ଓଡ଼ିଶାଲାଇଭ୍‍ ବ୍ୟୁରୋ

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ କରିବାକୁ ପୁଣି ଜୋରଦାର ଦାବି ହୋଇଛି। ୨୦୦୫ରୁ କୋଶଳ ପାଇଁ ଲଗାତାର ଆନ୍ଦୋଳନ ହୋଇ ଆସୁଥିବା ବେଳେ ଆଜି ବଲାଙ୍ଗୀର-ସୋନପୁର ବନ୍ଦ କରାଯାଇଛି।

ପୁଣି ତେଜିଛି ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବି। ଏହି ଦାବିରେ ଆଜି ବଲାଙ୍ଗୀ-ସୋନପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି କୋଶଳ ସମନ୍ୱୟ ସମିତି।

ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ବଲାଙ୍ଗୀର ଏବଂ ସୋନପୁରରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ସ୍କୁଲ, କଲେଜ, ଅଫିସ୍‍, ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଆଗାମୀ ଦିନରେ ଜୋନାଲ ସ୍ତରରେ ବନ୍ଦ ପାଳନ କରାଯିବ ବୋଲି କୋଶଳ ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି।

ଅଲଗା କୋଶଳ ରାଜ୍ୟ ଗଠନ ଦାବିରେ ଦୀର୍ଘ ଦିନରୁ ଦାବି ହୋଇଆସୁଛି। ଶିକ୍ଷା, ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ଦୂରିକରଣ ଆଦିରେ ପଶ୍ଚିମଓଡ଼ିଶାକୁ ଅବହେଳା କରାଯାଉଥିବା ଅଭିଯୋଗ ନେଇ କିଛି ବ୍ୟକ୍ତି ଏହି ଦାବି କରୁଛନ୍ତି।

କୋଶଳ ପାଇଁ ଜୋରଦାର ଦାବି

ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ୨୦୦୫ରୁ ୨୦୦୯ ମଧ୍ୟରେ ଆନ୍ଦୋଳନ ଜୋରଦାର ହୋଇଥିଲା। କୋଶଳ କ୍ରାନ୍ତି ଦଳ, କୋଶଳୀ ଏକତା ମଞ୍ଚ, କୋଶଳ ପାର୍ଟି, ଓଡ଼ିଶା ସାଂସ୍କୃତିକ ସମାଜ, କୋଶଳ ରାଜ୍ୟ ସଂଘର୍ଷ ସମିତି, ହିରାଖଣ୍ଡ ମୁକ୍ତି ମୋର୍ଚ୍ଚା, କୋଶଳ ମୁକ୍ତି ମୋର୍ଚ୍ଚା, ବୀର ସୁରେନ୍ଦ୍ର ସାଏ ମଞ୍ଚ, ଅଲ୍‍୍‍ କୋଶଳ ଷ୍ଟୁଡେଣ୍ଟସ୍‍ ୟୁନିଅନ୍‍ କୋଶଳ ରାଜ୍ୟ ଗଠନ ପାଇଁ ଦାବି କରିଥିଲେ।

ତତ୍କାଳୀନ କଂଗ୍ରେସ ସାଂସଦ ଅମରନାଥ ପ୍ରଧାନ ମଧ୍ୟ ସ୍ୱତନ୍ତ୍ର କୋଶଳ ଦାବି  ଗଠନ କରିବାକୁ ସରକାରଙ୍କୁ ଚେତାବନୀ ଦେଇଥିଲେ।

୨୦୦୯ ଡିସେମ୍ବର ୨୩ରେ କୋଶଳ କ୍ରାନ୍ତି ଦଳର ସଦସ୍ୟ ଓଡ଼ିଶା ବିଧାନସଭା ସମ୍ମୁଖରେ ଧାରଣା ଦେଇଥିଲେ।

୨୦୧୦ ଜାନୁୟାରୀ ୧୦ରେ ଅନୁରୂପ ଦାବିରେ ବଲାଙ୍ଗୀରରେ ରେଳରୋକ କରାଯାଇଥିଲା। ସେହିପରି ୨୦୧୩ ଅଗଷ୍ଟ ୨୬ରେ ପଶ୍ଚିମ-ଓଡ଼ିଶା ବନ୍ଦ କରାଯାଇଥିଲା।

୨୦୧୪ ଅଗଷ୍ଟ ୧୬ରେ କୋଶଳକ୍ରାନ୍ତି ଦଳ ପକ୍ଷରୁ ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବିରେ ଏକ ମଟର ସାଇକେଲ ରାଲି କରାଯାଇଥିଲା। ଏହି ରାଲି ସମଲେଶ୍ୱରୀ ମନ୍ଦିର ନିକଟରୁ ବରଗଡ଼ ସହର ପର୍ଯ୍ୟନ୍ତ ଯାଇଥିଲା।

୨୦୧୫ ଅଗଷ୍ଟ ୨୬ରେ କୋଶଳ ରାଜ୍ୟ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଟିଆ ବନ୍ଦ ଡାକରା ଦିଆଯାଇଥିଲା। ୨୦୧୬ରେ ବି ଏହି ପ୍ରସଙ୍ଗ ଉଠାଇ ଆନ୍ଦୋଳନ କରାଯାଇଥିଲା।

କାହିଁକି କୋଶଳ?

କୋଶଳ ରାଜ୍ୟ ଗଠନ କରିବାକୁ ଦାବି କରୁଥିବା ସଙ୍ଗଠନଗୁଡ଼ିକା ଦାବି ଭିନ୍ନ। ସେମାନଙ୍କ ଯୁକ୍ତି ହେଲା, ଆମର ଭାଷା ଅଲଗା। ସଂସ୍କୃତି ଓ ପରମ୍ପରା ମଧ୍ୟ ଭିନ୍ନ। ପଶ୍ଚିମ-ଓଡ଼ିଶାରେ ପ୍ରଚୁର ଜଙ୍ଗଲ ଓ ଖଣିଜ ସମ୍ପଦ ଭରି ରହିଛି। ତଥାପି ପଶ୍ଚିମ ଓଡ଼ିଶାବାସୀଙ୍କୁ ଅବହେଳିତ କରି ରଖାଯାଇଛି। ସେମାନଙ୍କୁ ଉପଯୁକ୍ତ ନ୍ୟାୟ ଦାବିରେ ଏବଂ ଭାଷା ଭିତ୍ତିରେ କୋଶଳ ରାଜ୍ୟ ଗଠନ କରିବାକୁ ଦାବି ହେଉଛି।

୧୦ଟି ଜିଲ୍ଲାକୁ ନେଇ କୋଶଳହେଉ

ବିଶେଷକରି ୧୦ଟି ଜିଲ୍ଲାକୁ ନେଇ କୋଶଳ ରାଜ୍ୟ ଗଠନ କରିବାକୁ ଦାବି ହେଉଛି। ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା, କଳାହାଣ୍ଡି ଏବଂ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳକୁ ନେଇ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ କରିବାକୁ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଛି।

Comment