ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପଣବ ମୁଖାର୍ଜୀ। ପ୍ରତିଯୋଗିତା ମନୋଭାବ ଏବଂ ଦୃଢ଼ମନା ହୋଇ ଆଗକୁ ବଢ଼ିବାକୁ ସେ ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି ପରାମର୍ଶ।

“ଭାରତରେ ୭୬୨ଟି ବିଶ୍ବବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ୧୬୨ଟିରେ ପିଏଚଡି ପାଠ୍ୟକ୍ରମ ଦିଆଯାଉଛି। ଏହାସହ ଭାରତରେ ୩,୭୦୦୦ ଡିଗ୍ରୀ କଲେଜ ସମେତ ବହୁ ବୈଷୟିକ କଲେଜ ରହିଛି। ଏହାସତ୍ତ୍ବେ ଭାରତର କୌଣସି ବିଶ୍ବବିଦ୍ୟାଳୟ ବିଶ୍ବର ଟପ୍‌ ୨୦୦ ବିଶ୍ବବିଦ୍ୟାଳୟ ତାଲିକାରେ ସ୍ଥାନ ପାଇନାହିଁ। ଏହାର କାରଣ ହେଉଛି ବିଭିନ୍ନ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ପଦ୍ଧତିର ମାନ ହ୍ରାସ ପାଇଛି। ଏଥିପ୍ରତି ସତର୍କ ରହିବା ଆବଶ୍ୟକ”, – ଏହା କହିଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ।

ଭୁବନେଶ୍ବରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ପ୍ରଣବ ମୁଖାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ସବରେ ଯୋଗଦେଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।

ଏହି ଅବସରରେ ଶ୍ରୀ ମୁଖାର୍ଜୀ ଆହୁରି କହିଥିଲେ ଯେ, ପ୍ରତିବର୍ଷ ଭାରତରେ ନୂଆ ନୂଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଉଛି। ପିଲମାନେ ମଧ୍ୟ ଆଗ୍ରହର ସହ ପାଠ ପଢ଼ିବାକୁ ଯାଉଛନ୍ତି। ହେଲେ ଛାତ୍ରଛାତ୍ରୀଙ୍କ ମନରେ ପ୍ରତିଯୋଗିତାର ଅଭାବ ରହିଛି। ପ୍ରତିଯୋଗିତା ମନୋଭାବ ରଖି ଛାତ୍ରଛାତ୍ରୀ ଆଗକୁ ବଢ଼ିବା ଦରକାର। ଦୃଢ଼ମନା ହୋଇ ସଫଳତା ହାସଲ କରିବା ଦରକାର।

ଛାତ୍ରଛାତ୍ରୀମାନେ ଅଧିକ ଗବେଷଣା ଉପରେ ଧ୍ୟାନ ଦେବାକୁ ଶ୍ରୀ ମୁଖାର୍ଜୀ କହିଥିଲେ। ନେବେଲ ବିଜେତା ସିଭି ରମଣ, ଅମର୍ତ୍ତ୍ୟ ସେନ ଓ ଚନ୍ଦ୍ର ଶେଖରଙ୍କ ଉଦାହରଣ ଦେଇଥିଲେ।

ସମାବର୍ତ୍ତନ ଉତ୍ସବରେ ୩ ଜଣଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ଦିଆଯାଇଛି। ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି  କେ ଜି ବାଲା କ୍ରିଷ୍ଣାନ୍, ଲୋକସଭା ସାଂସଦ ଡକ୍ଟର ଏମ୍ ବିରପା ମୋଇଲି ଏବଂ ଦିଲ୍ଲୀ ଏମ୍ସର କ୍ୟାନ୍ସର ଇନଷ୍ଟିଚ୍ୟୁଟର ମୁଖ୍ୟ ପ୍ରଫେସର ଜି କେ ରଥଙ୍କୁ ଡକ୍ଟରେଟ ଉପାଧି ମିଳିଛି।

୪୦ ଜଣଙ୍କୁ ପି ଏଚ୍ ଡିଗ୍ରୀ, ୨ ଜଣଙ୍କୁ ଚାନ୍ସେଲର ଗୋଲ୍ଡ ମେଡାଲ ଏବଂ ୩୯ ଜଣଙ୍କୁ  ୟୁନିଭରସିଟି ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଛି। ପୋଷ୍ଟ ଗ୍ରାଜୁଏଟ ଏବଂ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀ ମାନଙ୍କୁ  ଡିଗ୍ରୀ ପ୍ରଦାନ କରାଯାଇଛି।

ସମାବର୍ତ୍ତନ ଉତ୍ସବରେରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର ଚାନ୍ସେଲର ପ୍ରଫେସର ଖଗେଶ୍ବର ପ୍ରଧାନ, ଭାଇସ୍ ଚାନ୍ସେଲର ପ୍ରଫେସର ଅମିତ୍ ବାନାର୍ଜୀ, ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ଉପସ୍ଥିତ ଥିଲେ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଣବ ମୁଖାର୍ଜୀ। ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ସନ୍ଧ୍ୟାରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏକ ଉତ୍ସବରେ ଯୋଗଦେଇଥିଲେ। ପରେ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିଥିଲେ।

Comment