ଓଡିଶାଲାଇଭ୍ ବ୍ୟୁରୋ

ଛତ୍ରପୁର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ସହ ବିଜେପି ବଡ ନେତାଙ୍କ ସଂପୃକ୍ତି ରହିଥିବା ବିଜେଡି କହିଥିବା ବେଳେ ବିଜେପି ଏହାକୁ ଖଣ୍ଡନ କରିଛି। କହିଛି ବିଧାୟକ-କାଉନସିଲରଙ୍କ କଳି ଯୋଗୁଁ ଏହି ଘଟଣା ଘଟିଛି।

ଗଞ୍ଜାମ ଛତ୍ରପୁରର ବିଜେଡି ନେତା ତଥା କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡ ପଛରେ ବିଜେପିର ହାତ ରହିଛି। ହତ୍ୟାକାରୀ କୃଷ୍ଣ ନାୟକଙ୍କ ସହ ବିଜେପି ବରିଷ୍ଠ ନେତା ହାତ ମିଳାଇଛନ୍ତି। ଗୁରୁବାର ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ ଏଭଳି ଅଭିଯୋଗ ଆଣିଛନ୍ତି।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହାଙ୍କ ଗହଣରେ ହତ୍ୟାକାରୀ କୃଷ୍ଣ ନାୟକ ଛିଡ଼ା ହୋଇଥିବା ଫଟୋ ଗଣମାଧ୍ୟକୁ ଦେଇ ଶ୍ରୀ ନନ୍ଦ ଏହି ଦାବି କରିଛନ୍ତି।
ପ୍ରଶାନ୍ତ ନନ୍ଦ କହିଛନ୍ତି,”ଗଞ୍ଜାମ ଜିଲ୍ଲାରେ ବିଜେପିର ମୋ ବୁଥ୍ ସବୁଠୁ ମଜଭୁତ କାର୍ଯ୍ୟକ୍ରମ ଚାଲିଥିବା ବେଳେ କୃଷ୍ଣ ନାୟକ ବିଜେପିରେ ମିଶିଥିଲେ। ଅପରାଧୀମାନଙ୍କୁ ବିଜେପି ପ୍ରଶୟ ଦେଉଛି ବୋଲି ଏଥିରୁ ପ୍ରମାଣିତ ହେଉଛି। କୃଷ୍ଣଙ୍କ ସହ ବିଜେପିର ବଡ଼ ନେତାଙ୍କ ସମ୍ପର୍କ ରହିଛି।”
ଏପଟେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି। ବିଜେପି ମୁଖପାତ୍ର ଗୋଲକ ନାୟକ କହିଛନ୍ତି, “ବିଧାୟକ-କାଉନସିଲରଙ୍କ କଳି ଯୋଗୁଁ ଏଭଳି ଘଟଣା ଘଟିଛି। ଗଞ୍ଜାମ ଏସ୍‌ପି ଜିଲ୍ଲା ବିଜେଡି ସଭାପତି ଏବଂ ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି।”
ସେପ୍ଟେମ୍ବର ୧୭ ତାରିଖରେ କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଲକ୍ଷ୍ମୀଦତ୍ତ ଘରେ ବସିଥିବା ବେଳେ ତାଙ୍କୁ ସଂଘବଦ୍ଧ ହୋଇ କେତେକ ଯୁବକ ଆକ୍ରମଣ କରିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରି ୨୨ ତାରିଖରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରେ ୨୬ ତାରିଖରେ ଆଉ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଲକ୍ଷ୍ମୀଦତ୍ତଙ୍କ ହତ୍ୟା ପଛରେ ବିଜେପି ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ଓ ଲକ୍ଷ୍ମୀପୁର ସମିତି ସଭ୍ୟ ପିତୁ ଓରଫ୍ ଏନ୍.ଦୁର୍ଯ୍ୟୋଧନ ରେଡ୍ଡି ଷଡ଼ଯନ୍ତ୍ରକାରୀ ବୋଲି ଗଞ୍ଜାମ ଏସ୍‌ପି ଆଶିଷ ସିଂ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ପୂର୍ବ ଶତ୍ରୁତା ଏବଂ ରାଜନୈତିକ ବିବାଦ ପାଇଁ ଲକ୍ଷ୍ମୀଦତ୍ତଙ୍କୁ ହତ୍ୟା କରାଯାଇଛି ବୋଲି ଶ୍ରୀ ସିଂହ କହିଥିଲେ। ଏହାକୁ ନେଇ ଏବେ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here