ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିକିତ୍ସା କ୍ଷେତ୍ରରେ ଏକ ଚମତ୍କାରୀ ଉଦ୍ଭାବନ। ବୈଜ୍ଞାନିକମାନେ ଏପରି ସର୍ଜିକାଲ ଅଠା ବିକଶିତ କରିଛନ୍ତି ଯାହା ମାତ୍ର ୬୦ ସେକେଣ୍ଡରେ ବଡ଼ ବଡ଼ କ୍ଷତ ପୂରଣ କରିବାକୁ ସମର୍ଥ ହେବ। ବାହ୍ୟ ଚର୍ମ ଏବଂ ଶରୀରର ଭିତର ଗୁରୁତ୍ଵପୂର୍ଣ୍ଣ ଅଙ୍ଗକୁ ଯୋଡିବାରେ ଏହା ସାହାଯ୍ୟ କରିବ। ଏହାକୁ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଏକ ଚମତ୍କାରୀ ବୋଲି କୁହାଯାଉଛି।
ଣ ଏହି ସର୍ଜିକାଲ ଅଠା (ଗ୍ଲୁ)?
ବାଓଇଞ୍ଜିନିୟରମାନେ ବିକଶିତ କରିଥିବା ସର୍ଜିକାଲ ଅଠାର ବିଶେଷତ୍ଵ ହେଉଛି ଏହା ସଂପୂର୍ଣ୍ଣ ଭାବେ ଇଲାଷ୍ଟିକ୍ (ସ୍ଥିତିସ୍ଥାପକ ଯାହା ଅଙ୍କା ବଙ୍କା ​‌ହେଲେ ବା ପ୍ରସାରଣ ଓ ସଙ୍କୋଚନ ପ​‌ରେ ପୂର୍ବ ଅବସ୍ଥାକୁ ଫେରିଆସିବ)। ଆପଦକାଳୀନ ଚିକିତ୍ସାବେଳେ ଅତି ସଂକଟ ସ୍ଥିତିରେ ଥିବା କ୍ଷତକୁ ପୂରଣ କରିପାରିବ। କଟିଯାଇଥିବା ଅଙ୍ଗ ପ୍ରତ୍ୟଙ୍ଗକୁ ଆବୃତ୍ତ କରିପାରିବ। ଜଟିଳ ଅପରେସନ ବେଳେ ଯେଉଁ ଅଙ୍ଗ ପ୍ରତ୍ୟଙ୍ଗକୁ ଷ୍ଟିଚ୍ ପକାଇବା କଠିନ ହେଉଥିବ, ତାକୁ ଅତି ସହଜରେ ବନ୍ଦ କରିପାରିବ।
ଜେଲି ଭଳି ଦେଖାଯାଉଥିବା ଏହି ସର୍ଜିକାଲ ଅଠାର ଆଧାର ହେଉଛି ମିଥାକ୍ରାଲୋଇଲଟ୍ରୋପୋଇଲାଷ୍ଟିନ(ସଂକ୍ଷେପରେ ମେଟ୍ରୋ)। ଏହା ଏକ ହାଇବ୍ରିଡ୍ ଇଲାଷ୍ଟିକ୍ ପ୍ରୋଟିନ୍। ଯାହାକୁ ବାହ୍ୟ କିମ୍ବା ଅଭ୍ୟନ୍ତର ଅଙ୍ଗରେ ବ୍ୟବହାର କରିହେବ। କ୍ଷତ ସହଜରେ ଯୋଡି ହେଉଥିବାରୁ କ୍ଷତ ଶୀଘ୍ର ଭରିଯିବ ଏବଂ ରୋଗୀ ସୁସ୍ଥ ହେବା ସହଜ ହେବ।
କିପରି ଏହା କାର୍ଯ୍ୟ କରେ?
ଜୀବନ ରକ୍ଷାକାରୀ ଏହି ସର୍ଜିକାଲ ଅଠା ୬୦ ସେକେଣ୍ଡରେ କାମ କରିବ। ଏହା ଇଲାଷ୍ଟିକ ହୋଇଥିବାରୁ ଅଙ୍ଗପ୍ରତ୍ୟଙ୍ଗର ପ୍ରାକୃତିକ ପ୍ରସାରଣ ଓ ସଙ୍କୋଚନରେ ଆଦୌ ଅସୁବିଧା ଉପୁଜି ନଥାଏ।
