ଡକ୍ଟର ହରପ୍ରସନ୍ନ ଦାସ

(ଦ୍ୱିତୀୟ ଭାଗ)

ପ୍ରତ୍ୟେକ ଦକ୍ଷତାର ବିକାଶ ପାଇଁ ଏକ ଶୈଳୀ ବା ପ୍ରଣାଳୀର ଆବଶ୍ୟକତା ରହିଛି। ମନଇଚ୍ଛା କାମ କରିଗଲେ ଯେ ଆମ ଜୀବନରେ ଦକ୍ଷତାର ବିକାଶ ହୋଇଯିବ ତାହା ଭାବିବା ଠିକ୍ ନୁହେଁ। ସଠିକ୍ ପ୍ରଣାଳୀରେ ସଠିକ୍ ସମୟରେ ସଠିକ୍ ମନୋଭାବ ନେଇ କାମଟି କଲେ ହିଁ ଆମର ଦକ୍ଷତାର ବିକାଶ ସମ୍ଭବ ହେବ। ସମ୍ବେଦନଶୀଳ ମନୋଭାବ ପୋଷଣର ସଠିକ୍ ପ୍ରଣାଳୀଗୁଡ଼ିକ ହେଉଛି:

ସକରାମତ୍କ ମନୋଭାବ

ପ୍ରତ୍ୟେକ ପରିସ୍ଥିତିରେ ଆମକୁ ସକରାମତ୍କ ମନୋଭାବ ରଖିବାକୁ ହେବ। ଆମ ଜୀବନରେ ପ୍ରତ୍ୟେକ ସମୟରେ ଅବା ପ୍ରତ୍ୟେକ ଘଟଣାରେ ଅନେକ ବାଧାବିଘ୍ନ ଦେଖାଯିବ। ଜୀବନର ଗତିପଥରେ ଅନେକ ଖାଲଢ଼ିପ ଦେଖାଯିବ। ସଫଳତାର ମାନଚିତ୍ରରେ ବିଫଳତାର ଚିତ୍ର ଆସିବ ହିଁ ଆସିବ। ଏଣୁ ନକରାମତ୍କ ମନୋଭାବ ପ୍ରଥମେ ଆମ ଭାବନାରେ ଆସିଯାଇଥାଏ। ତାହା ଆମକୁ ବିଚଳିତ କରିଦିଏ। ମୁଣ୍ଡ ଅସ୍ଥିର ହୋଇଥାଏ। ଠିକ୍ ବାଟ ଛାଡ଼ି ଆମେ ଭୁଲ୍ ବାଟରେ ମାଡ଼ିଯାଉ।

ଏଣୁ ସମ୍ବେଦନଶୀଳ ମନୋଭାବ ବଦଳରେ ବିରକ୍ତିଭାବ ଅବା ପ୍ରତିକ୍ରିୟାଶୀଳ ମନୋଭାବ ସୃଷ୍ଟି ହୋଇଥାଏ। ଅବସ୍ଥା ଆହୁରି ଜଟିଳ ହୋଇଉଠେ। ଅନ୍ୟର ମନକୁ ବୁଝିବା ପରିବର୍ତ୍ତେ  ଭୂଲ୍ ବୁଝାମଣା ଆରମ୍ଭ ହୋଇଯାଏ। ଶେଷରେ ମନ ବିଷାକ୍ତ ହୋଇ ସମ୍ପର୍କ କଟିଯାଇଥାଏ। ଏଣୁ ପରିସ୍ଥିତି ଯେତେ ଜଟିଳ ହେଲେ ବି ଆମର ସକାରାମତ୍କ ମନୋଭାବ ରଖିବା ନିହାତି ଜରୁରୀ। ଏହା ଫଳରେ ଅନ୍ଧାର ଭିତରେ ଆମକୁ ଆଲୋକର ରେଖା ଦେଖାଯିବ।

