କେଦାର ମିଶ୍ର

କେବଳ ଚିତ୍ରକଳା ନୁହେଁ, ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଲୋକ କଳା, ପର୍ଯ୍ୟଟନ ଓ କଳା ସଂଗଠନ କ୍ଷେତ୍ରରେ ଦିନନାଥଙ୍କର ଅବଦାନ ଅତୁଳନୀୟ।

ଯେମିତି କୋଣାର୍କ ବିନା ଓଡ଼ିଶୀ ଐତିହ୍ୟର ଆଲୋଚନା ସମ୍ଭବ ନୁହେଁ, ସେମିତି ଦିନନାଥ  ପାଠୀଙ୍କୁ ବାଦ୍ ଦେଇ ଆଧୁନିକ ଓଡ଼ିଶୀ ଚିତ୍ରକଳାର ଆକଳନ ସମ୍ଭବ ନୁହେଁ। ବର୍ଷେ ତଳେ ଠିକ୍‌ ଆଜିର ଦିନରେ ଦିନନାଥ ଅକସ୍ମାତ୍ ଆମ ସମସ୍ତଙ୍କଠୁ ସବୁଦିନ ଲାଗି ବିଦାୟ ନେଇଥିଲେ। କେବଳ ଚିତ୍ରକଳା ନୁହେଁ, ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଲୋକ କଳା, ପର୍ଯ୍ୟଟନ ଓ କଳା ସଂଗଠନ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ।

ଦିଗପହଣ୍ଡିର ଡ୍ରଇଂ ମାଷ୍ଟର ଭାବେ ପରିଚିତ ଦିନନାଥ ନିଜ ଜୀବନରେ ବହୁ ପଥ ଅତିକ୍ରମ କରିଛନ୍ତି ଓ ତାଙ୍କ ଚିତ୍ରକଳା ଓଡ଼ିଶାର ସୀମା ଟପି ଜାତୀୟ ଓ ଆନ୍ତର୍ଜାତିକ ସ୍ୱୀକୃତି ପାଇଛି। ୟୁରୋପ, ଆମେରିକା ଓ ଏସିଆର ବିଭିନ୍ନ ଦେଶରେ ସେ ଚିତ୍ରଶିଳ୍ପୀ ଭାବରେ ଓଡ଼ିଶାର ପ୍ରତିନିଧି୍ତ୍ୱ କରିଛନ୍ତି। ଯେଉଁଠିକି ବି ଯାଇଛନ୍ତି ସେଠିକି ନେଇଯାଇଛନ୍ତି ଓଡ଼ିଶା ମାଟିର ମହକ।

ଦିନନାଥଙ୍କ ଚିତ୍ରକଳାରେ ନୁଆ ରୂପ ପାଇଛି ଓଡ଼ିଆଣୀର ଝୋଟି ଚିତା, ସଉରା ଆଦିବାସୀର ଡୁମା ଓ ଡଙ୍ଗର,  ଉଷାକୋଠି ଓ  ପଟ୍ଟଚିତ୍ରର ବର୍ଣ୍ଣାଳୀ, ଗଣ୍ଡ ଭୈରବ ଓ ନବ ଗୁଂଜରର ରହସ୍ୟ, କନ୍ଦର୍ପ ରଥ ଓ ରାସଲୀଳାର ଯାଦୁକରୀ କମନୀୟତା ଓ ଓଡ଼ିଶାର ପ୍ରକୃତି। ସେ ଚିଲିକା ପାଣିର ଚିତ୍ରକର; ନିଜକୁ କହନ୍ତି ରୂପଜୀବୀ ବୋଲି- କାରଣ ରୂପ ଭିତରେ ସ୍ୱରୂପ ଖୋଜିବା ତାଙ୍କର ଜୀବନ ଓ ଜୀବିକା। ତାଙ୍କର ଚର୍ଚ୍ଚିତ ଆତ୍ମଜୀବନୀ ‘ଦିଗପହଣ୍ଡିର ଡ୍ରଇଂ ମାଷ୍ଟ୍ରେ’ରେ ସେ କୁହନ୍ତି,“ ବହୁ ଚେଷ୍ଟା କରି ଶେଷରେ ଡ୍ରଇଂ ମାଷ୍ଟରଟିଏ ହିଁ ହୋଇପାରିଲି। ସମାଜର ସବୁଠାରୁ ତୁଚ୍ଛ, ହେୟ, ଅପାଂକ୍ତେୟ ଏବଂ ଘୃଣ୍ୟ ହେଲା ଡ୍ରଇଂ ମାଷ୍ଟର”। ସେଇ ଡ୍ରଇଂ ମାଷ୍ଟର ଓଡ଼ିଶାର ଚିତ୍ରକଳାରେ ଆଣିଛନ୍ତି ବୈପ୍ଲବିକ ପରିବର୍ତ୍ତନ।

