ଭାସ୍କର ପରିଛା

ଭାରତରେ ଫିଲ୍ମ ସାର୍ଟିଫିକେସନ ଏକ ଜଟିଳ ସମସ୍ୟା। ପ୍ରେକ୍ଷାଳୟରେ ପ୍ରଦର୍ଶନ ପାଇଁ ଯେଉଁ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା ରହିଛି ତାହାକୁ ଅନେକ ସମୟରେ ଦୁରୂପଯୋଗ କରାଯାଇଥାଏ। ସାର୍ଟିଫିକେସନ ନାମରେ ଚିତ୍ରରେ କାଟଛାଣ୍ଟ ନିର୍ଦ୍ଦେଶର ଭୟ ଓ ବେଳେବେଳେ ଚିତ୍ରକୁ ନିଷିଦ୍ଧ କରାଯିବାର ଆଶଙ୍କା ଥିବାରୁ ଚଳଚ୍ଚିତ୍ର ନିର୍ମାତାମାନଙ୍କର ନିଦ ହଜିଯାଇଥାଏ।

ବଲିଉଡ ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକରଙ୍କ ଫିଲ୍ମ ‘ଇନ୍ଦୁ ସରକାର’କୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି। ବିବାଦଟି ହେଉଛି ‘ଅଭିବ୍ୟକ୍ତିର ସ୍ଵାଧୀନତା’ ବା ‘ଫ୍ରିଡମ୍ ଅଫ ଏକ୍ସପ୍ରେସନ’କୁ ନେଇ।

ଜନୈକା ମହିଳାଙ୍କ ଜନସ୍ୱାର୍ଥ ମାମଲାକୁ ଖାରଜ କରି ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ତାଙ୍କ ରାୟ ମାଧ୍ୟମରେ କହିଛନ୍ତି ଯେ ଯଥେଷ୍ଟ କାରଣ ନଥାଇ ମତପ୍ରକାଶ କରିବାର ସ୍ଵାଧୀନତାକୁ କାଟଛାଣ୍ଟ କରାଯାଇପାରିବ ନାହିଁ।

‘ଇନ୍ଦୁ ସରକାର’ ଚଳଚ୍ଚିତ୍ରକୁ ମିଳିଥିବା ସେନ୍‌ସର ସାର୍ଟିଫିକେଟକୁ ଫେରାଇ ନେବାକୁ ମହିଳାଜଣକ ଆବେଦନ କରିଥିଲେ। ଜଷ୍ଟିସ ଦୀପକ ମିଶ୍ର, ଅମିତାଭ ରାୟ ଓ ଏ ଏମ ଖାନବିଲ୍କରଙ୍କ ବେଞ୍ଚ୍‌ ଫିଲ୍ମର ଟ୍ରେଲର୍ ଦେଖିବା ପରେ ରାୟରେ କହିଛନ୍ତି ଯେ ମୁଭିଟିଏ କଦାପି ଡ଼କ୍ୟୁମେଣ୍ଟ୍ରି ନୁହେଁ ଏବଂ ଚଳଚ୍ଚିତ୍ର ନିର୍ମାତା ଚାହିଁଲେ ସତ ଘଟଣାକୁ ନାଟ୍ୟରୂପ ଦେଇ ପରଦା ଉପରକୁ ଆଣିପାରିବେ।

ବିଚାରପତିମାନେ କହିଛନ୍ତି ଯେ ଐତିହାସିକ ତଥ୍ୟ ଓ ଘଟଣା ସମ୍ପର୍କରେ ଭିନ୍ନଭିନ୍ନ ଚିନ୍ତାଧାରା ତଥା ଦୃଷ୍ଟିକୋଣ ଥାଇପାରେ ଏବଂ ଏହା ରହିବା ଦରକାର। ତେବେ ଆଇନର ପରିସର ମଧ୍ୟରେ ଯଦି ଏହା ରହିଛି ଓ ନିର୍ମାତା ତଥା ଗବେଷକ ସେମାନଙ୍କ ସୃଜନାତ୍ମକ କଳାକୁ ଦେଖାଇବାକୁ ଚାହୁଁଛନ୍ତି ସେମାନଙ୍କୁ ତାହା କରିବାକୁ ଦିଆଯାଉ ଏବଂ ଅଯଥା ସେମାନଙ୍କ କାର୍ଯ୍ୟରେ ଦଖଲ ଦେବା ବନ୍ଦ କରାଯାଉ।

ମଧୁରଙ୍କ ଏହି ସିନେମା ୧୯୭୫-୧୯୭୭ ସମୟର ଜରୁରୀକାଳୀନ ପରିସ୍ଥିତି ଉପରେ ଆଧାରିତ ଏବଂ ନିର୍ଦ୍ଦେଶକ ଡିସ୍‌‌କ୍ଲେମର ବା ସ୍ୱୀକାରରେ କହିଛନ୍ତି ଯେ ତାଙ୍କ ଚିତ୍ରଟି ମାତ୍ର ୩୦ ପ୍ରତିଶତ ବିଷୟବସ୍ତୁରେ ସୀମିତ।