ଶୁଣିବା ପାଇଁ ଧୈର୍ଯ୍ୟ

ସମ୍ବେଦନଶୀଳ ମନୋଭାବର ପ୍ରଥମ ଲକ୍ଷଣ ହେଲା ଯେ ଆମେ ଅନ୍ୟର କଥାକୁ ଆଗ୍ରହର ସହିତ ଶୁଣିବା। ଶୁଣିବା କାମଟି ଏତେ ସହଜ ନୁହେଁ। ଏଥିପାଇଁ ଅନେକ ଧୈର୍ଯ୍ୟ ଦରକାର। ମନରେ ଆଗ୍ରହ ଥିବା ଦରକାର। ସାଧାରଣ ମଣିଷର ସହଜାତ ଗୁଣ ହେଲା ନିଜ କଥା ଅନ୍ୟକୁ ଶୁଣାଇବା। ଆମେ ସବୁ ଚାହୁଁ ଯେ ଅନ୍ୟମାନେ ଆମ କଥାକୁ ଆଗ୍ରହର ସହିତ ଶୁଣନ୍ତୁ, ବୁଝନ୍ତୁ ଏବଂ ମତାମତ ଦିଅନ୍ତୁ। ଆହୁରି ଆମେ ଖୁସି ହେବୁ ଯେତେବେଳେ ଅନ୍ୟମାନେ ଆମ କଥା ଶୁଣି ଆମର ପ୍ରଶଂସା କରିବେ। ଖୁସି ହେବା ସହିତ ଅନ୍ୟମାନଙ୍କ ପାଖରେ ଆମ ଗୁଣ ଗାନ କରିବେ।

ଦୁଃଖର କଥା ଯେ ଅନ୍ୟ ଲୋକଟି ବି ସେହି ବ୍ୟବହାର ଆମଠାରୁ ଆଶା କରୁଛି, ସେକଥା ଆମେ ଭୁଲିଯାଉ। ସେ ମଧ୍ୟ ଚାହୁଁଥାଏ ଯେ ଆମେ ତା କଥାକୁ ଆଗ୍ରହର ସହିତ ଶୁଣିବୁ, ବୁଝିବୁ ଓ ବୁଝି ନପାରିଲେ ପଚାରିବୁ। ତା ମନର ଆବେଗକୁ ଅନୁଭବ କରିବୁ, ତାହାର ଦୁଃଖରେ ସହଭାଗୀ ହେବୁ। ତା’ର ଭଲ କଥାକୁ ପ୍ରଶଂସା କରିବୁ। ବହୁତ କମ୍ ଲୋକ ଏଥିପ୍ରତି ଦୃଷ୍ଟି ଦେଇଥାନ୍ତି। ଆମେମାନେ ଏତେ ସ୍ୱାର୍ଥପର ହୋଇଯାଉ ଯେ ଅନ୍ୟଲୋକର ଭାବନାକୁ ସମ୍ମାନ ଦେବାତ ଦୂରର କଥା, ସେଥିପ୍ରତି ସଚେତନ ହୋଇ ନଥାଉ।

ଏଣୁ ଶୁଣିବା ପାଇଁ ଆମର ଧୈର୍ଯ୍ୟ ରହିବା ଦରକାର। ସେଥିପାଇଁ ଆଗ୍ରହ ପ୍ରକାଶ କରିବା ଆମ୍ଭର ପ୍ରଥମ ଦାୟିତ୍ୱ। ମନଧ୍ୟାନ ଦେଇ ଶୁଣିବା ଏକ କଳା। ଏଥିରେ ଦକ୍ଷତା ହାସଲ୍ କରିବାକୁ ହେବ। ମନେରଖିବାକୁ ହେବ ଯେ ମୁଁ ଅନ୍ୟର କଥାକୁ ମନଦେଇ ଶୁଣିଲେ ହିଁ ପ୍ରତିବଦଳରେ ସେ ଲୋକଟି ମୋ କଥାକୁ ମନଦେଇ ଶୁଣିବ। ଫଳରେ ଦୁଇ ପକ୍ଷର ସମ୍ବେଦନ ମନୋଭାବର ସମନ୍ୱୟ ବଜାୟ ରଖିପାରିବା। ଏହା ଆମର ଦାୟିତ୍ୱ ବୋଧ ଉପରେ ନିର୍ଭର କରେ।

