ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜଙ୍ଗଲ ପାଖ ଗାଁରେ ପୋଲିସ-ଯବାନ ପାଇବେ ଡେରା
  • ସନ୍ଧ୍ୟା ୬ରୁ ସକାଳ ୬ ଯାଏଁ ଜୋରଦାର କୋମ୍ବିଂ
  • ଜଙ୍ଗଲ ପାଖ ଗାଁରେ ପୋଲିସ କରୁଛି ସଚେତନ
  • ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସ୍ବତନ୍ତ୍ର ପ୍ରଶିକ୍ଷଣ

 ବିଶାଖାପାଟଣା,(ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଜୋରଦାର ହେବ ମାଓ ଦମନ। ଏଥିପାଇଁ ବିଶାଖାପାଟଣା ପୋଲିସ ଆପଣାଇଛି ନୂଆ ଫର୍ମୁଲା। ‘ଶୀତ’କୁ ନଜରରେ ରଖି ପୋଲିସ ଏଣିକି ଜଙ୍ଗଲ ପାଖ ଗାଁରେ ପକାଇବ ଡେରା। ସନ୍ଧ୍ୟା ୬ରୁ ସକାଳ ୬ ଯାଏଁ ଜୋରଦାର କରିବ କୋମ୍ବିଂ ଅପରେସନ୍‌।

ବିଶାଖାପାଟଣାରେ ପଡ଼ିଲାଣି ପ୍ରବଳ ଶୀତ। ଏଣିକି ଜଙ୍ଗଲ ଭିତର କ୍ୟାମ୍ପ ଛାଡ଼ି ମାଓବାଦୀମାନେ ଗାଁ ମୁହାଁ ହେବେ। ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରସ୍ତୁତ କରିଛି ବ୍ଲୁ-ପ୍ରିଣ୍ଟ। ମାଓବାଦୀଙ୍କୁ କାବୁ କରିବା ପାଇଁ ପୋଲିସ ଏବଂ ଯବାନମାନେ ଜଙ୍ଗଲ ପାଖ ଗାଁରେ ସାଧା ପୋଷାକରେ ଘୂରି ବୁଲିବେ। ଏଣୁ ପୋଲିସ ପାଇଁ ଡିସେମ୍ବର, ଜାନୁୟାରୀ ମାସ ବେଶ୍ ଗୁରୁତ୍ବ ବହନ କରୁଛି।

ଡିସେମ୍ବର ମାସଠାରୁ ଲାଲବାହିନୀର ପ୍ରଶିକ୍ଷଣ ଶିବିର ଓ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ପ୍ରତେକ ଗ୍ରାମରୁ ୧୦ ଜଣ ଲେଖାଏଁ ମିଲିସିଆ ସଦସ୍ୟ ଦଳରେ ଯୋଗଦାନ ନେଇ ନିରୀହ ଆଦିବାସୀଙ୍କ ଉପରେ ହୁକୁମ ଜାରି କରିଛି ଲାଲବାହିନୀ। ଅନ୍ୟପକ୍ଷରେ ମାଓ ଦମନ ପାଇଁ ବିଗତ ଦିନରେ ଓଡିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ପୋଲିସ ପକ୍ଷରୁ ବିଶାଖାପାଟଣାରେ ଦୁଇ ଦିନିଆ ବୈଠକ କରାଯାଇ ମାଓ ଦମନ ପାଇଁ ବିଭିନ୍ନ ରଣକୌଶଳର ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ବୈଠକରେ ଶୀତ କାକରକୁ ମୁଖ୍ୟ ଅସ୍ତ୍ର ରୂପେ ପ୍ରାଧାନ୍ୟ ଦିଆଯାଇଛି।

 ସାଧାରଣତଃ ନଭେମ୍ବର ମାସର ଶେଷ ଆଡକୁ ଓ ଡିସେମ୍ବର ମାସରେ ମାଓବାଦୀମାନେ ଶିବିର ଛାଡି ବିଛିନ୍ନାଂଚଳର ଗାଁ ଗଣ୍ଡାରେ ଆଶ୍ରୟ ନେଇଥାନ୍ତି। ମାଓବାଦୀଙ୍କୁ ଦମନ କରିବା ପାଇଁ ଆନ୍ଧ୍ରପ୍ରଦେଶ ଓ ଓଡିଶା ପୋଲିସ ଅଧିକରୁ ଅଧିକା ଫୋର୍ସ ମୁତୟନ କରିବେ ବୋଲି ଜଣାପଡ଼ିଛି।

ମାଓବାଦୀଙ୍କୁ ସହଯୋଗ ନକରିବା ପାଇଁ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସଚେତନତା ଅଭିଯାନ। ମାଓ ସମର୍ଥକ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ସରକାର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବେ ବୋଲି ଘୋଷଣା କରାଯାଉଛି।

ବିଶାଖାପାଟଣା ଗ୍ରାମାଞ୍ଚଳ ଏସ.ପି ରାହୁଲ ଦେବ ଶର୍ମା ମାଓ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସଚେତନତା ଅଭିଯାନକୁ ତ୍ବରାନ୍ବିତ କରୁଛନ୍ତି। ଚିକିତ୍ସା ଶିବିର ଆୟୋଜନ କରିବାଠୁ ଆରମ୍ଭ କରି ଶିକ୍ଷା ଅନୁଷ୍ଠାନ ନିର୍ମାଣ ଉପରେ ସେ ଗୁରୁତ୍ବ ଦେଉଛନ୍ତି।

ଏପରିକି ଅଷ୍ଟମରୁ ଦଶମ ଶ୍ରେଣୀ ମଧ୍ୟରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କୁ ବିଶାଖାପାଟଣା ସହର ପରିଭ୍ରମଣରେ ଅଣାଯାଉଛି। ବିଭିନ୍ନ ଶିଳ୍ପାନୁଷ୍ଠାନ ସହ ଅନ୍ୟ ଘରୋଇ ଶିକ୍ଷା ଅନୁଷ୍ଠାନ ବୁଲାଇ ସେମାନଙ୍କୁ ସଚେତନ କରାଯାଉଛି। ଆତ୍ମନିର୍ଭରଶୀଳ ହେବା ପାଇଁ ଓ କ୍ରୀଡାରେ ସଫଳତା ହାସଲ ପାଇଁ ପୋଲିସ କର୍ମଚାରୀ ପ୍ରଶିକ୍ଷଣ ଦେଉଛନ୍ତି। ପୋଲିସ ଚାକିରି କରିବାକୁ ଚାହୁଁଥିବା ଇଚ୍ଛୁକ ପିଲାମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବ୍ୟବସ୍ଥା କରାଯାଉଛି।

ବିଶାଖାପାଟଣା ପୋଲିସ ପକ୍ଷରୁ ଆଦିବାସୀଙ୍କୁ ମାଓ କାର୍ଯ୍ୟକଳାପ ବିରୋଧରେ ସଚେତନ କରାଯିବା ସହ ଆଦୀବାସିଙ୍କୁ ଶିକ୍ଷିତ କରିବାରେ ପୋଲିସ ଉଦ୍ୟମ ଜାରି ରଖିଛି। ଏଥି ଯୋଗୁଁ ୨୦୧୬-୧୭ ମସିହାରେ ବହୁ ହାଡ଼କୋର ମାଓବାଦୀ ଓ ସମର୍ଥକ ବିଶାଖାପାଟଣା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।

 

Comment