ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଦେଶରେ ଚାକିରି କରୁଥିବା ଭାରତୀୟମାନଙ୍କ ଲାଳସା କମିବାରେ ଲାଗିଛି। ନିକଟରେ ପ୍ରକାଶ ପାଇଥିବା ଏକ ସର୍ଭେ ଅନୁସାରେ ଆମେରିକା ସମେତ ବିଭିନ୍ନ ଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା କାରଣରୁ  ପ୍ରବାସୀ ଭାରତୀୟମାନଙ୍କୁ ବିଦେଶ ଚାକିରି ଆଉ ଆକର୍ଷିତ କରୁନାହିଁ। ବିଦେଶରେ ରହୁଥିବା ଓ ଉଚ୍ଚ କୁଶଳୀ ବ୍ୟକ୍ତିମାନେ ଅଧିକରୁ ଅଧିକ ଦେଶ ଭିତରେ ଚାକିରି ଖୋଜିବା ଆରମ୍ଭ କରିଛନ୍ତି। ବିଶ୍ଵସ୍ତରରେ ରୋଜଗାର ସମ୍ପର୍କିତ ସୂଚନା ଦେଉଥିବା ସଂସ୍ଥା ଇନଡିଡ୍‌ ପକ୍ଷରୁ ଏହି ତଥ୍ୟ ମିଳିଛି।
ସର୍ବେକ୍ଷଣ ଅନୁସାରେ ଗତବର୍ଷ ଆମେରିକାରେ ଚାକିରି ଖୋଜୁଥିବା ଭାରତୀୟଙ୍କ ସଂଖ୍ୟା ହ୍ରାସ ପାଇଛି। ପୂର୍ବ ବର୍ଷ ତୁଳନାରେ ଏହି ଚାକିରି ସନ୍ଧାନ ୩୮ ପ୍ରତିଶତ କମିଥିବା କଥା ସଂସ୍ଥା ପକ୍ଷରୁ କୁହାଯାଇଛି। ସେହିଭଳି ବ୍ରିଟେନ ଯାଉଥିବା ଚାକିରିଆଙ୍କ ସଂଖ୍ୟା ୪୨ ପ୍ରତିଶତ  ହ୍ରାସ ପାଇଛି। ରିପୋର୍ଟ ଅନୁସାରେ ବ୍ରେକ୍ସିଟରୁ ବ୍ରିଟେନ ଓହରିଯିବା ପରେ ଏହି ଦେଶ ପ୍ରତି ଭାରତୀୟ ଲୋକେ ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି।
ଅନ୍ୟପଟେ ଜର୍ମାନୀ ଓ ଆୟାରଲାଣ୍ଡ ଭଳି ଦେଶକୁ ଚାକିରି କରିବା ପାଇଁ ଯାଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧିପାଇଛି। ଗତବର୍ଷକ ମଧ୍ୟରେ ଜର୍ମାନୀ ଯାଉଥିବା ଭାରତୀୟଙ୍କ ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି ପାଇଛି। ଆୟାର୍ଲାଣ୍ଡକୁ ଯାଉଥିବା ଚାକିରିଆଙ୍କ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ହୋଇ ଥିବା ବେଳେ ଗଲ୍‌ଫ ଦେଶମାନଙ୍କ ପ୍ରତି ମଧ୍ୟ ଆକର୍ଷଣ ବଢୁଛି।
ସଂସ୍ଥାର ମୁଖ୍ୟ ଶଶୀ କୁମାର କହନ୍ତି, “ଭାରତର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେଉଥିବା କାରଣରୁ ଏବଂ ଏଠାରେ ରୋଜଗାର ସୁବିଧା ସୁଯୋଗ ବ୍ୟାପକ ହେବା କାରଣରୁ ଭାରତୀୟମାନେ ଦେଶକୁ ଫେରିଆସିବା ପାଇଁ ଇଛୁକ ହେଉଛନ୍ତି। ଘର୍ମୁହାଙ୍ଗ୍‌ର ଅନ୍ୟ ଏକ କାରଣ ବିଭିନ୍ନ ଦେଶରେ ଲାଗି ରହିଥିବା ଅସ୍ଥିରତା ଓ ହିଂସା। ଏଣେ ଦେଶ ଭିତରେ ଚାକିରି ସନ୍ଧାନରେ ଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି।
ବିଦେଶ ଯାଇ ସେଠାରେ କାମ କରିବାକୁ ଇଚ୍ଛା ପ୍ରକାଶ କରୁନଥିଲେ ହେଁ ରିପୋର୍ଟ ଅନୁସାରେ ସର୍ବାଧିକ ଭାରତୀୟ ଆମେରିକା ଯିବାକୁ ମନ ବଳାଇଥାଆନ୍ତି। ଶତକଡା ହିସାବରେ ଏହା ୪୯। ତା’ ତଳକୁ ପସନ୍ଦ କରିଥାନ୍ତି ଆରବ ଏମିରେଟ୍ସ, କାନାଡା, ବ୍ରିଟେନ, ସିଙ୍ଗାପୁର, ଅଷ୍ଟ୍ରେଲିଆ, କତାର, ଦକ୍ଷିଣ ଆଫ୍ରିକା ଓ ବାହାରିନ।

Comment