ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦକ୍ଷିଣ ଓଡ଼ିଶାରେ ଆଦିବାସୀ ମା’ର ଦୁର୍ଦ୍ଦଶା କମିବାର ନାଁ ନେଉନାହିଁ। ନବରଙ୍ଗପୁର, ମାଲକାନଗିରି ଜିଲ୍ଲା ସହ ରାୟଗଡ଼ାର କଲ୍ୟାଣସିଂହପୁରରେ ଜନନୀଯାତନା ଚିତ୍ର ସର୍ବାଧିକ ଦେଖିବାକୁ ମିଳୁଛି। ତାହା ପୁଣି ନିୟମିତ। ପୂର୍ବରୁ ଏହି ବ୍ଲକର ୧୫ ଜଣ ଗର୍ଭବତୀ ଭାର, ଖଟିଆ, ଦୋଳା, ଟ୍ୟୁବ୍‌ରେ ବୁହାହୋଇ ପ୍ରସବ ପାଇଁ ଡାକ୍ତରଖାନା ଆସିଛନ୍ତି। 

ଏସବୁ ବିଡ଼ମ୍ବିତ ଚିତ୍ର ଦେଖିବା ପରେ ମନେହେଉଛି ଏ ଅଞ୍ଚଳରେ ମା’ ହେବା ଏକ ଅଭିଶାପ। ପ୍ରଶାସନ ସେମାନଙ୍କ ପାଇଁ ଏବେ ନୂତନ ଭାବେ ବାଇକ୍ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛି। କିନ୍ତୁ ଦୁର୍ଗମ ଅଞ୍ଚଳରେ ପ୍ରତି ଗାଁକୁ ରାସ୍ତାଟିଏ ଏହାଠାରୁ ବେଶୀ ଜରୁରୀ ହୋଇପଡ଼ିଛି। ଆଦିବାସୀ ମା’ ପାଇଁ ଏବେ ପକ୍କା ସଡ଼କଟିଏ ଲୋଡ଼ା।

ଆମାଲୁ’ଙ୍କ ଭଳି ଆହୁରି ଅନେକ ଗର୍ଭବତୀଙ୍କ ଦୁର୍ଦ୍ଦଶା:

ଗତ ୧୬ ତାରିଖ କଲ୍ୟାଣସିଂହପୁର ବ୍ଲକରେ ପୁଣି ଜଣେ ଗର୍ଭବତୀ ମହିଳାଙ୍କୁ ଭାରରେ କାନ୍ଧେଇ ନେଇ ନଦୀ ପାର ହୋଇଛନ୍ତି ସମ୍ପର୍କୀୟ। ମହିଳାଜଣକ ହେଉଛନ୍ତି ବ୍ଲକର ମାଝିଗୁଡ଼ା ପଞ୍ଚାୟତ କତାଗୁଡ଼ା ଗ୍ରାମର ନୀଳମଣି ପ୍ରାସ୍କାଙ୍କ ପତ୍ନୀ ଆମାଲୁ (୨୪)। ଗୋଟିଏ ସପ୍ତାହ ତଳେ ଠିକ୍ ଏହି ଗାଁରୁ ୨ ଜଣ ଗର୍ଭବତୀ ସମଦଶା ଭୋଗିଥିଲେ। ଖଟିଆରେ ବୁହାହୋଇ ସେମାନେ ଯାଇଥିଲେ ଡାକ୍ତରଖାନା। 

ଆମାଲୁଙ୍କ ଭଳି ଗତ ଗୋଟିଏ ମାସ ମଧ୍ୟରେ କେବଳ କଲ୍ୟାଣସିଂହପୁର ବ୍ଲକରେ ଜନନୀ ଯାତନାର ଏଭଳି ୧୫ଟି ଅଭାବନୀୟ ଦୃଷ୍ଟାନ୍ତ ସାମ୍ନାକୁ ଆସିଲାଣି। ନବରଙ୍ଗପୁର ଜିଲାରେ ମଧ୍ୟ ୫/୭ଟି ଏବଂ ମାଲକାନଗିରିରେ ୨ଟି ଏପରି ଘଟଣା ଗତ ମାସକ ମଧ୍ୟରେ ଦେଖିବାକୁ ମିଳିଛି।

