ଶ୍ୟାମଲ କିଶୋର

ପାକିସ୍ତାନ ରାଜନୀତି ଏବେ ଗଭୀର ସଙ୍କଟରେ। ଆଜି ସେ ଦେଶର ସୁପ୍ରିମକୋର୍ଟର ଏକ ନିଷ୍ପତ୍ତି ବଳରେ ନିଜର ପଦ ହରାଇଛନ୍ତି ପ୍ରଧାନମନ୍ତ୍ରୀ ନୱାଜ ସରିଫ। ବହୁଚର୍ଚ୍ଚିତ ପାନାମା ଦୁର୍ନୀତି ମାମଲାରେ ପ୍ରଧାନମନ୍ତ୍ରୀ ସରିଫ, ତାଙ୍କ ଦୁଇ ପୁଅ ହାସାନ ଓ ହୁସେନ ଏବଂ ଝିଅ ମାରିୟମ ଦୋଷୀ ପ୍ରମାଣିତ ହେବା ପରେ ସୁପ୍ରିମକୋର୍ଟ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ପାଇଁ ଏବଂ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଛନ୍ଦି ହୋଇ ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ ଦାର ମଧ୍ୟ ତାଙ୍କ ପଦରୁ ବରଖାସ୍ତ ହୋଇଛନ୍ତି ।

“ସେ ପବିତ୍ର ପାର୍ଲାମେଣ୍ଟରେ ଜଣେ ସତ୍ୟନିଷ୍ଠ ସଦସ୍ୟ ଭାବରେ କାମ କରିବା ପାଇଁ ଆଉ ଯୋଗ୍ୟ ନୁହନ୍ତି। ତେଣୁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ତୁରନ୍ତ ଛାଡ଼ିବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଉଛି”, ବିଚାରପତି ଏଜାଜ୍ ଆଫଜଲ୍ ଖାନ୍ ରାୟ ପ୍ରଦାନ ସମୟରେ ଏହି କଥା ଉଲ୍ଲେଖ କରିବାମାତ୍ରେ ସେ ଦେଶର ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ସରିଫ ହେଉଛନ୍ତି ପାକିସ୍ତାନର ପ୍ରଥମ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଯେ କୌଣସି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟର ନିଷ୍ପତ୍ତି ବଳରେ ପଦ ଛାଡ଼ିବାକୁ ବାଧ୍ୟ ହେଲେ।

ରାଜନୈତିକ ଦୃଷ୍ଟିକୋଣରୁ ବିଚାର କଲେ, ଏହି ଘଟଣା ପାକିସ୍ତାନ ରାଜନୀତିକୁ ଦୋହଲାଇ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପାକିସ୍ତାନ ରାଜନୀତିରେ ତିନିଟି କ୍ଷମତାକେନ୍ଦ୍ର – ନିର୍ବାଚିତ ସରକାର, ସେନାବାହିନୀ ଓ ଆଇଏସ୍ଆଇ। ୨୦୧୩ରେ ସରିଫଙ୍କ ଦଳ ପାକିସ୍ତାନ ମୁସଲିମ୍‌ ଲିଗ୍‌ (ଏନ୍) ବିପୁଳ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଆସିବା ପରେ ନୱାଜ ଏକ ଜନପ୍ରିୟ ଏବଂ ଶକ୍ତିଶାଳି ପ୍ରଧାନମନ୍ତ୍ରୀ ଭାବେ ନିଜକୁ ପ୍ରତିଷ୍ଠା କରିପାରିଥିଲେ। କିନ୍ତୁ ୨୦୧୬ରେ ସାମନାକୁ ଆସିଥିବା ଏକ ଦୁର୍ନୀତି ଘଟଣା ତାଙ୍କୁ ଏବଂ ତାଙ୍କ ସରକାରକୁ ଅଡ଼ୁଆରେ ପକାଇ ଦେଇଥିଲା। ଏହି ଦୁର୍ନୀତି ‘ପାନାମା ଗେଟ୍’ ନାମରେ ପରିଚିତ ।

