ଓଡିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଛି ଛାତ୍ର ସଂସଦ ନିର୍ବାଚନ ଫଳାଫଳ। ଏହାକୁ ନେଇ ପ୍ରମୁଖ କ୍ୟାମ୍ପସରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରମାଦେବୀ ବିଶ୍ୱବିଦ୍ୟାଳୟରୁ ଆରମ୍ଭ କରି କଟକ ଶୈଳବାଳା କଲେଜ, ସବୁଠି ଚାଲିଛି ସେଲିବ୍ରେସନ। ଫଳାଫଳ ପ୍ରକାଶ ପାଇବା ପରେ କଲେଜ ଗେଟ୍ ସମ୍ମୁଖରେ ବିଜୟୀ ପ୍ରାର୍ଥୀ ଏବଂ ସମର୍ଥକମାନେ ନାଚ, ଗୀତ କରି କ୍ୟାମ୍ପସକୁ କମ୍ପାଇଛନ୍ତି।
ଏପଟେ ପ୍ରାୟ ୯୫ ପ୍ରତିଶତ କଲେଜରେ ଛାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀ ଜିତିଛନ୍ତି ବୋଲି ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ଦାବି କରିଛନ୍ତି। ଛାତ୍ର କଂଗ୍ରେସ ଏବଂ ଏବିଭିପି ସମର୍ଥିତ ପ୍ରାର୍ଥୀ କେତେ ପ୍ରତିଶତ ଜିତିଛନ୍ତି ତାହା ସଂପୃକ୍ତ ସଙ୍ଗଠନର ଛାତ୍ର ନେତାମାନେ ଆକଳନ କରିପାରିନାହାନ୍ତି।
ବାଣୀବିହାର ଏବଂ ବିଜେବିରେ ନିର୍ବାଚନ ବାତିଲ ପରେ ସମସ୍ତଙ୍କ ନଜର ରହିଥିଲା ରମାଦେବୀ ଉପରେ। ୩ ପ୍ରମୁଖ ଛାତ୍ର ସଙ୍ଗଠନର ଛାତ୍ର ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ଲାଗି କସରତ କରିଥିଲେ। ହେଲେ ରମାଦେବୀରେ ଛାତ୍ର ବିଜେଡି ବାଜି ମାରି ନେଇଛି। ସଭାପତି ପଦବୀରୁଠାରୁ ଡ୍ରାମାଟିକ୍ ସେକ୍ରେଟାରୀ ପର୍ଯ୍ୟନ୍ତ ସବୁ ହାତେଇ ନେଇଛି ଏହି ଛାମୁଆ ସଙ୍ଗଠନ।
ସେହିପରି ଦେବରାୟ କଲେଜ ଏବଂ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ମଧ୍ୟ ଛାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗଞ୍ଜାମର ହିଞ୍ଜିଳିକାଟୁ, ଭଦ୍ରକ ଚରମ୍ପା କଲେଜ, କେନ୍ଦୁଝର ମହିଳା କଲେଜରେ ବି ଛାତ୍ର ବିଜେଡି ବାଜିମାତ କରିଛି। ଯାଜପୁର ଧର୍ମଶାଳାରେ ମଧ୍ୟ ଛାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
କଟକ ଖ୍ରୀଷ୍ଟ କଲେଜ, ଶୈଳବାଳା, ସିଟି କଲେଜ, ଇମର୍ତ୍ତି ଦେବୀ କଲେଜରେ ଛାତ୍ର ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
ଶନିବାର ସକାଳ ୮ଟାରୁ ଭୋଟଦାନ ଆରମ୍ଭ ହୋଇଥିଲା। ଅପରାହ୍ନ ୨ଟାରେ ମତଦାନ ଶେଷ ହୋଇଥିଲା। ଚଳିତ ବର୍ଷ ମୋଟ ୩୭୫ଟି କଲେଜରେ ନିର୍ବାଚନ ହୋଇଛି। ଛାତ୍ର ଅଶାନ୍ତି ଯୋଗୁଁ ୧୨ଟି କଲେଜରେ ନିର୍ବାଚନ ବାତିଲ କରାଯାଇଛି।

 

Comment