ବାଇକ୍ ଆମ୍ବୁଲାନ୍ସ ପୂର୍ବରୁ ପକ୍କା ରାସ୍ତା ଜରୁରୀ :

ଦକ୍ଷିଣ ଓଡ଼ିଶାରେ ଏବେ ମଧ୍ୟ ଗମନାଗମନ ବିପର୍ଯ୍ୟସ୍ତ ହୋଇ ରହିଛି। ଅନେକ ଗାଁକୁ ଭଲ ପକ୍କା ରାସ୍ତା ଖଣ୍ଡେ ନାହିଁ। ଏପରିକି ଅଧିକାଂଶ ଗାଁ ଦୁର୍ଗମ ଓ ଯାତାୟତ ଅନୁପଯୋଗୀ ଅବସ୍ଥାରେ ରହିଛି। ଚାରିଚକିଆ କଥା ତ ଅଲଗା, ଦୁଇଚକିଆ ଯାନ ଖଣ୍ଡେ ଯିବା ପାଇଁ ମଧ୍ୟ ଅସମ୍ଭବ। ବର୍ଷାଦିନେ ତ ଏ ସବୁ ଦୁର୍ଗମ ଅଞ୍ଚଳର ରାସ୍ତା ଆଣ୍ଠୁଏ କାଦୁଅରେ ଭର୍ତ୍ତି ହୋଇ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡେ଼।

ଏହା ବ୍ୟତୀତ କଲ୍ୟାଣସିଂହପୁରରେ ଚଳିତ ବର୍ଷ ଯେଉଁ ବନ୍ୟା ଆସିଥିଲା, ସେଥିରେ ରାସ୍ତାଘାଟ ଓ ପୋଲ ଆଦି ଧୋଇଯିବା ଫଳରେ ଆଦିବାସୀ ଗାଁର ଲୋକଙ୍କ ପାଇଁ ଦୁର୍ଦ୍ଦଶା ବଢ଼ିଯାଇଛି। ଏନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ହେଉଥିଲେ ମଧ୍ୟ ସରକାର କିମ୍ବା ପ୍ରଶାସନର ଆନ୍ତରିକତା ଓ ତତ୍ପରତା ଦେଖିବାକୁ ମିଳୁନାହିଁ। ଲୋକେ ବାଧ୍ୟହୋଇ ବିପଦଜନକ ଅବସ୍ଥାରେ ଗର୍ଭବତୀଙ୍କୁ ଦୋଳା କି ଖଟିଆରେ ବୋହି ଡାକ୍ତରଖାନା ଆଣୁଛନ୍ତି।

ଏହାର ପରିଣତି ହେଉଛି ଅଧିକାଂଶ ମହିଳାଙ୍କ ଡାକ୍ତରଖାନାକୁ ଆସିବା ବାଟରେ ହିଁ ଅସୁରକ୍ଷିତ ପ୍ରସବ। ବେଳେବେଳେ ସେଥିରେ ମା’ କିମ୍ବା ଶିଶୁର ଜୀବନ ମଧ୍ୟ ଯାଉଥିବାର ଅନେକ ନଜିର ଦେଖିବାକୁ ମିଳୁଛି। ସରକାରଙ୍କ ଜନନୀ ସୁରକ୍ଷା, ଯଶୋଦା ଭଳି କଲ୍ୟାଣକାରୀ ଯୋଜନା ସେମାନଙ୍କୁ ସହାୟକ ହୋଇପାରି ନାହିଁ। ଏଠାରେ ସରକାର ଏବେ ବାଇକ୍ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହାଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରତି ଗାଁକୁ ରାସ୍ତା।

ସୁରକ୍ଷିତ ମାତୃତ୍ୱ ହେଉଛି ମା’କୁ ପ୍ରକୃତ ସମ୍ମାନ :

