ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାନ ଦୋକାନରୁ କାଷ୍ଟିଂକାଉଚ୍‍

କଥାରେ ଅଛି ମଣିଷ ଯେତେ ଜୋରରେ ଉଠେ ସେତେ ଜୋରରେ ପଡ଼େ। ଏହାର ଉଦାହରଣ ହେଉଛନ୍ତି ଓଲିଉଡର ଆଗଧାଡ଼ିର ହାସ୍ୟାଭିନେତା ତତ୍ତ୍ୱ ପ୍ରକାଶ ଶତପଥୀ ଓରଫ୍‍ ପପୁ ପମ୍‍ପମ୍‍।

ଲୁଡୁପାଲିର ସାପସିଡ଼ି ଖେଳ ଭଳି ପପୁଙ୍କ ଅବସ୍ଥା ଦେଖିବାକୁ ମିଳିଥିଲା ଗତ ୨୦୧୬ରେ। ସାପସିଡ଼ି ଖେଳରେ ଗୋଟି ସିଡ଼ି ଚଢ଼ି ଯେତେ ଉପରକୁ ଯାଏ ଆଉ ସାପ ମୁହଁରେ ପଡ଼ି ତଳକୁ ଖସି ଆସେ, ଠିକ୍‍ ସେମିତି ପପୁଙ୍କ କ୍ଷେତ୍ରରେ ଘଟିଛି। ୧୪ ବର୍ଷ ତଳେ ତଳସ୍ତରରୁ ଉଠି ବିଜୁ ଜନତା ଦଳର ନେତା ହୋଇଥିବା ପପୁ ଏବେ ପୁଣି ସେହି ତଳ ସ୍ତରକୁ ଖସି ଆସିଥିଲେ।

ସେ ତାଙ୍କ କ୍ୟାରିଅରରେ ସଙ୍ଗୀତ ନିର୍ଦ୍ଦେଶନା, କମେଡ଼ି ସୋ’, ସିନେମା କରିବା ପରେ ଚମ୍ପୁଆରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ି ବହୁ ଶୀର୍ଷ ସ୍ଥାନକୁ ଉଠିଥିଲେ। ହେଲେ  କାଷ୍ଟିଂକାଉଚ ଅଭିଯୋଗ ତାଙ୍କ ପାଇଁ କାଳ ସାବ୍ୟସ୍ତ ହୋଇଥିଲା। ତାଙ୍କ କ୍ୟାରିଅରରେ କଳାଦାଗ ଲଗାଇ ଦେଇଥିଲା ଏହି ଅଭିଯୋଗ। ଟେଲିଭିଜନ ପରଦାରେ ଦର୍ଶକଙ୍କୁ ହସାଇ ହସାଇ ବେଦମ୍‍ କରୁଥିବା କମେଡ଼ି କିଙ୍ଗ୍‍ ପପୁ ଟ୍ରାଜେଡ଼ି କିଙ୍ଗ୍‍ ହୋଇ ଯାଇଥିଲେ। ଏସବୁ ପରେ ପପୁ ଗିରଫ ହୋଇ ଜେଲ୍‍ ଯାଇଥିଲେ। ଜେଲରୁ ସର୍ତ୍ତମୂଳକ ଜାମିନରେ ଆସିବା ପରେ ବି ତାଙ୍କ ମୁଣ୍ଡରୁ ଖଣ୍ଡା ଖସିନି। ଏବେ ବି ତାଙ୍କ ମାମଲା ଅଦାଲତରେ ଗଡୁଛି। ଟ୍ରାଏଲ ପାଇଁ ଗତ ଏପ୍ରିଲ ୨୮ରେ କମିସନରେଟ୍‍ ପୋଲିସ ସ୍ପେସାଲ ପବ୍ଲିକ ପ୍ରୋସକ୍ୟୁଟର ନିଯୁକ୍ତି କରିଛନ୍ତି।

ମୟୁରଭଞ୍ଜ ଜିଲ୍ଲା କପ୍ତିପଦାର ଅଖ୍ୟାତ ପଲ୍ଲୀ ବଡ଼ସାହିପୁର ଗାଁରେ ପପୁଙ୍କ ଜନ୍ମ। ଉଦଳା କଲେଜରୁ ବିଏସି ପାସ କରିବା ପରେ ପପୁ ପ୍ରଥମେ ତାଙ୍କ ଗାଁରେ ଏକ ପାନ ଦୋକାନ ଖୋଲିଥିଲେ। ଦୋକାନରେ ବସି ପପୁ ପାନ ଭାଙ୍ଗିବା ସହ ସାଙ୍ଗସାଥୀଙ୍କ ସହ ଥଟ୍ଟା ମଜା କରୁଥିଲେ। ମଜାଳିଆ କଥାରେ ପପୁ ତାଙ୍କ ସାଙ୍ଗସାଥୀଙ୍କ ମନ ଜିଣୁଥିଲେ।

