ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୪ ବର୍ଷ ପରେ ମୁମ୍ବାଇ ସିରିଜ୍ ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇଛି। ଏହି ମାମଲାରେ ଅଣ୍ଡର ୱାର୍ଲ୍ଡ ଡନ୍ ଅବୁ ସଲେମଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ମୁମ୍ବାଇର ସ୍ୱତନ୍ତ୍ର ଟାଡା କୋର୍ଟ।
ମୁମ୍ବାଇ ଅଣ୍ଡର ୱାର୍ଲ୍‌ଡ ଡନ୍ ଅବୁ ସଲେମଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ଅବୁ ସଲେମଙ୍କ ସହଯୋଗୀ କରିମୁଲ୍ଲା ଶେଖଙ୍କୁ ସମାନ ଦଣ୍ଡାଦେଶ ମିଳିଛି। ଉଭୟଙ୍କୁ ୨ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି କୋର୍ଟ। ସେହିପରି ଅନ୍ୟ ଦୁଇ ଅଭିଯୁକ୍ତ ଅବଦୁଲ ରସିଦ୍ ଖାଁ ଏବଂ ତାହିର ମର୍ଚ୍ଚେଣ୍ଟଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ସିଆଜ ସିଦ୍ଦିକଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।
ଏହି ମାମଲାରେ ସଂପୃକ୍ତ ଅନ୍ୟ ଜଣେ ଦୋଷୀ ମୁସ୍ତାଫ ଦୋସାଙ୍କ ପୂର୍ବରୁ ହୃଦଘାତରେ ମୃତ୍ୟୁ ଘଟିଥିଲା।
ମାମଲାର ମୁଖ୍ୟ ଅଭିଯୁକ୍ତ  ସଲେମକୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସହିତ ଏକେ ୪୭ ରାଇଫଲ ସପ୍ଲାଏ କରିବାରେ ଦୋଷୀ ସାବ୍ୟସ୍ତ କରାଯାଇଛି।
ସିରିଜ ବିସ୍ଫୋରଣ ମାମଲାରେ ଟାଡା କୋର୍ଟ ୧୦୦ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ। ଏଥିରେ ୟାକୁବ୍ ରଜାକ୍ ମେନନ୍ ସାମିଲ ଥିଲେ। ୩୦ ଜୁଲାଇ ୨୦୧୫ରେ ତାଙ୍କୁ ଫାଶି ଦିଆଯାଇଥିଲା।
ମୁମ୍ବାଇ ହୋଇଥିଲା ଥରହର: ୨ ଘଣ୍ଟାରେ ଫୁଟିଥିଲା ୧୨ଟି ବୋମା
୧୯୯୩ ମାର୍ଚ୍ଚ ୧୨ ତାରିଖ। ଅପରାହ୍ନ ୧ଟା ୩୦। ସେତେବେଳେକୁ ଦେଶର ପ୍ରମୁଖ ବାଣିଜ୍ୟ ସହର ମୁମ୍ବାଇ ଚଳଚଞ୍ଚଳ ହୋଇଉଠିଥିଲା। ଏହି ସମୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସମ୍ମୁଖରେ କାର୍ ବୋମା ବିସ୍ଫୋରଣ ହୋଇଥିଲା। ଏହି ଶକ୍ତିଶାଳୀ ବୋମାର ପ୍ରଚଣ୍ଡ ଶବ୍ଦରେ ଷ୍ଟକ ଏକ୍ସଚେଞ୍ଜର ଅଧିକାଂଶ କୋଠା ଭୁଶୁଡି ଯାଇଥିଲା। ଆଖପାଖ କୋଠା ବି ଏଥିରୁ ବାଦ୍ ପଡି ନ ଥିଲା। ପ୍ରାୟ ୫୦ ଲୋକଙ୍କ ମୃତ୍ୟୁ ଘଟିଥିଲା।
ପ୍ରଚଣ୍ଡ ଶବ୍ଦ ଶୁଣି ସମସ୍ତେ ଷ୍ଟକ ଏକ୍ସଚେଞ୍ଜ ଅଭିମୁଖେ ଯାଉଥିବା ବେଳେ କର୍ପୋରେସନ ବ୍ୟାଙ୍କର ମାଣ୍ଡଭି ଶାଖା ସମ୍ମୁଖରେ ଆଉ ଏକ କାର୍ ବୋମା ବିସ୍ଫୋରଣ ଘଟିଥିଲା। ୧ଟା ୩୦ରୁ ୩ଟା ୪୦ ମଧ୍ୟରେ ମୁମ୍ବାଇ ସହରରେ ୧୨ଟି ବୋମା ଫୁଟିଥିଲା। ସେଥିମଧ୍ୟରେ ଥିଲା କାର୍, ସ୍କୁଟର ଏବଂ ସୁଟକେସ୍ ବୋମା।