ଅ​‌ଷ୍ଟ୍ରେଲିଆ ଏବଂ ଆମେରିକା ୟୁନିଭରସିଟିର ଗବେଷକ ଦଳ ଏହି ସର୍ଜିକାଲ ଅଠାର ବିକାଶ କରିଛନ୍ତି। ଜୀବଯନ୍ତୁଙ୍କ କ୍ଷେତ୍ରରେ ଏହି ଅଠାକୁ ବ୍ୟବହାର କରି ସଫଳତା ମିଳିଛି। ଏବେ ମଣିଷଙ୍କ କ୍ଷେତ୍ରରେ ସର୍ଜିକାଲ ଅଠାର ପ୍ରୟୋଗ କରାଯାଇ ପରୀକ୍ଷାନିରୀକ୍ଷା କରାଯାଉଛି। ପ୍ରାଥମିକ ସ୍ତରରେ ବୈଜ୍ଞାନକମାନଙ୍କୁ ସଫଳତା ମିଳିସାରିଛି। ଖୁବଶୀଘ୍ର ଏହାକୁ ଶଲ୍ୟ ଚିକିତ୍ସାରେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି।
ବୋଷ୍ଟନର ନର୍ଥଇଷ୍ଟନ ୟୁନିଭରସିଟିର ଗବେଷକ ନସିମ୍ ଅନାବି କହିଛନ୍ତି, ‘ଏହି ସର୍ଜିକାଲ ଅଠା ଏପରି ଭାବେ ପ୍ରସ୍ତୁତ କରାଯାଇଛି ଯେ ଏହା ଶରୀରର ଟିସୁ ସଂସ୍ପର୍ଶରେ ଆସିବା ମାତ୍ରେ କଠିନ ହୋଇଯାଏ। କ୍ଷତର ଉଭୟ ପାର୍ଶ୍ୱକୁ ଜାବୁଡି ଧରି ଟିସୁଗୁଡିକୁ ଯୋଡିବାରେ ସାହାଯ୍ୟ କରେ। ସାଧାରଣ ଅପରେସନ ପରେ ଷ୍ଟିଚ୍ ଶୁଖିବାକୁ ଯେତିକି ସମୟ ଲାଗେ, ଏହି ଅଠା ବ୍ୟବହାର ହେଲେ ତାହା ଅଧା ସମୟରେ ଶୁଖିଯିବ। ଫଳରେ ବଡ଼ ବଡ଼ ଅପରେସନ ମଧ୍ୟ ଖୁବ ସହଜରେ ହୋଇଯିବ।
ବିଶେଷ କରି ଫୁସଫୁସ, ହୃଦୟ ଭଳି ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଯେଉଁଠି ଷ୍ଟିଚ ପକାଇବାକୁ ଡାକ୍ତରମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡେ, ସର୍ଜିକାଲ ଅଠା (ମେଟ୍ରୋ) ଅନାୟାସରେ ଏହି କାର୍ଯ୍ୟ କରିପାରିବ। ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଏହା ଏକ ବରଦାନ ଭଳି ହେବ ବୋଲି କୁହାଯାଉଛି।
(ସୌଜନ୍ୟ: ସାଇନ୍ସ ଟ୍ରାନ୍ସଲେସନାଲ ମେଡିସିନ ପତ୍ରିକା
 
 

LEAVE A REPLY

Please enter your comment!
Please enter your name here