ପରେ ପପୁ ଗାଁ ଗହଳିରେ ହେଉଥିବା ଡ୍ରାମାରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କଲେ। ଥିଏଟର ଓ ଡ୍ରାମାରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ପପୁ ପାନ ଦୋକାନ ବି ଚଳାଇଥିଲେ। ଥିଏଟର ଓ ଡ୍ରାମାରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଭଲ ନାଁ କମାଇବା ପରେ ୨୦୦୭ରେ ପପୁ ଏକ ଘରୋଇ ଏଫଏମ୍‍ ରେଡିଓରେ ଜକି ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେତେବେଳେ ଏହି ଏଫ୍‍ଏମ୍‍ ରେଡିଓ ଓଡ଼ିଶାରେ ନୂଆ ନୂଆ ଶୁଭାରମ୍ଭ ହୋଇଥିବାରୁ ପପୁ ତାଙ୍କ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସ୍ୱତନ୍ତ୍ର କରିଚୟ ହାସଲ କରିଥିଲେ।

ଏହି ରେଡ଼ିଓ କାର୍ଯ୍ୟକ୍ରମରୁ ହିଁ ସେ ପପୁ ପମ୍‍ପମ୍‍ ନାମରେ ପରିଚିତ ହେଲେ। ପପୁ ପମ୍‍ପମ୍‍ ନାମରେ ସେ ଘରେ ଘରେ ପରିଚିତ ହେବା ପରେ ୨୦୦୯ରେ ସେ ଏକ ଘରୋଇ ଟିଭି ଚ୍ୟାନେଲରେ ଯୋଗ ଦେଇଥିଲେ। ଏହି ଟିଭି ଚ୍ୟାନେଲରେ ସେ ପ୍ରଥମେ ଦୁଇଟି ସୋରେ ଦେଖିବାକୁ ମିଳିଲେ। ଏକ୍ସକ୍ୟୁଜ୍‍ ମି, ଫାଲତୁ କଥା, ପପୁ ବିୟୁଟି ପାର୍ଲର, ଗାଁ ଆଖଡା ମାଧ୍ୟମରେ ପପୁ ସଫଳତା ସାଉଁଟିଥିଲେ।

ଏହାପରେ ପପୁ ଏକ ଗ୍ରୁପ୍‍ ଗଠନ କରି ଷ୍ଟେଜ ସୋ ଆରମ୍ଭ କରିଥିଲେ। ଷ୍ଟେଜ ସୋ ମାଧ୍ୟମରେ ପପୁ ଲୋକପ୍ରିୟତା ହାସଲ କରିବା ପରେ ୨୦୧୦ରେ ସିନେମା ଜଗତରେ ପ୍ରବେଶ କରିଥିଲେ। ‘ତୁ ମୋ ଆଖିର ତାରା’ ଓ ‘ପ୍ରଥମ ପ୍ରେମ’ ଚଳଚ୍ଚିତ୍ରରେ ପପୁଙ୍କୁ ଏକ ଛୋଟମୋଟ ଚରିତ୍ରରେ ଦେଖିବାକୁ ମିଳିଥିଲା। ନିଜର ଅଭିନୟ ଦକ୍ଷତା ଓ ବାକଚାତୁରୀ ପାଇଁ ସେ ଏତେ ଲୋକପ୍ରିୟ ହୋଇଯାଇଥିଲେ ଯେ, ତାଙ୍କୁ ଫିଲ୍ମର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଲା।

