ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ବୁଦ୍ଧେଶ୍ୱରୀ କୋଲନିରେ ଥିବା ପାଲ ହାଇଟ୍ସ ମାଲିକଙ୍କ ଘରେ ଯେଉଁ ଅଗ୍ନି ଦୁର୍ଘଟଣା ଘଟିଲା ତାହା କେବଳ ମର୍ମତୁଦ ନୁହେଁ, ଏହା ଆମ ଘର ତିଆରି କରିବା ପ୍ରଣାଳୀ ଓ ଆଧୁନିକ ଜୀବନ ଶୈଳୀ ଆଡକୁ ମଧ୍ୟ ଇଙ୍ଗିତ କରୁଛି।
ଟେକ୍ନୋଲୋଜି ଆମ ଜୀବନକୁ ଅବଶ୍ୟ ଅଧିକ ସରଳ କରିଛି। କିନ୍ତୁ ଏହା ସହିତ ଜଡ଼ିତ ହୋଇଛି ଅନେକ ବିପଦ।କୁହାଯାଉଛି, ଯେତେବେଳେ ଯାଏଁ ଟେକ୍ନୋଲୋଜି ଜୀବନଶୈଳୀକୁ ଗ୍ରାସ ନ କରିଛି ସେତେବେଳ ପର୍ଯ୍ୟନ୍ତ ଏହାକୁ ଆପଣେଇବାରେ ଅସୁବିଧା ନାହିଁ। ମଣିଷ ଆଜି ଯେଉଁ ଭଳି ଆଧୁନିକ ଗଜେଟ୍ ର କ୍ରୀତଦାସ ସାଜିଛି, ଏହା ଜୀବନକୁ ବିପଦରେ ପକାଇବ ନାହିଁ ବୋଲି କୁହାଯାଇପାରିବ ନାହିଁ।
ବୁଦ୍ଧେଶ୍ୱରୀ ଅଗ୍ନିକାଣ୍ଡରେ ଗୋଟିଏ କଥା ଜୋରଦାର ସାମ୍ନାକୁ ଆସିଛି। ତାହା ହେଲା ଯେ ଆଧୁନିକ ଉପକରଣ ପ୍ରତି ଆମର ଦୁର୍ବଳତା ବଢୁଛି ଅଥଚ ଯେଉଁ ପରିମାଣରେ ସତର୍କତା ଅବଲମ୍ବନ କରିବା କଥା ତାହା ଆମେ କରୁନା। ଫଳରେ ଜୀବନହାନି ଘଟୁଛି।
ପାଲ ହାଇଟ୍ସ ମାଲିକଙ୍କ ଘରେ ଯେଉଁ ଦୁର୍ଘଟଣା ଘଟିଲା, ତାହା ମୂଳରେ ରହିଛି ସର୍ଟ ସର୍କିଟ। ଏଥିପାଇଁ ସମଗ୍ର କୋଠାରେ ନିଆଁ ଲାଗିଲା ଏବଂ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଗଲା। ଆଉ ଗୋଟିଏ କଥା ଶୁଣିବାକୁ ମିଳୁଛି ଯେ ଘର ଭିତରେ ଚାରିଆଡେ ସେନ୍ସର ଲାଗିଥିଲା। ନିଆଁ ଲାଗିଲା ପରେ ଏହି ସେନ୍ସର କାମ କରି ନ ଥିଲା, ଯାହାଫଳରେ ଜୀବନ ବଞ୍ଚାଇ ରଖିବା ସମ୍ଭବ ହେଲା ନାହିଁ।
ଘରର ସିଡ଼ି କାଠରେ ତିଆରି ହୋଇଥିବା ବେଳେ ଘର ତମାମ ଅନ୍ୟାନ୍ୟ ଦହନୀୟ ପଦାର୍ଥ ଭର୍ତ୍ତି ହୋଇଥିବା ଯୋଗୁଁ ଅଗ୍ନି ବ୍ୟାପିବାରେ ଏହା ସହାୟକ ହୋଇଥିଲା।
