ଭାସ୍କର ପରିଛା

କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଏକୋଇଶ ଦିନିଆ ତାଲା ବନ୍ଦ ଘୋଷଣା କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ତାଙ୍କ ବାର୍ତ୍ତାରେ କହିଥିଲେ, ‘‘ଏଇ ୨୧ ଦିନ ମଧ୍ୟରେ ଆମେ କିଭଳି ଆଚରଣ ପ୍ରଦର୍ଶନ କରିବା ରୋଗ ବିରୋଧରେ ଆମ ଲଢ଼େଇ ରୋକିବାରେ ତାହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।’’

ଇତିହାସରେ ପ୍ରଥମ

ସ୍ୱାଧୀନତା ପରବର୍ତ୍ତୀ ଭାରତର ଇତିହାସରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଏକ ଅଭୂତପୂର୍ବ ଘଟଣା। ମାର୍ଚ୍ଚ ୨୫ରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିବା କିଛି କମ୍‌ କଥା ନୁହେଁ। ଅତୀତରେ କେବେ ବି କୌଣସି ସରକାର ୨୧ ଦିନ ପର୍ଯ୍ୟନ୍ତ ଘରେ ବନ୍ଦୀ ହୋଇ ରହିବା ପାଇଁ ଦେଶର ଲୋକଙ୍କୁ ଆହ୍ୱାନ ଦେଇନଥିଲେ। ଏପରିକି ଦୁଇ ଦୁଇଟି ଯୁଦ୍ଧ ସମୟରେ ବି ନୁହେଁ।

ଚକ୍ରବ୍ୟୁହ ଭେଦ

କୁହାଯାଏ ଅସାଧାରଣ ପରିସ୍ଥିତିରେ ଅସାଧାରଣ ନିଷ୍ପତ୍ତି ଓ ପଦକ୍ଷେପ ନେବା ଦରକାର ହୁଏ। ମୋଦୀ ଯାହା କହିଥିଲେ, ‘କରୋନା ସଂକ୍ରମଣକୁ ରୋକିବା ପାଇଁ ହେଲେ ଆମକୁ ଲକ୍ଷ୍ମଣ ରେଖା ଭିତରେ ରହିବାକୁ ପଡ଼ିବ ହିଁ ପଡ଼ିବ।’ ସଂକ୍ରମଣର ଚକ୍ରବ୍ୟୁହକୁ ଭାଙ୍ଗିବାକୁ ହେଲେ ଆମକୁ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ  ହେବ ବୋଲି ସେ ତାଙ୍କ ଭାଷଣରେ ଏକାଧିକ ବାର କହିଥିଲେ। ଅନ୍ୟ ଦେଶର ଦୃଶ୍ୟପଟକୁ ଉଲ୍ଲେଖ କରିବାକୁ ଯାଇ ସେ ଏକଥା ମଧ୍ୟ ସତର୍କ କରିଦେଇଥିଲେ ଯେ ସେହି ସବୁ ଦେଶରେ ୬୭ ଦିନରେ ଲକ୍ଷେ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୧ ଦିନରେ ତାହା ଦୁଇ ଗୁଣ ହୋଇଥିଲା ଓ ଚାରି ଦିନ ମଧ୍ୟରେ ସେହି ସଂଖ୍ୟା ତିନି ଲକ୍ଷ ଟପି ଯାଇଥିଲା। ଏଥିରୁ ଅନୁମାନ କରିହେବ ସଂକ୍ରମଣର ଭୟାବହତା।

ବାସ୍ତବ କ୍ଷେତ୍ରରେ, ଏକୋଇଶ ଦିନ ସବୁ କାମଧନ୍ଦା ବନ୍ଦ ରହିବା ଖେଳଘର ନୁହେଁ ଓ ଏଥିପାଇଁ ଆମକୁ ଶାରୀରିକ ଅପେକ୍ଷା ଅଧିକ ମାନସିକ କଷ୍ଟ ସ୍ୱୀକାର କରିବା ପାଇଁ ହେବ। ଆଗାମୀ ଦିନରେ ଏହି ବନ୍ଦର ପ୍ରଭାବ ଆର୍ଥିକ ଓ ସାମାଜିକ କ୍ଷେତ୍ର ଉପରେ ବେଶ ଭଲ ଭାବରେ ପଡ଼ିବ ଏଥିରେ ଦ୍ୱିମତ ନାହିଁ। ଏଣୁ ମୋଦୀ କହିଲେ ଯେ, ‘ଏହି ଆହ୍ୱାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।’