ସେହିପରି ହୋଟେଲ ସି ରକ୍, ଜୁହୁ ସେଣ୍ଟାଉର୍, ହୋଟେଲ ଏୟାରପୋର୍ଟ ସେଣ୍ଟାଉରକୁ ସୁଟକେସ୍ ବୋମା ଦ୍ୱାରା ଟାର୍ଗେଟ୍‍ କରାଯାଇଥିଲା।
ଏହି ସିରିଜ ବୋମା ବିସ୍ଫୋରଣ ଯୋଗୁ ବ୍ୟାଙ୍କ, ଆଞ୍ଚଳିକ ପାସପୋର୍ଟ ଅଫିସ୍, ଏୟାର ଇଣ୍ଡିଆ ବିଲ୍‌ଡିଂ ଏବଂ ବଡ ବଡ ସପିଂ କମ୍ପଲେକ୍ସ ପ୍ରଭାବିତ ହୋଇଥିଲା। ଜାଭେରି ବଜାର, ସେଞ୍ଚୁରି ବଜାର, କାଥା ବଜାର, ସେନା ଭବନ ଏବଂ ପ୍ଲାଜା ଥିଏଟର ମଧ୍ୟ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିଲା।  ମତ୍ସ୍ୟଜୀବୀ ରହୁଥିବା କଲୋନୀ ଏବଂ ସହର ଇଣ୍ଟନ୍ୟାସନାଲ ଏୟାରପୋର୍ଟକୁ ଗ୍ରେନେଡ୍ ମାଡ ହୋଇଥିଲା।
ଏହି ସିରିଜ ବୋମା ମାଡରେ ମୁମ୍ବାଇ ସହର ଥରହର ହୋଇ ଯାଇଥିଲା। ୨୫୭ ଲୋକଙ୍କ ମୃତ୍ୟୁ ଘଟିବା ସହ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୭ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା।
ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତମାନେ ପର୍ତ୍ତୁଗାଲ ଫେରାର ହୋଇଯାଇଥିଲେ। ୨୦୦୫ରେ ପ୍ରତ୍ୟାର୍ପଣ ମାଧ୍ୟମରେ ସେମାନଙ୍କୁ ଭାରତ ଅଣାଯାଇଥିଲା। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଅବଦୁଲ୍ କୟୁମଙ୍କୁ ସମସ୍ତ ଅଭିଯୋଗରୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ଫିଲ୍ମ ଷ୍ଟାର ସଞ୍ଜୟ ଦତ୍ତଙ୍କୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ପହଞ୍ଚାଇବାରେ କୟୁମ ସହାୟତା କରିଥିଲେ। କୟୁମଙ୍କୁ ୨୦୦୭ ଫେବୃୟାରୀ ୧୩ରେ ଗିରଫ କରାଯାଇଥିଲା। ଏହି ମାମଲାରେ ସଞ୍ଜୟ ଦତ୍ତ ପୂରା ସଜା କାଟିବା ପରେ ୨୦୧୬ରେ ଜେଲରୁ ମୁକୁଳି ଥିଲେ।
କେବେ କ’ଣ ଘଟିଥିଲା :
୧୯୯୩ ମାର୍ଚ୍ଚ ୧୨ :  ମୁମ୍ବାଇ ସହରରେ ୧୨ଟି ସିରିଜ ବୋମା ବିସ୍ଫୋରଣ ଘଟିଥିଲା।
୧୯୯୩ ଏପ୍ରିଲ ୧୯ : ଏକେ-୫୬ ରାଇଫଲ, ୯ ଏମଏମ ପିସ୍ତଲ, ଆମ୍ୟୁନିସନ ରଖିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଫିଲ୍ମ ଷ୍ଟାର ସଞ୍ଜୟ ଦତ୍ତଙ୍କୁ ଗିରଫ କରିଥିଲା।
୧୯୯୩ ଏପ୍ରିଲ ୨୮ : ଅସ୍ତ୍ରଶସ୍ତ୍ର ରଖିଥିବା ଏବଂ ପଛରେ ତାକୁ ନଷ୍ଟ କରି ଦେଇଥିଲେ ବୋଲି ଦତ୍ତ ସ୍ୱୀକାର କରିଥିଲେ।
