ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୫ଟି ଜିଲ୍ଲାର ୭୦ ବ୍ଲକର ୩.୧୫ ଲକ୍ଷ ହେକ୍ଟର ଜମି ମରୁଡ଼ି ପ୍ରଭାବିତ ହୋଇଛି। ବଲାଙ୍ଗୀର, ବରଗଡ଼, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା ଜିଲ୍ଲା ମରୁଡ଼ି ଯୋଗୁଁ ହୋଇଛି ବିଶେଷ ପ୍ରଭାବିତ।

ଦୋହଲି ଯାଇଛି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ। ସ୍ବଳ୍ପ ବୃଷ୍ଟି ଛଡ଼ାଇ ନେଇଛି ଚାଷୀଙ୍କ ମହଁରୁ ହସ। ଯେଉଁ ଜିମରେ ସୁନର ଫସଲ ଲହଡି ଭାଙ୍ଗୁଥିଲା ସେହି ଜମି ଏବେ ଫାଟି ଆଁ କରିଛି। ବର୍ଷକ ପାଇଁ ଆହାର ଯୋଗାଉଥିବା ଜମିରେ ଗୋରୁ ଚରୁଛନ୍ତି। ତେବେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ମରୁଡ଼ି ସହାୟତା ଘୋଷଣା କରି ନଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି।
ମରୁଡ଼ି ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଗା ଯାଇଥିଲା ରିପୋର୍ଟ। ଇତିମଧ୍ୟରେ ଜିଲ୍ଲାପାଳ ତାଙ୍କ ରିପୋର୍ଟ ଦେଇଛନ୍ତି। ତେବେ ୨୭ ତାରିଖରେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହେବ। ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବା ପରେ ସହାୟତା ଘୋଷଣା କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି କହିଛନ୍ତି।
ଶ୍ରୀ ମହାନ୍ତି କହିଛନ୍ତି ଯେ, “୧୫ଟି ଜିଲ୍ଲାର ୭୦ ବ୍ଲକର ୩.୧୫ ଲକ୍ଷ ହେକ୍ଟର ଜମି ମରୁଡ଼ି ପ୍ରଭାବିତ ହୋଇଛି। ବଲାଙ୍ଗୀର, ବରଗଡ଼, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା ଜିଲ୍ଲା ମରୁଡ଼ି ଯୋଗୁଁ ବିଶେଷ ପ୍ରଭାବିତ ହୋଇଛି। ଗତବର୍ଷର ମରୁଡ଼ି ପ୍ୟାଜେକୁ ତୁଳନା କରି ଚଳିତବର୍ଷ ପ୍ୟାକେଜ ଘୋଷଣା କରାଯିବ। ଫସଲ ଅମଳ ରିପୋର୍ଟକୁ ଅପେକ୍ଷା ନକରି ରାଜ୍ୟ ସରକାର ପୂର୍ବରୁ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିବେ।”
ସ୍ବତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି, “ଜିଲ୍ଲାପାଳମାନେ ଦେଇଥିବା କ୍ଷେତ୍ର ପରିଦର୍ଶନ ରିପୋର୍ଟ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଏହି ରିପୋର୍ଟକୁ ତର୍ଜମା କରାଯାଉଛି। ବିଭାଗୀୟ ଅଧିକାରୀମାନେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବା ପରେ ଅକ୍ଟୋବର ୩୦ ସୁଦ୍ଧା ମରୁଡ଼ି ପ୍ରଭାବିତ ଅଞ୍ଚଳ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯିବ।”

 

LEAVE A REPLY

Please enter your comment!
Please enter your name here