ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ବିରୋଧି ଲଢ଼େଇରେ ଡିଆଡିଓକୁ ମିଳିଛି ଆଉ ଏକ ସଫଳତା। ନିକଟରେ ୨-ଡିଜି କରୋନା ଔଷଧ ପ୍ରସ୍ତୁତ କରିବାପରେ ଏବେ ଏହି ସଂସ୍ଥା ପକ୍ଷରୁ ଏକ ଆଣ୍ଟିବଡି ଟେଷ୍ଟ କିଟ୍ ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ମଣିଷ ଶରୀରରେ କେତେ ଆଣ୍ଟିବଡି ରହିଛି, ତାହା ସହଜରେ ପରୀକ୍ଷା କରାଯାଇପାରିବ ବୋଲି ଡିଆରଡିଓ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏହି କିଟ୍‌ର ନାମ ‘ଡିପ୍‌କୋଭ୍ୟାନ’ ରଖାଯାଇଛି।

ଦିଲ୍ଲୀସ୍ଥିତ ବେନଗାର୍ଡ ଡାଇଗ୍ନୋଷ୍ଟିକ ସହାୟତାରେ ଏହି କିଟ୍ ପ୍ରସ୍ତୁତ କରାଯାଇଛି। କରୋନା ସହ ଲଢ଼ିବା ପାଇଁ ମଣିଷ ଶରୀରରେ ଉପଯୁକ୍ତ ପରିମାଣରେ ଆଣ୍ଟିବଡି ଏବଂ ପ୍ଲାଜମା ରହିଛି କି ନାହିଁ, ଏହି କିଟ୍ ସାହାଯ୍ୟରେ ପରୀକ୍ଷା କରି ଜାଣିହେବ। ବର୍ତ୍ତମାନ ଏହି କିଟ୍‌କୁ ପ୍ରାୟ ୧ହଜାରରୁ ଅଧିକ ରୋଗୀଙ୍କ ଶରୀରରେ ପରୀକ୍ଷା କରାଯିବ। ଆଇସିଏମଆର ପକ୍ଷରୁ ଏହି କିଟ୍‌କୁ ଏପ୍ରିଲ ମାସରେ ମଞ୍ଜୁରୀ ମଳିଥିଲା। ଏଥିସହିତ ଡିସିଜିଆଇ ମଧ୍ୟ ଏହାର ବ୍ୟବହାରକୁ ମେ’ ମାସରେ ଅନୁମତି ଦେଇଛି । ଜୁନ୍ ମାସର ପ୍ରଥମ ସପ୍ତାହରେ ଏହି କିଟ୍ ବଜାରରେ ଉପଲବ୍ଧ ହୋଇପାରେ ବୋଲି ଜଣାପଡ଼ିଛି ଏବଂ ପ୍ରତି କିଟ୍‌ର ମୂଲ୍ୟ ୭୫ଟଙ୍କା ରହିବ।

ମେ’ ୧୭ତାରିଖରେ ଡିଆରଡିଓ ପକ୍ଷରୁ ୨-ଡିଜି ନାମକ ଏକ ଔଷଧକୁ ଲଞ୍ଚ କରାଯାଇଥିଲା। ଏହି ଔଷଧ କରୋନା ରୋଗୀଙ୍କ ଶରୀରରେ ଅମ୍ଲଜାନର ମାତ୍ରାକୁ ବୃଦ୍ଧି କରିବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଥିଲା। ଏଥିସହ ମଧ୍ୟମ ଓ ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛି। ଅନ୍ୟପଟେ ଏହି ଔଷଧକୁ ନେଇ ରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ଔଷଧ ଖାଇବା ଦ୍ୱାରା ହସ୍ପିଟାଲରେ ଥିବା କରୋନା ରୋଗୀମାନଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଅମ୍ଲଜାନ ଦରକାର ପଡ଼ୁନାହିଁ ଏବଂ ରୋଗୀଙ୍କ ଶୀଘ୍ର ଭଲ କରିବାରେ ଏହି ଔଷଧ ବେଶ୍ ଫଳପ୍ରଦ ହେଉଛି।

Comment