ଶ୍ରଦ୍ଧା ଓ ସେବା ଭାବ

ସମ୍ବେଦନଶୀଳ ମନୋଭାବର ମୂଳଦୁଆ ହେଉଛି ଆମ ମନରେ ଥିବା ଶ୍ରଦ୍ଧା ଓ ସେବା ଭାବ। ଅନ୍ୟପ୍ରତି ମନରେ ଶ୍ରଦ୍ଧା ଅବା ସେବା ଭାବ ନଥିଲେ ଆମ ମନରେ ଅନ୍ୟପ୍ରତି ସମ୍ବେଦନଶୀଳ ମନୋଭାବ କେବେବି ସୃଷ୍ଟି ହେବନି। ଯଦିବା ହେବ ତେବେ ସେଥିରେ ପ୍ରାଣ ନଥିବ। ଏକ ଧରାବନ୍ଧା ନିୟମ ପରି କାର୍ଯ୍ୟଟି ହେବ। ସ୍ନେହ, ଶ୍ରଦ୍ଧା, ସମ୍ମାନ, ଭଲପାଇବା ଥିଲେ ହିଁ ପରସ୍ପର ମଧ୍ୟରେ ଏକ ଅପୂର୍ବ ସମ୍ପର୍କ ଯୋଡ଼ି ହୋଇଥାଏ। ଭାବର ଆଦାନପ୍ରଦାନ ସହଜ ହୋଇଯାଏ।

ମନର ସବୁକିଛି ଯନ୍ତ୍ରଣାକୁ କହିଦେଇ ମଣିଷଟିଏ ହାଲ୍‌କା ଅନୁଭବ କରେ। ଆମେ ସମସ୍ତେ ଅନ୍ୟଠାରୁ ଟିକେ ସ୍ନେହ, ଶ୍ରଦ୍ଧା, ସେବା ତଥା ସମ୍ମାନ ପାଇବାକୁ ଚାହିଁଥାଉ। ନପାଇଲେ ମନଦୁଃଖ ହୁଏ। କିନ୍ତୁ ଦେଲେ ସିନା ପାଇବା। ଏକଥା ଅନେକ ଲୋକ ଭୁଲିଯା’ନ୍ତି। ଏଣୁ ପ୍ରଥମେ ଆମେ ନିଜ ଭିତରେ ଶ୍ରଦ୍ଧା ଓ ସେବା ଗୁଣର ବିକାଶ କରିବା ଆବଶ୍ୟକ। କହିଦେଲେ ଏହା ହୋଇଯିବ ନାହିଁ। ଏଥିପାଇଁ ଆମକୁ ଆଗ୍ରହର ସହିତ ଅଭ୍ୟାସ କରିବାକୁ ହେବ। ନିୟମିତ ରୂପେ ଅଭ୍ୟାସ କଲେହିଁ ଏହି ଦକ୍ଷତାର ବିକାଶ ହୋଇପାରିବ।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ। ସେ ‘ମାନବ ଅଧ୍ୟୟନ କେନ୍ଦ୍ର’ର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏହି ଲେଖାଟି ‘ଦକ୍ଷତାର ବିକାଶ’ ସିରିଜ୍‍ ଅଧୀନରେ ପ୍ରକାଶିତ।)

Tags: Counseling, Dr. Haraprasanna Das, Empathy, Life Coach & Counselor, Positive Attitude, Sambedanashilata, Self Motivation

Comment