ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ମୁଁ ତୁମ ମଇନା ମୁଁ ତୁମ ଆଇନା ମୁଁ ତୁମରି ଛାଇ’…‘ହାକିମ ବାବୁ’ ସିନେମାର ଏହି ଗୀତ ମନେପଡ଼ିଲେ ଅଶୀ ଦଶକର ଓଡ଼ିଆ ସିନେତାରକା ବିଜୟା ଜେନା ବନାମ ଡଲି ଜେନାଙ୍କ ମନଛୁଆଁ ଅଭିନୟ ମନେପଡ଼େ।
ପୁନେସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରୁ ଅଭିନୟରେ ପ୍ରଶିକ୍ଷଣ ଲାଭ କରିଥିବା ସେ ହେଉଛନ୍ତି ଏକମାତ୍ର ଓଡ଼ିଆ ଅଭିନେତ୍ରୀ। ‘ଆଶାର ଆକାଶ’, ‘ବାଟ ଅବାଟ’, ‘ହୀରା ନୀଳା’ ଓ ‘ଜଗା ବଳିଆ’ ଆଦି ତାଙ୍କ ଅଭିନୀତ ଓଡ଼ିଆ ସିନେମା, ମାଧ୍ୟମରେ ସେ ନିଜର ଚିତ୍ତାକର୍ଷକ ଅଭିନୟର ପରିଚୟ ଦେଇଥିଲେ। କେବଳ ଅଭିନୟ ମଧ୍ୟରେ ତାଙ୍କର ସ୍ୱପ୍ନ ସୀମିତ ନଥିଲା କୌଣସି ଭଲ ସିନେମା କରିବାକୁ ହେଲେ ଭଲ କାହାଣୀ ଓ ନିର୍ଦ୍ଦେଶନା ଏକାନ୍ତ ଆବଶ୍ୟକ ବୋଲି ସେ ମନେକରନ୍ତି। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ‘ତାରା’ ୧୯୯୨ ମସିହାରେ ଜାତୀୟସ୍ତରରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଥିଲା। ତାଙ୍କ ସଂଘର୍ଷ ଓ ସଫଳତା ସମ୍ପର୍କରେ ପ୍ରାଚୀତାରାଙ୍କ ସହ ବାର୍ତ୍ତାଳାପ-
ସିନେମାକୁ ନିଜ କ୍ୟାରିୟର ଭାବେ କାହିଁକି ଚୟନ କଲେ?
ପିଲାଟିବେଳୁ ମୁଁ ସିନେମା ପ୍ରତି କେବେ ହେଁ ଆଗ୍ରହୀ ନଥିଲି। ମୁଁ ସ୍କୁଲରେ ପଢ଼ୁଥିବା ସମୟରେ କଟକରେ ଗୁଣ୍ଡାଗିରି ଖୁବ୍ ଜୋର୍‌ରେ ମାତିଥିଲା। ସେହି ସମୟରେ ଗୋଟେ ଗୁଣ୍ଡା ପିଲା ମତେ ବହୁତ ହଇରାଣ କରିବାକୁ ଚେଷ୍ଟା ଚଳେଇଥିଲା, ଯାହାଦ୍ୱାରା ଅତିଷ୍ଠ ହୋଇ ମତେ କଟକ ବାହାରେ ପଢ଼େଇବା ପାଇଁ ମୋ ବାପା ନିଷ୍ପତ୍ତି ନେଲେ। ସେହି ସମୟରେ ପୁନେସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରେ ମୁଁ ପରୀକ୍ଷା ଦେଇ ଆଡମିଶନ କରିଥିଲି।
ପୁନେଠାରେ ପଢ଼ିବା ସମୟରେ ଆପଣଙ୍କ ଅନୁଭୂତି ସମ୍ପର୍କରେ କୁହନ୍ତୁ
ପୂର୍ବରୁ ମୋର ସିନେମା ସମ୍ବନ୍ଧରେ କୌଣସି ଜ୍ଞାନ ନଥିଲା। ପୁନେରେ ପଢ଼ିବା ସମୟରେ ମୁଁ ଭାରତୀୟ ଓ ଅନ୍ତର୍ଜାତୀୟ ସିନେମା ଦେଖିବାର ସୁଯୋଗ ପାଇଲି। ଧୀରେଧୀରେ ସିନେମାରେ ଥିବା କଳାତ୍ମକ ଦିଗକୁ ଆବିଷ୍କାର କଲି ଓ ପରେ ପରେ ଏହା ମୋର ପେସା ହୋଇଗଲା। ସେଠାରେ ପଢ଼ୁଥିବା ସମୟରେ ମାଲୟାଲାମ ସିନେମା ‘ଚେମିନ’ ଦ୍ୱାରା ମୁଁ ବିଶେଷ ପ୍ରଭାବିତ ହୋଇଥିଲି।
ଆପଣଙ୍କ ବଲିଉଡ଼ ଅନୁଭୂତି ସମ୍ପର୍କରେ କୁହନ୍ତୁ?