ଶିଳ୍ପୀ ଓ ସାହିତ୍ୟିକ ଭାବରେ ଦିନନାଥ ନିଜଲାଗି ତିଆରି କରିଛନ୍ତି ଏକ ନିଆରା ପରିଚୟ। ପ୍ରଥମ ଓଡ଼ିଆ ଭାବରେ କେନ୍ଦ୍ର ଲଳିତ କଳା ଏକାଡେମୀର ସମ୍ପାଦକ ଦାୟି୍ତ୍ୱ ତୁଲାଇଛନ୍ତି। ଗଞ୍ଜାମୀ ଓଡ଼ିଆ କହି ନିଜର ଖାଣ୍ଟି ଦକ୍ଷିଣୀ ଥାଟରେ ପହଞ୍ଚିଯାଇଛନ୍ତି ଜୁରିକ୍ ବା ଲଣ୍ଡନରେ। ଜୀବନ ତାଙ୍କ ଲାଗି ଏକ ବିରାଟ ଦୁଃସାହସ। ୭୪ ବର୍ଷ ବୟସରେ ୨୯, ଅଗଷ୍ଟ,୨୦୧୬ ଦିନ ସେ  ଅକସ୍ମାତ୍ ମୃତ୍ୟୁବରଣ କରିଥିଲେ।

ତାଙ୍କ ନିଜ ଭାଷାରେ, “ଦିଗ ଦିଶୁନାହିଁ ଦିଗ ପହଣ୍ଡି ଦିବସ ଅନ୍ଧାର, ହାଲ ଚାଲ ପଚାର କିସ ଜଙ୍ଗଲେ କରିଛି ଘର’’- ସେଇ ଜଙ୍ଗଲ ଓ ଅନ୍ଧାର ଘେରା ଦିଗପହଣ୍ଡିରେ ତାଙ୍କର ଜନ୍ମ ୧୯୪୨ ମସିହାରେ। ବଡ଼ ଭାଇ ଲୋକନାଥ ପାଠୀ ତାଙ୍କର ଆଦ୍ୟଗୁରୁ। ନାଟକର ପରଦା ଅଙ୍କନ ରୁ ଆରମ୍ଭ ହୁଏ ଚିତ୍ରଶିକ୍ଷା।

ଶିଳ୍ପକଳା ମନ୍ଦିରରେ ବଡ ଭାଇ ଲୋକନାଥଙ୍କ ଚିତ୍ରଶାଳାରୁ ଆରମ୍ଭ ହୁଏ ଦିନନାଥଙ୍କ ତାଲିମ। ଗାଁରୁ ଖଲିକୋଟ୍। ଓଡ଼ିଶାର ଏକମାତ୍ର ଚାରୁକଳା ମହାବିଦ୍ୟାଳୟ। ସେ ଅନୁଷ୍ଠାନ ଦିନନାଥଙ୍କୁ ଯେମିତି ଗଢିଥିଲା ସେ ବି ତାକୁ ସେମିତି ଗଢିଥିଲେ। ଶରତ କୁମାର ଦେବ, ଅଜିତ କେଶରୀ ରାୟ, ବିପ୍ରଚରଣ ମହାନ୍ତି ଓ ଆହୁରି ଅନେକ ଶିଳ୍ପୀଙ୍କ ଛାତ୍ର ହେବାର ସୁଯୋଗ ତାଙ୍କୁ ଖଲିକୋଟରେ ମିଳିଥିଲା।

ପରେ ସେ ନିଜ ଶିକ୍ଷକଙ୍କ ସହକର୍ମୀ ହେବାର ସୁଯୋଗ ପାଇଥିଲେ। ଶିଳ୍ପୀ ଭାବରେ ତାଙ୍କ ଜୀବନ ବହୁ ଉଠାପକା ଦେଇଯାଇଥିଲା। ଅନେକ ଚାକିରୀ ସେ କରିଥିଲେ ଓ ଛାଡ଼ିଥିଲେ। ଅନେକ ଅନୁଷ୍ଠାନ ଗଢିଥିଲେ ଓ ତାକୁ ଭାଙ୍ଗି ପୁଣି ନୂଆ କିଛି ତିଆରି କରିଥିଲେ। ଓଡ଼ିଶା ସଂଗ୍ରହାଳୟ, ଓଡ଼ିଶା ପର୍ଯ୍ୟଟନ, କେନ୍ଦ୍ର ଲଳିତ କଳା ଏକାଡେମୀ…ଏମିତି ବହୁ ଅନୁଷ୍ଠାନ ରେ ସେ ନିଯୁକ୍ତ ହୋଇ କାମ କରିଥିଲେ।