୧୯୯୩ ମେ ୫ : ବମ୍ବେ ହାଇକୋର୍ଟ ଦତ୍ତଙ୍କୁ ଆଗୁଆ ଜାମିନ୍ ଦେଇଥିଲେ।
୧୯୯୩ ନଭେମ୍ବର ୪ : ୧୦ ହଜାରରୁ ଅଧିକ ପୃଷ୍ଠା ସମ୍ବଳିତ ପ୍ରାଥମିକ ଚାର୍ଜସିଟ୍ ୧୮୯ ଅଭିଯୁକ୍ତଙ୍କ ବିରୋଧରେ ଦାଖଲ ହୋଇଥିଲା।
୧୯୯୩ ନଭେମ୍ବର ୧୯ : ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଥିଲା ଏବଂ ତଦନ୍ତ ଆରମ୍ଭ ହୋଇଥିଲା।
୧୯୯୪ ଏପ୍ରିଲ ୧୦ : ଟାଡା କୋର୍ଟ ୧୬୩ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଗ୍ରହଣ କରିଥିଲେ।
୧୯୯୪ ଏପ୍ରିଲ ୧୯ : ଟ୍ରାଏଲ ଆରମ୍ଭ ହୋଇଥିଲା।
୧୯୯୪ ଜୁଲାଇ ୪ : ଟ୍ରାଏଲ କୋର୍ଟ ସଞ୍ଜୟ ଦତ୍ତଙ୍କ ଜାମିନ୍ ଖାରଜ କରିଥିଲେ ଏବଂ ଗିରଫ କରିଥିଲେ।
୧୯୯୪ ଅକ୍ଟୋର ୧୪ : ସୁପ୍ରିମକୋର୍ଟରେ ଦତ୍ତ ଜାମିନ୍ ପାଇଲେ।
୨୦୦୧ ମାର୍ଚ୍ଚ ୯ : ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଥିଲା।
୨୦୦୬ ନଭେମ୍ବର : ଆର୍ମସ ଆକ୍ଟ ଅନୁସାରେ ଦତ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ।
୨୦୦୭ ଜୁଲାଇ ୩୧ : ଟାଡା କୋର୍ଟ ଦତ୍ତଙ୍କୁ ୬ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ।
୨୦୦୭ ଅଗଷ୍ଟ ୨୦ : ଦଣ୍ଡାଦେଶ ବିରୋଧରେ ଦତ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ।
୨୦୧୧ ନଭେମ୍ବର ୧ : ସୁପ୍ରିମକୋର୍ଟ ଦତ୍ତ ଏବଂ ୧୦୦ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଶୁଣାଣି ଆରମ୍ଭ କଲେ।
୨୦୧୩ ମାର୍ଚ୍ଚ ୨୧ : ସୁପ୍ରିମକୋର୍ଟ ୟାକୁବ ମେମନର ମୃତ୍ୟୁ ଦଣ୍ଡ କାଏମ ରଖିଥିଲେ।
୨୦୧୫ ଜୁଲାଇ ୩୦ : ୟାକୁବ ମେମନକୁ ନାଗପୁର ସେଣ୍ଟ୍ରାଲ ଜେଲରେ ଫାଶି ଦିଆଯାଇଥିଲା।
୨୦୧୬ ଫେବୃୟାରୀ ୨୫ : ସଞ୍ଜୟ ଦତ୍ତ ପୁନେ ଜେଲରୁ ମୁକୁଳିଥିଲେ।
୨୦୧୭ ଜୁନ୍ ୧୬ : ଅବୁ ସଲେମ, ସିୟାଜ ସିଦ୍ଦିକ, ଫିରୋଜ ଅବଦୁଲ ରସିଦ୍ ଖାଁ, ତାହିର ମର୍ଚ୍ଚେଣ୍ଟ, କରି ମୁଲ୍ଲାହ ଓସାନ ଖାଁଙ୍କୁ ଟାଡା କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।

Tags:Tahir Merchant, Abu Salem, Sanjay Dutt, Mumbai serial bomb blasts, Bhubaneswar News, Breaking News, Latest News, Odisha Breakin g News, Odisha News, Odisha Stories, Odisha Top Stories, Top Stories

 

Comment