ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରସାଦ ହରିଶ୍ଚନ୍ଦନଙ୍କ ସଭାପତିତ୍ୱକୁ ଇତିମଧ୍ୟରେ ଅଢେଇ ବର୍ଷ ପୂରିଯାଇଛି, ଆଉ ଏହି ସମୟ ମଧ୍ୟରେ କଂଗ୍ରେସ ରାଜନୀତିରେ ଅନେକ ଘଟଣା ଏବଂ ଦୁର୍ଘଟଣା ଘଟିଯାଇଛି ଘର କଳି କେବେଠୁ ଯାଇ ଦିଲ୍ଲୀରେ ପଡ଼ିବା ଫଳରେ ଏବେ ଘର ସଜାଡ଼ିବାକୁ ଆସିଛନ୍ତି ପର୍ଯ୍ୟବେକ୍ଷକ ତାଙ୍କ ରିପୋର୍ଟ ଉପରେ ନିର୍ଭର କରିବ କିଏ ଯିବେ, କିଏ ଆସିବେ!

ଭୁଶୁଡି ଗଲାଣି କଂଗ୍ରେସ ସଙ୍ଗଠନ। ତୃଣମୂଳ ସ୍ତରର କର୍ମୀ ଆଉ ରାଜ୍ୟ ନେତୃବୃନ୍ଦଙ୍କ ନିୟନ୍ତ୍ରଣରେ ନାହାନ୍ତି। ଢେଙ୍କାନାଳ, ଅନୁଗୁଳ ଏବଂ ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ଦଳ ଛାଡ଼ିବା ପରେ ରାଜ୍ୟ ନେତୃବୃନ୍ଦଙ୍କ ବିରୋଧରେ ପ୍ରବଳ ଅସନ୍ତୋଷ ଭରିରହିଛି ବୋଲି ଜଣାପଡ଼ିଥିଲା। ବିଶେଷକରି ପଞ୍ଚାୟତ ନିର୍ବାଚନରେ ଦଳ ବିଫଳ ହେବା ପରେ ଗାଁ ଲୋକେ କଂଗ୍ରେସକୁ ଚାହୁଁନାହାନ୍ତି ବୋଲି ଏକ ଧାରଣା ସୃଷ୍ଟି ହୋଇଥିଲା। ଫଳରେ ନେତୃତ୍ୱ ପରିବର୍ତ୍ତନ ଦାବି ଜୋର୍‍ ଧରିଥିଲା।

ନେତୃତ୍ୱ ପରିବର୍ତ୍ତନକୁ ନେଇ ଲାଗି ରହିଥିବା କଳି ତୁଟାଇବା ପାଇଁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଦଳର ତୁଙ୍ଗ ନେତାଙ୍କୁ ଦିଲ୍ଲୀ ଡାକି ଆଲୋଚନା କରିଥିଲେ ମଧ୍ୟ ବିବାଦ ଥମି ନ ଥିଲା। ଶେଷରେ ଏଆଇସିସି ବିବାଦ ସମାଧାନ କରିବା ପାଇଁ ଅଣ୍ଟା ଭିଡ଼ିଛି। ଏଥିପାଇଁ ପୂର୍ବତନ ମନ୍ତ୍ରୀ ଜିତେନ୍ଦ୍ର ସିଂହ, ଗୌରବ ଗୋଗଇ ଏବଂ ତାମ୍ରଧ୍ୱଜ ସାହୁ ଓଡିଶା ଗସ୍ତରେ ଆସି ସାଙ୍ଗଠନିକ ସ୍ଥିତିକୁ ସମୀକ୍ଷା କରିଛନ୍ତି। ଦଳର ବିଧାୟକ ଏବଂ ତୁଙ୍ଗ ନେତାମାନଙ୍କୁ ଭେଟି ଆଲୋଚନା କରିଛନ୍ତି। କେନ୍ଦ୍ରରୁ ଆସିଥିବା ଏହି ୩ ପର୍ଯ୍ୟବେକ୍ଷକ ହାଇକମାଣ୍ଡଙ୍କୁ ଓଡ଼ିଶାର ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବେ। ତେବେ ଏହି ରିପୋର୍ଟରେ ହିଁ ପ୍ରସାଦଙ୍କ ଭାଗ୍ୟ ଲଟକିଥିବା କୁହାଯାଉଛି।