ଭୁବନେଶ୍ୱର ବିଭୁତି କାନୁନଗୋ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ପ୍ରତିଷ୍ଠା ଓ ତାର ପରିଚାଳନାରେ ସେ ଏକ ବିରାଟ ଭୂମିକା ନେଇଛନ୍ତି। ଓଡ଼ିଶାର ବହୁ ପ୍ରତିଭାବାନ୍ ଶିଳ୍ପୀ ଏହି ମହାବିଦ୍ୟାଳୟରେ ତାଙ୍କରି ହାତରେ ଗଢା ହୋଇ ଜାତୀୟ ଓ ବିଶ୍ୱବ୍ୟାପୀ ନାଁ କରିଛନ୍ତି। ଅଦୈତ ଗଡ଼ନାୟକ, ଜଗନ୍ନାଥ ପଣ୍ଡା, ପ୍ରତୁଲ ଦାଶ ଓ ଆହୁରି ଅନେକ ଶିଳ୍ପୀ ତାଙ୍କ ଛାତ୍ର ଭାବେ ଆଜି ବେଶ୍ ପ୍ରତିଷ୍ଠିତ। ଚିତ୍ର ଶିଳ୍ପୀ ଭାବେ ତାଙ୍କ ଶୈଳୀ କୁ ସବୁବେଳେ ସେ ଗଞ୍ଜାମ ଶୈଳୀ ବୋଲି କହି ଆସିଛନ୍ତି। ତାଙ୍କ ରେଖାର ଗତି ସେଥିଲାଗି ଅନେକାଂଶରେ ଅଳସ ଓ ତାଙ୍କ ରଙ୍ଗ ଟିକେ ଅଧିକ ଗାଢ। ଅମୂର୍ତ୍ତ ତୁଳନାରେ ମୂର୍ତ୍ତି ଗଢିବା ତାଙ୍କ ଶୈଳୀର ଏକ ବିଶେଷ ଲକ୍ଷଣ।

ବିଶିଷ୍ଟ ଚିତ୍ରଶିଳ୍ପୀ ଦିନନାଥ ତାଙ୍କର ଚର୍ଚ୍ଚିତ ଉପନ୍ୟାସ ‘ପୁନର୍ନବା’ରେ ଲେଖନ୍ତି – “ଚିତ୍ର କ’ଣ ସତରେ ମଣିଷ ଭଳିଆ ଦିଶେ, ନା ମଣିଷଙ୍କ ସ୍ୱପ୍ନ ପରି ଲାଗେ? ଚିତ୍ର କ’ଣ ନିଜେଇ ମଣିଷ ନା ମଣିଷଙ୍କ ଛାଇ? ମଣିଷ ପରି ଦିଶେ ଅଥଚ ମଣିଷ ନୁହେଁ”, ରୂପ ଓ ସ୍ୱରୂପ ଭିତରେ ଏକ ସୂକ୍ଷ୍ମଜଗତ ସେ ସୃଜନ କରନ୍ତି ।

ଶିଳ୍ପୀ ଭାବରେ ସେ ଯେତିକି ବଡ଼, ଠିକ୍‍ ସେତିକି ବଡ଼ ଲେଖକ ଭାବରେ। କବିତା, ଉପନ୍ୟାସ, ଆତ୍ମଜୀବନୀ, ପ୍ରବନ୍ଧ, ଫିଚର ଓ ଗବେଷଣା ଗ୍ରନ୍ଥ କ୍ଷେତ୍ରରେ ତାଙ୍କର ଅବଦାନ ଅନନ୍ୟ।

ସାହିତ୍ୟ, ଚିତ୍ରକଳା ତଥା ପ୍ରଦର୍ଶନକାରୀ କଳାର ସମନ୍ୱୟ ଘଟାଇ ଏକ ବୌଦ୍ଧିକ ଆନ୍ଦୋଳନ ସେ ଓଡ଼ିଶାରେ ଆରମ୍ଭ କରିଥିଲେ। ତାଙ୍କର ଉପନ୍ୟାସ – ସାୟୋନାରା, ପୁନର୍ନବା, ଗଙ୍ଗାବତରଣ, ଗଛ କୋରଡ଼ରେ ହୃଦୟ ଆଦି ସାହିତ୍ୟ କ୍ଷେତ୍ରରେ ନୁଆ ଭାଷା ଓ ଶୈଳୀ ନିର୍ମାଣ କରିଛି। ଚିତ୍ର ଭାଷାକୁ ସାହିତ୍ୟର ଭାଷାରେ ରୂପାନ୍ତରିତ କଲାବେଳେ ଏକ ଚମତ୍କାର କାବ୍ୟର ଛଟା ସେ ତିଆରି କରିଯାଇଛନ୍ତି।

