(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ବିଶ୍ୱ ପର୍ଯ୍ୟଟନ ବଜାରରେ ସାମିଲ୍‌ ହୋଇଛି ଓଡ଼ିଶା। ଓଡ଼ିଶାର ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନ କ୍ଷେତ୍ର ସମେତ କଳା-ସଂସ୍କୃତିକୁ ବିଦେଶୀ ପର୍ଯ୍ୟଟକ କରୁଛନ୍ତି ଆଦର। ବାଲୁକା କଳା ବି ବିଦେଶୀ ପର୍ଯ୍ୟଟକଙ୍କ ମନ ମୋହୁଛି।

ଲଣ୍ଡନରେ ଆରମ୍ଭ ହୋଇଥିବା ତିନି ଦିନିଆ ବିଶ୍ୱ ପର୍ଯ୍ୟଟନ ବଜାର-୨୦୧୭ରେ ସାମିଲ୍‌ ହୋଇଛି ଓଡ଼ିଶା ପର୍ଯ୍ୟଟନ। ଓଡ଼ିଶା ପର୍ଯ୍ୟଟନ ମଣ୍ଡପକୁ ଉଦ୍‌ଘାଟନ କରିଛନ୍ତି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଏଥିରେ ଓଡ଼ିଶା ତାର ପର୍ଯ୍ୟଟନ ସମ୍ପଦ ସହ କଳା ଓ ସଂସ୍କୃତିର ପ୍ରଚାର କରୁଛି। ଏହି ମଣ୍ଡପରେ ବାଲୁକା କଳାକୃତି ସହିତ ଓଡ଼ିଶାର ପରମ୍ପରା ଓ ସଂସ୍କୃତି ସ୍ଥାନ ପାଇଛି।

ଓଡ଼ିଶା ମଣ୍ଡପ ନିକଟକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଓଡ଼ିଶାର ଆଦିବାସୀ ପରମ୍ପରା ସହ କଳା, ସଂସ୍କୃତି ସମ୍ପର୍କରେ ସୂଚନା ଦିଆଯାଉଛି। ପର୍ଯ୍ୟଟନ କ୍ଷେତ୍ର କୋଣାର୍କ, ରତ୍ନଗିରି, ଧଉଳି ସମେତ ଜୈବ ବିବିଧତାରେ ପୂର୍ଣ୍ଣ ଚିଲିକା, ଭିତରକନିକା, ସାତକୋଶିଆ ସମ୍ପର୍କରେ ବିଦେଶୀ ପର୍ଯ୍ୟଟକଙ୍କୁ ଅବଗତ କରାଯାଉଛି। ଏହାସହ ଓଡ଼ିଶାର ହସ୍ତତନ୍ତ, ହସ୍ତଶିଳ୍ପକୁ ପର୍ଯ୍ୟଟକମାନଙ୍କ ଆଗରେ ପ୍ରଦର୍ଶନ କରାଯାଉଛି। ଏହି ମଣ୍ଡପରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ବାଲୁକା କଳା ବେଶ୍ ଆଦୃତ ହେଉଛି।

ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, “ଓଡ଼ିଶାରେ ନୂତନ ପର୍ଯ୍ୟଟନ ନୀତି ଓ ଓଡ଼ିଶାରେ ଥିବା ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ଆମେ ପର୍ଯ୍ୟଟକମାନଙ୍କୁ ସବିଶେଷ ବିବରଣୀ ଦେଉଛୁ । ଆଶା କରୁଛୁ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ବିଦେଶୀ ପର୍ଯ୍ୟଟକମାନେ ଓଡ଼ିଶାକୁ ଆସିବେ।”

ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ମୋନା ଶର୍ମା କହିଛନ୍ତି, “ଆମେ ବିଦେଶୀ ପର୍ଯ୍ୟଟକ ତଥା ଟ୍ରାଭେଲ୍ ଓ  ଟୁର୍‌ ଅପରେଟରମାନଙ୍କୁ ଓଡ଼ିଶାର ସୌନ୍ଦର୍ଯ୍ୟଭରା ପରିବେଶ ସମ୍ପର୍କରେ ଅବଗତ କରୁଛୁ। ଆମେ କିପରି ଅନ୍ୟମାନଙ୍କଠାରୁ ଭିନ୍ନ ସେ ସମ୍ପର୍କରେ ମଧ୍ୟ କହୁଛୁ। ଆଶା କରୁଛୁ ଏହା ଦ୍ବାରା ଆଗାମୀ ଦିନରେ ଓଡ଼ିଶା ପର୍ଯ୍ୟଟନ ଶିଳ୍ପ ଆହୁରି ସମୃଦ୍ଧ ହେବ।

ଲଣ୍ଡନରେ ଆୟୋଜିତ ଏହି ତିନି ଦିନିଆ ବିଶ୍ୱ ପର୍ଯ୍ୟଟନ ବଜାରରେ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ହୋଟେଲ ଆଣ୍ଡ୍ ରେଷ୍ଟୁରାଣ୍ଟ ଆସୋସିଏସନର ଅଧ୍ୟକ୍ଷ ଜେ କେ ମହାନ୍ତି ଏବଂ ଟ୍ରାଭେଲ୍ ଓ ଟୁର୍ ଅପରେଟରମାନେ ସାମିଲ୍ ହୋଇଛନ୍ତି।

Comment