ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁଆଲୁମ୍ପୁରର ଏମପି ସେଲାୟାଙ୍ଗ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏକ ବନ୍ଧୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମହିଳା ଫୁଟବଲ୍‍ ମ୍ୟାଚରେ ଭାରତ ଘରୋଇ ମାଲେସିଆକୁ ୨-୦ ଗୋଲରେ ହରାଇ ଦେଇଛି। ଭାରତର ଏହି ଏକତରଫା ବିଜୟରେ ଓଡ଼ିଆ ତାରକା ପ୍ୟାରୀ ଖାଖା ପ୍ରମୁଖ ଭୂମିକା ତୁଲାଇଥିଲେ। ଏହି ମ୍ୟାଚରେ ସେ ଦୁଇଟି ଗୋଲ୍‍ ଦେଇଥିଲେ। ଉଭୟ ଦଳର ଅନ୍ୟ କୌଣସି ଖେଳାଳି ଗୋଲ୍‍ ଦେବାକୁ ସକ୍ଷମ ହୋଇ ନ ଥିଲେ।

ଏହି ମ୍ୟାଚର ପ୍ରଥମାର୍ଦ୍ଧରେ ଦୁଇଟି ଯାକ ଦଳ କେହି କାହାରିକୁ ଗୋଲ୍‍ ଦେଇପାରି ନ ଥିଲେ। ହେଲେ ବଦଳ ଖେଳାଳି ଭାବେ ପଡ଼ିଆକୁ ଆସିଥିବା ପ୍ୟାରୀ ଦ୍ୱିତୀୟାର୍ଦ୍ଧରେ ମାତ୍ର ୭ ମିନିଟ୍‍ ଭିତରେ ଦୁଇଟି ଗୋଲ୍‍ ଦେଇ ଭାରତକୁ ଉପହାର ଦେଇଥିଲେ। ୭୯ ମିନିଟରେ ଏକ ସୁନ୍ଦର ଗୋଲ୍‍ ଦେଇ ଭାରତକୁ ଆଗୁଆ କରିଦେଇଥିଲେ।

ସେହିପରି ୮୬ ମିନିଟରେ ଆଉ ଏକ ଗୋଲ୍‍ ଦେଇ ଭାରତର ବିଜୟକୁ ନିଶ୍ଚିନ୍ତ କରିଥିଲେ। ୭୦ ମିନିଟରେ ମାଲେସିଆ ଏକ ଭଲ ସୁଯୋଗ ପାଇଥିଲେ ମଧ୍ୟ ଏହାକୁ ଗୋଲରେ ରୂପାନ୍ତରିତ କରିପାରି ନ ଥିଲା। ପ୍ୟାରୀଙ୍କ ଏହି ସଫଳତା ଯୋଗୁଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା  କରାଯାଉଛି।

ଖାଲି ସେତିକି ନୁହେଁ ଓଡ଼ିଆ ଫୁଟବଲ୍‍ ଖେଳାଳି ପ୍ୟାରୀଙ୍କ ଯୋଗୁଁ ୨୦୧୫ରେ ଓଡ଼ିଶା ୨ଟି ଅଲ ଇଣ୍ଡିଆ ଫୁଟବଲ୍‍ ଫେଡେରେସନ୍‍ (ଏଆଇଏଫ୍‍ଏଫ୍‍) ଆୱାର୍ଡ ପାଇଥିଲା। ପ୍ୟାରୀ ଓଡ଼ିଶା ଏବଂ ଭାରତୀୟ ଫୁଟବଲର ଜଣେ ଆଗଧାଡ଼ିର ଖେଳାଳି ହୋଇଥିବାରୁ ତାଙ୍କୁ ‘ଓମ୍ୟାନ୍‍ ପ୍ଲେୟାର ଅଫ୍‍ ଦି ଇୟର’ ସମ୍ମାନ ମିଳିଥିଲା। ଏହି ସମ୍ମାନର ଅଧିକାରିଣୀ ହେବା ପରେ ପ୍ୟାରୀ ଖୁସି ବ୍ୟକ୍ତ କରିବା ସହ ଏଆଇଏଫ୍‍ଏଫ୍‍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହାସହ ଫୁଟବଲ୍‍ ଆସୋସିଏସନ୍‍ ଅଫ୍‍ ଓଡ଼ିଶା (ଫାଓ)କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ। ସେହିବର୍ଷ ଫାଓ ପ୍ରଥମ ଥର ପାଇଁ ଜାତୀୟ ପୁରସ୍କାର ହାସଲ କରିଥିଲା।