ନିଜ ଜୀବନ କାହାଣୀକୁ ସାହିତ୍ୟ ର ମର୍ଯ୍ୟାଦା ଦେବା କମ ସଫଳତା ନୁହେଁ। ପ୍ରାୟ ୨୦୦୦ ପୃଷ୍ଠାର ଆତ୍ମଜୀବନୀ ସେ ଭିନ୍ନ ଭିନ୍ନ ଖଣ୍ଡରେ ଲେଖିଛନ୍ତି । ଦିଗପହଣ୍ଡିର ଡ୍ରଇଂ ମାଷ୍ଟର, ପୁଂଜିକୟାଁର ଫକିର, ଚିଲିକା ପାଣିର ଛାଇ, ରୂପଜୀବିର ଡାଏରୀ, କଲେଜ୍ ଗଢିବାର ବେଳ ଓ ଆହୁରି କିଛି ତାଙ୍କ ଆତ୍ମଜୀବନୀର ବୟାନ।

ସତ୍ୟକୁ ସ୍ୱୀକାର କରିବାରେ ସେ ବେଳେ ବେଳେ ଅତି ନିର୍ମମ। ତାଙ୍କ ଆଖିରେ ବନ୍ଧୁ ଓ ଶତୃର ଭେଦ ନଥାଏ। ତେଣୁ ତାଙ୍କର ଆତ୍ମ ଜୀବନୀ ଅନେକଙ୍କ ଲାଗି ଅସହଜ।

କଳା ସୃଷ୍ଟି, ତା’ର ସମୀକ୍ଷା ଓ ତା’ର ଇତିହାସ ରଚନା – ଏଇ ତିନୋଟି ଯାକ ବିନ୍ଦୁରେ ଅତ୍ୟନ୍ତ ଦକ୍ଷ ଥିଲେ ଦୀନାନାଥ। ଭାରତର ଅଳ୍ପ କେତେଜଣ କଳା ଐତିହାସିକଙ୍କ ଭିତରୁ ସେ ଅନ୍ୟତମ।

ଦିନନାଥ ଶହ ଶହ ପ୍ରବନ୍ଧ ଲେଖିଛନ୍ତି ଓ ସବୁଥିରେ ତାଙ୍କ ବୌଦ୍ଧିକ ପ୍ରୟାସ ବାରୀ ହୋଇପଡେ। ନୃତ୍ୟକ୍ଷେତ୍ରରେ ତାଙ୍କର ପୁସ୍ତକ ‘ରିଥିଙ୍କିଙ୍ଗ୍‍ ଓଡ଼ିଶୀ (Rethinking Odissi)’ ଅନେକ କିଛି ନୂତନତାର ଆଭାସ ଦେଇଛି।

ସମ୍ପାଦନା, ସଂଗଠନ ଓ ନେତୃତ୍ୱ – ଏଇ ତିନୋଟି କ୍ଷେତ୍ରରେ ତାଙ୍କର ବିକଳ୍ପ ନାହିଁ। ଇଂରାଜୀରେ ତାଙ୍କ ସମ୍ପାଦିତ ‘ଅଙ୍ଗରାଗ’ ଏକ ଅନନ୍ୟ ପତ୍ରିକା।

ବହୁ ପତ୍ରିକାର ସମ୍ପାଦନା ଓ ପୁସ୍ତକ ସମ୍ପାଦନାରେ ଦିନନାଥ ନିଜର ଅବଦାନ ଦେଇଛନ୍ତି। ପଚାଶ ବର୍ଷ ଧରି ବହୁ ସଂଗଠନର ସେ ନେତୃତ୍ୱ ନେଇଛନ୍ତି। ତାଙ୍କ ସୃଷ୍ଟି ଓ ସମୀକ୍ଷାର ଦିଗନ୍ତ ଏତେ ବିସ୍ତୃତ ଯେ ଯେତେ କହୁଥିଲେ ସରିବା ନାହିଁ। ତେବେ ଜର୍ମାନ୍‍ ଗବେଷକ ଏବହାର୍ଡ ଫିଶରଙ୍କ ସହ ତାଙ୍କର ସମ୍ପର୍କ ଓଡ଼ିଶାର କଳାକୁ ବି୍ଶ୍ୱ  ମାନଚିତ୍ରରେ ବେଶ୍ ପ୍ରତିଷ୍ଠା ଦେଇଛି।

ଦିନନାଥଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏଇ ମହାନ ଚିତ୍ରଶିଳ୍ପୀଙ୍କୁ ଆମର ପ୍ରଣାମ।

Tags: Angaraga, Rethinking Odissi, Dinanath, Dinanath Pathy, Eminent Painter, Tribute, Bhubaneswar News, Breaking News, Latest News, Odisha Breaking News, Odisha News, Odisha Politics, Odisha Stories, Odisha Top Stories

Comment