ଫିଲ୍ମ ଇନଷ୍ଟିଚ୍ୟୁଟରୁ ପାଠ ଶେଷ କରିବା ପରେ ମୁଁ ମୁମ୍ବାଇରେ ଥିବା ମୋର ବନ୍ଧୁବାନ୍ଧବଙ୍କ ସହାୟତାରେ ମୁଁ ଅନେକ ଲୋକଙ୍କୁ ଦେଖା କରିଛି। ହେଲେ ବିଶେଷ ଭାବେ କେହି ମତେ ସାହାଯ୍ୟ କରିପାରିନଥିଲେ। କମାଲ୍ ଅମରୋହି ମତେ ‘ରଜିୟା ସୁଲତାନ’ ସିନେମାରେ ଅଭିନୟ କରିବାର ସୁଯୋଗ ଦେଇଥିଲେ। କିନ୍ତୁ ପରେ ପରେ ମତେ ମିଳିଥିବା ‘ଟୁଥ୍‌ପେଷ୍ଟ’ର ବିଜ୍ଞାପନ ଅଥବା କୌଣସି ନକାରାତ୍ମକ ଚରିତ୍ର କରିବା ପାଇଁ ମୁଁ ପ୍ରସ୍ତୁତ ନଥିଲି। ସେହି ସମୟରେ ଦୂରଦର୍ଶନ ପାଇଁ ଅନେକଗୁଡ଼ିଏ ନାଟକରେ ମୁଁ ଅଭିନୟ ମଧ୍ୟ କରିଛି। ଯଦିଓ ମୋର କ୍ଲୋଜ ସଟ୍ ସ୍କ୍ରିନ୍‌ରେ ଦେଖାଯାଇନାହିଁ, ମୁଁ ‘ହମ୍ କିସିସେ କମ୍‌ ନେହିଁ’ ସିନେମାରେ ମଧ୍ୟ ଅଭିନୟ କରିଛି।
ଓଡ଼ିଆ ସିନେମାରେ ଆପଣଙ୍କୁ ଯେଉଁ ସବୁ ଚରିତ୍ର ମିଳିଲା ସେ ସବୁ ସମ୍ପର୍କରେ କୁହନ୍ତୁ?
ମୋର ପ୍ରଥମ ଓଡ଼ିଆ ସିନେମା ଥିଲା ‘ଆଶାର ଆକାଶ’ ପରେ ପରେ ‘ହାକିମ ବାବୁ’ ସିନେମାରେ ପ୍ରତିଭାବାନ୍ ଅଭିନେତା ଅଜିତ୍ ଦାସଙ୍କ ବିପକ୍ଷରେ ମୋର ଅଭିନୟ ବେଶ୍ ଲୋକପ୍ରିୟ ହୋଇଥିଲା। ଯେଉଁ ସମୟରେ ମୁଁ ହିନ୍ଦୀ ସିନେମା ‘ହୋଲି’ରେ କାମ କରୁଥିଲି ପ୍ରଶାନ୍ତ ନନ୍ଦ ମତେ ‘ଜଗା ବଳିଆ’ ପାଇଁ ଯୋଗାଯୋଗ କରିଥିଲେ। ସେ ସମୟରେ ମୁଁ ତାଙ୍କୁ ମୋର ଚରିତ୍ର ପରଦା ଉପରେ କେତିକି ରହିବ, ସେ ନେଇ ପଚାରି ବୁଝିନେଇଥିଲି।
ଅଭିନେତ୍ରୀ ଡଲି ଜେନା ନିର୍ଦ୍ଦେଶିକା କିପରି ହେଲେ?
