ୍ଚାରେ ଓଡ଼ିଶାରେ ହେବାକୁ ଯାଉଛି ଟ୍ରାଭେଲ ବଜାର। ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ପ୍ରଚାର ଓ ପ୍ରସାର କରିବା ପାଇଁ ଏହି ବଜାର ଅନୁଷ୍ଠିତ ହେବ। ଏଥିରେ ଦେଶର ଓ ବିଦେଶର ଟୁର୍ ଅପରେଟରମାନେ ଭାଗ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ବିଭାଗୀୟ ଅଧିକାରୀ କହିଛନ୍ତି ଯେ ଅକ୍ଟୋବର ୧୨ ତାରିଖରୁ ତିନି ଦିନ ଏହା ଚାଲିବ ଓ ଏଥିରେ ପର୍ଯ୍ୟଟନ ସଂକ୍ରାନ୍ତରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସରକାରଙ୍କ ଆକଳନ ହେଉଛି ଏଥିରେ ନିହାତି ପକ୍ଷେ ୨୦୦ ପ୍ରତିନିଧି ଯୋଗଦେବେ। ପ୍ରଥମ ଥର ପାଇଁ ଓଡ଼ିଶାରେ ଏହିଭଳି ଏକ ବଜାର ଅନୁଷ୍ଠିତ ହେବାକୁ ଯାଉଛି ଓ ଦେଶର ବଡ଼ ବଡ଼ ହୋଟେଲ ମଧ୍ଯ ସେମାନଙ୍କ ପ୍ରତିନିଧି ପଠାଇବେ।

ଫିକି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହା ମିଳିତ ଭାବେ ଅନୁଷ୍ଠିତ ହେଉଥିବା ବେଳେ ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ କି କି ସୁବିଧା ସୁଯୋଗ ରହିଛି ତାହା ଟୁର୍ ଅପରେଟରମାନଙ୍କୁ ପ୍ରଦର୍ଶିତ କରାଯିବ। ଫିକି ପକ୍ଷରୁ କିଛି ଦିନ ତଳେ ରାଜସ୍ଥାନରେ ଗ୍ରେଟ ଇଣ୍ଡିଆ ଟ୍ରାଭେଲ ବଜାର ଆୟୋଜନ କରାଯାଇଥିଲା ଓ ଏହା ଖୁବ୍ ସଫଳ ହୋଇଥିଲା।

ପର୍ଯ୍ୟଟନ ବିଭାଗର ଉପ-ନିର୍ଦ୍ଦେଶକ ଉତ୍ପଳ ପତି କହିଛନ୍ତି ଯେ ଟ୍ରାଭେଲ ବଜାର ପାଇଁ ପ୍ରାୟ ଦେଢ଼ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। 

ପ୍ରକୃତରେ ଗତ ବର୍ଷ ଏହା ଆୟୋଜନ କରାଯାଇଥାନ୍ତା କିନ୍ତୁ ବିଭିନ୍ନ କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ଟୁର୍ ଅପରେଟରମାନଙ୍କ ସହ ବ୍ୟାପକ ଆଲୋଚନା କରି ବିଜନେସ-ଟୁ-ବିଜନେସ କାର୍ଯ୍ୟକ୍ରମ ଆରମ୍ଭ କରବା ସହିତ ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଓଡ଼ିଶା ଟୁର୍ ଅପରେଟର ସଂଘର ସମ୍ପାଦକ ଯୁଗବ୍ରତ କର କହନ୍ତି, “ଏହି ବଜାର ନିଶ୍ଚିତ ଭାବରେ ଆମକୁ ସାହାଯ୍ୟ କରିବ। ଯଦି ଫିକି ନାମୀଦାମୀ ଟୁର୍ ଅପରେଟର ଆଣୁଛନ୍ତି ଏହା ଆମ ପର୍ଯ୍ୟଟନକୁ ପରିଚିତ କରିବାରେ ସହଜ ହେବ। ଯଦି ଅଣ-ପ୍ରତିଷ୍ଠିତ ଟୁର୍ ଅପରେଟର୍ ଆସୁଛନ୍ତି ଏହା ବିଶେଷ ଫାଇଦା ଦେବ ନାହିଁ।”

ଭୁବନେଶ୍ୱରରେ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ୍ସ ଖେଳ ସଫଳତାର ସହିତ ଆୟୋଜନ ହେବା ପରେ ପର୍ଯ୍ୟଟନ ବିଭାଗ ଅଧିକ ଉତ୍ସ।ହିତ ହୋଇପଡ଼ିଛି ଆଉ ଏହି ସଫଳତାକୁ ଆଗେଇ ନେବା ପାଇଁ ଏହି ବଜାରର ଆୟୋଜନ କରାଯାଇଛି। ଓଡ଼ିଶାର ଯେଉଁସବୁ ପର୍ଯ୍ୟଟନସ୍ଥଳୀ ବିଶେଷ ଲୋକପ୍ରିୟ ହୋଇନାହିଁ ତାହାକୁ ପ୍ରଚାରିତ କରିବା ପାଇଁ ଏଥର ପଦକ୍ଷେପ ନିଆଯିବ।

୨୦୧୫ ତୁଳନାରେ ୨୦୧୬ରେ ବିଦେଶୀ ପର୍ଯ୍ୟଟକମାନେ ଅଧିକ ସଂଖ୍ୟାରେ ଆସିଥିଲେ। ଅଧିକାରୀଙ୍କ କହିବା ଅନୁଯାୟୀ ୨୦୧୫ରେ ବିଭିନ୍ନ ରାଜ୍ୟରୁ ୧,୧୭,୮୬,୧୧୭ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୬ରେ ଏହା ୧,୨୮,୪୨,୮୯୯କୁ ବୃଦ୍ଧି ପାଇଛି। ସେହିଭଳି ବିଦେଶୀ ପର୍ଯ୍ୟଟକ ମଧ୍ୟ ଅଧିକ ସଂଖ୍ୟାରେ ଆସିଛନ୍ତି। ଓଡ଼ିଶାକୁ ମୁଖ୍ୟତଃ ବ୍ରିଟେନ, ଆମେରିକା ଓ ଜର୍ମାନିରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି। ଏହି କ୍ରମରେ ପଛକୁ ରହିଛନ୍ତି ଫ୍ରାନ୍‌‍ସ ଓ ନେଦରଲାଣ୍ଡ।

Comment