ଓଡ଼ିଶାଲାଇଭ୍ ବ୍ୟୁରୋ
ପରିସ୍ଥିତି ଅଣାୟତ୍ତ ହେବା ପରେ କଥା ବଦଳାଇଛନ୍ତି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ଲେଖାଶ୍ରୀଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଏହି ବରିଷ୍ଠ ମନ୍ତ୍ରୀ। ହେଲେ ଏହାକୁ ଗ୍ରହଣ କରି ନାହାନ୍ତି ଲେଖାଶ୍ରୀ। କ୍ଷମା ନମାଗିବା ପର୍ଯ୍ୟନ୍ତ ଆମେ ଛାଡ଼ିବୁନି ବୋଲି ବିଜେପି ନେତ୍ରୀ କହିଛନ୍ତି।
‘ସ୍ବାମୀ ଛାଡ଼ି ଅଙ୍ଗନବାଡ଼ି’ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। କହିଛନ୍ତି, ମୋ କଥାକୁ ତିଳରୁ ତାଳ କରାଯାଇଛି। ଆଉ ଭୁଲ୍ ବୁଝାମଣା ସୃଷ୍ଟି କରାଯାଇଛି। ମୋ କଥା ଯଦି କାହା ମନକୁ କଷ୍ଟ ଦେଇଥାଏ ତାହାଲେ ମୁଁ ମର୍ମାହତ।
ଦୁଃଖ ପ୍ରକାଶ କରିବା ସହ ଦାମ ପୁଣି ଲେଖାଶ୍ରୀଙ୍କ ଉପରେ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ପୋଡ଼ା ଟ୍ରାନ୍ସଫର୍ମର, ଧୃତରାଷ୍ଟ୍ର କୁହାଯାଉଛି। ବରିଷ୍ଠ ମନ୍ତ୍ରୀଙ୍କୁ ଶିଖଣ୍ଡୀ, ବଣଭାଲୁ, ଜୋକର ଆଦି କୁହାଯାଉଛି। ଜାତୀୟ ଦଳର ନେତ୍ରୀ ଯଦି ଏଭଳି ମନ୍ତବ୍ୟ ଦେବାରେ କିଛି ଅସୁବିଧା ନାହିଁ ତାହାଲେ ମୋର କିଛି କହିବାର ନାହିଁ।
ଦାମ ଦୁଃଖ ପ୍ରକାଶ କରିବା ପରେ ବିଜେପି ପୁଣି ଏହି ବରିଷ୍ଠ ମନ୍ତ୍ରୀଙ୍କୁ ଟାର୍ଗଟେ କରିଛି। ଲେଖାଶ୍ରୀ କହିଛନ୍ତି, ଆମେ କ୍ଷମା ମାଗିବାକୁ ପାଇଁ କହିଥିଲୁ। ଦୁଃଖ ପ୍ରକାଶ ପାଇଁ ନୁହେଁ। ଦୁଃଖ ପ୍ରକାଶ ଆଳରେ ମନ୍ତ୍ରୀ ଧମକାଉଛନ୍ତି। ମୁଖ୍ୟମନ୍ତ୍ରୀ ସବୁ ତାମ୍ସା ଦେଖୁଛନ୍ତି। ଦାମବାବୁ ସର୍ବସାଧାରଣ ଏବଂ ମିଡିଆ ସମ୍ମୁଖରେ କ୍ଷମା ମାଗନ୍ତୁ। କ୍ଷମା ନମାଗିବା ପର୍ଯ୍ୟନ୍ତ ଆମେ ଛାଡ଼ିବୁନି।
ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବିଜେଡି ଜନ ସମ୍ପର୍କ ପଦଯାତ୍ରା ବେଳେ ବରିଷ୍ଠ ମନ୍ତ୍ରୀ ଡାକ୍ତର ରାଉତ ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ଉପରେ ନକରାତ୍ମକ ଟିପ୍ପଣୀ ଦେଇଥିଲେ। ଲେଖାଶ୍ରୀଙ୍କୁ ଆକ୍ଷେପ କରି ‘ସ୍ବାମୀ ଛାଡ଼ି ଅଙ୍ଗନବାଡ଼ି’ ଟିପ୍ପଣୀ ଦେଇଥିଲେ। ଏହାକୁ ବିଜେପି ମହିଳା ମୋର୍ଚ୍ଚା ଅସ୍ତ୍ର କରିଥିଲା। ଦାମବାବୁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲା। ମାତ୍ର ଡାକ୍ତର ରାଉତ କ୍ଷମା ନମାଗିବାରୁ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଶୁକ୍ରବାର ସନ୍ଧ୍ୟାରେ ମନ୍ତ୍ରୀଙ୍କ ଘରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।