ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱାଇନ୍‌ ଫ୍ଲ୍ୟୁ ମୁକାବିଲା ସରକାର ଓ ଡାକ୍ତରଖାନା କର୍ତ୍ତୃପକ୍ଷ ସସସ୍ତଙ୍କ ପାଇଁ ଏବେ ମୁଣ୍ଡବ୍ୟଥା ପାଲଟିଛି।

ରାଜ୍ୟରେ ଏବେ ସ୍ୱାଇନ୍‌ ଫ୍ଲ୍ୟୁ ଡର। ଗୁରୁବାର ସୁଦ୍ଧା ସ୍ୱାଇନ୍‌ ଫ୍ଲ୍ୟୁ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ଟପିଯାଇଛି। କିଛିଦିନ ତଳେ ସ୍ୱାଇନ୍‌ ଫ୍ଲ୍ୟୁରେ ୪ ଜଣକର ମୃତ୍ୟୁ ପରେ ଏବେ ଭୁବନେଶ୍ୱର କଟକ ସମେତ ରାଜ୍ୟର ପ୍ରମୁଖ ସହରରେ ଥିବା ସରକାରୀ ଓ ଘରୋଇ ଡାକ୍ତରଖାନାରେ ଏନେଇ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି। ବିଶେଷକରି ଏହି ରୋଗରେ ଖୋଦ୍ ଡାକ୍ତର ଆକ୍ରାନ୍ତ ହେବା ପରେ ଅବସ୍ଥା ଜଟିଳ ହୋଇଛି।

ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍‌ର ଅସ୍ଥି ଶଲ୍ୟ ବିଭାଗର ଜଣେ ଡାକ୍ତର ସ୍ୱାଇନ୍‌ ଫ୍ଲ୍ୟୁ ପାଇଁ ଚିକିତ୍ସା ହେଉଛନ୍ତି। ସେହିପରି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲର ଜଣେ ଜୁନିୟର ଡାକ୍ତର ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଏହି ଘଟଣା ପରେ ଉଭୟ ଡାକ୍ତରଖାନାରେ ଡାକ୍ତର ପାରା ମେଡିକାଲ୍‌ କର୍ମଚାରୀଙ୍କ ଭିତରେ ଚିନ୍ତା ବଢ଼ିଯାଇଛି।

ଏକ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀରେ ଏକ ଘରୋଇ ଡାକ୍ତରଖାନାର ପ୍ରତିଷ୍ଠାତା ଡାକ୍ତରଙ୍କୁ ମଧ୍ୟ ସ୍ୱାଇନ୍‌ ଫ୍ଲ୍ୟୁ ଧରିଛି। ଏହି ଘଟଣା ପରେ ବିଭିନ୍ନ ଘରୋଇ ହସ୍ପିଟାଲ୍‌ ବିଶେଷ କରି ଅତ୍ୟାଧୁନିକ କର୍ପୋରେଟ୍ ହସ୍ପିଟାଲ୍‌ଗୁଡ଼ିକରେ ଏକପ୍ରକାର ହଲ୍‌ଚଲ୍‌ ସୃଷ୍ଟି ହୋଇଛି। ଫଳରେ ସ୍ୱାଇନ୍‌ ଫ୍ଲ୍ୟୁ ରୋଗୀଙ୍କ ଚିକିତ୍ସା ଯେତିକି ଚିନ୍ତାର କାରଣ ହୋଇଛି ଡାକ୍ତରଖାନା କର୍ମଚାରୀଙ୍କୁ ଏଥିରୁ ଦୁରେଇ ରଖିବା ପାଇଁ ସେତିକି ଚର୍ଚ୍ଚା ଆରମ୍ଭ ହୋଇଛି। ଡାକ୍ତରଖାନା ଫ୍ଲୋର୍‌ରେ ଏବେ କର୍ମଚାରୀ ଓ ଅନ୍ୟମାନେ ମୁହଁରେ ମାସ୍କ୍‌ ଭିଡ଼ିଥିବା ଦେଖିବାକୁ ମିଳିଛି।

କ୍ୟାପିଟାଲ୍ ହସ୍ପିଟାଲରେ ସ୍ୱାଇନ୍‌ ଫ୍ଲ୍ୟୁ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି। ଏହି ୱାର୍ଡରେ କାମ କରୁଥିବା ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ପ୍ରୋଟୋକଲ୍ ଅନୁଯାୟୀ ନିଜ ନିଜର ସୁରକ୍ଷା ପାଇଁ ସବୁପ୍ରକାର ପଦକ୍ଷେପ ନେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ସ୍ୱାଇନ୍‌ ଫ୍ଲ୍ୟୁରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କୁ ଚିକିତ୍ସା ପରେ ତାଙ୍କୁ ଛୁଟି ଦିଆଯାଇଛି। ଘରେ ତାଙ୍କର ଚିକିତ୍ସା ଜାରି ରହିବ।

ଗୁରୁବାର ଦିନ ଭୁବନେଶ୍ୱରସ୍ଥିତ ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଣ୍ଟରକୁ (ଆର୍‌ଏମଆର୍‌ସି) ୨୪ଟି ସାମ୍ପଲ୍ ପରୀକ୍ଷା ପାଇଁ ଆସିଥିଲା। ତା’ ଭିତରୁ ୧୩ଟି ପଜିଟିଭ୍ ଜଣାପଡ଼ିଛି। ଏହି ରୋଗୀମାନଙ୍କ ମଧ୍ୟରୁ ଜଣେ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ଆଉ ଜଣେ ବୁର୍ଲାର ଭିମ୍‌ସାରରେ ଚିକିତ୍ସିତ ଅଛନ୍ତି। ଅନ୍ୟମାନେ କଟକ ଓ ଭୁବନେଶ୍ୱରର ବିଭିନ୍ନ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସ୍ୱାଇନ୍‌ ଫ୍ଲ୍ୟୁରେ ଚିକିତ୍ସିତ ହେଉଥିବା ମୋଟ୍ ରୋଗୀଙ୍କ ମଧ୍ୟରେ ଗୋଟିଏ ଦୁଇବର୍ଷ ଶିଶୁ ମଧ୍ୟ ରହିଛି। ଏହି ରୋଗୀମାନଙ୍କ ମଧ୍ୟରେ କଟକ, ଖୋର୍ଦ୍ଧା, ବରଗଡ଼, କେନ୍ଦୁଝର ସହିତ ପଶ୍ଚିମବଙ୍ଗର ନିବାସୀ ରହିଛନ୍ତି।

ଏପର୍ଯ୍ୟନ୍ତ ରାଜ୍ୟରେ ୨୮୧ଟି ନମୁନା ପରୀକ୍ଷା ପାଇଁ ଆସିଥିବା ବେଳେ ତା ମଧ୍ୟରୁ ୮୪ଟି ପଜିଟିଭ୍‌ ବାହାରିଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଓଡ଼ିଶାଲାଇଭ୍‌କୁ ସୂଚନା ଦେଇଛନ୍ତି।

Tags: H1N1, H1N1 Flu Virus, H1N1 Virus, Influenza Virus, OdishaLIVE, Swine Flu, Swine influenza

Comment