ପ୍ରସିଦ୍ଧ ଲେଖକ ବିମଲ ଦତ୍ତଙ୍କ କ୍ଷୁଦ୍ର ଗଳ୍ପ ଉପରେ ମୁଁ ‘ତାରା’ ସିନେମାର କାହାଣୀ ଓ ଚିତ୍ରନାଟ୍ୟ ଲେଖିଥିଲି। ଏହି ସିନେମାର ନିର୍ଦ୍ଦେଶନା ମଧ୍ୟ ବିମଲ ଦତ୍ତ ଦେବାର ଥିଲା। କିନ୍ତୁ ମୁଁ ଏହାର କାହାଣୀକୁ ସିନେମା ଅନୁଯାୟୀ ଦେଖି ସାରିବା ପରେ ସେ ମତେ ହିଁ ଏହାର ନିର୍ଦ୍ଦେଶନା ଦେବାକୁ  ପରାମର୍ଶ ଦେଇଥିଲେ। ‘ତାରା’ ସିନେମା ପାଇଁ ୧୯୯୨ ମସିହାରେ ମୁଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲି। ପରେ ପରେ ମୁୀଁ ହିନ୍ଦୀ ସିନେମା ‘ଆଭାସ’ ମଧ୍ୟ କରିଥିଲି। ଦୁଇଟି ଯାକ ସିନେମାରେ ମୁଁ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲି।
ଜ୍ଞାନପୀଠ ସମ୍ମାନ ବିଜେତା ଗୋପୀନାଥ ମହାନ୍ତିଙ୍କଦାନାପାଣିକୁ ନେଇ ଆପଣ ସିନେମା କରିବା ସମ୍ପର୍କରେ କୁହନ୍ତୁ
‘ଦାନାପାଣି’ର ଚିତ୍ରନାଟ୍ୟ ଲେଖାସରିଛି। ଏହାର ଚରିତ୍ରରେ ‘ତଲୱାର’ରେ ଅଭିନୟ କରିଥିବା ନୀରଜ କବିର ଓ ମୁଁ ମୁଖ୍ୟ ଭୂମିକାରେ ଅଭିନୟ କରିବୁ। ଏହା ଏକ ବ୍ୟୟବହୁଳ ସିନେମା ଓ ଏଥିପାଇଁ ବର୍ତ୍ତମାନ ଯାଏଁ ଫଣ୍ଡସ୍ ଯୋଗାଡ଼ ହୋଇପାରିନି।
ଆପଣଙ୍କର ଇଂରାଜୀ ସିନେମାଗୋଆନ୍ ସୋନାଟାକୁ ନେଇ ସ୍ୱପ୍ନ?
ଗୋଆରେ ରହୁଥିବା ଏକ ମା ଓ ଝିଅର ସମ୍ପର୍କକୁ କେନ୍ଦ୍ର କରି ଏହାର କାହାଣୀ। ଏକ ବ୍ରିଟିଶ୍ ଲେଖକ ଗୋଆକୁ ଆସିବା ପରେ ପର୍ତ୍ତୁଗୀଜ୍ ଓ ଭାରତୀୟ ବଂଶର ଝିଅର ପ୍ରେମରେ ପଡ଼ିଯାଏ। ଗୋଆ ସ୍ୱାଧୀନ ହେବା ପୂର୍ବର ଏହି କାହାଣୀ। ଏହି ସିନେମାରେ ଅକାଡେମୀ ପୁରସ୍କାର ପ୍ରାପ୍ତ ଏଫ ମୁରେ ଆବ୍ରାହମ୍, ଜଣେ ପର୍ତ୍ତୁଗ୍ରୀଜ୍ ଅଭିନେତ୍ରୀ ଓ ମୁଁ ମୁଖ୍ୟ ଚରିତ୍ରରେ ଅଭିନୟ କରିବୁ।

Comment