ଲଟକିଛି ପ୍ରସାଦଙ୍କ ଭାଗ୍ୟ

୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସରେ ଆରମ୍ଭ ହୋଇଥିବା କଳି ଏପର୍ଯ୍ୟନ୍ତ ତୁଟିପାରୁନି। ପିସିସି ଚୌକିକୁ ନେଇ ଏହି କଳି ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି। ପ୍ରସାଦ ହରିଚନ୍ଦନଙ୍କୁ ସଭାପତି ପଦରୁ ହଟାଇ ନିରଞ୍ଜନ ପଟ୍ଟନାୟକଙ୍କୁ ପୁଣିଥରେ ଏହି ପଦବୀରେ ବସାଇବା ପାଇଁ ବିଧାୟକମାନେ ଲବି କରୁଛନ୍ତି। ୨୦୧୪ ନିର୍ବାଚନ ବୈତରଣୀରେ ବୁଡ଼ିଯାଇଥିବା କଂଗ୍ରେସ ଡଙ୍ଗାକୁ କୂଳରେ ଲଗାଇବା ପାଇଁ କଂଗ୍ରେସ ହାଇକମାଣ୍ଡ ପ୍ରସାଦ ହରିଚନ୍ଦନଙ୍କ ହାତରେ ଦାୟିତ୍ୱ ଦେଇଥିଲେ। ୨୦୧୪ ଡିସେମ୍ବର ୧୫ରେ ହଠାତ୍‍ ଜୟଦେବ ଜେନାଙ୍କୁ ହଟାଇ ପ୍ରସାଦ ପିସିସି ଚୌକିରେ ବସିବେ ବୋଲି ହାଇକମାଣ୍ଡ ନିଷ୍ପତ୍ତି ନେଇଥିଲେ। ସେହିଦିନଠାରୁ ପ୍ରସାଦ କଂଗ୍ରେସ ସଙ୍ଗଠନର ମଙ୍ଗ ଧରିଛନ୍ତି। ପ୍ରସାଦଙ୍କ ସଭାପତିତ୍ୱକୁ ଇତି ମଧ୍ୟରେ ଅଢେ଼ଇ ବର୍ଷ ପୂରିଯାଇଛି। ଆଉ ଏହି ସମୟ ମଧ୍ୟରେ କଂଗ୍ରେସ ରାଜନୀତିରେ ଅନେକ ଘଟଣା ଏବଂ ଦୁର୍ଘଟଣା ଘଟିଯାଇଛି। ତଥାପି ସଙ୍ଗଠନ ମଜଭୁତ ହେବା ବଦଳରେ ଅଧିକ ବିପର୍ଯ୍ୟସ୍ତ ହୋଇଯାଇଛି।

ପ୍ରସାଦ ପିସିସି ସଭାପତି ଭାବେ ମନୋନୀତ ହେବା ପରେ ତାଙ୍କ ରାଜମହଲସ୍ଥିତ ବାସଭବନକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ପ୍ରସାଦ କଂଗ୍ରେସଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଉତ୍ସବରେ ସବୁ ବର୍ଗର ନେତା ଉପସ୍ଥିତ ରହିଥିବାରୁ ଓଡ଼ିଶାବାସୀଙ୍କ ମନରେ ଧାରଣା ସୃଷ୍ଟି ହେଲା ଯେ, ପ୍ରସାଦ କଂଗ୍ରେସ ସଙ୍ଗଠନକୁ ମଜବୁତ କରିବେ ଏବଂ ନେତାନେତାଙ୍କ ଭିତରେ ଥିବା ମତାନ୍ତର ଓ ମନାନ୍ତରକୁ ଦୂର କରିବେ। ସେଥିପାଇଁ ସେ ‘ମୁଁ ନୁହେଁ ଆମେ’ ସ୍ଲୋଗାନ୍‍ ଦେଇ ୧୪ ବର୍ଷର ଦୁର୍ନୀତିଗ୍ରସ୍ତ ସରକାର ବିରୋଧରେ ଲଢେ଼ଇ କରିବାକୁ ସଂକଳ୍ପ ନେଇଥିଲେ। ହେଲେ ପ୍ରସାଦଙ୍କ ଏହି ସ୍ଲୋଗାନ୍‍ ସଫଳ ହେବା ପରିବର୍ତ୍ତେ ବିଫଳ ହୋଇଥିବା କୁହାଯାଉଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ଦଳ ଛାଡ଼ିବା ପ୍ରସାଦଙ୍କ ନେତୃତ୍ୱ ପାଇଁ ବଡ଼ ଝଟକା ଥିଲା।  ପ୍ରସାଦଙ୍କର ଆଉ ଏକ ବିଫଳତା ଥିଲା ନିଜସ୍ୱ ଟିମ୍‍ ଗଠନ କରିବାରେ ପଛେଇ ଯିବା। କାହାକୁ କାଟିବେ ଆଉ କାହାକୁ ରଖିବେ ତାକୁ ନେଇ ଚିନ୍ତାରେ ପଡ଼ିଯାଇଥିବାରୁ ନୂଆ ଟିମ୍‍ ଗଠନ କରିବା ପାଇଁ ପ୍ରସାଦଙ୍କୁ ୬ ମାସ ଲାଗି ଯାଇଥିଲା। ଶେଷରେ ସେ ଏମିତି ଏକ ଟିମ୍‍ ଗଢ଼ିଲେ ଯାହା ସମସ୍ତଙ୍କୁ ଚକିତ କରିଦେଲା। ମୂଷା ମରିବନି କି ବାଡ଼ି ଭାଙ୍ଗିବନି ନ୍ୟାୟରେ ସେ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପାଇଁ ଟିମରେ ସାମିଲ୍‍ କରିଥିଲେ। ହେଲେ ଏହାକୁ ଗ୍ରହଣ କରିପାରିଲେ ନାହିଁ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ।

