ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘୋଷଣା ହୋଇନି ବିଜେପୁର ଉପ-ନିର୍ବାଚନ ପାଇଁ ତାରିଖ। ହେଲେ ଏହି ଉପ ନିର୍ବାଚନ ବୈତରଣୀ ପାର୍ ହେବାକୁ ଉଭୟ ବିଜେଡି ଏବଂ ବିଜେପି କସରତ ଆରମ୍ଭ କରିଛନ୍ତି। ବିଜେପୁର ଗୋଟି ଚାଳନାରେ ବିଜେଡି ଦୁଇ ପାଦ ଆଗରେ ରହିଛି। ବିଜେପୁର ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରି ଚର୍ଚ୍ଚାରେ ରହିଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ବିଜେପୁରବାସୀଙ୍କୁ ନବୀନ ଜନ୍ମଦିନ ଭେଟି ଦେଇଛନ୍ତି। ଜଳସେଚନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ନବୀନ ବିଜେପୁର ଲିଫ୍ଟ କେନାଲ ସିଷ୍ଟମକୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ଏଥିପାଇଁ ୧୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ।
ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୩୨ ହଜାର ହେକ୍ଟର ଜମି ଜଳ ସେଚିତ ହୋଇପାରିବ। ଏହାସହ ଖରିଫ୍ ଋତୁରେ ୨୫ ହଜାର ୬ ଶହ ହେକ୍ଟର ଏବଂ ରବି ଋତୁରେ ୭ ହଜାର ହେକ୍ଟର ଜମି ଜଳ ସେଚିତ ହୋଇପାରିବ। ଏହି ପ୍ରକଳ୍ପ ପାଇଁ ବରଗଡ଼ ମୁଖ୍ୟ କେନାଲରୁ ମାଟି ତଳେ ପାଇପ୍‌ ଯୋଗେ ପାଣି ଆସିବ। ପ୍ରତି ୪ ହେକ୍ଟର ଜମି ପାଇଁ ଗୋଟିଏ ଗୋଟିଏ ପଏଣ୍ଟ ଯୋଗାଇ ଦିଆଯିବ। ଗଙ୍ଗାଧର ମେହେରଙ୍କ ନାମରେ ଏହି ପ୍ରକଳ୍ପକୁ ନାମିତ କରାଯିବ। ସାରା ଦେଶରେ ଏହି ପ୍ରକଳ୍ପ ଏକ ମଡେଲ ହେବ।

 

LEAVE A REPLY

Please enter your comment!
Please enter your name here