ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ହସ୍ତତନ୍ତ୍ର ତଥା ବୁଣାଳିଙ୍କୁ ଲୋକଲୋଚନକୁ ଆଣିବା ତଥା ସେମାନଙ୍କ କଳାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠା କରିବାର ଆଭିମୁଖ୍ୟ ନେଇ, ରଶ୍ମି ମହାପାତ୍ର ଓ ପ୍ରୀତମ ପଣ୍ଡା ଆରମ୍ଭ କରିଥିବା ଭୁବନେଶ୍ୱରସ୍ଥିତ ଫ୍ୟାସନ ଷ୍ଟୋର ‘ରାସ’ ଓଡ଼ିଶା ପାଇଁ ଆଣିଦେଇଛି ଅନେକ ଗୌରବ।

ଅନ୍ତର୍ଜାତୀୟ ଫ୍ୟାସନ ଡିଜାଇନର ପ୍ରୀତମ ପଣ୍ଡାଙ୍କ ଡିଜାଇନ ଆମେରିକା, ଦୁବାଇ, ୟୁକେ, ପ୍ୟାରିସ୍ ପରି ସ୍ଥାନରେ ଲୋକଙ୍କ ଦ୍ୱାରା ବେଶ୍ ଆଦୃତ ଲାଭ କରିଛି। ‘ରାସ’ର ପ୍ରଥମ ଷ୍ଟୋର ଭୁବନେଶ୍ୱରଠାରେ ୨୦୧୪ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ସମ୍ବଲପୁରୀ, ବୋମକାଇ ଓ ଇକତ୍‍ ବୟନକୁ ନେଇ ସମସାମୟିକ ଡିଜାଇନ ପ୍ରସ୍ତୁତ କରି ପୋଷାକଙ୍କୁ ସାଂସ୍କୃତିକ ପରିଚୟ ଦେବାର ନିଆରା ଷ୍ଟାଇଲ ଯୋଗୁ ଏହା ଅନେକ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି। ଆସନ୍ତା ଜୁଲାଇ ମାସ ୨୩ ତାରିଖରେ ଇଂଲଣ୍ଡଠାରେ ହେବାକୁ ଥିବା ସମ୍ମାନଜନକ ଫ୍ୟାସନ ମେଳା ପିଓର ଲଣ୍ଡନରେ ‘ରାସ’ର ସୃଜନସମ୍ପନ୍ନ ପୋଷାକ ପ୍ରଦର୍ଶିତ ହେବ। ଏହି ପରିପ୍ରେକ୍ଷୀରେ ଦୁବାଇସ୍ଥିତ ଓଡ଼ିଆ ଡିଜାଇନର୍‍ ପ୍ରୀତମ ପଣ୍ଡାଙ୍କ ସହ ଓଡ଼ିଶାଲାଇଭର ବାର୍ତ୍ତାଳାପ –

ଓଡ଼ିଶାଲାଇଭ୍‌: ଏପରି ଏକ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଫ୍ୟାସନ ମେଳାରେ ‘ରାସ’ର ପୋଷାକ ପ୍ରଦର୍ଶନ କରିବାର ସୁଯୋଗ କିପରି ମିଳିଲା?

ପ୍ରୀତମ: ‍‘ପିଓର ଲଣ୍ଡନ’ ଫ୍ୟାସନ ମେଳାରେ ବିଶ୍ୱର ପ୍ରତିଟି ଦେଶରୁ ପ୍ରତିଷ୍ଠିତ ଡିଜାଇନରମାନେ ତାଙ୍କର ନୂଆ ନୂଆ ଡିଜାଇନର ପୋଷାକ ପ୍ରଦର୍ଶନ କରନ୍ତି। ଗତ ଜାନୁଆରୀ ମାସରେ ପ୍ୟାରିସଠାରେ ହୋଇଥିବା ଫ୍ୟାସନ ମେଳାରେ ଆମର ଡିଜାଇନ ଦେଖି ସେମାନେ ଆମକୁ ଏହି ସମର ସ୍ପ୍ରିଙ୍ଗ ୨୦୧୮ ପାଇଁ ନିମନ୍ତ୍ରଣ କରିଥିଲେ।

ଓଡ଼ିଶାଲାଇଭ୍‌: ଲଣ୍ଡନଠାରେ ହେବାକୁ ଥିବା ଏହି ଫ୍ୟାସନ ମେଳାରେ କେଉଁ ପ୍ରକାରର ଡିଜାଇନ ପ୍ରଦର୍ଶନ କରିବେ?

