ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶାରୀରିକ ଅକ୍ଷମତାକୁ ମାନସିକ ଦୃଢ଼ତା ଆଗରେ ହାର ମାନିବାକୁ ହୋଇଥାଏ। ମଣିଷ ନିଜର ଦୃଢ଼ ମନୋବଳ ଓ ପ୍ରଗାଢ଼ ଇଚ୍ଛାଶକ୍ତି ବଳରେ ଅସମ୍ଭବକୁ ସମ୍ଭବ କରିପାରେ। ତାହା ପ୍ରକୃତ ଜୀବନରେ ପ୍ରମାଣ କରିଛନ୍ତି ହ୍ୱିଲ୍ ଚେୟାରର ସାହାଯ୍ୟରେ ଚଳପ୍ରଚଳ ହେଉଥିବା ଅଭିନେତା ଜିତେନ୍ଦ୍ର କୁମାର ବିଶ୍ୱାଳ।

ଶାରୀରିକ ଅକ୍ଷମତା ସତ୍ତ୍ୱେ ମନର ଭାବପ୍ରବଣତା ଓ କାମନା ଉଜ୍ଜୀବିତ ରହେ, ଏହାକୁ ସେ ଦର୍ଶକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ‘ଦ ଡିଜାୟାର ଆଣ୍ଡ ଟୁ ଡ୍ରିମ୍‌ସ’ ମାଧ୍ୟମରେ ଏହି ବହୁଚର୍ଚ୍ଚିତ ସିନେମାର ସଫଳତାର ଶ୍ରେୟ ଜିତେନ୍ଦ୍ରଙ୍କୁ ଯାଇଥିଲା। ଏହି ସିନେମାରେ ତାଙ୍କ ବିପକ୍ଷରେ ମଡେଲ ତଥା ଅଭିନେତ୍ରୀ ସ୍ୱପ୍ନା ପତି ଅଭିନୟ କରିଥିଲେ।

ଆସନ୍ତା ମାସରେ ରିଲିଜ୍ ହେବ ତାଙ୍କର ଆଉ ଏକ ଓଡ଼ିଆ ଥ୍ରିଲର ମ୍ୟୁଜିକ୍ ଭିଡିଓ ‘ୱଜୁଦ’। ଏହି ଭିଡିଓର ପ୍ରଯୋଜନା କରିଛନ୍ତି ସ୍ଥିତ ପଟ୍ଟନାୟକ ଓ ଏଥିରେ କଣ୍ଠଦାନ କରିଛନ୍ତି ସତ୍ୟଜିତ। ସାତ ମିନିଟର ଏହି ମ୍ୟୁଜିକ୍ ଭିଡିଓରେ ଜିତେନ୍ଦ୍ରଙ୍କ ବିପକ୍ଷରେ ସୁନୀତା ଗାରାବାଡୁ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଜଣାଶୁଣା ଫଟୋଗ୍ରାଫର ଅଜହର ଅଲ୍ଲୀ। ଏହା ଏକ ପ୍ରେମ କାହାଣୀ ଉପରେ ପର୍ଯ୍ୟବେସିତ।

“ପ୍ରେମ, ପ୍ରତାରଣା ଓ ପ୍ରତିଶୋଧର ଏହି କାହାଣୀକୁ ଲୋକମାନେ ପସନ୍ଦ କରିବେ ବୋଲି ମୋର ଆଶା”, ଓଡ଼ିଶାଲାଇଭ୍ ସହ କଥା ହେବା ବେଳେ ଜିତେନ୍ଦ୍ର ଏହା କହିଛନ୍ତି।

ପ୍ରକୃତ ଜୀବନରେ ସମ୍ପୂର୍ଣ୍ଣ ରୂପେ ହ୍ୱିଲ୍ ଚେୟାରରେ ଜୀବନ କାଟୁଥିବା ଜିତେନ୍ଦ୍ର ସାଜିଛନ୍ତି ଅନ୍ୟାନ୍ୟ ଭିନ୍ନକ୍ଷମ ତଥା ସାଧାରଣ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ। ଜୀବନରେ ଆସୁଥିବା ଛୋଟ ଛୋଟ ଘଟଣା-ଦୁର୍ଘଟଣାକୁ ନେଇ ସାଧାରଣତଃ ଆମେ ବ୍ୟସ୍ତ ବିବ୍ରତ ହୋଇପଡ଼ୁଥିବା ବେଳେ ଜିତେନ୍ଦ୍ରଙ୍କ ଇଛାଶକ୍ତି ସମ୍ମୁଖରେ ସମସ୍ତ ବାଧାବିଘ୍ନ ଛୋଟ ପ୍ରାମଣିତ ହୋଇଛି। ‘ୱଜୁଦ୍’ ମ୍ୟୁଜିକ୍ ଭିଡିଓରେ ଲିଡ୍ ରୋଲ୍‌ରେ ଅଭିନୟ କରି ସେ ସାଜିଛନ୍ତି ସମସ୍ତଙ୍କ ପାଇଁ ପ୍ରେରଣା।

“ମୋର ଆଭିମୁଖ୍ୟ ହେଉଛି ସମାଜରେ ଥିବା ଭିନ୍ନକ୍ଷମଙ୍କ ମନୋବଳ ବଢ଼ାଇବା। ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଭିନ୍ନକ୍ଷମତା ପାଇଁ ମନଦୁଃଖ ନ କରି ବରଂ ଯାହା କରିବା ସମ୍ଭବ ସେଥିପ୍ରତି ପ୍ରଗାଢ଼ ନିଷ୍ଠା ରଖିବା ଆବଶ୍ୟକ”, କହିଛନ୍ତି ଜିତେନ୍ଦ୍ର।

ଏହି ମ୍ୟୁଜିକ୍ ଭିଡିଓଟି ସମ୍ପୂର୍ଣ୍ଣ ରୂପେ ଭିନ୍ନ ପ୍ରକାରର ହୋଇଥିବାରୁ ଦର୍ଶକ ଏହାକୁ ପସନ୍ଦ କରିବେ ବୋଲି ଜିତେନ୍ଦ୍ରଙ୍କ ଆଶା। ଆମର ମ୍ୟୁଜିକ୍ ଏହି ଭିଡିଓକୁ ଡିଜିଟାଲ୍ ପୃଷ୍ଠଭୂମିରେ ରିଲିଜ୍ କରିବାର ଯୋଜନା ରହିଛି।

“ମୋତେ ଏପରି ଏକ ଆହ୍ୱାନମୂଳକ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଥିବାରୁ ମୁଁ ବେଶ୍ ଆନନ୍ଦିତ,” କହିଛନ୍ତି ଜିତେନ୍ଦ୍ର।

LEAVE A REPLY

Please enter your comment!
Please enter your name here