ଭାରତ ପାଇଁ ଏହି ଘଟଣା ମନ୍ଦ ସାବ୍ୟସ୍ତ ହୋଇପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି। କାରଣ ଏବେ କ୍ଷମତାସୀନ ଦଳ ପକ୍ଷରୁ ଯିଏ ବି ପ୍ରଧାନମନ୍ତ୍ରୀ ନିର୍ବାଚିତ ହୁଅନ୍ତୁ ନା କାହିଁକି, ସେ କଦାପି ନୱାଜ ସରିଫଙ୍କ ଭଳି ଜଣେ ଟାଣୁଆ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ଏହା ସେ ଦେଶର ଗଣତନ୍ତ୍ର ପାଇଁ ମଧ୍ୟ ଆଦୌ ଭଲ ଲକ୍ଷଣ ନୁହେଁ। ଫଳରେ ପାକିସ୍ତାନ ରାଜନୀତିର ଆଉ ଦୁଇ କ୍ଷମତାକେନ୍ଦ୍ର – ସେନାବାହିନୀ ଓ ଆଇଏସ୍ଆଇ ସେ ଦେଶର ନିର୍ବାଚିତ ସରକାରଙ୍କୁ ସବୁବେଳେ ଚାପରେ ରଖିବାକୁ ଚେଷ୍ଟା ଜାରି ରଖିବ। ଏହି ଦୁଇ ପକ୍ଷ ସବୁ ଅବସ୍ଥାରେ ହିଁ ଭାରତ ବିରୋଧୀ।

ପାନାମା ଗେଟ୍ ଦୁର୍ନୀତି: ୨୦୧୬ରେ ମଧ୍ୟ ଆମେରିକାର ଏକ ଦେଶ ପାନାମାସ୍ଥିତ ମୋସାକ୍ ଫୋନ୍‌ସେକା ନାମକ ଏକ ଲ’ ଫାର୍ମରୁ ଲିକ୍ ହୋଇଥିବା ତଥ୍ୟ ଅନୁସାରେ, ନୱାଜ ସରିଫ ଏବଂ ତାଙ୍କ ପାରିବାରର ସଦସ୍ୟମାନେ ଲଣ୍ଡନ ଏବଂ ପୃଥିବୀର ଅନ୍ୟାନ୍ୟ ବହୁ ଦେଶରେ କୋଟି କୋଟି ଡଲାରର ବେନାମୀ ସମ୍ପତିରେ ବିନିଯୋଗ କରିଛନ୍ତି। ବିଶେଷକରି ସରିଫ, ତାଙ୍କ ଦୁଇ ପୁଅ ହାସାନ ଓ ହୁସେନ ଏବଂ ଝିଅ ମାରିୟମ ଲଣ୍ଡନ ଏବଂ ବ୍ରିଟିଶ ଭାର୍ଜିନ୍ ଦ୍ୱୀପରେ ଅନେକ ବେନାମୀ ସମ୍ପତ୍ତି ଭୋଗ କରୁଛନ୍ତି।

ଏହି କଥା ପଦାକୁ ଆସିଲା ପରେ ପାକିସ୍ତାନରେ ସରିଫଙ୍କ ବିରୋଧରେ ଜନ-ଅସନ୍ତୋଷ ଗଭୀର ରୂପ ନେଇଥିଲା। ବିରୋଧୀ ଦଳମାନେ ପ୍ରଧାନମନ୍ତ୍ରୀଙ୍କ ତୁରନ୍ତ ପଦତ୍ୟାଗ ଦାବି କରି ଏହି ଘଟଣାର ନିଷ୍ପକ୍ଷ ବିଚାର ଦାବି କରି ଆସୁଥିଲେ। କିନ୍ତୁ ସରିଫଙ୍କ ଦଳ ପିଏମ୍‌ଏଲ୍‌ (ଏନ୍) ଏହାକୁ ଏକ ପରିକଳ୍ପିତ ରାଜନୈତିକ ମିଥ୍ୟାଚାର କହି ଏଡ଼ାଇବାକୁ ଚେଷ୍ଟା କରିଥିଲା। ଏପ୍ରିଲ ୨୦୧୭ରେ ସେ ଦେଶର ସୁପ୍ରିମକୋର୍ଟ ନିଯୁକ୍ତ ଏକ ‘ଜଏଣ୍ଟ ଇନ୍‌ଭେଷ୍ଟିଗେସନ୍‌ କମିଟି’ ଏହି ଦୁର୍ନୀତିରେ ପ୍ରଧାନମନ୍ତ୍ରୀ ସରିଫ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କ ସମ୍ପୃକ୍ତି ବିଷୟରେ ନିଶ୍ଚିତ ହୋଇଥିଲା। ତା’ପରେ ସୁପ୍ରିମକୋର୍ଟର ଏହି ରାୟଦାନ କେବଳ ସମୟର ଅପେକ୍ଷା ହୋ‌ଇ ରହିଥିଲା।

ଏବେ ଦେଖିବାର କଥା, ଆସନ୍ତା ଦିନରେ ପାକିସ୍ତାନର ଏହି ଘଟଣାକ୍ରମ କେଉଁ ରୂପ ନେଉଛି ଓ ଦକ୍ଷିଣ ଏସିଆ ରାଜନୀତିରେ ଏହାର କ’ଣ ପ୍ରଭାବ ପଡ଼ୁଛି।

 

LEAVE A REPLY

Please enter your comment!
Please enter your name here