କିଏ ଏହି ପ୍ୟାରୀ?

୧୯୯୭ ମେ’ ୧୮ରେ ରାଉରକେଲାର ଛୋଟିଆ ଗାଁ ‘ଝରାତରଙ୍ଗ’ରୁ ପ୍ୟାରୀ ତାଙ୍କ ଫୁଟବଲ ଯାତ୍ରା ଆରମ୍ଭ କରିଥିଲେ। ରାଉରକେଲାର ରିଷିକେଶ ରାୟ ମହାବିଦ୍ୟାଳୟରେ ଯୁକ୍ତ ୨ ପର୍ଯ୍ୟନ୍ତ ପାଠ ପଢ଼ିଥିବା ୨୧ ବର୍ଷିୟ ପ୍ୟାରୀ ଓଡ଼ିଶା ଟିମ୍‍ ପାଇଁ ଗତ ୭ ବର୍ଷ ହେଲା ଖେଳି ଆସୁଛନ୍ତି। ପ୍ରଥମେ ସେ ଓଡ଼ିଶା ଜୁନିୟର ଫୁଟବଲ ଟିମରେ କମାଲ୍‍ ଦେଖାଇବା ପରେ ଏବେ ସିନିଅର ଫୁଟବଲ୍‍ ଟିମରେ ସାମିଲ ହୋଇ ନିଜର ଦକ୍ଷତା ପ୍ରତିପାଦନ କରୁଛନ୍ତି।

୨୦୧୩ରେ କଟକରେ ଆୟୋଜିତ ଏକ ମ୍ୟାଚରେ ପ୍ୟାରୀ ଏକାକୀ ୧୨ଟି ଗୋଲ୍‍ ଦେଇ ଚର୍ଚ୍ଚାରେ ରହିଥିଲେ। ଏହାପରେ ସେ ସିନିୟର ଟିମରେ ପ୍ରବେଶ କରିଥିଲେ। ଏହି ପ୍ରଦର୍ଶନ ପାଇଁ ଓଡ଼ିଶା ଟିମକୁ ଏଆଇଏଫ୍‍ଏଫ୍‍ ପୁରସ୍କୃତ କରିଥିଲା। ପ୍ୟାରୀ ପିଲାଟି ଦିନରୁ ଅଭାବ ଅସୁବିଧାରେ ବଢ଼ି ଆସିଛନ୍ତି। ବାପା ଶିବସାଇ ଖାଖା ଆରପାରିକୁ ଚାଲିଯିବା ପରେ ମା’ ବାଣୀ ଖାଖା ତାଙ୍କର ସବୁ ଦାୟିତ୍ୱ ନେଇଥିଲେ। ରାଉରକେଲାର ଏକ ଅଖ୍ୟାତ ପଲ୍ଲୀରୁ ଆସିଥିବା ଏହି ମହିଳା ଫୁଟବଲ୍‍ ଖେଳାଳି ଏବେ ସମଗ୍ର ଭାରତ ପାଇଁ ଗୌରବ ଆଣି ଦେଇଛନ୍ତି।

ପ୍ୟାରୀଙ୍କ ସଫଳତା

କୁଆଁରମୁଣ୍ଡା ମହିଳା କ୍ଲବରୁ ଖେଳ ଆରମ୍ଭ କରିଥିବା ପ୍ୟାରୀ ଖାଖା ଏବେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ଭାରତ ଏବଂ ଓଡ଼ିଶା ପାଇଁ ସୁନାମ ଆଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମହିଳା ଫୁଟବଲ ଜଗତରେ ଓଡ଼ିଶାର ନାମକୁ ଉଜ୍ଜ୍ୱଳିତ କରିଛନ୍ତି।