କୁହାଯାଏ ଯେ ନିଆ ଯଦି ଥରେ ଲାଗିଗଲା ମାତ୍ର ୬ ମିନିଟ ଭିତରେ ଏହା ସର୍ବଗ୍ରାସୀ ହୋଇଯାଇପାରିବ। ପରିତାପର ବିଷୟ ଏହା ଯେ ଏହିଭଳି ଅନେକ ଅଗ୍ନିକାଣ୍ଡ ଘଟଣା ନଜରକୁ ଆସୁଥିବା ବେଳେ ଏନେଇ ଯେଉଁ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପଦକ୍ଷେପ ଆଖିରେ ପଡୁନାହିଁ। ସାମାନ୍ୟ ଅବହେଳା ଯୋଗୁଁ କିଛି ଦିନ ତଳେ ସମ୍ ହସ୍ପିଟାଲରେ ଏହିଭଳି ଏକ ଅଗ୍ନିକାଣ୍ଡ ଘଟି ୨୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।
କୋଠାରେ ଅଗ୍ନିକାଣ୍ଡକୁ ନେଇ ଚେନ୍ନାଇ ସତ୍ୟଭାମା ବିଶ୍ଵବିଦ୍ୟାଳୟର ଡ଼ଃ ଏମ ଏମ ବିଜୟଲକ୍ଷ୍ମୀ ଓ ଲିଲି ଗ୍ରେସ୍ ମୁରଲୀ ଏକ ଅଧ୍ୟୟନ କରିଥିଲେ। ସେମାନେ କୋଲକାତାର ଆମ୍ରି ହସ୍ପିଟାଲ, ତାମିଲନାଡୁର କୁମ୍ବକୋନମ୍ କ୍ରୀଷ୍ଣା ସ୍କୁଲ, ବେଙ୍ଗାଲୁରୁର ଏକ ବିଜନେସ ସେଣ୍ଟରରେ ଘଟିଥିବା ଅଗ୍ନିକାଣ୍ଡକୁ କେସ୍-ଷ୍ଟଡି ଭାବରେ ନେଇଥିଲେ।
ଗବେଷିକା ଦ୍ୱୟଙ୍କ କହିବା ଅନୁଯାୟୀ ଅଗ୍ନିକାଣ୍ଡର ଭୟାବହତା ନିର୍ଭର କରେ କୋଠାଘରର ନକ୍ସା, ଘରେ କିଭଳି ଉପକରଣ ଲାଗିଛି, କେଉଁମାନେ ସେହି ଘରେ ବାସ କରୁଛନ୍ତି ଓ ସେମାନଙ୍କର ଆଚାର ବ୍ୟବହାର। ତା’ଛଡ଼ା ବାୟୁ ଚଳପ୍ରଚଳ, ଦହନଯୋଗ୍ୟ ସାମଗ୍ରୀର ଉପସ୍ଥିତି, ନିଆଁ ଲାଗିବାର କାରଣ, ଅଗ୍ନି-ନିର୍ବାପକ ଯନ୍ତ୍ରର ଦକ୍ଷତା ଆଦି ଉପରେ ମଧ୍ୟ ନିଆଁ ଲାଗିବା ନିର୍ଭର କରିଥାଏ।
କୋଠାଘରର ଆମୂଳଚୂଳ ସୁରକ୍ଷା ପ୍ରତି ଘରମାଲିକ କେତେ ସଚେତନ, ନିୟମିତ ଭାବରେ ବୈଦ୍ୟୁତିକ୍ ଉପକରଣର ଯାଞ୍ଚ, ଘରେ ଯେଉଁମାନେ ରହୁଛନ୍ତି ସେମାନଙ୍କ ଭିତରେ ସୁରକ୍ଷା ସଚେତନତା, ବିଲ୍ଡିଂର ନିୟମିତ ମରାମତି, ନିଆଁ ଲାଗିବା ଭଳି ଜିନିଷପତ୍ରକୁ ହଟାଇବା, ଉତ୍ତମ ଓ ସଚେତନ ସିକ୍ୟୁରିଟି ବ୍ୟବସ୍ଥା, ଅଗ୍ନିକାଣ୍ଡ ଘଟିଲେ କ’ଣ ପଦକ୍ଷେପ ଗ୍ରହଣ କରିବା ପାଇଁ ପଡ଼ିବ ସେ ନେଇ ମୌଳିକ ଜ୍ଞାନ ଆଦିର ବିଶେଷ ଆବଶ୍ୟକତା ରହିଛି।
ପାଲ ହାଇଟ୍ସ ପରିବାର ଲୋକେ ଯେଉଁ ଘରେ ରହୁଥିଲେ ସେଠି ଏହି ସବୁ ପ୍ରତିକାରମୂଳକ ବ୍ୟବସ୍ଥାର ଅଭାବ ରହିଥିଲା ଏହା ନିଶ୍ଚିତ ଭାବରେ କୁହାଯାଇପାରିବ। ମାନବିକ ଅବହେଳା ସବୁବେଳେ ଅଗ୍ନିକାଣ୍ଡର କାରଣ ହୋଇଥାଏ, ତାହା ସହର ହେଉ କି ଗାଁ।
ସର୍ବଶେଷରେ, ଯାହା କୁହାଯାଏ ସତର୍କତା ହିଁ ସୁରକ୍ଷିତ ଜୀବନର ମୂଳମନ୍ତ୍ର।