ପ୍ରୀତମ: ‘ରାସ’ର ପ୍ରଥମ ଆଭିମୁଖ୍ୟ ହେଉଛି ବିଶ୍ୱ ଦରବାରରେ ଓଡ଼ିଶାର ହସ୍ତତନ୍ତ୍ରକୁ ପ୍ରତିଷ୍ଠିତ କରାଇବା। ଆମ ଡିଜାଇନ ଭାରତୀୟ ସଂସ୍କୃତିସମ୍ପନ୍ନ ହେବ। ହେଲେ ଅନ୍ତର୍ଜାତୀୟ ଗ୍ରାହକଙ୍କୁ  ଆଖି ଆଗରେ ରଖି ସେମାନଙ୍କ ପସନ୍ଦ ଅନୁଯାୟୀ ପ୍ରଚ୍ଛଦ ତିଆରି ହେବ। ଇକତ୍‌ ବୟନକୁ ନେଇ କାପ୍ତାନ, କୁକୁନ ଜ୍ୟାକେଟ, ବୋଲୋ ଲ୍ୟୁକ୍ସ ଲାଇନ୍‍ ଆଦି ପ୍ରଦର୍ଶିତ କରିବାର ଯୋଜନା ରହିଛି।

ଓଡ଼ିଶାଲାଇଭ୍‌: ‘ରାସ’ର ଆଭିମୁଖ୍ୟ କ’ଣ? ଓଡ଼ିଶାର ବୁଣାକାରମାନଙ୍କ ପାଇଁ ଏହାର ପ୍ରାଧାନ୍ୟ କ’ଣ?

ପ୍ରୀତମ: ନୂଆପାଟଣା, ସମ୍ବଲପୁର, ବରଗଡ଼ ଓ ସୋନପୁରର ବୁଣାକାରମାନଙ୍କୁ ନୂଆ ଡିଜାଇନର ବୟନ ପାଇଁ ପ୍ରବର୍ତ୍ତାଇ ତାଙ୍କ ଡିଜାଇନକୁ ସାମ୍ପ୍ରତିକ ପିଢ଼ି ପାଇଁ ନୂଆ କରି ପ୍ରସ୍ତୁତ କରିବା ରଶ୍ମି ମହାପାତ୍ରଙ୍କର ଆଭିମୁଖ୍ୟ ଥିଲା। ଏଥିପାଇଁ ବୁଣାକାରମାନଙ୍କ ପାଖକୁ ଯାଇ ଆମେ ବିଭିନ୍ନ ରଙ୍ଗ ତଥା ଡିଜାଇନର ବୟନ ପାଇଁ ଆଲୋଚନା କରିଥାଉ। ଆମ ଆବଶ୍ୟକତା ଅନୁଯାୟୀ ରଙ୍ଗ ଓ ଡିଜାଇନରକପଡ଼ା ପ୍ରସ୍ତୁତ କରିବା ପରେ ଆମେ ତାକୁ ଆଣି ସାମ୍ପ୍ରତିକ ପ୍ରୟୋଜନ ଅନୁଯାୟୀ ପୋଷାକ ତିଆରି କରିବୁ। ଏହା ଓଡ଼ିଶାର ବୁଣାକାରମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଆସନ୍ତା ଜୁଲାଇ ୨୩ ତାରିଖରେ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ଫ୍ୟାସନ ମେଳାରେ ସ୍ଥାନ ପାଇ ସେମାନଙ୍କ ପ୍ରତିଷ୍ଠା ଆହୁରି ଦ୍ୱିଗୁଣିତ ହୋଇଛି। ‘ଗ୍ରୀଷ୍ମ ବେଶ’ ନାଁରେ ଆମର ଡିଜାଇନ୍ ସେଠାରେ ପ୍ରଦର୍ଶିତ ହେବ।

Comment