ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଆଉ ଏକ କରୋନା ମେଡିସିନକୁ ମଞ୍ଜୁରି ମିଳିଛି। ‘ଭିରାଫିନ’ ନାମକ ଏହି ମେଡିସିନକୁ ମଞ୍ଜୁରି ଦେଇଛି ଭାରତୀୟ ଔଷଧ ନିୟାମକ ବା ଡିସିଜିଆଇ। ଔଷଧ ନିର୍ମାଣକାରୀ କମ୍ପାନି ଜାଏଡସ କାଡିଲା ଏହି ମେଡିସିନ ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

କରୋନା ଦ୍ୱିତୀୟ ଲହର ସଂକ୍ରମଣ ଖୁବ୍ ଦ୍ରୁତ ଗତିରେ ବ୍ୟାପୁଛି। ତେଣୁ ଜରୁରୀକାଳୀନ ପରିସ୍ଥିତିରେ ଏହି ମେଡିସିନକୁ ବ୍ୟବହାର କରିବା ପାଇଁ ଅନୁମତି ମିଳିଛି। କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହା ଫଳପ୍ରଦ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏଥିସହ ଏହି ମେଡିସିନ ବ୍ୟବହାର ଦ୍ୱାରା ଆକ୍ରାନ୍ତଙ୍କୁ କମ୍ ଅମ୍ଲଜାନ ଆବଶ୍ୟକ ପଡ଼ିବ ଏବଂ ରୋଗୀ ଶୀଘ୍ର ସୁସ୍ଥ ହୋଇପାରିବେ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି।

ମେଡିସିନକୁ ମଞ୍ଜୁରି ମିଳିବା ପୂର୍ବରୁ ଦେଶର ୨୦ରୁ ୨୫ କେନ୍ଦ୍ରରେ ଏହାକୁ ଟ୍ରାଏଲ କରାଯାଇଥିଲା। ଭିରାଫିନ ୧୮ବର୍ଷରୁ ଊର୍ଦ୍ଧ୍ୱ ଓ ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ପ୍ରଭାବଶାଳୀ ହେବବୋଲି ପ୍ରମାଣିତ ହୋଇଛି। ଯଦି ଏହା ସଠିକ୍ ଭାବରେ କାମ ଦିଏ, ତେବେ କରୋନା ମହାମାରୀ ସମୟରେ ଏହା ଏକ ବଡ଼ ଆଶ୍ୱସ୍ତିକର ଖବର ହେବ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ କରୋନା ରୋଗୀଙ୍କ ପାଇଁ ‘ଫାଭିପିରାଭିର’ ଓ ‘ରେମଡେସିଭିର’ ମେଡିସିନ ବ୍ୟବହାର କରିବାକୁ ଅନୁମତି ମିଳିଥିଲା।

Comment