ଓଡ଼ିଶାଲାଇଭ୍‌ ବ୍ୟୁରୋ

ମରୁଡ଼ି ଅଞ୍ଚଳ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଘୋଷଣା ସହ ଜଳକର ଓ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି ସମ୍ପୂର୍ଣ୍ଣ ଛାଡ଼ ଘୋଷଣା କରିଛନ୍ତି ସରକାର।

ପ୍ରତୀକ୍ଷାର ଅନ୍ତ ଘଟିଛି। ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି।  ଏହି ପ୍ୟାକେଜରେ କ୍ଷୁଦ୍ର ଓ ମଧ୍ୟମ ବର୍ଗର ଚାଷୀ ଉପକୃତ ହେବେ।
୩୩ ପ୍ରତିଶତ ଫସଲ ହାନି ହୋଇଥିବା ଅଣ ଜଳସେଚିତ ଅଞ୍ଚଳର କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କୁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ପ୍ରଦାନ କରାଯିବ। ଜଳସେଚନ ସୁବିଧା ଥିବା ଅଞ୍ଚଳର ଚାଷୀଙ୍କୁ ହେକ୍ଟର ପିଛା ୧୩,୫୦୦ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସେହିପରି ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଜଳକର ସମ୍ପୂର୍ଣ୍ଣ ଛାଡ଼ କରାଯିବା ସହ ସ୍କୁଲ, କଲେଜ ପିଲାଙ୍କ ପରୀକ୍ଷା ଓ ଟ୍ୟୁସନ ଫି ଛାଡ଼ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ଖରିଫରେ ଫସଲହାନିକୁ ନେଇ ଚିନ୍ତାରେ ଥିବା ଚାଷୀଙ୍କୁ ସହାୟତା ମିଳିବ। ମରୁଡ଼ି ପ୍ରବଣ ଅଞ୍ଚଳରେ ରବି ଋତୁ ପାଇଁ ୧.୨୫ ଲକ୍ଷ ଡାଲି ଜାତୀୟ ମନି କିଟ୍ ମିଳିବ। ୫୦ ହଜାର ତୈଳବିଜ ଏବଂ ୨୫ ହଜାର ପନିପରିବା ମନି କିଟ୍ ମିଳିବ। ମରୁଡ଼ି ଅଞ୍ଚଳରେ ଅଧିକ ୫୦ ଦିନ ମନରେଗା କାମ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି।
ସ୍ବଳ୍ପ ବୃଷ୍ଟି ଯୋଗୁଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମରୁଡ଼ି ସ୍ଥିତି ଦେଖାଦେଇଥିଲା। କ୍ଷୟକ୍ଷତି ଆକଳନ ପାଇଁ ଫିଲ୍ଡ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ସରକାର ନିର୍ଦ୍ଦଶେ ଦେଇଥିଲେ। ଜିଲ୍ଲାପାଳମାନେ ସରକାରଙ୍କୁ ରିପୋର୍ଟ ଦେଇଥିଲେ। ୧୫ଟି ଜିଲ୍ଲାର ୭୦ ବ୍ଲକର ୩.୧୫ ଲକ୍ଷ ହେକ୍ଟର ଜମି ମରୁଡ଼ି ପ୍ରଭାବିତ ହୋଇଥିବା ମଙ୍ଗଳବାର ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି କହିଥିଲେ। ବଲାଙ୍ଗୀର, ବରଗଡ଼, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା ଜିଲ୍ଲା ମରୁଡ଼ି ଯୋଗୁଁ ହୋଇଛି ବିଶେଷ ପ୍ରଭାବିତ।

 

Comment