ସେ ପ୍ରସାଦଙ୍କ ବିଶାଳକାୟ ଟିମ୍‍କୁ କଟୁ ସମାଲେଚନା କରିଥିଲେ। ପ୍ରସାଦ ଜଣେ ନିର୍ବିବାଦୀୟ ନେତା ଓ ନିର୍ମଳ ଭାବମୂର୍ତ୍ତିର ବ୍ୟକ୍ତି ହୋଇଥିବାରୁ ଦଳରେ ବିରୋଧାଭାଷ କମ୍‍ ହେବ ବୋଲି ଯାହା ଆଶା କରାଯାଉଥିଲା ତାହା ସମ୍ଭବ ହୋଇପାରିଲା ନାହିଁ। ୨୦୧୫ରେ ପିସିସି ସଭାପତି ଓ ବିରୋଧୀଦଳ ନେତାଙ୍କ ଅଗୋଚରରେ କଂଗ୍ରେସର ୧୨ ଜଣ ନେତା ଦିଲ୍ଲୀ ଯିବା ଘଟଣା କଂଗ୍ରେସ ରାଜନୀତିକୁ ହଲଚଲ କରିଦେଇଥିଲା।

ପୁଣି ସେହି ବର୍ଷ ପ୍ରଥମ ପର୍ଯ୍ୟାୟ ଜାଗରଣ ଯାତ୍ରା ଚାଲିଥିବାବେଳେ କଂଗ୍ରେସର ଆଉ କିଛି ବିଧାୟକ ଦିଲ୍ଲୀ ଯାଇ ପଟ୍ଟନାୟକ ପରିବାର ସପକ୍ଷରେ ଓକିଲାତି କରିବା ଘଟଣା ପୁଣି ଥରେ ପିସିସି ସଭାପତିଙ୍କ ସାଙ୍ଗଠନିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ଉଠାଇଥିଲା। କଳାହାଣ୍ଡି ଜିଲ୍ଲା ସଭାପତି ଚୟନରେ ପକ୍ଷପାତିତାକୁ ନେଇ ପ୍ରସାଦ ଓ ଭକ୍ତ ମୁହାଁମୁହିଁ ହୋଇଥିଲେ। ଭକ୍ତ ପ୍ରସାଦଙ୍କ ‘ଆମେ’ ସ୍ଲୋଗାନ୍‍ ଉପରକୁ ଆଙ୍ଗୁଳି ଦେଖାଇ ରାଜନୀତିକୁ ସରଗରମ୍‍ କରିଥିଲେ। ଏତିକିରେ ଅଟକି ନ ଥିଲା କଳି। ମହାନଦୀ ପ୍ରସଙ୍ଗକୁ ନେଇ ଗଠିତ ମିଳିତ ମଞ୍ଚରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯୋଗଦେବାକୁ ନେଇ ପ୍ରସାଦ-ନରସିଂହଙ୍କ ମଧ୍ୟରେ ତାଳମେଳ ଅଭାବ ରହିଥିଲା। ଫଳରେ ବିଧାୟକ ଏବଂ ପିସିସି ଟିମ୍‍ ଦୁଇ ଫାଳ ହୋଇଯାଇଥିଲା।

ଅଢେ଼ଇ ବର୍ଷ ଭିତରେ ଦଳରେ ଏତେସବୁ ଘଟଣା ଘଟିବା ପରେ ଓଡ଼ିଶା ସଙ୍ଗଠନ ଉପରେ ହାଇକମାଣ୍ଡ ଦୃଷ୍ଟି ଦେଇଛନ୍ତି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବରିଷ୍ଠ ନେତା ଭକ୍ତ ଚରଣ ଦାସ, ରାଜ୍ୟସଭା ସଦସ୍ୟ ରଞ୍ଜିବ ବିଶ୍ୱାଳ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ଏବଂ ବିଧାୟକଙ୍କୁ ଭେଟି ଆଲୋଚନା କରିଛନ୍ତି। ତେବେ ଦେଖାଯାଉ କଂଗ୍ରେସରେ ଦେଖାଦେଇଥିବା ବିପର୍ଯ୍ୟୟକୁ ହାଇକମାଣ୍ଡ କେମିତି ସୁଧାରୁଛନ୍ତି?

(ପ୍ରସ୍ତୁତି: ସରୋଜ)

Tags: Saroj, Odisha Politics, Odisha Congress, Congress, Rahul Gandhi, Jitendra Singh, Tamradhwaja Sahu, Gourav Gogoi, Prasad Harischandan, Giridhar Gamang

Comment