କଲ୍ୟାଣସିଂହପୁର ବ୍ଲକର ନିୟମଗିରି ପାହାଡ଼ ଉପରେ ଥିବା ପାର୍ସାଲି ପଞ୍ଚାୟତ ଗତ ବନ୍ୟାରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ସେଠାକାର ନିଶିଖାଲ, ସାନ ଡେଙ୍ଗଲେଲି, ପାତଲମ୍ବା ଓ ଲାମ୍ବା ଗ୍ରାମର ୪ ଜଣ ଗର୍ଭବତୀ ମହିଳାଙ୍କୁ ଲୋକେ ଭାରରେ ବୋହି କଲ୍ୟାଣସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏମାନଙ୍କ ମଧ୍ୟରୁ କିଏ ୫ କିଲୋମିଟର ତ ଅନ୍ୟ କେହି ୧୫ କିଲୋମିଟର ବାଟ କାନ୍ଧରେ ଭାର ଥାଇ ପାଦରେ ଚାଲିଚାଲି ଆସିଥିଲେ। ବାଟରେ କଲ୍ୟାଣୀ ନଦୀ ପାର ହୋଇ ସେମାନେ ସମସ୍ତେ ବ୍ଲକ ଡାକ୍ତରଖାନାରେ ପହଞ୍ଚିଥିଲେ।

ଅନେକ ସ୍ଥାନରେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣା ଅନୁଭବ କଲେ ପରିବାର ଲୋକେ ୧୦୨ କିମ୍ବା ୧୦୮ ଆମ୍ବୁଲାନ୍ସକୁ ଖବର ଦେଉଛନ୍ତି। କିନ୍ତୁ ଦୁର୍ଗମ ଅଞ୍ଚଳ ଓ ଗମନାଗମନର ଭିତ୍ତିଭୂମି ଅଭାବ ଯୋଗୁ ଅନେକ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ। ଅନେକ ସ୍ଥାନରେ ନଦୀ ପ୍ରତିବନ୍ଧକ ସାଜୁଛି। ସେହି ଅଞ୍ଚଳରେ ମା’ଘର କିମ୍ବା ପ୍ରସୂତି ଗୃହ ନାହିଁ। ଏଥିରୁ ଏଠାକାର ସ୍ୱାସ୍ଥ୍ୟସେବା ଓ ଗମନାଗମନର ଦୟନୀୟ ଚିତ୍ର ସାମ୍ନାକୁ ଆସେ।

ଜୁଲାଇ ମାସରୁ ଅଗଷ୍ଟ ଏବେ ସୁଦ୍ଧା ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲାରେ ଏହି ସମୟ ମଧ୍ୟରେ ୨୦ରୁ ୨୨ଟି ଜନନୀ ଯାତନାର ଚିତ୍ର ଦେଖିବାକୁ ମିଳିଛି। ବିଡ଼ମ୍ବନା ହେଉଛି, ଦକ୍ଷିଣ ଓଡ଼ିଶା ପାଇଁ ଏଭଳି ଚିତ୍ର ଦେହସୁହା ଓ ନିୟମିତରେ ପରିଣତ ହୋଇଗଲାଣି। ନିୟମିତ ବ୍ୟବଧାନରେ ଜଣେ ଗର୍ଭବତୀ ମହିଳାଙ୍କୁ ଦୋଳା କିମ୍ବା ଖଟିଆରେ ନିଆଯାଉଥିବା କିମ୍ବା ନଦୀ ପାର କରାଯାଉଥିବା ଘଟଣା ଗଣମାଧ୍ୟମର ଶିରୋନାମା ପାଲଟୁଛି।

ସୁରକ୍ଷିତ ମାତୃତ୍ୱର ସ୍ଳୋଗାନ ଦେଉଥିବା ସରକାର ଦୁର୍ଗମ ଅଞ୍ଚଳରୁ ଗର୍ଭବତୀ ମହିଳାଙ୍କୁ କିପରି ସମୟ ପୂର୍ବରୁ ସୁରକ୍ଷିତ ଭାବେ ଡାକ୍ତରଖାନା ଅଣାଯାଇପାରିବ, ସେ ଦିଗରେ ଚିନ୍ତା ଓ ବ୍ୟବସ୍ଥା କରିବା ଜରୁରୀ ହୋଇପଡ଼ିଛି। 

(ପ୍ରସ୍ତୁତି: ସନ୍ତୋଷ)

Tags: Santosh, Pregnant woman, Punam Tapas Kumar, Rashmita Panda, Ambulance, Safe Motherhood

Comment