ଡକ୍ଟର ହରପ୍ରସନ୍ନ ଦାସ

(ପ୍ରଥମ ଭାଗ)

ନିଜକୁ ଚିହ୍ନିଲେ ହିଁ ଅନ୍ୟକୁ ଚିହ୍ନିବାଟା ସହଜ ହୋଇପାରିବ।

ମନରେ ଆଘାତ

ଆମେ ସମସ୍ତେ ଭାବପ୍ରବଣ। ଆମ ହୃଦୟକୁ କଷ୍ଟ ହେଲାପରି କଥା ପଦେ ଅନ୍ୟକେହି କହିଲେ ଆମ ମନରେ କଷ୍ଟ ହୁଏ। ଆଖିରୁ ଲୁହ ଗଡ଼ିଆସେ। ମୁହଁ ଶୁଖିଯାଏ। ମାନସିକ ଅଶାନ୍ତିରେ ମନ ଭାଙ୍ଗିପଡ଼େ। କାମ କରିବାକୁ ଇଚ୍ଛା ହୁଏନି। ମନରେ ସମସ୍ତ ପ୍ରକାରର ନକରାମତ୍କ ଭାବନା ସୃଷ୍ଟି ହୁଏ। ଆମେ ସମସ୍ତେ ଏହିପରି ଅନେକ ଘଟଣାର ସମ୍ମୁଖୀନ ହୋଇଛେ।

ଏହି ଅନୁଭୂତି ଆହୁରି ଗୁରୁତର ହୋଇ ଉଠେ ଯେତେବେଳେ ଆମର ଅତି ଆପଣାର କେହି ଜଣେ ଆମ ମନରେ କଷ୍ଟହେଲା ପରି କଥା କୁହନ୍ତି ଅବା କାମ କରନ୍ତି। ବିଶ୍ୱାସରେ ଧୋକା ଅବା ପରୋକ୍ଷରେ କ୍ଷତି କଲାପରି ମନ୍ଦ ଉଦ୍ଦେଶ୍ୟର କାମ କରିଥାନ୍ତି। ଆପଣାର ଲୋକମାନଙ୍କ ପାଖରୁ ଆମେ ସବୁବେଳେ ସ୍ନେହ, ଶ୍ରଦ୍ଧା ତଥା ମନକୁ ସୁହାଇଲା ପରି କଥା ଅବା କାମ ଆଶା କରିଥାଉ। କିନ୍ତୁ ତା’ର ଠିକ୍ ବିପରୀତ କାମଟିଏ କିଏ ଯଦି କରେ ତେବେ ଆମର ସବୁ ସୁଖ ଦୁଃଖରେ ପରିଣତ ହୋଇଯାଏ। ହସଟିଏ ଲୁହ ଆକାରରେ ବୋହିଯାଏ। ସବୁ ଆଲୁଅଗୁଡ଼ିକ ଅନ୍ଧାର ପାଲଟିଯାଏ ଜୀବନଟା ବିଷମୟ ଲାଗେ।

ସାଥିଟିଏ ଲୋଡ଼ା

ଆମ ମନର ଏହି ଘଡ଼ିସନ୍ଧି ସମୟରେ ଆମେ ସାଥିଟିଏ ଚାହୁଁ ଯାହା ପାଖରେ ଆମେ ମନର ଦୁଃଖକୁ ଖୋଲିକରି କହିପାରିବା। ନିଜ ମନର ଭାବନାକୁ, ଅନୁଭବକୁ, ବେଦନାକୁ, କାହାକୁ ସେହି ବ୍ୟକ୍ତି ପାଖରେ ଆଶା ଓ ବିଶ୍ୱାସର ସହିତ ବାଣ୍ଟି ପାରିବା ଯିଏକି ଶ୍ରଦ୍ଧା, ସ୍ନେହ ଓ ଧୈର୍ଯ୍ୟର ସହିତ ଆମକଥା ଶୁଣିବ। ମନଧ୍ୟାନ ଦେଇ ଆଗ୍ରହର ସହିତ ଆପଣାର ପରି ଆମ କଥାକୁ ବୁଝିବ ଓ ଅନୁଭବ କରିବ। ଆମ ଆଖିର ଲୁହକୁ ତଥା ହୃଦୟର ବ୍ୟଥାକୁ ଠିକ୍‌ ରୂପେ ହୃଦୟଙ୍ଗମ କରିପାରିବ। ଆମ ଲୁହକୁ ଆମ ବେଦନାକୁ ବୁଝିପାରି ତା ଆଖିରେ ବି ଲୁହ ଆସିଯିବ। ସବୁକିଛିରେ ସହଭାଗୀ ହୋଇ ସେ ବି ସମବେଦନା ଜଣାଇବ। ଆପଣାର କରିନେବ ଆମର ଦୁଃଖକୁ, ଭାବନାକୁ, ଲୁହକୁ ଓ ଆବେଗକୁ ଏହାହିଁ ସମ୍ବେଦନଶୀଳ ମନୋଭାବ।

