ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀପାବଳି ପାଇଁ ସାରା ଦେଶ ରଙ୍ଗିନ୍ ଆଲୋକମାଳାରେ ସଜେଇ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାରେ ଘଟିଛି ଅଘଟଣ। ବୁଧବାର ଅପରାହ୍ନରେ ବାଣ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ ଘଟିବାରୁ ୬ ଜଣ ପ୍ରାଣ ହରାଇଛନ୍ତି। ୮ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।
ବାଲେଶ୍ବର ଜିଲ୍ଲା ବାହାବଲପୁରରେ ଘଟିଛି ଏହି ବିସ୍ଫୋରଣ। ବାଣ ତିଆରି ବେଳେ ଘଟିଥିଲା ଏହି ଅଘଟଣ। ଗୋଲକ ବିହାରୀ ପ୍ରଧାନଙ୍କ ଘରେ ଚାଲିଥିବା ବାଣ କାରଖାନାରେ ପ୍ରାୟ ୩୦ ଜଣ ଶ୍ରମିକ କାମ କରୁଥିଲେ। ତେବେ ବାଣ ତିଆରି ବେଳେ ଅସାବଧନତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଖବରପାଇ ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଜିଲ୍ଲାପାଳ ଏବଂ ଏସ୍‌ପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ମଙ୍ଗଳବାର ରାତିରେ ରାଉରକେଲା ପାଓ୍ବାର ହାଉସ୍‌ସ୍ଥିତ ବାଣ ବଜାରରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିଲା। ସେହିପରି ପୁରୀ ଜିଲ୍ଲା ପିପିଲିରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ଜଣକର ପ୍ରାଣହାନୀ ଘଟିବା ସହ ୪ ଜଣ ଆହତ ହୋଇଥିଲେ।

ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

 

Comment