କିଛି ବିଲ୍‍ଡର ଓ ଚିଟ୍‍ଫଣ୍ଡ ମାଫିଆଙ୍କ ସହ ମିଶି ପପୁ ଏତେ ଘନିଷ୍ଠ ହୋଇଗଲେ ଯେ, ତାଙ୍କୁ ମତାଇ ଫିଲ୍ମ ତିଆରି କଲେ। ଚିଟ୍‍ଫଣ୍ଡ କମ୍ପାନୀର କଳାଟଙ୍କା ଫିଲ୍ମରେ ପପୁ ମାଲାମାଲ ହୋଇଗଲେ। ପପୁଙ୍କ ଲୋକପ୍ରିୟତା ବଢ଼ିବାରୁ ସେ ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ଭାବେ ଯୋଗଦେଲେ। ବିଭିନ୍ନ ନିର୍ବାଚନରେ ସେ ମଧ୍ୟ ପ୍ରାର୍ଥୀଙ୍କ ପାଇଁ ବୁଲିବୁଲି ପ୍ରଚାର କଲେ। ଏହାର ସୁଯୋଗରେ ସେ ଚମ୍ପୁଆ ନିର୍ବାଚନମଣ୍ଡଳୀରୁ ବିଧାୟକ ଟିକେଟ ହାତେଇ ନେଇଥିଲେ। 

ନିର୍ବାଚନରେ ପପୁ ପରାଜିତ ହୋଇଥିଲେ ବି ବିଜେଡି ତାଙ୍କୁ ଦୂରେଇ ଦେଇ ନଥିଲା। ସେ ଉଭୟ ରାଜନୀତି ଓ ଅଭିନୟ ଦୁନିଆରେ ପାଦ ରଖି ବାଟ ଚାଲୁଥିଲେ। ହେଲେ ଓସ୍କାର ଚିଟଫଣ୍ଡ ଏମ୍‍ଡି ପ୍ରଭାସ ରାଉତ ଗିରଫ ହେବା ପରେ ପପୁଙ୍କ ଗୁମର ଖୋଲିଥିଲା। ପପୁ ଓସ୍କାର ଚିଟଫଣ୍ଡର ପ୍ରଚାର ପ୍ରସାର କରିବା ଦିଗରେ ମୁଖ୍ୟ କାର୍ପଟଦାର ସାଜିଥିଲେ ବୋଲି ପ୍ରମାଣ ପଦାକୁ ଆସିଲା। ଆଉ ଏତିକି ବେଳେ ପପୁଙ୍କ ନାଁରେ ଆସିଲା ନାବାଳିକା ଯୌନ ନିର୍ଯାତନା ଅଭିଯୋଗ। ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସୁଥିବା ନବାଗତା କଳାକାରଙ୍କୁ ସୁଯୋଗ ଦେବା ନାଁରେ ପପୁ ତାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆସିବା ପରେ ଏବେ ସେ କାଠଗଡ଼ାରେ ଛିଡ଼ା ହୋଇଛନ୍ତି। ‘ଏକ୍ସକ୍ୟୁଜ ମି: ଯାହା କହିବି ସତ କହିବି’ କାର୍ଯ୍ୟକ୍ରମରେ ପପୁ ମିଛିମିଛିକା କାଠଗଡ଼ାରେ ବସି ଅଭିନୟ କରୁଥିବା ବେଳେ ଏବେ ସେ କାଷ୍ଟିଂକାଉଚ ଅଭିଯୋଗରେ ସତସତିକା କାଠଗଡାରେ ଛିଡ଼ା ହୋଇଛନ୍ତି।

ଜନୈକା ନାବାଳିକା ଅଭିନେତ୍ରୀଙ୍କୁ ସିରିଅଲରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ପପୁ ତାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ୨୦୧୬ ଜୁନ୍‍ ୨୫ ତାରିଖରେ ଫ୍ରେଣ୍ଡସ ଟ୍ରଷ୍ଟ ଫାଉଣ୍ଡେସନ ପକ୍ଷରୁ ମହିଳା ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ଏହି ଏତଲାକୁ ଗ୍ରହଣ କରିଥିଲା। ହେଲେ ମାମଲା ରୁଜ୍ଜୁ କରି ନଥିଲା। ୨୭ ତାରିଖରେ ସିଡବ୍ଲ୍ୟୁସି ହସ୍ତକ୍ଷେପ କରିବା ପରେ ଯାଇ ପପୁଙ୍କ ବରୋଧରେ ମହିଳା ଥାନାରେ ମାମଲା ରୁଜ୍ଜୁ ହୋଇଥିଲା। ଜୁନ୍‍ ୩୦ରେ ପପୁ ପୁରୀରୁ ଗିରଫ ହୋଇଥିଲେ। ଏବେ ଟ୍ରାଏଲ ଆରମ୍ଭ ହୋଇଥିବାରୁ ପୁଣି ପପୁଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଛି।

(ପ୍ରସ୍ତୁତି: ସରୋଜ)

Comment