ଏହି ଚଳଚ୍ଚିତ୍ରକୁ ବିରୋଧ କରିଛନ୍ତି କଂଗ୍ରେସର କିଛି ନେତା। ସେମାନଙ୍କ କହିବା ଅନୁଯାୟୀ ଦଳର କିଛି ନେତାଙ୍କୁ ଖରାପ ଭାବରେ ପ୍ରଦର୍ଶିତ କରାଯାଇଛି। ଯେଉଁ ମହିଳା ଜଣକ ପିଆଇଏଲ୍‌ କରିଥିଲେ ସେ ନିଜକୁ କହୁଛନ୍ତି ସଂଜୟ ଗାନ୍ଧୀଙ୍କ ଜନ୍ମିତ ଝିଅ। ତାଙ୍କ ନାଁ ପ୍ରିୟା ସିଂ ପଲ। ପ୍ରିୟା ଆବେଦନ କରିଥିଲେ ଯେ ଗାନ୍ଧୀ ପରିବାରକୁ ଏହି ସିନେମାରେ ଅପମାନିତ କରିବାକୁ ଚେଷ୍ଟା ହୋଇଛି।

ଭାରତରେ ଫିଲ୍ମ ସାର୍ଟିଫିକେସନ ଏକ ଜଟିଳ ସମସ୍ୟା। ପ୍ରେକ୍ଷାଳୟରେ ପ୍ରଦର୍ଶନ ପାଇଁ ଯେଉଁ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା ରହିଛି ତାହାକୁ ଅନେକ ସମୟରେ ଦୁରୂପଯୋଗ କରାଯାଇଥାଏ। ସାର୍ଟିଫିକେସନ ନାମରେ ଚିତ୍ରରେ କାଟଛାଣ୍ଟ ନିର୍ଦ୍ଦେଶର ଭୟ ଓ ବେଳେବେଳେ ଚିତ୍ରକୁ ନିଷିଦ୍ଧ କରାଯିବାର ଆଶଙ୍କା ଥିବାରୁ ଚଳଚ୍ଚିତ୍ର ନିର୍ମାତାମାନଙ୍କର ନିଦ ହଜିଯାଇଥାଏ।

ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ ବା ସିବିଏଫସି ଏଭଳି ଦାଦାଗିରି କରିବାର ବହୁ ପ୍ରମାଣ ରହିଛି। ପ୍ରମାଣପତ୍ର ପ୍ରଦାନର ଭୂମିକାକୁ ଭୁଲି ଏହି ସଂସ୍ଥା ମନ ଇଚ୍ଛା ‘କଟ୍‌‍’ ପାଇଁ କହିବାର ଅନେକ ଦୃଷ୍ଟାନ୍ତ ଆଖିରେ ପଡ଼େ।

ଉଦାହରଣସ୍ୱରୂପ ‘ଉଡ୍‌ତା ପଞ୍ଜାବ’ ଚଳଚ୍ଚିତ୍ରରେ ସିବିଏଫସି ଅଯଥା ହସ୍ତକ୍ଷେପ କରିବା ଫଳରେ ଚିତ୍ରଟି ଠିକ୍ ସମୟରେ ରିଲିଜ ହୋଇପାରିନଥିଲା। ପଞ୍ଜାବରେ ଡ୍ରଗ୍ ଓ ନିଶା କାରବାରର ଗୁରୁତ୍ୱକୁ ନ ବୁଝି ସଂସ୍ଥା ପଞ୍ଜାବର ଅସ୍ମିତାକୁ ନେଇ ପ୍ରଶ୍ନ କରିଥିଲା।

ଠିକ୍ ସେହିଭଳି ନିକଟରେ ରିଲିଜ ହୋଇଥିବା ‘ଲିପଷ୍ଟିକ୍‌ ଅଣ୍ଡର ମାଇଁ ବୁର୍ଖା’କୁ ପ୍ରମାଣପତ୍ର ପ୍ରଦାନ ପାଇଁ ରାଜି ହୋଇନଥିଲା ସିବିଏଫସି। ଯୁକ୍ତି ହେଉଛି ଏଥିରେ ମହିଳାମାନଙ୍କ କଳ୍ପନାକୁ ଅତିରଞ୍ଜିତ କରାଯାଇଛି। ଏଠି ବି ସେନ୍‌ସର ବୋର୍ଡ୍‌ ମୋରାଲ-‍ପୋଲିସିଂ ଭଳି ବ୍ୟବହାର କରିଥିଲା। 

କହିବାର ତାତ୍ପର୍ଯ୍ୟ ହେଉଛି ସମ୍ବିଧାନ, ବାକ୍‌ ସ୍ଵାଧୀନତା ଆଦି ବଡ଼ ବଡ଼ ଶବ୍ଦ ଆମେ ଉଚ୍ଚାରଣ କରୁଛୁ ଅଥଚ ସେନ୍‌ସର୍ ପାଇଁ ଚଳଚ୍ଚିତ୍ର ନିର୍ମାତାଙ୍କୁ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ପଡ଼ୁଛି।

ବଡ଼ କଥା ହେଲା, ସର୍ବୋଚ୍ଚ ନ୍ୟାୟାଳୟ ଏହି ସ୍ୱାଧୀନତାର ସୁରକ୍ଷା ପାଇଁ ସବୁବେଳେ ଆଗେଇ ଆସିଛନ୍ତି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡିଶାଲାଇଭର ପରାମର୍ଶଦାତା ସମ୍ପାଦକ)

LEAVE A REPLY

Please enter your comment!
Please enter your name here