ଓଡ଼ିଶାଲାଇଭ୍ ବ୍ୟୁରୋ

ପପୁଙ୍କ ନାଁରେ ମାନହାନି ମକଦ୍ଦମା କରିବାକୁ ଧମକ ଦେଲେ ଦୂତି ଚାନ୍ଦ।

ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟର ଏବେ ବିବାଦ ବଢ଼ାଇଛି। ଅଭିନେତା ପପୁ ପମ୍‌ ପମ୍‌ ଏବଂ ଦୌଡ଼ ରାଣୀ ଦୂତି ଚାନ୍ଦ ମୁହାଁମୁହିଁ ହୋଇଛନ୍ତି। ପପୁ ଦୂତିଙ୍କ ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରିଥିବା ବେଳେ ଦୂତି ପପୁଙ୍କ ନାଁରେ ମାନହାନି ମକଦ୍ଦମା କରିବାକୁ ସୋସିଆଲ ମିଡିଆରେ ଧମକ ଦେଇଛନ୍ତି।

ସିଦ୍ଧାର୍ଥ ମ୍ୟୁଜିକ ବ୍ୟାନରରେ ନିର୍ମିତ ହେଉଛି ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’। ନିକଟରେ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା। ଏହି ପୋଷ୍ଟର ଏବେ ବିବାଦ ବଢ଼ାଇଛି।

ପୋଷ୍ଟରରେ ପପୁ ମହିଳାମାନଙ୍କୁ ଅସମ୍ମାନିତ କରିଥିବା ଅଭିଯୋଗ ହୋଇଛି। ୭ ମହିଳାଙ୍କ ବେକରେ ରଶି ଲାଗିଛି ଏବଂ ସେହି ରଶିକୁ ପପୁ ହାତରେ ଧରିଥିବା ପୋଷ୍ଟରରେ ପ୍ରଦର୍ଶିତ ହୋଇଛି।

ଏହାକୁ ପ୍ରଥମେ କ୍ରୀଡାବିତ୍‌ ଦୂତି ଚାନ୍ଦ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ନାରୀମାନଙ୍କୁ ଅସମ୍ମାନିତ କରାଯାଇଥିବା ଅଭିଯୋଗ କରିଥିଲେ। ଏହି ପୋଷ୍ଟର ହଟାଇବାକୁ ସେ ଦାବି କରିଥିଲେ।

ଏହାପରେ ପ୍ରଯୋଜନା ସଂସ୍ଥା ଏବଂ ଅଭିନେତା ପପୁଙ୍କ ନାଁରେ ମହିଳା ଥାନାରେ ଅଭିଯୋଗ କରିଥିଲେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି।

ଏହି ବିବାଦକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ପପୁଙ୍କ ବୟାନ ଘଟଣାକୁ ଏବେ ଭିନ୍ନ ମୋଡ଼ ଦେଇଛି। ପପୁ ଦୂତିଙ୍କ ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରିଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଘୂରି ବୁଲିବା ପରେ ଦୂତି ପପୁଙ୍କୁ ଜବାବ ଦେଇଛନ୍ତି।

‘‘ମତେ ବହୁତ ଖରାପ ଲାଗୁଛି। ମୁଁ କେବେ ବି ପପୁ ଭାଇଙ୍କର ବ୍ୟକ୍ତିଗତ କଥାରେ ମୁଣ୍ଡ ପୂରାଇ ନାହିଁ। ସେ ଏମିତି ମତେ କାହିଁକି ଖରାପ କହିଲେ? ପପୁ ଭାଇ ମୋ’ ପରିବାର ବିଷୟରେ ଆପଣ କ’ଣ ଜାଣନ୍ତି?’’ ସୋସିଆଲ ମିଡିଆରେ ଏମିତି ପ୍ରଶ୍ନ କରିଛନ୍ତି ଦୂତି।

‘‘ମୁଁ ଆଇନର ସହାୟତା ନେବି। ମତେ ସମସ୍ତଙ୍କ ଆଗରେ ଅପମାନିତ କରାଯାଇଛ। ମୁଁ ପପୁଙ୍କ ନାଁରେ ମାନହାନି ମକଦ୍ଦମା କରିବି। ମୋର ପୋଲିସ ପ୍ରଶାସନ ଉପରେ ଭରସା ଅଛି। ମତେ ନିଶ୍ଚିତ ନ୍ୟାୟ ମିଳିବ’’, କହିଛନ୍ତି ଦୂତି ଚାନ୍ଦ।

LEAVE A REPLY

Please enter your comment!
Please enter your name here