ସ୍ୱାର୍ଥପରତା

ଆମେ ଯେପରି ଚାହୁଁଛୁ ଯେ ଅନ୍ୟଜଣେ କେହି ଆମ ମନକୁ ବୁଝୁ, ଆମ ଦୁଃଖକୁ ଅନୁଭବ କରୁ ଠିକ୍ ସେହିପରି ଅନ୍ୟମାନେ ବି ଆମଠାରୁ ସେହି ବ୍ୟବହାର ଚାହିଁଥା’ନ୍ତି। ଏହାହିଁ ମଣିଷ ଜୀବନର ବାସ୍ତବ ସତ୍ୟ। ଆଶ୍ଚର୍ଯ୍ୟର କଥା କହିଲେ ଚଳିବ ଯେ ଅଧିକାଂଶ ଲୋକଙ୍କ ପାଖରେ ଧୈର୍ଯ୍ୟ ନଥାଏ ଅବା ଆଗ୍ରହ ନଥାଏ ଅନ୍ୟ କାହାର ଦୁଃଖ ଅବା କଷ୍ଟକୁ ଶୁଣି ସହଭାଗୀ ହେବାପାଇଁ। ସମବେଦନା ଜଣାଇବା ପାଇଁ କିନ୍ତୁ ନିଜର ଦୁଃଖ ସମୟରେ ସେହି ବ୍ୟକ୍ତି ଅନ୍ୟମାନଙ୍କଠାରୁ ସମବେଦନା ହିଁ ଆଶା କରିଥାଏ।

ଗୋଷ୍ଠୀ ଜୀବନ 

ସମ୍ବେଦନଶୀଳ ମନୋଭାବ ଏକ ଉଚ୍ଚକୋଟୀର ମାନବୀୟ ଗୁଣ। ଏହା ଆମ ଜୀବନର ଏକ ବିଶେଷ ଦକ୍ଷତା। ସାମାଜିକ ପ୍ରାଣୀ ହିସାବରେ ଆମେ ଏକ ଗୋଷ୍ଠୀ ଜୀବନଯାପନ କରିଥାଉ। ପରସ୍ପରର ସାହାଯ୍ୟ, ସହଯୋଗ, ସ୍ନେହ ଶ୍ରଦ୍ଧା ନମିଳିଲେ ଆମେ ସୁଖ, ଶାନ୍ତିରେ ରହିପାରିବା ନାହିଁ। ଜୀବନରେ ଯେତେ ଯାହା ସଫଳତା ମିଳୁ ପଛକେ ଶାନ୍ତି ଓ ଆନନ୍ଦରେ ରହିବା ପାଇଁ ହେଲେ ସମସ୍ତଙ୍କ ସହିତ ସହଭାଗୀ ରୂପେ ସମ୍ବେଦନଶୀଳ ହୋଇ ରହିବା ଜରୁରୀ। ପରସ୍ପର ପ୍ରତି ସମ୍ବେଦନଶୀଳତା ହିଁ ଏକ ସଫଳ ଜୀବନର ମାପକାଠି। ସଦ୍‌ଭାବନା, ସତ୍କର୍ମ ହିଁ ସମ୍ଭବ ହୁଏ ସତସଙ୍ଗ ମିଳିଲେ।

ସମ୍ବେଦନଶୀଳତା ଏପରି ଏକ ମାନବିକ ଗୁଣ ଯାହାକି ପ୍ରତ୍ୟେକ ବ୍ୟକ୍ତି ପାଖରେ ରହିବା ଆବଶ୍ୟକ। ଏହି ଦକ୍ଷତାର ବିକାଶ ଓ କାର୍ଯ୍ୟକାରିତା ହିଁ ଆମ ଜୀବନର ସବୁ ବାଧାବିଘ୍ନ ତଥା ଅବସାଦକୁ ଦୂର କରିପାରିବ। ଏକ ସୁଖମୟ, ଶାନ୍ତିମୟ ଓ ସଫଳ ଜୀବନ ପାଇଁ ସମ୍ବେଦନଶୀଳ ମନୋଭାବକୁ ସମୃଦ୍ଧ କରିବା ନିହାତି ଜରୁରୀ ଏହା ଏକ ସାଧନା ସାଧନା କଲେ ହିଁ ସିଦ୍ଧି ସମ୍ଭବ ହେବ।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ। ସେ ‘ମାନବ ଅଧ୍ୟୟନ କେନ୍ଦ୍ର’ର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏହି ଲେଖାଟି ‘ଦକ୍ଷତାର ବିକାଶ’ ସିରିଜ୍‍ ଅଧୀନରେ ପ୍ରକାଶିତ।)

Tags: Counseling, Sambedanashilata, Empathy, Dr. Haraprasanna Das, Life Coach & Counselor, Positive Attitude, Self Motivation

Comment