କଟକ ରାଇଜିଂ ଷ୍ଟୁଡେଣ୍ଟ କ୍ଲବର ସଦସ୍ୟ ଥିବା ବେଳେ ୨୦୧୭ ଜାନୁୟାରୀ ୨୮ରୁ ଫେବୃୟାରୀ ୪ ପର୍ଯ୍ୟନ୍ତ ଦିଲ୍ଲୀ ଆମ୍ବେଦକର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଭାରତୀୟ ମହିଳା ଲିଗ୍‌ରେ ଖେଳିବାର ସୁଯୋଗ ପାଇଥିଲେ। ଫଳରେ ଏହି କ୍ଲବ ରନର୍ସଅପ୍‍ ରହିଥିଲା। ଓଡ଼ିଶା ଟିମର ଇଷ୍ଟ ଜୋନ୍‍ ଗ୍ରୁପ୍‍-ଏରେ ସାମିଲ ହୋଇ ପ୍ୟାରୀ ୨୧ତମ ସିନିୟର ଜାତୀୟ ମହିଳା ଫୁଟବଲ୍‍ ଚାମ୍ପିଅନସିପରେ ଖେଳିବାର ସୁଯୋଗ ପାଇଥିଲେ। ୨୦୧୫ ଡିସେମ୍ବର ୨୬ରେ ପଶ୍ଚିମବଙ୍ଗର କଲ୍ୟାଣୀରେ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ୟାରୀ ୩ଟି ମ୍ୟାଚରେ ୧୨ ଗୋଲ ଦେଇ ଶ୍ରେଷ୍ଠ ସ୍କୋରର ଭାବେ ବିବେଚିତ ହୋଇଥିଲେ।

ଅନ୍ତର୍ଜାତୀୟ ସଫଳତା

ଜାତୀୟ ମହିଳା ଫୁଟବଲ ଟିମରେ ସଦସ୍ୟ ଭାବେ ଯୋଗଦେଇ ପ୍ୟାରୀ ୨୦୧୬ ଫେବୃୟାରୀ ୧୫ରେ ସିଲଙ୍ଗର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ୧୨ତମ ସାଉଥ୍‍ ଏସିଆନ୍‍ ଗେମରେ ଦଳ ପାଇଁ ସଫଳତା ଆଣିଥିଲେ। ଏହି କ୍ରୀଡ଼ାରେ ଭାରତୀୟ ଟିମ୍‍ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ଏଫସି ଅଣ୍ଡର-୧୯ ଚାମ୍ପିଅନସିପରେ ସେ ଭାରତ ପାଇଁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ।

୨୦୧୪ ନଭେମ୍ବର ୫ରୁ ୯ ପର୍ଯ୍ୟନ୍ତ ଅମାନ୍‍ (ଜୋର୍ଡାନ)ଠାରେ ଅନୁଷ୍ଠିତ ହୋଇଥିବା ମ୍ୟାଚରେ ପ୍ୟାରୀ ନିଜର କୌଶଳ ପ୍ରଦର୍ଶନ କରିଥିଲେ। ଫଳରେ ଭାରତ ୩-୧ ଗୋଲରେ ମ୍ୟାଚରେ ବିଜୟୀ ହୋଇଥିଲା। ତାଙ୍କ ବଡ଼ ଭଉଣୀ ହେମା ମଧ୍ୟ ଜଣେ ଫୁଟବଲ ଖେଳାଳି। ୨୦୧୩ରେ ହୋଇଥିବା ମହିଳା ଜୁନିୟର ନ୍ୟାସନାଲ ଫୁଟବଲ୍‍ ଚାମ୍ପିୟନସିପରେ ହେମା ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ।

(ପ୍ରସ୍ତୁତି: ସରୋଜ)

Comment