ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଟିକାକରଣକୁ ମଧ୍ୟ ବଢାଇବାକୁ ଗୁରୁତ୍ୱ ଦିଆଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏବେ ବିଦ୍ୟୁତ, ଜଳ ଯୋଗାଣ, ପରିବହନ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଟିକା ଦିଆଯିବ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସମ୍ପୃକ୍ତ କର୍ମଚାରୀଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଭାବେ ଟିକାକରଣ କରାଯିବ। ଏମାନେ ନିକଟସ୍ଥ ଟିକା କେନ୍ଦ୍ରକୁ ଯାଇ କୋଓ୍ୱିନ ପୋର୍ଟାଲରେ ସ୍ପଟ ରେଜିଷ୍ଟ୍ରେସନ କରିପାରିବେ। ଟିକା ନେବାକୁ ଯିବା ସମୟରେ ସାଙ୍ଗରେ ନିଜର ପରିଚୟ ପତ୍ର ରଖିବେ। କର୍ମଚାରୀଙ୍କୁ ଟିକା ଦେବା ନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିସନର ଓ ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ଏବେ ୫୦ ବର୍ଷରୁ ଅଧିକ, ବହୁବିଧ ରୋଗରେ ପୀଡ଼ିତ ଥିବା ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି। ଏପ୍ରିଲ ପହିଲାରେ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯିବ ବୋଲି ଘୋଷଣା ହୋଇଛି।

Comment