ସମ୍ବେଦନଶୀଳ ହୁଅ

ଏହା ସତ୍ୟ ଯେ, ଯେଉଁମାନେ ସରକାରୀ ବା ଘରୋଇ ଚାକିରି କରିଛନ୍ତି ସେମାନଙ୍କୁ ହୁଏତ ଏହି ଲକ୍‌ଡାଉନ୍‌ ଏତେଟା କଷ୍ଟକର ହେବନାହିଁ। କିନ୍ତୁ ଯେଉଁମାନେ ଦିନ ମଜୁରିଆ ଓ ଯେଉଁମାନେ କାମ କଲେ ଦୁଇ ବେଳା ଖାଇବାକୁ ପାଆନ୍ତି ସେମାନଙ୍କ ପାଇଁ ଏହି ଏକୋଇଶ ଦିନ ଅତ୍ୟନ୍ତ କଷ୍ଟଦାୟକ ଏହା ନିଃସନ୍ଦେହ। ଏଇଥିପାଇଁ ମୋଦୀ ଏହି ବର୍ଗର ଲୋକମାନଙ୍କ ପାଇଁ ସମ୍ବେଦନଶୀଳ ହେବା ଦରକାର ବୋଲି କହିଥିଲେ।

ରାଜନୈତିକ ଭେଦଭାଵ ନିର୍ବିଶେଷରେ, ଲକ୍‌ଡାଉନ୍‌ ଭବିଷ୍ୟତରେ ଏଭଳି ପରିସ୍ଥିତି ସୃଷ୍ଟି କରିବ ଯାହାଫଳରେ କି ଆମକୁ ତତ୍କାଳିକ ସାମାଜିକ ସମ୍ପର୍କର ପୁନଃନିର୍ମାଣ କରିବାକୁ ହେବ। କେବଳ ସମ୍ବେଦନା ନୁହେଁ, ଆଗକୁ ଯେଉଁ ସ୍ଥିତି ଦୃଷ୍ଟିରେ ପଡୁଛି ସେଥିପାଇଁ ମଧ୍ୟ ଆମକୁ ପ୍ରସ୍ତୁତ କରିବାକୁ ପଡ଼ିବ। ବର୍ତ୍ତମାନ କାମ ହେଉଛି ସିଭିଲ ସୋସାଇଟି, ସରକାରୀ ସଂସ୍ଥା ଓ ସ୍ୱାସ୍ଥ୍ୟ ସେବାରେ କାର୍ଯ୍ୟରତ ମଣିଷ ଏବଂ କର୍ପୋରେଟମାନଙ୍କର। ଯେଉଁମାନେ ଗରିବ ଶ୍ରେଣୀର ଲୋକ ଓ ଯେଉଁମାନେ ନିଃସ୍ୱ ସେମାନଙ୍କ ଉପରେ ଯେପରି କରୋନାର ବୋଝ ନପଡ଼େ ତାହା ଦେଖିବା ନିତାନ୍ତ ଜରୁରୀ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କଭିତରେ ସମନ୍ୱୟର ବିଶେଷ ଆବଶ୍ୟକତା ରହିଛି।

ସପ୍ଲାଇ ଚେନ

ରାଜନୈତିକ ମତଭେଦ ଭୁଲି ରାଜ୍ୟ ସରକାରମାନଙ୍କୁ ଏହି ତାଲା ବନ୍ଦ ସମୟରେ ଲୋକଙ୍କ ଦୁର୍ଦ୍ଦଶା ଯେମିତି ବୃଦ୍ଧି ନପାଇବ ସେଥି ଲାଗି ଉଦ୍ୟମ କରିବା ପାଇଁ ହେବ। ସବୁଠୁ ବଡ଼ କଥା ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଉପଲବ୍ଧ କରାଇବା। ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ପରେ ଦୋକାନଗୁଡ଼ିକରେ ଯେଉଁ ଅଭାବ ସୃଷ୍ଟି ହୋଇଛି ତାହା ଅତି ଗମ୍ଭୀର ଓ ଚିନ୍ତାଜନକ। ମୋଦୀ ସିନା କରୋନା ଟ୍ରାନ୍ସମିଶନ ଚେନ’କୁ ଭାଙ୍ଗିବା ପାଇଁ ଆହ୍ୱାନ ଦେଲେ, ସପ୍ଲାଇ ଚେନ ଯେମିତି ଭାଙ୍ଗି ନଯାଏ ତାହା ଦେଖିବା ରାଜ୍ୟ ସରକାରଙ୍କ କାମ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପରସ୍ପର ମଧ୍ୟରେ ଯେଉଁ ସାମାଜିକ ପ୍ରତ୍ୟୟ ବା ବିଶ୍ୱାସ ଏଯାବତ ରହି ଆସିଛି ତାହା ବଜାୟ ରହିବା ଜରୁରୀ। ଗୃହବନ୍ଦ ଭାରତ କିଭଳି ପୁଣି ଥରେ ଉର୍ଦ୍ଧ୍ୱମୁଖ ହୋଇ ଚାଲିପାରିବ ତାହା ବର୍ତ୍ତମାନ ସମୟର ସବୁଠୁ ବଡ଼ ଆହ୍ୱାନ।

LEAVE A REPLY

Please enter your comment!
Please enter your name here